ଫାଶୀ- ଆସାମୀର ଚୋରା-ଚିଠି




ଇତିହାସରୁ ଟିକିଏ

  ଜୁନ୍‌ ୯।୧୯୪୩

   ମୋ ଗାରଦ ସାମନାରେ ଗୋଟାଏ କମରବନ୍ଧ ଝୁଲୁଛି। ମୋର କମରବନ୍ଧ। ଅଦୂର ଭବିଷ୍ୟତରେ ଚାଲାନ ହେବାର ସଙ୍କେତ। ରାତିରେ କେତେବେଳେ ସେମାନେ ମୋତେ ବିଚାର ପାଇଁ ରାଇଖ୍‌କୁ ନେଇଯିବେ-ତାପରେ ଯାହା ହେବାର ହେବ। ମୋର ଜୀବନ ଯେପରି ବର୍ତ୍ତମାନ ଛୁଟିର ଶେଷ ଟୁକୁରା-ସମୟ ତାର ଶେଷଗ୍ରାସ କାମୁଡ଼ି ଛିଣ୍ଡେଇ ଦେଉଛି। ପ୍ୟାନ୍‌କ୍ରାଟସ୍‌ର ଚାରିଶ ଏଗାର ଦିନ (ଆଶ୍ଚର୍ଯ୍ୟ ଲାଗୁଛି)କେଡ଼େ ବେଗେ କଟିଗଲା। ଆଉ କେତେଦିନ ଅଛି? କିପରି ସେ ଦିନ ଗୁଡ଼ାକ ? କେଉଁଠି କଟାଇବି ସେ ଦିନ ଗୁଡ଼ାକ?

  ଆଉ କେଉଁଠାକୁ ଯାଇ ଲେଖିବାର ସୁଯୋଗ ତ ପାଇବି ନାହିଁ। ତେଣୁ ଏଇ ମୋର ଶେଷ ଲେଖା।ଇତିହାସରୁ ଟିକିଏ-ଆଉ ସେ ଇତିହାସର ବୋଧହୁଏ ଶେଷ ଜୀବନ୍ତ ସାକ୍ଷୀ ମୁଁ।

