ବାଟୋଇ


ବାଟ ମୁଁ ଚାଲିଛି ଦିନରାତି,

ସହିଛି ବଇଶାଖ ମାସର ଖରା ତାତି,

ଶ୍ରାବଣ ମେଘମାଡ଼ ମାଘର ଘୋର ଜାଡ଼,

ସହିଛି ସବୁ ମୁଁ ଯେ ପଥର କରି ଛାତି

 

ଜୀବନ-ବଇଶାଖେ ଚାଲେ ମୁଁ ଗୋ ଏକାକୀ,

ଅସୁର ପରି ଆସେ କରାଳ ବଇଶାଖୀ,

ଅଶନି ଗରଜନ ବିଜୁଳି ଘନ ଘନ

ପ୍ରଳୟ ଧରାପରେ ଅକାଳେ ଆସିଲା କି!

 

ଆକାଶ ବୁକୁ ଥରେ, ଉପୁଜେ ଘୋର ଝଡ଼,

ଉପୁଡ଼େ ପାହଡ଼େ କି, ବିକଟ ମଡ଼ମଡ଼

ଶବଦ ଚାରିଆଡ଼େ ପବନ ରଡ଼ି ଛାଡ଼େ,

ସବୁ ଲୋଟିଯାଏ ଭୂଇଁରେ ସାନ ବଡ଼

 

ନିରାଟ ଖରାବେଳ କଠୋର ହୃଦ ପରି

ଖରୋହିଆ ଭୂତ ନାଚେ ବିକଟ ରୂପ ଧରି,

ତୃଷିତ ପୃଥିବୀ କି ଡ଼ାକଇ ଦୂରୁ ଦେଖି

ନିକଟେ ମିରୀଚିକ ଯାଏ ସେ ଅପସରି

 

ଶ୍ରାବଣ ଅମାରାତି, ଅନ୍ଧାର ଦିଗ ଭରି,

ଅଜାଡ଼େ କଳା ମେଘ ମାଠିଆ ପାଣି ପରି,

ଆକାଶ ଦୁଲକଇ ପଲକେ ରହି ରହି,

 ତଥାପି ଚାଲେ ଆଗେ କାହାକୁ ନାହିଁ ଡ଼ର

 

ମାଘର ଅଧରାତି ମାନି ଚାଲେ ମୁଁ ଯେ

ଶୀତରେ ଥର ଥର ତଥାପି ପଥ ଯୁଝେ,

ଜାଡ଼ରେ ହାଡ଼ ଭାଜେ, ଦାନ୍ତରେ ଦାନ୍ତ ବାଜେ,

ସେ ସବୁ ଅନୁଭୂତି ମୁଁ ସିନା ଏକା ବୁଝେ!

ବାଜିଛି ବୁକୁରେ ଗୋ ଆଘାତ ବହୁବାର,

 ଆଘାତ ନିଦାରୁଣ; ରହିଛି ଦାଗ ତା,

 ରହିଛି ବୁକୁ ପରେ, କାହିଁରୁ ଲହୁ ଝରେ

(ରୁଧିର ଧାର ପରା ବୀରର ଫୁଲହାର)

 

ତଥାପି ଚାଲେ ମୁଁ ଯେ ହେବ ଚାଲିବାକୁ

ପ୍ରଳୟ ଘୋଟିଯାଉ ଭୈରବୀ ପଛେ ତାକୁ,

ଦୂରରେ ଘର ମୋର, ଟାଣଇ ସେହି ଡ଼ୋର

କାହିଁ ମୋ ଅବସର ସବୁ ଡ଼ରିବାକୁ!!

 

ଆଜଣା ରାଇଜର ବାଜଇ ବେଣୁନାଦ

ପଥର ପଦେ ପଦେ ତୁଟାଇ ଅବସାଦ

ତାହାରି ପଛେ ପଛେ ମୋହରି ପଥ ରଚେ

 ସେହି ଯେ ଆଜି ମୋତେ କରିଛି ଉନୁମାଦ

ମୋ ପଥେ କେବେ ଆସେ ଗୁପତେ ମଧୁମାସ,

ଫୁଟାଇ ଫୁଲେ ଫୁଲେ ମଦିର ଦରହାସ

ବହଇ ଚଇତାଳି ମୋ ପଥେ ଖିଲି ଖିଲି,

 ଧରଣୀ ପରେ ମେଲେ ସପନ ସୁଖ ପାଶ

 

