ଫାଶୀ- ଆସାମୀର ଚୋରା-ଚିଠି




ମଙ୍ଗଳବାର ସନ୍ଧ୍ୟା। ଗୋଟାଏ କୁକୁର ମୋ ଉପରକୁ ଝୁଙ୍କି ପଡ଼ିଛି। ଶିକାରୀ କୁକୁର। ତାର ସୁନ୍ଦର ବୁଦ୍ଧିଦୀପ୍ତ ଅନୁସନ୍ଧିସ୍ତୁ ଚକ୍ଷୁ ଦୁଇଟା ମୋ ଆଡ଼କୁ ଚାହିଁଛି। ସେ ପଚାରିଲା-

   -କେଉଁଠି ରହୁଥିଲୁ?

    ନା,ନା,କୁକୁର ନୁହେଁ ଏ ଆଉ କାହାରି ସ୍ବର। ହଁ, ଆଉ କିଏ ସେଠି ଛିଡ଼ା ହୋଇ ରହିଛି। ଉଚ୍ଚା ବୁଟ ଦେଖିପାରୁଛି, ଆହୁରି ହଳେ ଉଚ୍ଚା ବୁଟ୍‌, ଆହୁରି ହଳେ,ଆଉ ଗୋଟାଏ ସୈନିକର ପ୍ୟାଣ୍ଟ। ଆଉ ବେଶି ଉପରକୁ ଦେଖି ପାରୁନାହିଁ। ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟା କଲେ ମୁଣ୍ଡ ଘୂରେଇ ଦଉଛି। ଓଃ କିଏ ଖାତିର କରେ, ମୁଁ ଶୁଏଁ…।

   ବୁଧବାର।

   ଯେଉଁ ଦୁଇଜଣ ଶୋକଗାଥା ବୋଲୁଥିଲେ ସେମାନେ ଟେବୁଲ୍‌ ନିକଟରେ ବସି ଗୋଟାଏ ମାଟିପାତ୍ରରେ କଣ ଖାଉଛନ୍ତି। ଏଇକ୍ଷଣି ଦୁଇଜଣଙ୍କୁ ସ୍ବତନ୍ତ୍ର ଭାବରେ ଚିହ୍ନି ପାରୁଛି।ଜଣେ ଅନ୍ୟ ଜଣଠାରୁ ବୟସରେ ଛୋଟ, ଆଉ ସେମାନେ ସନ୍ୟାସୀ ନୁହନ୍ତି। ଏଇଟା ମଠର କୋଠରୀ ନୁହେଁ, ଜେଲ୍‌ର। ଚଟାଣର କାଠପଟା ଗୁଡ଼ାକ ଆଖି ସାମନାରେ ଲମ୍ବିଯାଇଛି, ଆଉ ଦୂରରେ ଏକପ୍ରାନ୍ତରେ ଗୋଟାଏ ମଜଭୂତ କବାଟ,କିମିତିକା ଅଶୁଭ ସୂଚକ।

  ତାଲାରେ ଗୋଟାଏ ଚାବି ଘୂରିଲା। ସେ ଦୁଇଜଣ ଲୋକ କୁଦିପଡ଼ି ସିଧା ହୋଇ ଛିଡ଼ାହେଲେ। ଏସ୍‌.ଏସ୍‌ ପୋଷାକ ପିନ୍ଧି ଦୁଇଜଣ ଲୋକ ଭିତରକୁ ଆସିଲେ ଏବଂ ମଲା ପୋଷାକ ପିନ୍ଧାଇ ଦେବାକୁ ସେମାନଙ୍କୁ ହୁକୁମ ଦେଲେ। ପ୍ରତି ଗଣ୍ଠିରେ ପ୍ରତି କଚଟିରେ କେତେ ବେଦନା ଲୁକ୍‌କାୟିତ ଥିଲା ଜାଣିପାରୁନଥିଲି। ମତେ ଗୋଟାଏ ଷ୍ଟ୍ରେଚର୍‌ରେ ଶୁଆଇ ତଳ ମହଲାକୁ ନେଇଗଲେ, ଲମ୍ବା ବାରଣ୍ଡାରେ ସେମାନଙ୍କର ବୁଟ୍‌ ଶବ୍ଦ ପ୍ରତିଧ୍ବନିତ ହେଉଥାଏ… ଏଇ ତା ହେଲେ ସେଇ ବାଟ; ଯେଉଁ ବାଟରେ ସେମାନେ ଆଗରୁ ଥଣେ ମତେ ବୋହି ଆଣିଥିଲେ ଯେତେବେଳେ ମୁଁ ଶେଷକୁ ସଜ୍ଞାଶୂନ୍ୟ ହୋଇପଡ଼ିଲି।କିନ୍ତୁ ଏ ବାଟ ପଡ଼ିଛି କେଉଠିକି? କେଉଁ ନରକରେ ଏହାର ସମାପ୍ତି?