  ୧୯୪୧ ସାଲରେ ଫେବୃୟାରୀ ମାସରେ ସେମାନେ ଚେକ୍‌ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ପରିଷଦର ସମସ୍ତଙ୍କୁ ଗିରଫ କଲେ –ଆମେ ଯିବ ପରେ ଯେଉଁ ଦ୍ବିତୀୟ ଦଳ ନେତାମାନେ କାମ ତୁଲାଇବା ଲାଗି ତିଆର ଥିଲେ ସେମାନେ ବି ବାଦ ଗଲେ ନାହିଁ। କିପରି ଯେ ଏପରି କଠୋର ଆଘାତ ହଠାତ୍‌ ଆଜି ଆମ ସମସ୍ତଙ୍କ ଉପରେ ପଡ଼ିଲା, ଆଜିଯାଏ ବି ସେ କଥା ପରିଷ୍ମାର ବୁଝାଯାଇନାହିଁ। ଯେଉଁଦିନ ଗେଷ୍ଟାପୋ କମିଶାରମାନଙ୍କୁ ଧରାଯିବ ଆଉ ସେମାନଙ୍କୁ ତୁଣ୍ଡଖୋଲି କହିବାକୁ ପଡ଼ିବ ସେ ଦିନ ହୁଏ ତ ସେ କଥା ପରିଷ୍କାର ହେବ।ପେଟ୍‌ଚେକ ବିଲଡିଂରେ ହେପାଜତକାରୀ ହୋଇ ସେ ରହସ୍ୟ ଜାଣିବାକୁ ମୁଁ ବୃଥା ଚେଷ୍ଟା କରିଥିଲି। ଦଳ ଭିତରେ ଗୁଇନ୍ଦା ଢ଼ୁକିଥିଲେ ନିଶ୍ଚୟ ,ଆଉ ବି ଏକ କାରଣ ବହୁ ପରିମାଣରେ ଅସାବଧାନତା। ଦୁଇବର୍ଷ  ଧରି ଗୋପନ ଆନ୍ଦୋଳନ ସଫଳ ଭାବରେ ଚଳାଇବା ପରେ ଆମର କମ୍ରେଡ଼ମାନଙ୍କର ସତର୍କତା ଶିଥିଳ ହୋଇପଡ଼ିଥିଲା। ଆମର ଗୁପ୍ତ ସଂଗଠନ ଅତିଶୟ ବିସ୍ତୃତ ହୋଇପଡ଼ିଥିଲା; ପ୍ରତିଦିନ ନୂଆ ନୂଆ କର୍ମୀ ଆସୁଥିଲେ- ପ୍ରଥମ ଦଳ ପ୍ରତି କିଛି ଘଟିଲେ ସେମାନଙ୍କ ଭାର ନେବାକୁ ଯେଉଁମାନଙ୍କୁ ମହଜୁଦକରି ରଖାଯିବା ଉଚିତ୍‌ ଥିଲା, ସେମାନଙ୍କ ମଧ୍ୟରୁ ଅନେକ ବି। ଆମର ସଂଘର ଜାଲମାନ ଏପରି ଜଟିଳ ହୋଇପଡ଼ିଲା ଯେ ତାର ସୁନିୟନ୍ତ୍ରଣ ଅସମ୍ଭବ ହୋଇଉଠିଲା। କେନ୍ଦ୍ରୀୟ ସଂଗଠନ ଉପରେ ଏଇ ଆଘାତ ଦେବା ପାଇଁ ଶତ୍ରୁ ବହୁ ଆଗରୁ  ଅବଶ୍ୟ ପ୍ରସ୍ତୁତ ହୋଇଥିଲେ; ତାପରେ ସେମାନେ ଯେତେବେଳେ ସୋଭିଏତ୍ ଆକ୍ରମଣ ପାଇଁ ପ୍ରସ୍ତୁତ, ଠିକ୍‌ ସେତିକିବେଳେ ଆଘାତ ହେଲା।

  ଆମ ଭିତରୁ କେତେଜଣଙ୍କୁ ସେମାନେ ଧରିଲେ ପ୍ରଥମେ ଜାଣିପାରିନଥିଲି।ସାଧାରଣ କଳ୍ପନା ଅନୁସାରେ ମୁଁ ପ୍ରତୀକ୍ଷା କଲି ବାକି ଯେଉଁମାନେ ଅଛନ୍ତି ଯେମାନେ ମୋ ସହିତ ସଂଯୋଗ ସୂତ୍ର ସ୍ଥାପନ କରିବେ। କିନ୍ତୁ ପ୍ରତୀକ୍ଷା ନିଷ୍ଫଳ ହେଲା। ମାସକ ପରେ, ସ୍ପଷ୍ଟ ବୁଝାଗଳା ଯେ ଘଟଣା ଅନେକଦୂର ଚାଲିଯାଇଛି। ଆଉ କେବଳ ବାହାରର ଯୋଗାଯୋଗକୁ ଅପେକ୍ଷା କରି ବସିଲେ ଚଳିବ ନାହିଁ। ତେଣୁ ଭିତରର ଯୋଗସୂତ୍ର ଖୋଜିବସିଲି, ଅନ୍ୟ ସମସ୍ତେ ମୋରି ପନ୍ଥା  ଧରିଲେ ବି।

