ଫାଶୀ- ଆସାମୀର ଚୋରା-ଚିଠି




ଟିକିଏ ଲେଖା

 

ରାଭେନ୍‌ସବ୍ରୁକ୍‌ର ବନ୍ଦୀଶାଳାରେ ମୋର ଜଣେ ବନ୍ଦୀ ସାଥୀଠାରୁ ଶୁଣିଲି ମୋର ସ୍ବାମୀ ଜୁଲିୟାସ୍‌ ଫୁଚିକ୍‌ ବର୍ଲିନ୍‌ର ଏକ ନାଜୀ ବିଚାରାଳୟରେ ୧୯୪୩ ମସିହା ଅଗଷ୍ଟ ୨୫ ତାରିଖରେ ପ୍ରାଣଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

  ତାଙ୍କର ଅଦୃଷ୍ଟରେ ପରେ କଣ ଗୋଟେ ଘଟିଲା, ସେ ପ୍ରଶ୍ନ ପଚାରି ଶୁଣିଛି ବନ୍ଦୀଶାଳାର ଚତୁର୍ଦ୍ଦିଗବେଷ୍ଟିତ ଉଚ୍ଚ ପ୍ରାଚୀରର ପ୍ରତିଧ୍ବନି ମାତ୍ର।

  ଫାସିଷ୍ଟମାନେ ନିର୍ଯାତନା ଉପରେ ନିର୍ଯାତନା କରି ଯେଉଁ ବନ୍ଦୀମାନଙ୍କୁ ମାରିଦେବାର ସମୟ ପାଇନଥିଲେ ୧୯୪୫ ମସିହାରେ ମେ ମାସରେ ହିଟ୍‌ଲର୍‌ ଜର୍ମାନୀର ପରାଜୟ ଘଟିବା ପରେ ସେମାନେ ମୁକ୍ତିଲାଭ କଲେ। ମୁଁ ସେମାନଙ୍କ ଭିତରୁ ଜଣେ ।

    ମୋର ମୁକ୍ତି ପରେ ସ୍ବଦେଶକୁ ଫେରିଆସି ସ୍ବାମୀଙ୍କର ତଲାସ କଲି। ମୋରି ପରି ହଜାର ହଜାର ଲୋକ ଠା’କୁ ଠା ତଲାସ କରୁଥିଲେ ସେମାନଙ୍କର ସ୍ବାମୀ, ସ୍ତ୍ରୀ, ସନ୍ତାନ, ପିତାମାତାଙ୍କର ଖୋଜଖବର ପାଇବାକୁ। ଆକ୍ରମଣକାରୀ ଜର୍ମାନୀର ଅସଂଖ୍ୟ ନିର୍ଯାତନା ନରକକୁ ସେମାନଙ୍କୁ ବି ଟଣା ହୋଇଥିଲା।

  ଶୁଣିଲି ୧୯୪୩ ସାଲ ସେପ୍‌ଟେମ୍ବର ୮ ତାରିଖରେ ତାଙ୍କର ଦଣ୍ଡାଦେଶ ହେବାର ଚଉଦ ଦିନ ପରେ ତାଙ୍କୁ ହତ୍ୟା କରାହୋଇଛି।

  ଏକଥା ବି ଶୁଣିଲି ପ୍ରେଗ୍‌ର ପ୍ୟନ୍‌କ୍ରାଟସ୍‌ ବନ୍ଦୀଶାଳାରେ ଜୁଲିୟସ୍‌ ଫୁଚିକ୍‌ କିଛି ଲେଖି ଯାଇଛନ୍ତି। କୋଲିନସ୍କି ନାମରେ ଜଣେ ଚେକ୍‌ ପହରାବାଲା ତାଙ୍କ ଗାରଦକୁ କାଗଜ ଆଉ ପେନ୍‌ସିଲ୍‌ ଆଣି ଦେଇଥିଲା, ତାପରେ ସେ ଗୋପନରେ ଖଣ୍ଡିଏ ଖଣ୍ଡିଏ କରି କାଗଜ ନେଇଯାଉଥିଲା ବାହାରକୁ। ମୁଁ ସେହି ପହରାବାଲା ସାଙ୍ଗରେ ଦେଖା କରି ମୋର ସ୍ବାମୀ ପ୍ୟାନକ୍ରାଟସ୍‌ ବନ୍ଦୀଶାଳାରେ ଥିଲାବେଳେ ଯାହାକିଛି ଲେଖି ଯାଇଥିଲେ ତାକୁ ସଂଗ୍ରହ କଲି। ସେ ଯେଉଁ କେତେଖଣ୍ଡ କାଗଜ ଲେଖି ଯାଇଥିଲେ ବହୁ ବିଶ୍ବସ୍ତ ଲୋକଙ୍କଠାରୁ ତାହା ଆଣି ଆଜି ପାଠକମାନଙ୍କୁ ଦେଉଛି ଉପହାର-ଜୁଲିୟସ୍‌ ଫୁଚିକ୍‌ଙ୍କ ଜୀବନକାଳ କର୍ଯ୍ୟାବଳୀର ଶେଷ ଅଧ୍ୟାୟ।

 

     -ଅଗସ୍ତିନା ଫୁଚିକ୍‌  




+ -

© Jataayu Charitable Trust
Site designed,developed & maintained by Tekons