   ପ୍ୟାନକ୍ରାଟସ୍‌ ପୁଲିସ ଜେଲ୍‌ଖାନାର ଅଭ୍ୟର୍ଥନାଗାର…ସହାନୁଭୂତି ଶୂନ୍ୟ…ମଳିନ। ସେମାନେ ମତେ ଚଟାଣ ଉପରେ ଥୋଇଲେ। କ୍ରୁଦ୍ଧ ଜର୍ମାନ ପ୍ରଶ୍ନକୁ ଜଣେ କିଏ ଚେକ୍‌ ଭାଷାରେ ଅନୁବାଦ କରି ମତେ କହିଲା-ଦୋଭାଷିର ସ୍ବରରେ । ବନ୍ଧୁତ୍ବର ଛଳନା ଫୁଟାଇ।

   ତାକୁ ତୁମେ ଚିହ୍ନ।

   ହାତରେ ମୁଁ ମୋର ଥୋଡ଼ିକୁ ଉପରକୁ ଟେକି ଧରିଲି। ଷ୍ଟ୍ରେଚର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ ଜଣେ ତରୁଣୀ, ମୁହଁଟି ଟିକିଏ ଓସାରିଆ। ସେ ସଳଖ ହୋଇ ଛିଡ଼ା ହୋଇଥିଲା ଗର୍ବରେ। ମସ୍ତକ ଉନ୍ନତ, ବିଷର୍ଣ୍ଣ ନୁହେଁ, ଉଦାର। କେବଳ ତାର ଚକ୍ଷୁ ଦୁଇଟା ନିମ୍ନାଭିମୁଖ ଥିଲା- ମତେ ଦେଖିବା ଓ ଦୃଷ୍ଟି ଦ୍ବାରା ସମ୍ଭାଷଣ ଜଣାଇବା ପାଇଁ ଯେତିକି ଦରକାର ଠିକ୍‌ ସେତିକି।

  -ମୁଁ ତାଙ୍କୁ ଜାଣେ ନାହିଁ।

   ମନେପଡ଼ୁଛି, ଥରେ ମାତ୍ର ତାଙ୍କୁ ଦେଖିଥିଲି ସେ ବି ମୁହୂର୍ତ୍ତକ ପାଇଁ। ପେଟଚେକ୍‌ବିଲ୍‌ଡିଂରେ ସେହି ଦୁର୍ଦ୍ଦିନ ରାତ୍ରିରେ। ଆଜି ଦ୍ବିତୀୟ ଥର ପୁଣି ଦେଖାହେଲା। କିନ୍ତୁ ହାୟ, ତୃତୀୟଥର ତ ଆଉ ଦେଖାହେବନାହିଁ। ସଗର୍ବରେ ସେ ଯେ ଏଠି ମୁଣ୍ଡଟେକି ଛିଡ଼ା ହୋଇ ରହିଛି ଏଥିପାଇଁ ତା ହାତରେ ହାତ ଚାପି ସମ୍ବର୍ଦ୍ଧନା ଜଣାଇବା ତ ଚଳିବ ନାହିଁ। ସେଆର୍ନଷ୍ଟ ଲୋଞ୍ଜରର ସ୍ତ୍ରୀ ୧୯୪୨ ସାଲରେ ଯେତେବେଳେ ପହିଲେ ସାମରରିକ ଆଇନ ଜାରି ହେଲା, ସେତେବେଳେ ସେ ଯୁବତୀଙ୍କୁ ହତ୍ୟା କରାହେଲା।

  -କିନ୍ତୁ ଏହାଙ୍କୁ ତୁମେ ନିଶ୍ଚୟ ଚିହ୍ନ।

   ଆନିଚ୍‌କା ଦିରାସ୍କୋଭା! ହେ ଭଗବାନ! ଆନିଚ୍‌କା,ତୁମେ ଏଠିକି କିପରି ଆସିଲ? ମୁଁ ତ ତମର ନାମ କହିନାହିଁ , ମୋ ସାଙ୍ଗରେ ତ କୌଣସି ସମ୍ବନ୍ଧ ନଥିଲା। ତମକୁ ମୁଁ ଚିହ୍ନେ ନାହିଁ, ବୁଝିଲ, ମୁଁ ତମକୁ ଚିହ୍ନେ ନାହିଁ।

   -ନା, ତାଙ୍କୁ ମୁଁ ଚିହ୍ନେ ନାହିଁ।

  -ଆରେ, ଇମିତି ଅବୁଝା ହୁଅନା।

   -ବା, ତାଙ୍କୁ ମୁଁ ଚିହ୍ନେ ନାହିଁ।

    ‘ଜୁଲୋ, ବର୍ତ୍ତମାନ ଆଉ ସେଥିରେ ଲାଭନାହିଁ’। ଅନିଚ୍‌କା କହିଲା।ତାର ଆଙ୍ଗୁଳିରେ ଖଣ୍ଡେ ରୁମାଲକୁ ମୋଡୁଛି- ତଦ୍ଦ୍ବାରା ତାର ଉତ୍ତେଜନା ବୁଝାପଡୁଛି,‘ସେଥିରେ ଆଉ କିଛି ଲାଭ ନାହିଁ । ମତେ ଜଣେ ଚିହ୍ନଟ କରି ସାରିଲାଣି’

    ‘କିଏ?’

    ‘ଚୁପ୍‌ କର।’ ସେମାନେ ତାକୁ କହିବାକୁ ଦେଲେ ନାହିଁ। ମୋ ଉପରେ ଝୁଙ୍କି ପଡ଼ି ଯିମିତି ହାତ ବଢ଼ାଇଦେଲା, ସେମାନେ ତାକୁ ଜୋରରେ ଧକ୍କା ମାରି ଦୂରଛାଡ଼ିଆ କରିଦେଲେ।

  ‘ଆନିଚ୍‌କା!’




+ -

© Jataayu Charitable Trust
Site designed,developed & maintained by Tekons