  ପ୍ରଥମେ ଯାହାକୁ ପାଇଲି ସେ ହେଉଛି ହୋନାତ୍ସା ଭିସ୍‌କୋଚିଲ, କେନ୍ଦ୍ରୀୟ ବୋହିମିଆ ବିଭାଗର ପ୍ରଧାନ କର୍ତ୍ତା। ତାର କର୍ମପ୍ରେରଣା ଥିଲା ବହୁତ, ‘ ଲାଲ ଅଧିକାର ’ର ପୁନଃ ପ୍ରକାଶ ପାଇଁ କିଛି ଲେଖା ବି ଯୋଗାଡ଼ କରିଥିଲା, ଯେପରି ଖବରକାଗଜର ଅଭାବ ପାର୍ଟିର ନ ଘଟେ ତାର ବ୍ୟବସ୍ଥା କରିଥିଲା। ମୁଁ ପ୍ରଧାନ ସମ୍ପାଦକୀୟ ପ୍ରବନ୍ଧ ଲେଖିଲି, ତାପରେ ଆମ ଦୁଇଜଣ ଆଲୋଚନା  କରି ଠିକ୍‌ କଲୁଁ ଯେ ଏହିସବୁ ଲେଖା (ତାର ବାକିତକ ମୁଁ ସେତେବେଳଯାଏଁ ଦେଖିନଥାଏ) ‘ଲାଲ୍‌ ଅଧିକାର’ବଦଳରେ ‘ମଇ ପତ୍ରିକା ’ନାମରେ ବାହାର କରାଯିବ। ଆଗପରି  ଖବରକାଗଜର ନିୟମିତ ସଂଖ୍ୟା ବାହାର ନକରି ଅନ୍ୟାନ୍ୟ ଦଳମାନେ ମଧ୍ୟ ଏହିପରି ଖଣ୍ଡିକିଆ କାଗଜ ବାହାର କରୁଥିଲେ।

ପରବର୍ତ୍ତୀ କେତୋଟି ମାସ କଟିଗଲା ପାର୍ଟି କାମରେ । ଆଘାତ ଯେତେ ପ୍ରଚଣ୍ଡ ହେଉ ପଛେ ପାର୍ଟିକୁ ତାହା ଧ୍ବଂସ କରିଦେଇପାରିଲା ନାହିଁ।ନେତାମାନଙ୍କ ଉପରେ ଯେତେବେଳେ ଆଘାତ ଆସି ପଡ଼ିଲା ସେମାନଙ୍କର ଅସମ୍ପୂର୍ଣ୍ଣ କାମ ଶତ ଶତ ନୂତନ କର୍ମୀ ତୁଲାଇଲେ। ସେମାନଙ୍କର ନୂତନ ଉତ୍ସାହ ଓ ଅନୁରକ୍ତି ମୂଳ ସଂଗଠନରେ କୌଣସି ଅବନତି ଘଟାଇବାକୁ ଦେଲାନାହିଁ, ନୈଶ୍ୟଭାବ ବା ନିଷ୍କ୍ରିୟତା ପ୍ରବେଶ କରିପାରିଲା ନାହିଁ କିନ୍ତୁ କେନ୍ଦ୍ରୀୟ କଳଟି ନାହିଁ। ପାର୍ଟିର ଦଳଗତ କାର୍ଯ୍ୟରେ ବିପଦ ଦେଖାଦେଲା; ବିପଦ-ଯେତେବେଳେ ସୋଭିଏତ୍‌ ରୁଷ୍‌ ଉପରେ ଶତ୍ରୁର ଆକ୍ରମଣ ଆସନ୍ନ, ସେଇ ଚରମ ମୁହୂର୍ତ୍ତରେ ଏକତା ଓ ସୁସଂଘଠିତ ନେତୃତ୍ବର ଅଭାବ ଦେଖାଦେବ।

  ‘ଲାଲ ଅଧିକାର’ର ଗୋଟାଏ ସଂଖ୍ୟା ଦେଖି ବୁଝିପାରିଲି-କୌଣସି ପ୍ରବୀଣ ରାଜନୀତିଜ୍ଞର ହାତ ଏଥିରେ ରହିଛି। ଏହି ପତ୍ରିକାଟି ପ୍ରକାଶିତ ହୋଇଥିଲା ଗୋଟିଏ ପ୍ରତିରୋଧ  ସଂଘ ତରଫରୁ । କହିବାକୁ ଦୁଃଖ ଲାଗୁଛି ଆମର ଏକମାତ୍ର ପ୍ରକାଶନ ‘ମଇ ପତ୍ରିକା’ ବିଶେଷ ସାଫଲ୍ୟ କରିପାରିନଥିଲା କିନ୍ତୁ ଅନ୍ୟମାନେ ସେ କାଗଜରୁ ସ୍ପଷ୍ଟ ପ୍ରମାଣ ପାଇଥିଲେ ଯେ ଏହାର ସହଯୋଗୀ କେହି ଅଛି। ତେଣୁ  ଏଥର ଆମେ ଦୁଇ ଦଳ ଆମ ମଧ୍ୟରେ ଯୋଗଯୋଗ ସ୍ଥାପନ କରିବାକୁ ଖୋଜି ବୁଲିଲୁ।

