ମହାନାଟକ


-ନାନ୍ଦୀ-

ମହୋତ୍ସବ ଲାଗି

ମାତାମାହୀ ସାଜିଛନ୍ତି ସାମାରୋହେ ଅଶେଷ ସାମାଗ୍ରୀ;

ଅଶେଷ ସାମାଗ୍ରୀ

ଅସରନ୍ତି ମହୋତ୍ସବ ଲାଗି

ସୀମାହୀନ ଚନ୍ଦ୍ରାତପେ ଖଚିଛନ୍ତି ସଂଖ୍ୟାହୀନ ମୋତି;

ରଚିଛନ୍ତି ସ୍ତମ୍ଭେ ସ୍ତମ୍ଭେ ଅନିର୍ବାର ଜାଗତିକ ଜ୍ୟୋତି;

ପିତୃଦେବ ବିରାଜନ୍ତି ଦୀପ୍ତିମନ୍ତ ସପ୍ତାଶ୍ବ ରଥରେ

ଗ୍ରହରାଜ ସେ ମଣ୍ଡପ ଭକ୍ତିଭରେ ପ୍ରଦକ୍ଷିଣ କରେ;

ତେଣେ

ନିଳନଭେ ମାତୁଳ ଯେ ମାତିଛନ୍ତି ଲୁଚକାଳି ଖେଜେ

ପରୀ ପରି ଭାସମାନ ବହୁରୂପୀ ବାଦଲଙ୍କ ମେଳେ

ପଞ୍ଚଭୂତେ ଗଢ଼ା ଏହି ମାତୃକଳ୍ପା ପ୍ରାଚୀନ ବସୁଧା

ରୂପ ରସ ଗନ୍ଧେ ଭରା ନାନାବିଧ ଐଶ୍ବର୍ଯ୍ୟ-ସମୃଦ୍ଧା

 

-ପ୍ରଥମ ଅଙ୍କ-

ମୋ ଜନନୀ ଧରଣୀ,

ତା ଗର୍ଭୁ ଲଭିଛୁଁ ଜନ୍ମ ଲତା, ଗୁଳ୍ମ, ଯେତେ ଯେତେ ପ୍ରାଣୀ;

ତାହାରି ସ୍ତନରେ ପୁଷ୍ଟ ତୁମେ ଆମେ-

-ଆମେ ସର୍ବେ ଭାଇ

ଉପଭୋଗ୍ୟ ଜୀବନର ମହୋତ୍ସବ;

ଏକମେଳ ହୋଇ

ଆସ ଆମେ ହସି ଖେଳି କାଟିବା ଜୀବନ,

ସଂସାର ନୁହେଁ ମିଥ୍ୟା

ଜଗତ ଆଲୋକ-ପାର୍ବଣ

ଉପବନେ ଟହ ଟହ ରସବନ୍ତ ପକ୍ବଫଳେ

ନିବାରିବା କ୍ଷୁଧା

ନିର୍ଝରର କଳ କଳ ଜଳଧାରା

ତୃଷାହାରୀ ସ୍ବଚ୍ଛବାରି ପିଇବା ଆକଣ୍ଠ;

ପ୍ରାଣେ ପ୍ରାଣେ ଭରିବା ପୁଲକ

ଉଷାକାଶ ଆଲୋକଛଟାରେ,

ବିହଗର କଳରବେ,

ମଳୟ ହିଲ୍ଲୋଳେ

ଋତୁର ବୈଚିତ୍ର୍ୟେ,

ଜୀବନର କୋଳାହଳେ

ମୁକ୍ତ ସମୀରଣେ

ଆମେ ସୃଜନ ସଂଗୀତ ଗାଇବା;

ସୁରେ ସୁରେ ବାଜେ ବିଶ୍ବ ମହାଛନ୍ଦ

ପ୍ରାଣେ ପ୍ରାଣେ ଭରି ବିପୁଳ ଆନନ୍ଦ

ଏଥିରୁ ଅଧିକ ହୋଇ ପାରେ କିସ!

ଅଧିକ କିଁଆ ବା ଚାହିଁବା?

ଆମେ ସୃଜନ ସଂଗିତ ଗାଇବା

ସର୍ବେ ଭବନ୍ତୁ ସୁଖିନଃ; ସର୍ବେ ସନ୍ତୁ ନିରାମୟା

 

ସର୍ବେ ଇଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖଭାଗ୍ଭବେତ୍




+ -

© Jataayu Charitable Trust
Site designed,developed & maintained by Tekons