ମହାନାଟକ




-ଅଷ୍ଟମ ଅଙ୍କ-

ରୋଗ ଶୋକ ଜରା ମୃତ୍ୟୁ ଜର୍ଜରିତ ଜୀବନ ସାହାରା,

ଜଗତ ମିଥ୍ୟାମାୟା, ତୁଚ୍ଛଖାଲି କୁହୁଡି ପହଁରା;

ପଦେ ପଦେ ବାଧା ବିଘ୍ନ, ଦିଗେ ଦିଗେ ପୁରିଛି କଣ୍ଟକ;

ଖେଳାଲୀଳା କ୍ଷଣସ୍ଥାୟୀ, ବୃଥା ସବୁ, ସବୁ ନିରର୍ଥକ,

ଅସାର ସଂସାର

ଧରାଧାମେ କାହିଁ ଶାନ୍ତି? କାହିଁ ମୁକ୍ତି? କାରାଗାର

କହ କହ ବିଷଣ୍ଣ ନାୟକ

ପୃଥିବୀର ରଙ୍ଗମଞ୍ଚେ

ଅହରହ ଅବିରାମ ଚଳେ ସତ୍ୟ ଯେ ମହାନାଟକ

କିଏ ତା ସୂତ୍ରଧର?

କିଏ କର୍ତ୍ତା?

କେ ବା ନିର୍ଦ୍ଦେଶକ?

ମୋହଗ୍ରସ୍ତ ମଦୋନ୍ମତ୍ତ ଉଦ୍ଧତ ତୁ ଅହମିକା-ଅନ୍ଧ,

ହଜାଇଛୁ ଅନ୍ତର୍ଦୃଷ୍ଟି, ଆଗୋଚର ସୃଷ୍ଟିର ପ୍ରବନ୍ଧ;

ବ୍ରହ୍ମାଣ୍ଡର ବିବର୍ତ୍ତନେ ଜନ୍ମେ ଜଡ, ଜଡୁଁ ହେଲା ଜୀବ,

ତୋ ପିଣ୍ଡରେ ପ୍ରାଣ ସେ , ସେ ଶିଖା, ତୁ ତାଙ୍କ ପ୍ରଦୀପ;

ସାଧକର ଭଗବାନ, ବିଜ୍ଞାନୀର ଆଦିମ ପ୍ରକୃତି

ସେହି ମହାଶକ୍ତି

ବ୍ୟାପ୍ତିମୟୀ ବିଶ୍ବ ଛାଇ ଘେନିଥାନ୍ତି ରୂପରୂପାନ୍ତର

ପଞ୍ଚଭୂତେ ନାନାକୃତି ନାନାବର୍ଣ୍ଣ ବିଭିନ୍ନ ପ୍ରକାର

ମହାକଳୀ ମହାଲକ୍ଷ୍ମୀ ସେହି ପୁଣି ମହା-ସରସ୍ବତୀ

ସେ ପରମ ଜେହୋବା-ଆଲ୍ହା ମାତାମହୀ ଦେବୀ ଭଗବତୀ

ସେ ପୁରୁଷ, ସେହି ନାରୀ, ଆପଣାର ଆପେ ପ୍ରତିଦ୍ବନ୍ଦ୍ବୀ;

ନିଜ ଗଢ଼ା ବନ୍ଦୀଶାଳେ ନିଜକୁ ସେ କରିଥାଏ ବନ୍ଦୀ;

ଅଣୁରେ ସେ ଅବସ୍ଥିତ, ବ୍ରହ୍ମାଣ୍ଡଠୁ ଆହୁରି ବିଶାଳ;

ସୂକ୍ଷ୍ମ ସ୍ଥୂଳ ଆଧାରିତ, ସେହି ପୁଣି ତହିଁରେ ଅଧାର;

ଏକ ବ୍ରହ୍ମ, ଅଦ୍ବିତୀୟ , ଜ୍ଞାନାତୀତ, ଅବ୍ୟକ୍ତ ଅଲେଖ,

ଘଟେ ଘଟେ ପ୍ରକଟିତ, ସର୍ବବ୍ୟାପୀ ସେ ପୁଣି ଅନେକ

ଖୋଜି ଖୋଜି ବୃନ୍ଦାବନେ ନିଧୁବନେ ରାଧିକା ବିଧୁରା;

ତୋ କୁଞ୍ଜେ ଲୁଚିଛି କୃଷ୍ଣ, ମଥାପିଟୁ ଗଲା ଯେ ମଥୁରା

ହେ ସଂଦିଗ୍ଧ,

ଜୀବନର ସୀମା ଆଙ୍କିଦିଅ କାଳାତୀତ ମହାକାଳେ,

ନିଜସତ୍ତା ଯୋଗକର ଅବିକଳ୍ପ ଅନନ୍ତ ସତ୍ତାରେ,

ମହାକାଶ ପ୍ରତିଛବି ଫୁଟିଉଠୁ ଶିଶିର ବିନ୍ଦୁରେ;

ବନ୍ଧନର ବନ୍ଧ୍ୟାଲତା ଗର୍ଭବତୀ ମୁକ୍ତିର ମୁକୁଳେ;

ବିକାଶର ଧାରା କେବେ ହଜାଇନି

 ସୃଷ୍ଟି ମହୋତ୍ସବ;

ମରଲୋକେ ଅମରତ୍ବ; ନର ଦେହେ

ଦେବତ୍ବ ସମ୍ଭବ;

ବିକଶିତ ତୋ ମାନସେ ଅତୀନ୍ଦ୍ରିୟ

ଦିବ୍ୟ ସେ ଆଲୋକ

ଯୋଗ ହେଉ ପୂର୍ଣ୍ଣ

ନମିଛି ଅତିମାନସ;

ବର ନର ହେବ ଅବତୀର୍ଣ୍ଣ

ଈଶାବାସମିଦଂ ସର୍ବ ଯତ୍କିଂଚ ଜଗତ୍ୟାଂ ଜଗତ୍‌;

ପରମୋଚ୍ଚ ପ୍ରଭୋ ସତ୍ୟ ନିତ୍ୟ ତ୍ବମେବ କେବଳମ୍

 

ଓଁ ତତ୍ସତ୍




+ -

© Jataayu Charitable Trust
Site designed,developed & maintained by Tekons