 ଗହନ ବନରେ କାହାକୁ ଖୋଜିବା ପରି ଏ କଥା। ସ୍ବର ଶୁଣି ଖୋଜିବାକୁ ବାହାରି ପଡ଼ିଛୁଁ। କିନ୍ତୁ ସେହି ସ୍ଥିର ଶାନ୍ତ ସ୍ବର ପୁଣି ଶୁଣାଯାଉଛି ବାରେ ଏକ ପ୍ରାନ୍ତରୁ ବାରେ ଅନ୍ୟ ପ୍ରାନ୍ତରୁ । ଆମ ପାର୍ଟିର ବିରାଟ କ୍ଷତି ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ଓ ସଜାଗ କରିଦେଇଥିଲା। ଫାନ୍ଦରେ ଯେପରି ଆଉ ଧରା ନପଡ଼ୁଁ। ଭୂତପୂର୍ବ କେନ୍ଦ୍ରୀୟ ପରିଷଦର ଦୁଇଜଣ ସଭ୍ୟ ପରସ୍ପରକୁ ଖୋଜି ବାହାର କରିବାକୁ ଯାଇ କେତେ ବାଧା  ବିପତ୍ତି ଆଉ ପରୀକ୍ଷା ଭିତରେ ପାର ହୋଇଆସିଲେ ତାର ସୀମା ନାହିଁ। ଯେଉଁମାନଙ୍କୁ ସେମାନେ ବିଶ୍ବାସ କରି ଯୋଗାଯୋଗର ଭାର ଦେଇଥିଲେ  ସେହିମାନେହିଁ ସୃଷ୍ଟିକଲେ ବାଧା। ଏହି ଦୁଇ ଜଣ ବିଶ୍ବାସଘାତକତା କରିବେ କି ନା ବା ସେମାନଙ୍କ ସାଙ୍ଗରେ ଚାତୁରୀ ଖେଳୁଛନ୍ତି କି ନା ସେହି ସମ୍ବନ୍ଧରେ ସେମାନେ ଏପରି ପରୀକ୍ଷା କରି  ନିଶ୍ଚିତ ହେଲେ। ଆଉ ସବୁଠାରୁ ବଡ଼ ଅସୁବିଧା, କାହାର ଖୋଜି ନେଉଛି, ତା ମୁଁ ଜାଣି ନଥିଲି, ସେ ମଧ୍ୟ ଜାଣିନଥିଲା କିଏ ତାର ଖୋଜ ନେଉଛି।
    ଅବଶେଷରେ  ଜଣଙ୍କୁ ପାଇଲୁଁ ଯେ ଆମ ଦୁହିଁଙ୍କୁ ଜାଣେ ଓ ଆମ ଦୁହିଁଙ୍କ ସଚ୍ଚୋଟପଣିଆ ବିଷୟରେ ନିର୍ଭର କରିପାରିବ । ସେ ହେଉଛନ୍ତି ଡାକ୍ତର ମିଲେଶ ନେଡଭେଡ଼, ଚମତ୍କାର ଯୁବକ ଜଣେ- ସେହି ହେଲେ ଆମ ଉଭୟଙ୍କ ପ୍ରଥମ ଦୂତ। ତାଙ୍କୁ ପାଇଲି ହଠାତ୍‌ ଆକସ୍ମିକ ଭାବେ। ୧୯୪୧ ସାଲର ଜୁନ୍‌ ମାସର ଅଧାଅଧି, ମୁଁ ବେମାରରେ ପଡ଼ିଲି, ଲିଡ଼ାକୁ ପଠାଇଲି ଡାକ୍ତର ନେଡଭେଡ଼ଙ୍କୁ ବାକ୍‌ସାସଙ୍କ ଘରକୁ ନେଇ ଆସିବା ପାଇଁ। ସେହିଠାରେ ମୁଁ ଲୁଚି ରହିଥିଲି। ସେ ସାଙ୍ଗେ ସାଙ୍ଗେ ଆସିଲେ। ତାପରେ କଥାବାର୍ତ୍ତା ପ୍ରସଙ୍ଗରେ ସେ ଅତିଶୟ ସତର୍କତା ଅବଲମ୍ବନ କରି ମୋତେ ଜଣେଇଦେଲେ ଯେ ‘ମଇ ପତ୍ରିକା’ର ସମ୍ପାଦକୀୟ ଯେଉଁ  ଲୋକଟି ଲେଖିଛି ତାକୁ ଖୋଜି ବାହାର କରିବାର ଭାର ପଡ଼ିଛି ତାଙ୍କରି ଉପରେ। ସେ ଧାରଣା କରିପାରିନଥିଲେ ଯେ ମୁଁ ହିଁ ସେହି ଲୋକ।କାରଣ, ବାହାରର ଆମର ସମସ୍ତ ସଭ୍ୟ ସେତେବେଳେ ଜାଣିଥିଲେ ଯେ ମୁଁ ଗିରଫ ହୋଇଛି ଏବଂ ସମ୍ଭବତଃ ନିହତ।

