ଫାଶୀ-ଆସାମୀର ଚୋରା-ଚିଠି
ମୂଳଲେଖା –ଜୁଲିୟାସ୍ ଫୁଚିକ
ଅନୁବାଦ-ରଘୁନାଥ ଦାସ
ପରିଚୟ
ନାଜୀ ଆତତାୟୀ ଫାଶିଖୁଣ୍ଟ ତଳେ ଏ ବହିର ରଚନା- ଲେଖକ ଜୁଲିୟାସ୍ ଫୁଚିକ୍। ବହିଟିର ଲିଖନଭଙ୍ଗୀ ତାଙ୍କର ଦୁର୍ଜୟ ସାହସ ଓ ବୁଦ୍ଧିମତ୍ତାର ପରିଚୟ ଦିଏ। ଏହି ବହି ଖଣ୍ଡିକ କେତେଗୁଡ଼ିଏ ପେନ୍ସିଲ୍ ଲେଖା ଟିପା କାଗଜର ସମଷ୍ଟି , ସେଗୁଡ଼ିକ ଜଣେ ସହାନଭୂତିଶୀଳ ଚେକ୍ ପହରାବାଲା ସାହାଯ୍ୟରେ ପ୍ରେଗ୍ସ୍ଥିତ ଗେଷ୍ଟାପୋ ବନ୍ଦୀଶାଳା ପ୍ୟାନ୍କ୍ରାଟସ୍ରୁ ଗୋପନରେ ବାହାରକୁ ପଠା ହୋଇଥିଲା। ଫୁଚିକ୍ ଆତ୍ମପ୍ରତାରଣା ଘୃଣା କରୁଥିଲେ। ସେ ଜାଣିଥିଲେ ଏହି ଅନିଶ୍ଚିତ ଧାରାବାହିକ ଲେଖା ସଂପୂର୍ଣ୍ଣ କରିବାକୁ ତାଙ୍କର ଆୟୁଷ ନାହିଁ। କିନ୍ତୁ ଏ ଦୃଢ଼ ବିଶ୍ବାସ ତାଙ୍କର ଥିଲା, ତାଙ୍କର ଲକ୍ଷ ଲକ୍ଷ ଦେଶବାସୀ ଏବଂ ଅନ୍ୟାନ୍ୟ ଦେଶର ଫାସିଷ୍ଟ ବିରୋଧୀ ଦଳ ଲେଖିବେ, ଫୁଚିକ୍ଙ୍କ ଭାଷାରେ- ‘ଏହାର ମଧୁର ପରିସମାପ୍ତି ।’
ଜନସାଧାରଣଙ୍କଠାରେ ଓ ସେମାନଙ୍କର ଭବିଷ୍ୟତ ଉପରେ ଏହି ବିଶ୍ବାସ ହିଁ ଏ ପୁସ୍ତିକାର ପ୍ରଧାନ ଉପଜୀବ୍ୟ। ଯୁଦ୍ଧକାଳୀନ ଅଧିକାଂଶ ବନ୍ଦୀଶାଳା ସାହିତ୍ୟ ଭଳି ଫାସିଷ୍ଟବାଦର ନିଷ୍ଠୁରତାର ଗୋଟିଏ ଅଲିଭା ଚିତ୍ର ଏଥିରୁ ମିଳେ। ତା’ ଛଡ଼ା ବି ଏଥିରେ ଏପରି ଜଣେ ମନୁଷ୍ୟର ଛବି ପାଉଁ ଯେ କେବଳ ଫାସିଷ୍ଟବାଦର ଶିକାର ନଥିଲେ , ଥିଲେ ତାର ଅଭିଯୋକ୍ତା, ବିଚାରକ ଓ ନୈତିକ ବିଜେତା ମଧ୍ୟ। ସେ ଘୋଷଣା କରି ଯାଇଛନ୍ତି, ‘ହାୟ, ଆଜି ଯେ ଭୟାନକ ବୀଜ ବୁଣାହେଲା, ଦିନେ ତହିଁରୁ କିପରି ଫଳ ଫଳିବ।’ ସେ ଜଣେ ସହକର୍ମୀକୁ ବର୍ଣ୍ଣନା କରିବାକୁ ଯାଇ ଯାହା କହିଛନ୍ତି, ତାଙ୍କ ସମ୍ବନ୍ଧରେ ସେ କଥା ପ୍ରୟୋଗ ନକରି ରହିପାରୁନାହିଁ- ‘ସେ ସମସ୍ତଙ୍କୁ ଭବିଷ୍ୟତର ନିର୍ଦ୍ଦେଶ ଦେଉଛି, ଅଥଚ ତାର ନିଜର ଭବିଷ୍ୟତ ନିର୍ଦ୍ଦିଷ୍ଟ ହୋଇରହିଛି ସିଧାସଳଖ ମୃତ୍ୟୁଦିଗକୁ।’
