ଶପଥ


ଘୃଣା ଆକୁଞ୍ଚନ ଆଣ ନେତ୍ର

ଫୁତ୍କାର ନାସାରେ,

ଭୂରୁରେ ଫୁଟାଅ ବିଦ୍ରୂପର ତୀବ୍ରରେଖା

ଓଷ୍ଠେ ଉତ୍ତେଜନାଚିତ୍ତେ ଉତ୍ତ୍ୟକ୍ତତା

 

ମୁଁ ଘୃଣାକରେ ମାନବର ଅସ୍ଥିଳ ଅଶ୍ଳୀଳ ରୂପ,

ନଷ୍ଟମସୀପ୍ରାୟ ମସ୍ତକରେ କହରା କେଶର ହାହାକାର

ସହସ୍ର କୁଟିଳ ରେଖା ଲାଞ୍ଛିତ କପୋଳ

ଆଉ ତାତଳକୁ ଦୁଇ ବିଷର୍ଣ୍ଣ କୋଟର…,

ଶତରାଳ କଣ୍ଠରେ ଦୁର୍ବଳ ଭାଷା,

ଜୀବନକୁ ଭିକ୍ଷା କରି ଗ୍ରନ୍ଥିଳ ହସ୍ତର ଭୀରୁ ପ୍ରସାରଣ

 

ମୁଁ ଘୃଣା କରେ ପଞ୍ଜରାର ଉଦ୍ଗତ ହାଡ଼

ଉଦରର ଶୁଷ୍କ ଗଭୀରତା,

ମୃତ ଯୌନତାର ନଗ୍ନ ବୀଭତ୍ସ ଦୃଶ୍ୟ,

ଆଉ ମୂମୂର୍ଷୁ ପାଦର କୁଣ୍ଠିତ ଗତି

 

 ମୁଁ ଘୃଣା କରେ ଦୈନ୍ୟକୁ

ଘୃଣା କରେ ମୃତ୍ୟୁର ମ୍ଲାନିମା,

ତା ରକ୍ତଶୂନ୍ୟ ପାପୁଲିର କଠିନ ସ୍ପର୍ଶ,

ସ୍ପନ୍ଦହୀନ ଶୀତଳ ଆଶ୍ଳେଷର ବିଭୀଷିକା

 

ମୁଁ ଘୃଣା କରେ ତାକୁ

ଯେ ମାନବର ପବିତ୍ର ବିଗ୍ରହ କରେ କଦାକାର

ଯେ ଅଲଭ୍ୟ ଜୀବନକୁ ପଙ୍ଗୁକରି ହାଣେ ନିର୍ମମ ପ୍ରହାର,

ଯେ ସୁନ୍ଦର ପୃଥିବୀକୁ ପରିଣତ କରେ ନରକରେ

 

ତେଣୁ ଚିତ୍ତେ ମୋର ତୀବ୍ରତା

ତୁମର ପ୍ରଭୁତ୍ବ ବିରୁଦ୍ଧରେ

 ତେଣୁ ମୁଁ ଖଡ଼୍ ଉତ୍ତୋଳନ କରିଥିଲି

ତୁମର ସିଂହାସନକୁ ଧୂଳିସାତ୍କରିବା ଲାଗି,

ଆଉ ଆଜି ତୁମର ପୁଞ୍ଜିରେ ନିବିଡ଼ ଗ୍ରନ୍ଥିକୁ ଛିନ୍ନ କରୁଛି

ଉତ୍ତେଜନାରେ, ସଗର୍ବରେ

 

ମୃତ୍ୟୁକୁ ମୁଁ କେବେ ଭଲ ପାଇନାହିଁ

ମୃତ୍ୟୁକୁ ସମର୍ଥନ କର ଯେଉଁମାନେ

ହେ କାଏମୀସ୍ବାର୍ଥ ! ହେ ପୁଞ୍ଜିବାଦ!

ତୁମକୁ ମୁଁ ଦେବି ଦେବି ମୃତ୍ୟୁର ଆସ୍ବାଦ,

ଚିରକାଳ ଲାଗି

 

 ଧରଣୀରେ ଶିହରାଇ ଜୀବନର ସବୁଜ କଲ୍ୟାଣ




+ -

© Jataayu Charitable Trust
Site designed,developed & maintained by Tekons