ଗଛ, ତୁ କାହିଁକି ମଲୁ?


(୧)

   ଭୀମାସେଠୀ କି ତରାବୋଉ ମନରେ ନଥିଲା, ଦିନଟା ଏଡ଼େ ସୁରୁଖୁରୁରେ ଯିବ ବୋଲି , ତରା ଯେଭଳି ଚଟି ଯାଉଥିଲା।

    ତରା ଯେବେ ରାଗେ ଲୁଗାସିଝା ହାଣ୍ଡିରୁ ଗୋଟାଏ ଅଧେ ଭାଙ୍ଗେ , କଚା ଲୁଗାସବୁ ପୁଣି ମଶିଆ ହୁଏ, ଖରା ପାଉଁଶ କେତେ ଖତଗଦାରେ କୁଢ଼ାହୁଏ, ବିଲେଇର କପାଳ ଫିଟେ, କଲରା ଗଛର ଡଙ୍କ ସବୁ ଛିଣ୍ଡିପଡ଼େ, ତରା ହାତରୁ କାଚ ପଟେ ଖଣ୍ଡେ ତୁଟେ, ମେଣ୍ଢା ଦି’ଟା ସେଦିନ ଆଉ ଦୁବଘାସ ନପାଇ ରଡ଼ିଲେ ବାଡ଼ିଘର ଉଠାନ୍ତି ପକାନ୍ତି। ଥରେ ଯେଉଁଦିନ ବିଗିଡ଼ିଯାଇଛି ସେଦିନ ରାତି ପହରକ ଯାଏଁ ଆଉ ଶାନ୍ତି ନାହିଁ, ଫିଙ୍ଗା ଫୋପଡ଼ା , ପାଟିତୁଣ୍ଡ, ଗାରୁଗାରୁ , ମୁହଁ ଫଣଫଣ, ଗୋଡ଼ କଚଡ଼ା, ରୁଷା, ଗାଳିମନ୍ଦ, ଫଉଜଦାରୀ। ତରାର ରାଗ ଥମିବାକୁ ଅନେକ ସମୟ ଲାଗେ ଗୋଟାଏ ପୂରାଦିନ।

    କିନ୍ତୁ ସେଦିନ ଜମିଦାରଙ୍କ ଘର ଲୁଗା ନେଇ ଫେରୁଥିବା ବେଳେ ତରା ମୁହଁରେ ହସ ଫାଟି ପଡ଼ୁଥିଲା ।

    “କିଲୋ ତରା, ଭାରି ହସୁଚୁ?” ତରା ବୋଉ ବିସ୍ମୟ ପ୍ରକାଶ ନ କରି ରହିପାରିଲା ନାହିଁ, “ସାଆନ୍ତ ଘର କୋଉଠୁ ଭାର ଆସିଥେଲା କି?”

    “ହଁ, ଭାରଟି? ତୋ ମୁହଁରେ ଅଜାଡ଼ି ଦଉଥେଲେ।” ତରା ହସର କୁରୁଡ଼ିରେ ଉଛୁଳି ପଡ଼ିଲା। “ଏତେ କାହିଁକି ଭାର ଖାଉଛ ମଁ।”

    ହାଣ୍ଡି ଭାଙ୍ଗି ନାହିଁ, ଗୋଡ଼ କଚଡ଼ାରେ ଭୂଇଁ ଦୁଲୁକୁ ନାହିଁ। ତରାର ହସରେ ଘର ଓ ବାହାର ପୂରି ଯାଇଛି, ତରା କାନ୍ଥ, ଚୁଲି, ବିଲେଇ, ମେଣ୍ଢା  ଓ କଲରା ଗଛ ସହିତ କଥାବାର୍ତ୍ତା କରିଚି, କାନସିରି ଶାଗ ଖରଡିଚି, ଶୁଖୁଆ ପୋଡ଼ିଚି ଓ ବାପ ଖୁସିପାଏ ବୋଲି ସପନି ନାନୀ ବାଡ଼ିରୁ ପିଆଜ ଶଣ୍ଢା ଦି’ଟା ମାରି ଆଣିଛି, ବୋଉ ହାତରୁ ନିଆଁଖୁଣ୍ଟା ଛଡ଼େଇ ଆପେ ଲୁଗା ସିଝେଇ ବସିଚି।

   ଛାଇ ନେଉଟିଲା, ଭୀମା ପଦ୍ମପୋଖରୀ ତୁଠରୁ ଲୁଗା ଶୁଖେଇ ଘରକୁ ଫେରିଲା , ତରା ପିଢ଼ାଟାଏ ପକେଇ ଦେଲା, ପଖାଳ କଂସା ,ଶୁଖୁଆ ପୋଡ଼ା, ଶାଗ ଖରଡ଼ା ଓ ପିଆଜ ଶଣ୍ଢା ଆଣି ବାପା ପାଇଁ ବାଢ଼ିଦେଇ ବାରିରୁ କଂଚା ଲଙ୍କା ପୁଞ୍ଜାଏ ତୋଳି ଆଣିଲା।

   “ବାପା ଲଙ୍କା ନିଏ।” ତରାବାପା ଖାଇବାଠେଇଁ ବସିରହିଲା। “ମୋ ତରା ପରି ଝିଅଟିଏ ପରା ଦେଖିବ ନାଇଁ ।” କଂଚା ଲଙ୍କାରୁ ଧରେ କାମୁଡ଼ି ଭୀମା ତାବୋଉକୁ କହିଲା-