  ୧୯୪୧ ସାଲର ଜୁନ୍‌ ୨୨ରେ ହିଟଲର ସୋଭିଏତ୍‌ ୟୁନିଅନ୍‌ ଆକ୍ରମଣ କଲା। ଠିକ୍‌ ସେହିଦିନ ସନ୍ଧ୍ୟାରେ ମୁଁ ଆଉ ହୋନତ୍ସା ଭିସ୍‌କୋଚିଲ ଗୋଟିଏ ଇସ୍ତାହାର ବାହାର କରି ଦେଶବାସୀଙ୍କୁ ଜଣେଇ ଦେଲୁଁ ଚେକୋସ୍ଲୋଭିକିଆ ପ୍ରତି ଏହି ଆକ୍ରମଣର ଅର୍ଥ କଣ। ଜୁନ୍‌ ୩୦ ରେ ଯାହାଙ୍କୁ ଏତେଦିନ ଧରି ଖୋଜିଥିଲି ତାଙ୍କ ସହିତ ଭେଟହେଲା, ମୁଁ ଯେଉଁ ଠିକଣା ଦେଇଥିଲି ସେହି ଠିକଣାକୁ ସେ ଆସିଲେ କାରଣ ତାହା ସାଙ୍ଗରେ ଦେଖା କରିବାକୁ ଆସୁଛନ୍ତି ସେ ତା ଜାଣିଥିଲେ, କିନ୍ତୁ ସେତେବେଳେ ସୁଦ୍ଧା ମୁଁ ତାଙ୍କୁ ଚିହ୍ନି ନଥିଲି। ଖରାଦିନ ରାତି, ଆକାଶିୟାର ଗନ୍ଧରେ ବାୟୁ ସୁରଭିଯୁକ୍ତ, ପ୍ରେମିକ ପ୍ରେମିକାଙ୍କର ମିଳନର ରାତି। କଥା ଭାଷା ହେବା ଆଗରୁ ମୁଁ  ଝରକାର ପରଦାଟା ପକାଇଦେଲି।ଯେତେବେଳେ ମୁଁ ଆଲୁଅ ଲଗେଇଲି ଅମେ ପରସ୍ପରକୁ ଆଲିଙ୍ଗନ ପାଶରେ ଆବଦ୍ଧ କଲୁଁ । ସେ ହୋନାତ୍ସା ଜିକା। 




+ -

© Jataayu Charitable Trust
Site designed,developed & maintained by Tekons