ସେମାନେ ମୋତେ ଟାଣି ଗୋଟାଏ ମଟର ଗାଡ଼ିରେ ପୁରେଇଲେ। ପିସ୍ତଲ ଉଠାହୋଇ ରହିଥାଏ ସର୍ବଦା ମୋ ଆଡ଼କୁ ଲକ୍ଷ୍ୟ କରି। ଗାଡ଼ିରେ ମୋ ଉପରେ ସୁରୁ ହୋଇଗଲା।
-ତୋ ନାଁ କ’ଣ?
-ଅଧ୍ୟାପକ ହୋରେକ୍।
-ମିଛ କହୁଚୁ।
-କାନ୍ଧ ହଲେଇ ଟିକିଏ ହଲଚଲ ହେଲି।
-ଚୁପ୍ କରି ବସ୍, ନୋହିଲେ ଗୁଳି ଚାଲିବ।
-ବେଶ୍, ଗୁଳି କର।
ନା, ଭୁଷି ଚାଲିଲା।
କଡ଼ରେ ଗୋଟାଏ ମଟର ଚାଲିଗଲା। ମତେ ବୋଧହେଲା ଗାଡ଼ିଟି ସଜା ଯାଇଛି ଧଳାରଙ୍ଗରେ । ବିବାହ ମଟର…ଏତେ ରାତିରେ? ନିଶ୍ଚୟ ଏ ମୋର ଜର ବାଉଳା।
ପେଟ୍ଚେକ୍ ପ୍ରାସାଦ। ଗେଷ୍ଟାପୋଙ୍କର ପ୍ରଧାନ ଘାଟି। କେବେ ଭାବି ନଥିଲି ଜୀବନ୍ତ ଅବସ୍ଥାରେ ଏହା ମଧ୍ୟରେ ପ୍ରବେଶ କରିବି। ସେମାନେ ମୋତେ ପାଞ୍ଚ ମହଲା ଉପରକୁ ଦୌଡ଼େଇ ନେଲେ। ଏ ସେହି ପ୍ରସିଦ୍ଧ ୨-କ ବିଭାଗ କମ୍ୟୁନିଷ୍ଟ ବିରୋଧୀ ତଦନ୍ତ ଅଫିସ୍। ମୁଁ କୌତୂହଳୀ ହୋଇ ଉଠିଲି।
ଗିରଫଦାରୀ ବିଭାଗର ଭାରପ୍ରାପ୍ତ ଜଣେ ଅଫିସର, ପତଳା ଆଉ ଡେଙ୍ଗା ହୋଇ,ପାକିଟ୍ରେ ରିଭଲ୍ଭର ଭର୍ତ୍ତି କରି ମତେ ନେଇଗଲା ତା‘ ଅଫିସକୁ । ସିଗାରେଟ୍ରେ ନିଆଁ ଧରେଇ ଦେଲା।
-ତୁମେ କିଏ?
-ଅଧ୍ୟାପକ ହୋରେକ୍।
-ମିଛ କହୁଚ!
-ତା ହାତ ଘଡ଼ିରୁ ଜାଣିଲି ବାଜିଚି ଏଗାରଟା ।
-ୟାକୁ ତଲାସ କର।
ମୋର ପୋଷାକ ପତ୍ର କାଢ଼ି ତଲାସ କଲେ।
-ଖଣ୍ଡେ ଚିହ୍ନଟ କାର୍ଡ଼ ମିଳିଚି।
-ନାମ?
-ଅଧ୍ୟାପକ ହୋରେକ୍ ।
-ସେଇ ନାମରେ ତଲାସ କର।
-ସେମାନେ ଫୋନ୍ କଲେ।
-ନା, ସିମିତି ନାଁ ରେଜେଷ୍ଟରି କରାଯାଇନାହିଁ। ଜାଲ୍ ଚିହ୍ନଟ କାର୍ଡ଼।
-ଏ ଚିହ୍ନଟ-କାର୍ଡ଼ କିଏ ଦେଲା ତୁମକୁ।
-ପୁଲିସ୍,ସଦରଥାନା।
ତାପରେ ଠେଙ୍ଗାରେ ପହିଲି ପାହାର…ଦୁଇ, ତିନି ….ଗଣିବି ନା କ’ଣ?
ନା, ବାପଧନ ଗଣିକରି ଲାଭ ନାହିଁ, ତୋର ଇତାଲା ନେବାକୁ କେହି ନାହିଁ।ତୋ ନାଁ ? କହ, ତୋ ଠିକଣା? କହ। କାହାକାହା ସାଥୀରେ ତୋର ସହ୍ଲାସୂତ୍ର? କହ, ତାଙ୍କ ଠିକଣା କଥା କହ, ନୋହିଲେ ପିଟିବୁ।
କେତେ ମାଡ଼ ମଣିଷ ସହିପାରେ?
ବେତାର ଯନ୍ତ୍ର ଅଧରାତି ବୋଲି ଘୋଷଣା କଲା। ଏବେ ଚା’ ଖଟିଗୁଡ଼ିକ ନିଶ୍ଚୟ ବନ୍ଦ ହେଉଥିବ, ଶେଷ ଗରାଖତକ ଘରକୁ ଫେରୁଥିବେ । ପ୍ରେମିକ ପ୍ରେମିକା ଘରର ଦୁଆର ମୁହଁରେ ଛିଡ଼ା ହୋଇଥିବେ,ପରସ୍ପରଠାରୁ ବିଦାୟ ଗ୍ରହଣ କରିବାକୁ ମନ ବଳୁନଥିବ। ସେହି ପତଳା ଡେଙ୍ଗା ଅଫିସର ଘର ଭିତରକୁ ପଶିଆସିଲା, ମୁହଁରେ ତାର ଉତ୍ଫୁଲ୍ଲ ହସ।
-ସବୁ ଠିକ୍ ଅଛି ତ, ସମ୍ପାଦକ ମହାଶୟ?
ସେ କଥା ଏମାନଙ୍କୁ କିଏ କହିଲା? ଜେଲିନେକ୍? ଫ୍ରେଡ଼୍? ନା, ସେମାନେ ତ ମୋ ନାଁ ଜାଣନ୍ତି ନାହିଁ।
-ଦେଖୁଛ ତ, ଆମେ ସବୁ ଜାଣୁଁ।ଏଥର କଥା କୁହ ।ଅବୁଝା ହୁଅ ନାହିଁ।
ସେମାନଙ୍କର ବିଶେଷ ଅଭିଧାନରେ ‘ଅବୁଝା ନ ହେବା ’ଅର୍ଥ ବିଶ୍ବାସଘାତକତା କରିବା।
ମୁଁ ବୁଝିବାର ହେବିନାହିଁ।
..ତାକୁ ବାନ୍ଧି ପେକଇ ଆଉ ଗୋଟାକେତେ ଦିଅ।