ଫୁଚିକ୍ ଗେଷ୍ଟାପୋମାନଙ୍କ ଦ୍ବାରା ନିହତ ହୋଇଥିଲେ। କିନ୍ତୁ ଯେଉଁ ଭବିଷ୍ୟତର ନିର୍ଦ୍ଦେଶ ସେ ଏଥିରେ ପ୍ରଦାନ କରି ଯାଇଛନ୍ତି, ତାହା ଆଜି ତାଙ୍କର ସ୍ବଦେଶ ଚେକୋସ୍ଲୋଭାକିୟାରେ ଜୀବନ୍ତ ବାସ୍ତବ। ଯୁଦ୍ଧ ସମ୍ବନ୍ଧରେ ଯେତେ ବହି ସେଠାରେ ପ୍ରକାଶିତ ହୋଇଛି,ଏହି ବହି ଖଣ୍ଡିକ ତନ୍ମଧ୍ୟରେ ଲାଭ କରିଛି ସବୁଠାରୁ ବେଶି ଜନପ୍ରିୟତା। ଫୁଚିକ୍ ଆଜି ଜାତିର ବିଶିଷ୍ଟ ବୀରମାନଙ୍କ ମଧ୍ୟରେ ଜଣେ ବୋଲି ପୂଜା ପାଉଛନ୍ତି। ସୋଭିଏତ୍ ୟୁନିଅନ, ଫ୍ରାନ୍ସ ,ଯୁଗୋସ୍ଲୋଭିଆ ସମେତ ଯେଉଁସବୁ ଦେଶ ହିଟ୍ଲରକୁ ପରାସ୍ତ କରିବାରେ ଅଂଶ ଗ୍ରହଣ କରିଥିଲେ, ସେହିସବୁ ଦେଶରେ ବହି ଖଣ୍ଡିକ ଅନୁଦିତ ହୋଇଛି। ସୋଭିଏତ୍ ୟୁନିଅନ୍ ସଂପର୍କରେ ଫୁଚିକ୍ ଖଣ୍ଡେ ଚମତ୍କାର ବହି ଲେଖିଥିଲେ । ତାର ନାମ ‘ଆଗାମୀକାଲି ଯେଉଁ ଦେଶରେ ଗତକାଲିରେ ପରିଣତ ହୋଇଛି।’ ଏହି ବହି ଖଣ୍ଡିକରେ ସେ ଯେଉଁ ଭବିଷ୍ୟତର କଥା ଲେଖିଛନ୍ତି, ଆଜି ତାହା ରୂପ ନେଇ ଦେଖା ଦେଇଛି ଚେକୋସ୍ଲୋଭାକିଆ ଏବଂ ୟୁରୋପର ଅନ୍ୟାନ୍ୟ ନୂତନ ଗଣତାନ୍ତ୍ରିକ ରାଷ୍ଟ୍ରରେ।
ସାମ୍ବାଦିକ, ସାହିତ୍ୟ-ସମାଲୋଚକ ,କମ୍ୟୁନିଷ୍ଟ-ନେତା ଜୁଲିୟାସ୍ ଫୁଚିକ୍ ୧୯୦୩ ମସିହା ଫେବୃୟାରୀ ୨୩ ତାରିଖରେ ପ୍ରେଗ୍ ସ୍ମିଚଭ୍ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଇସ୍ପାତ କାରଖାନାରେ କାମ କରୁଥିଲେ, ତା’ଛଡ଼ା ଅଭିନୟ ଓ କଣ୍ଠସଙ୍ଗୀତରେ ତାଙ୍କର ସଉକ ଥିଲା। ଫୁଚିକ୍ ନିଜେ ଶ୍ରମିକ ଆନ୍ଦୋଳନରେ ଆଉ ଚେକୋସ୍ଲୋଭାକିୟାର ସାଂସ୍କୃତିକ ଜଗତରେ କାମ କରିବାକୁ ଆରମ୍ଭ କଲେ ତାଙ୍କର କିଶୋର ବୟସରୁ । ପ୍ରେଗ୍ ବିଶ୍ବବିଦ୍ୟାଳୟର ଛାତ୍ର ଭାବରେ ସାହିତ୍ୟ, ସଙ୍ଗୀତ ଓ ଶିଳ୍ପଶାସ୍ତ୍ର ସେ ଅଧ୍ୟୟନ କରିଥିଲେ । ଜୀବିକାର୍ଜନରେ ସେ ଥିଲେ ଶ୍ରମିକ, ତେଣୁ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ । ସାମ୍ୟବାଦୀ ପତ୍ରିକାଗୁଡ଼ିକୁ ସେ ଲେଖା ଯୋଗାଉଥିଲେ। କିଛିଦିନ ମଧ୍ୟରେ କମ୍ୟୁନିଷ୍ଟ ଛାତ୍ରସଂଘର ସେ ଜଣେ ନେତା ହୋଇଉଠିଲେ । ୧୯୨୯ ସାଲରେ ‘ଭୋରବା’ (ସୃଷ୍ଟି)ର ପ୍ରଧାନ ସମ୍ପାଦକ ହେଲେ। ତାଙ୍କରି ସମ୍ପାଦନାରେ ପତ୍ରିକା ଖଣ୍ଡିକ ସଂସ୍କୃତି ଆଉ ରାଜନୀତି କ୍ଷେତ୍ରରେ ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା। ତାପରେ ସେ ହେଲେ ଚେକ୍ କମ୍ୟୁନିଷ୍ଟ୍ପାର୍ଟିର ମୁଖପାତ୍ର ‘ରୁଦେ ପ୍ରାଭୋ’ର ସମ୍ପାଦକ।
ଦୁଇଥର ସେ ସୋଭିଏତ୍ ୟୁନିୟନ୍କୁ ଯାଇଥିଲେ ଏବଂ ତାଙ୍କର ସେହି ଅଭିଜ୍ଞତା ଦେଶବାସୀଙ୍କୁ ଜଣାଇଥିଲେ ଖବରକାଗଜର ସମ୍ବାଦଦାତା,ବକ୍ତା ଏବଂ ସମ୍ପାଦକ ହିସାବରେ । ତାହାରି ଫଳରେ ଫୁଚିକ୍ ନିଗୃହୀତ ହେଲେ, ଚେକ୍ ପ୍ରତିକ୍ରିୟାଶୀଳ ଶକ୍ତି ତାଙ୍କୁ ବାରମ୍ବାର ବନ୍ଦୀ କଲା। ମିଉନିକ୍ ସମୟରେ କମ୍ୟୁନିଷ୍ଟ କାଗଜ ବେଆଇନ ହୋଇଗଲା,ପାର୍ଟି ଲୁଚିଛପି କାମକଲା। ନାଜୀ ଦେଶ ଅଧିକାର କରିବା ସଙ୍ଗେ ସଙ୍ଗେ ଫୁଚିକ୍ ଆତ୍ମଗୋପନ କଲେ। ସେ ମାର୍କସବାଦୀ ସାହିତ୍ୟ ଏବଂ ଇତିହାସ ପଠନରେ ମନୋନିବେଶ କଲେ , ଏବଂ ପାର୍ଟିର ଅବୈଧାନିକ ଘାଟିର ନିୟନ୍ତ୍ରଣ ମଧ୍ୟ ରହିଲା ତାଙ୍କରି ହାତରେ । ସହକର୍ମୀମାନଙ୍କ ସହଯୋଗରେ ସେ ଗୋପନ ଅନ୍ଦୋଳନର ମୁଖପାତ୍ର ‘ରୁଦେ ପ୍ରାଭୋ’ (ସେ ଥିଲେ ତାର ସମ୍ପାଦକ) ଓ ଆହୁରି କେତେକ ବହି ପ୍ରକାଶ କଲେ; ତା ମଧ୍ୟରେ ବିଦ୍ରୂପାତ୍ମକ ସମାଲୋଚନା ‘କ୍ରାନାଭେସେକ୍’ (ଛୋଟିଆ ବଂଶୀ) ବିଶେଷ ଉଲ୍ଲେଖଯୋଗ୍ୟ।
ଚେକୋସ୍ଲୋଭାକିୟାର କମ୍ୟୁନିଷ୍ଟ ପାର୍ଟି ସମ୍ବନ୍ଧରେ ଫୁଚିକ୍ ତାଙ୍କର ଏହି ବହି ଖଣ୍ଡିକରେ ଶ୍ରଦ୍ଧା ଆଉ ଗର୍ବ ସହକାରେ ଲେଖିଛନ୍ତି। ଏହି ପାର୍ଟି ର୍ହି ଆଜି ସେ ଦେଶରେ ସଂଖ୍ୟାଗରିଷ୍ଠ। ବର୍ବରୋଚିତ ନିର୍ଯାତନା ସହ୍ୟ କରି ମଧ୍ୟ ଏହି ପାର୍ଟି ପ୍ରମାଣ କରିଥିଲା ଯେ, ସେ ଚେକ୍ ଶ୍ରମିକ ଆଉ ସମସ୍ତ ଜାତିର ଅବିନାଶୀ ଅଂଶ ବିଶେଷ । ଆଜି ଯେତେବେଳେ ଆମେରିକାର ପ୍ରତିକ୍ରିୟାଶୀଳ ସାମ୍ରାଜ୍ୟବାଦୀମାନେ ଚେକୋସ୍ଲୋଭାକିୟାର ମିଉନିକ୍ଦଳ ପରି ଆମର ଶ୍ରମିକ ଶ୍ରେଣୀର ଅଗ୍ରଗାମୀ ଦଳକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେବାକୁ ଚାହୁଁଛନ୍ତି , ସେତେବେଳେ ଫୁଚିକ୍ଙ୍କର ବହିଖଣ୍ଡିକ ଆମ୍ଭମାନଙ୍କୁ ବିଶେଷ ଶିକ୍ଷା ଦେବ। ଏଥିରେ ଆମେ କମ୍ୟୁନିଷ୍ଟମାନଙ୍କର ସତ୍ୟ ସ୍ବରୂପ ଦେଖିବାକୁ ପାଉଁ; ଜନସ୍ବାର୍ଥର ଦୃଢ଼ପ୍ରତିଜ୍ଞା ରକ୍ଷକ ସେମାନେ । ଆମେ ଜାଣିପାରୁଁ ସାମ୍ୟକାର ଦେଶ ସୋଭିଏତ୍ ୟୁନିଅନ୍ ସଙ୍ଗେ ପ୍ରକୃତ ବନ୍ଧୁତ୍ବ ହିଁ ଯେକୌଣସି ଜାତିକୁ ପ୍ରତିକ୍ରିୟାଶୀଳତା ଆଉ ଫାସିଷ୍ଟବାଦର ହସ୍ତରୁ ବଞ୍ଚାଇବାର ଏକମାତ୍ର ଉପାୟ। ଶ୍ରେଷ୍ଠ ଦେଶପ୍ରେମୀ, ଚେକ୍ ଶ୍ରମିକଶ୍ରେଣୀର ପ୍ରକୃତ ସନ୍ତାନ ହିସାବରେ ଫୁଚିକ୍ ସୋଭିଏତ୍ ୟୁନିଅନ୍ ପ୍ରତି ତାଙ୍କର ଅନୁରକ୍ତି ଆଉ ଶ୍ରଦ୍ଧା ଜ୍ଞାପନ କରିଛନ୍ତି।
ଗେଷ୍ଟାପୋମାନଙ୍କ ହସ୍ତରେ ଧରା ପଡ଼ି ସେ ନିର୍ଯାତିତ ଓ ନିହତ ହେଲେ। ସେତେବେଳକୁ ତାଙ୍କର ବୟସ ଚାଳିଶ ମାତ୍ର। କିନ୍ତୁ ଏପରି ଚମତ୍କାର ସ୍ବତଃ ସ୍ଫୂର୍ତ୍ତ, ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ସମ୍ପନ୍ନ, ଜୀବନ ପ୍ରତି ଶ୍ରଦ୍ଧାରେ ସମୃଦ୍ଧ ଏହି କେତେକ ପୃଷ୍ଠାରେ ଫୁଚିକ୍ ରଖିଯାଇଛନ୍ତି ସାହିତ୍ୟରେ ଏକ ଚିରସ୍ମରଣୀୟ କୀର୍ତ୍ତି; ଆଉ ରଖିଯାଇଛନ୍ତି ଏକ ସ୍ମରଣୀୟ ଉପଦେଶ। ତାଙ୍କର ଶେଷ ଧାଡ଼ିଟି ଆମର ଯେପରି ସ୍ମରଣ ରହେ –‘ହୁସିଆର।’ ସେ ଲେଖିଯାଇଛନ୍ତି- ‘ବାସ୍ତବ ଜୀବନରେ ଦର୍ଶକ ନାହାନ୍ତି, ତୁମେ ସମସ୍ତେ ସେଠି ଅଂଶ ଗ୍ରହଣ କରିଛ।’ ଜୀବନ ବିଷୟରେ ତଥା ପ୍ରକୃତ ସାହିତ୍ୟ ସମ୍ବନ୍ଧରେ କଣ ଏକଥା ସତ୍ୟ ନୁହେଁ? ଯେଉଁ ଯୁଦ୍ଧ ଚାଲିଛି, ଏହି ବହି ଖଣ୍ଡିକ ସେଠି ହେବ ଏକ ମହତ୍ ଦାନ-ଆଜି ସେ ଯୁଦ୍ଧ ଆମ ଘରର କେତେ ନିକଟକୁ ଆସିଯାଇଛି। ସେ ଯୁଦ୍ଧ ଫାସିଷ୍ଟବାଦର ଅମାନୁଷିକ ବର୍ବରତା ବିରୁଦ୍ଧରେ ।
-ସ୍ୟାମୁୟେଲ୍ ସାଇଲେନ୍