   “ଝିଅ ତ , କୋଉ ପୁଅ ହେଇଛି।”

   “ଦିଅଁ ଆମକୁ ପୁଅ ଦେଇନାହାନ୍ତି, ତରାକୁ ଦେଇଛନ୍ତି, ସେଇ ଆମର ଢେର । ତରା, ନୋଇଲେ ଆଉ ଗୋଟାଏ।”

   ତରାବୋଉ ଆଉ କିଛି ନ କହି ସିଝା ଲୁଗାକୁ ଚୁପୁଡ଼ି ଜମାକରୁଥାଏ । “ବାପା- ଆମର ଗୋଟାଏ ଇସ୍ତିରୀ କିଣନ୍ତେ ନାଇଁ?” ତରାର କଣ୍ଠରେ ଥିଲା ଶିଶୁର ଅଳି,ତାରୁଣ୍ୟର ଉତ୍ସାହ ଓ ଗୃହିଣୀର ପରିକଳ୍ପନା ।

   “କାଇଁଲୋ,” ଆଉ ଗୁଣ୍ଡାଏ ପାଟିକୁ ନେଇ ଭୀମା କହିଲା,

   “ଶୁଣିଲଟି, ତରାର ଆମର ଇସ୍ତିରୀଟିଏ କିଣିବାକୁ ମନ ହଉଚି।”

   “ତା ପାଇଁ ଗୋଟିଏ କୋଉଠୁ ସହରିଆ ବରଟିଏ ବୁଝ ଯେ ନିଇତି କେତେ ଇସ୍ତିରୀ ଦଉଥିବ । ଇଏ ଆମ ମଫସଲରେ ସାତ ମହଳ ଲୁଗା ଛାଡ଼ିବେ ନାହିଁ, ବାସିଧୋବ ପିନ୍ଧୁଚି କିଏ ଯେ, ଇସ୍ତିରୀ ଖୋଜା ପଡ଼ିଚି ।”

   “ସବୁ କଥାକୁ ତୋର ଗୋଟାଏ ନାଇଁ। ଭାରି ଜାଣିଚୁ ଏକା, ବାସିଧୋବ ପିନ୍ଧିବାକୁ ନୋକ ନାହାନ୍ତି ବାକି!! ତତେ ମୁଁ ପଇସା ମାଗୁନାଇଁ।ମୋ ପଇସାରେ ମୁଁ କିଣିବି।”

   ବସିଲା ଥାନରୁ ତରା ଉଠିଗଲା , କାନ୍ଥକୁ ଖୋଳି ମାଟି ଘଡ଼ିଟିଏ ଆଣି ବାପା ଆଗରେ ଥୋଇଦେଲା ।

   “ବାପା, ଏଇ ହବ ନାଇଁ? ସାତ ସୁଉକି ଅଛି।”

   “ହଁ,ହଁ, କିଣିଦେବି ଲୋ, ମୋ ଝିଅ କହିଲାଣି; ” ଭୀମା ସେଠୀର ସିଝା ମୁହଁରେ ଯେଉଁ ହସ ଦେଖାଗଲା, ସେଥିର ଅଧିକ ଭାଗ ଝିଅର ପ୍ରଶଂସା।

  “ସେଠୀ ଘର ହେଇ ଇସ୍ତିରୀଟିଏ ନାଇଁ, କି ଲାଜ କଥା ଇଏ। ଆଜି ଜମିଦାର ସାଆନ୍ତଙ୍କ ଘରକୁ ଲୁଗା ପେଇଁ ଯାଇଥିଲି ଯେ ସାଆନ୍ତଙ୍କ ପୁଅ ଆସିଚନ୍ତି, କଟକରେ ପରା ପଢ଼ା କରୁଚନ୍ତିସେ,ବେଶୀ ପଢ଼ା, ଆସିଛନ୍ତି ଗାଁକୁ ଛୁଟିରେ, ଲୁଗା ଦେଲେ, ମତେ କହିଲେ, “ଟାଣ ଇସ୍ତିରୀ କରିବୁ।” ରଥ ଗୋସେଇଁ ଥେଲେ, ବିଶି ସ୍ବାଇଁ, ନୀଳା ବାରିକ, ସତୁରା, ଆଉ କେତେ ନୋକ, ସମସ୍ତେ ତ ହସିଲେ, କହିଲେ,“ଏଠି ବାବୁ ତମ ସହରିଆ କଥା ଚଳିବ ନାହିଁ । ସେ କି ଇସ୍ତିରୀ ଫିସ୍ତିରୀ ଜାଣେ, କାଟିକରି ଆଣିଦେବ।” ଆଖିଛୁଇଁ କହୁଚି ବାପା, ମୁହଁ ମୋର ଜଳିଗଲା । ଓଃ, ମନ ହେଉଥାଏ, ଏଇନାଏଁ ମୋ ପ୍ରାଣ ଛାଡ଼ି ଯାଆନ୍ତା କି ଏ ଲାଜ ସହନ୍ତି ନାହିଁ, ଇସ୍ତିରୀ ଖଣ୍ଡେ ନାହିଁ ବୋଲି ସିନା ଏଡ଼େ କଥା!”

 

“ଝିଅକୁ ମୋର ବାଧିଚି , । ପୁଷପୁନେଇଁ ଯାତ ହଉ, ଯାତକୁ ନିଶ୍ଚେ ଆଣିବି ଦେଖିବୁ ନାଇଁ ।”




+ -

© Jataayu Charitable Trust
Site designed,developed & maintained by Tekons