ଉତ୍ତର ଦିଗ କୋକିଳ କୁହୁ ଡ଼ାକେ,

ରସାଳ ଉପବନ ଗୁମୁର ଶାଖେ ଶାଖେ,

ଧରଣୀ ଆର ପାର ଡ଼ାକି କି ସତେ କା

ବାଇଦ କାନେ କାନେ ଡ଼ାକଇ ଆଖେ ପାଖେ

 

ମଳୟ ଫୁଲେ ଫୁଲେ ରଚଇ ଅଭିସାର,

ତରଳ ଚୁମାଟିଏ ଲେପଇ ଗାଲେ ତା,

 ଶିହରେ ଫୁଲତନୁ ଶୁଭଇ ଦୂରବନୁ

କିଲୋ ନୂଆ ଭାବ, ମଜ୍ଜିଲୁ ପ୍ରେମେ କା?

 

ଶୁଖିଲା ବୁକୁ ପରେ ନଈ ସବୁ ଧାର,

 କରୁଣ ରାଗିଣୀ କି ବାଜଇ ବେଦନାର;

ଗମଇ ଥିରିଥିରି ନଦରୀ ଶେଷ-ଶିରୀ

ସପନ ରାଇଜକୁ ଆଖିର ପରପାର

 

ଶରତ କେବେ ଆସେ, ଭେଟେ ମୁଁ ପଥଧାରେ,

ବୁକୁ ତାଫୁଲିଉଠେ ରୂପର ଗରବରେ,

ନବୀନ ଯଉବନ ଆକାଶ ନଦୀ ବନ

ସବୁଠି ମେଲିଦିଏ ସବୁଠି ରୂପଝରେ

 

ଶେଫାଳି ନିତି ଝରେ ନିଶୀଥେ ସକାଳରେ

ବ୍ୟଥାର ଲୁହ ପରି କଅଁଳ ଘାସ ପରେ;

ସବୁଜ ତରୁଲତା, ତରୁଣ ସଜୀବତା

ନାଚଇ ସମୀରଣ ପରଶେ ଯେବେ ଥରେ

 

ଶରତ ଚାନ୍ଦ ହସେ ଉଛୁଳି ଉଠେ ଧରା,

ଦିଶଇ ନିମିଷକେ କୁହୁକପରୀ ପରା,

ଜୋଛନା-ଧାରା ଝରେ

କେଦାର ନତଶିରେ ପ୍ରଣତି ଦିଏ ଢ଼ାଳି, ରଜନୀ ବୁକୁପରେ

ଭୁଲଇ ସବୁ ମୁଁ ଯେ ହୁଅଇ ନିଜହରା

 

ସବୁଜ ଧାନବିଲ ଦେଖେ ମୁଁ ପଥଧାରେ

ସବୁଜ ବରନର ସାଗର ପରକାରେ,

ପବନେ ବେଳେ ବେଳେ ସବୁଜ ଢ଼େଉ ଖେଳେ

ଚଷାର ଗୀତ ଉଠେ ସୁଷମା ପାରାବାରେ

 

ମାର୍ଗରେ ମଗୁଶିର ପୂଜାର ରଚି ଥାଳି

 

ଶୋଭା ଦେବୀ ଚରଣ; ଆଜି ରବି କିରଣେ

ଘାସର ବେଦି ପରେ ଅର୍ଚ୍ଚନା-ଦୀପ ଜାଳି

 

ଶରତ ମଧୁମାସ ସବୁତ ଯାଏ ଚାଲି

ସପନ ପରକାରେ; ସ୍ମୁତିଟି ରହେ ଖାଲି;

ପାଥେୟ ସେହି ମୋର ପାଥେୟ ଜୀବନର

ଗମଇ ତାକୁ ଧରି ଦୀରିଘ ମରୁବାଲି

 

ପଡ଼ଇ ଟଳି ଯେବେ ବେଦନା ଆଘାତରେ

ସ୍ମୃତିକୁ ଚାପି ଧରେ ମୋହରି ବୁକୁ ପରେ

ଆଖିର ଦୁଇଧାର ଜୀବନେ ସେହି ସାର;

 

ସେ ସୁଖ କାହିଁ ନାହିଁ ବସନ୍ତ ଶରତରେ




+ -

© Jataayu Charitable Trust
Site designed,developed & maintained by Tekons