ଚବିଶ ଘଣ୍ଟା
ଆଉ ପାଞ୍ଚ ମିନିଟ୍ ପରେ ଘଡ଼ିରେ ଚାଜିବ ଦଶ। ସୁନ୍ଦର, ଉଷ୍ଣ ବାସନ୍ତୀ ସନ୍ଧ୍ୟା… ଏପ୍ରିଲ୍ ୨୪ ତାରିଖ ୧୯୪୨ । ମୁଁ ଛୁଟିଛି ବୟସ୍କ ଛୋଟାଲୋକ ବୋଲି ଛଳନା କରି ଯେତେ ଦୂର ପାରେ ଦ୍ରୁତଗତିରେ। ଜେଲିନେକ୍ଙ୍କ ଘରେ ପହଞ୍ଚିବାକୁ ହେବ। ଦଶଟାଠାରୁ ସନ୍ଧ୍ୟା ଆଇନ୍; ତା ପରେ ଘରର ଫାଟକ ବନ୍ଦ ହୋଇଯିବ। ସେଠି ମୋର ‘ସହକାରୀ’ ମିରେକ୍ ଅପେକ୍ଷା କରିଥିବ। ମୁଁ ଜାଣେ ତାର ଏଥର ମୋତେ କହିବାକୁ ସେପରି କିଛି ଜରୁରୀ କଥା ନାହିଁ କି ମୋର ବି ତାକୁ ଯେପରି କିଛି କହିବାର ନାହିଁ। କିନ୍ତୁ ଭୋଟ୍ ହେବା ସମୟ ଯେତେବେଳେ ଠିକ୍ ହୋଇଛି ଦେଖା କରିବାକୁ ନଗଲେ ସେମାନଙ୍କର ମନରେ ଆଶଙ୍କା ହୋଇପାରେ। ଯାହାଙ୍କର ଘରକୁ ଯାଉଛି ତାଙ୍କୁ ଅଧିକ ଉଦ୍ବିଘ୍ନ କରିବାକୁ ମୁଁ ଚାହେଁନା। ସ୍ବାମୀ ସ୍ତ୍ରୀ ସେ ଦୁହେଁ ବେଶ୍ ଆଚ୍ଛା ଲୋକ।
ଚା’ ପିଆଲାଏ ଦେଇ ସେମାନେ ମୋର ଅଭ୍ୟର୍ଥନା କଲେ। ମିରେକ୍ ସେଠି ଥିଲା ଆଉ ଫ୍ରିଡ୍ ଦମ୍ପତି ମଧ୍ୟ।…. ଏ ଏକ ଅନାବଶ୍ୟକ ବିପଦ ସୃଷ୍ଟି କରିବା କଥା ଖାଲି ।
-କମ୍ରେଡ଼ଗଣ, ଆପଣମାନଙ୍କ ସାଙ୍ଗରେ ଦେଖା କରିବାକୁ ଇଚ୍ଛା, କିନ୍ତୁ ଏପରି ଭାବରେ ଏକ ସଙ୍ଗରେ ନୁହେଁ। ଗୋଟିଏ ଘରେ ଏତେ ଲୋକ ଜମା ହେବାର ଅର୍ଥ, ଜେଲ୍ ଓ ମୃତ୍ୟୁର ପଥ ପ୍ରଶସ୍ତ କରିବା। ଗୋପନ ଆନ୍ଦୋଳନର ଆଇନ କାନୁନ୍ ମାନି ଆପଣଙ୍କୁ ଚଳିବାକୁ ପଡ଼ିବ, ନୋହିଲେ ଆମ ସାଙ୍ଗରେ କାମ କରିବା ଛାଡ଼ି ଦିଅନ୍ତୁ। ଆପଣମାନେ ନିଜକୁ ତ ବିପନ୍ନ କରୁଛନ୍ତି, ଅନ୍ୟମାନଙ୍କୁ ମଧ୍ୟ। ବୁଝିଲେ ତ।
-ହଁ, ବୁଝିଲୁ।
-ଆପଣମାନେ କଣ ଆଣିଛନ୍ତି?
-‘ଲାଲ ଅଧିକାର’ର ମେ ପହିଲା ସଂଖ୍ୟା ପାଇଁ ଗୋଟିଏ ଲେଖା।
-ଭଲା ମେରିକୋ, ତୁମେ?
-ନୂଆ କିଛି ନାହିଁ, କାମ ଭଲ ଚାଲିଛି।
-ବେଶ୍। ମେ ପହିଲା ପରେ ପୁଣି ଦେଖା ହେବ। ଖବର ଦେବି । ଆଚ୍ଛା ଆସୁଛି ଏବେ।
-କମ୍ରେଡ୍, ଆଉ ପିଆଲାଏ ଚା’।
-ନା, ନା ମିସେସ୍ ଜେଲିନେକ୍। ଏଠି ହୁଏତ ଆମେ ବହୁତ ଲୋକ ଜମା ହୋଇଛୁଁ।
-ଆଉ ଗୋଟିଏ ପିଆଲା ଅନ୍ତତଃ।
ସଦ୍ୟ ଢଳା ଚା ଉପରୁ ବାମ୍ଫ ଉଠୁଛି। ବାହାରେ କିଏ ଦୁଆରେ ଡାକ ଘଣ୍ଟି ବଜାଇଲା।ଏତେ ରାତିରେ?କିଏ ହୋଇପାରେ? ଆଗନ୍ତୁକମାନେ ସତାର କରିବାକୁ ନାରାଜ। କବାଟରେ ଧକ୍କା ମାରୁଛନ୍ତି।
“ଦରଜା ଖୋଲ। ପୁଲିସ୍।”
ଚଟାପଟ ଝରକା ବାଟେ ପଳାଅ।ମୋ ପାଖରେ ପିସ୍ତଲ ଅଛି, ମୁଁ ତାଙ୍କୁ ଅଟକେଇ ରଖିବି। ନା, ଆଉ ବେଳ ନାହିଁ। ଗେଷ୍ଟାପୋ ଲୋକଗୁଡ଼ାକ ଝରକା ତଳେ ଛିଡ଼ା ହୋଇଛନ୍ତି ତାଙ୍କ ପିସ୍ତଲ ଘରଆଡ଼କୁ ଲକ୍ଷ୍ୟ କରି । ଗୁଇନ୍ଦାମାନେ କବାଟ ଭାଙ୍ଗି ରୋଷେଇ ଘର ଭିତରେ ପଶି ଘର ଭିତରକୁ ଧସି ଆସିଲେ। ଏକ, ଦୁଇ, ତିନି-ନ’ ଜଣ। ମତେ ସେମାନେ ଦେଖି ପାରି ନାହାନ୍ତି। ଯୋଉ ଦୁଆର ବାଟେ ସେମାନେ ଘରେ ପଶିଲେ ସେଇ କବାଟ ଅଢ଼ୁଆଳରେ ମୁଁ ଥିଲି। ସେମାନଙ୍କ ପଛପଟୁ ମୁଁ ଅକ୍ଳେଶରେ ଗୁଳି କରିପାରନ୍ତି। କିନ୍ତୁ ଘରେ ଦୁଇଟି ସ୍ତ୍ରୀ ଲୋକ ଆଉ ତିନିଜଣ ପୁରୁଷ ଅବିହାଡ଼ା। ନ’ଟା ପିସ୍ତଲ ସେଇମାନଙ୍କ ଆଡ଼କୁ ଉଦ୍ୟତ। ମୁଁ ଗୁଳି କଲେ ମୋ ଆଗରୁ ମୋର ପାଞ୍ଚଟି ବନ୍ଧୁ ଭୂଇଁରେ ଟଳିପଡ଼ିବେ। ଯଦି ନିଜକୁ ବି ଗୁଳି କରେ ତେବେ ବି ସେମାନେ ନିଶ୍ଚୟ ଗୁଳି ଚଳେଇବେ…ଆଉ ସେ ପାଞ୍ଚ ଜଣଯାକ ମରିବେ ନଶ୍ଚୟ। ଯଦି ମୁଁ ଗୁଳି ନ କରେ ତେବେ ସେମାନେ ଛ’ମାସ କି ବର୍ଷେ ଜେଲ୍ରେ ରହିବେ, ତାପରେ ବିପ୍ଳବ ଆସିବ ସେମାନେ ମୁକ୍ତ ହେବେ , ଜୀଇ କରି ଫେରି ଆସିବେ । କେବଳ ମିରେକ୍ ଆଉ ମୁଁ ଜୀବନନେଇ ଫେରି ପାରିବୁନାହିଁ। ସେମାନେ ଆମ ଉପରେ ଚଳେଇବ ନିର୍ଯ୍ୟାତନା । ମୋଠାରୁ କୌଣସି କଥା ବାହାର କରିପାରିବେ ନାହିଁ ସେମାନେ , କିନ୍ତୁ ମିରେକ୍ଠାରୁ ? ସେ ସ୍ପେନ୍ରେ ଲଢ଼ାଇ କରିଛି, ଛ’ବର୍ଷ ଯେ ଫ୍ରାନ୍ସର ବନ୍ଦୀ ଶିବିରରେ କଟାଇ ଆସିଲା, ଯେ ଗୋପନରେ ଯୁଦ୍ଧ ଭିତରେ ଫ୍ରାନ୍ସରୁ ପ୍ରେଗ୍କୁ ଆସିଲା, -ନା, ସେ କେବେହିଁ କିଛି କହିବ ନାହିଁ। ନିଷ୍ପତ୍ତି ନେବାକୁ ହେବ ଦୁଇ ସେକେଣ୍ଡ ଭିତରେ । ହୁଏତ ତିନି ସେକେଣ୍ଡ?...
ଯଦି ମୁଁ ଗୁଳି ଚଳାଏ ତେବେ କାହାକୁ ରକ୍ଷା କରିପାରିବି ନାହିଁ,ଖାଲି ମୁଁ ରକ୍ଷା ପାଇବି ନିର୍ଯ୍ୟାତନାରୁ-କିନ୍ତୁ ମୋର ପାଞ୍ଚଟି ବନ୍ଧୁଙ୍କର ପ୍ରାଣବଳୀ ଦେବାକୁ ପଡ଼ିବ। ସତେ? ହଁ। ତେବେ ସେଇ ହେଲା ସିଦ୍ଧାନ୍ତ । ଘର କଣରୁ ଆସିଲି ବାହାରି ।
‘ହେଇରେ, ଆଉ ଜଣେ।’
ପହିଲି ଭୁଷି…ଖୁବ୍ ଜୋର୍ରେ, ତଳେ ପକେଇ ଦେବା ଭଳି।
‘ହାତ ଟେକ।’
ଆଉ ଗୋଟାଏ ମୁଥା, ଆହୁରି ଗୋଟାଏ।
ଆହୁରି ଭୁଷି ଆଉ ଗୋଇଠା।
‘ଚାଲ। ’