ଶତାଦ୍ଦୀ ଓ ଶତାଦ୍ଦୀ


ସେବେ, ଏପରି ସନ୍ଧ୍ୟାରେ

ହସିଥିଲା ବନମଲ୍ଲୀ ପ୍ରଥମ ତାପ୍ରସୂତ ସଂଭାରେ

ଶିହରାଇ ଉପବନ, ଚହଲାଇ ଶକୁନ୍ତଳା ପ୍ରାଣ,

ଚହଟାଇ ଚଉଦିଗ ସୃଜନ ଅମୃତ ଆହ୍ବାନ

କୁମୁଦିତ ଯଉବନେ ପ୍ରିୟମ୍ବଦା କହିଥିଲା ଛଳି

ସଖି ମୁଖେ ଚୁମା ଦେଇ, ‘ କାଞ୍ଚିଲାର ସାଥେ କିଆଁ କଳି

କରୁ କିଲୋ ନିତି ନିତି? ତାର କିବା ହେଲା ଅପରାଧ?

ତୋ ତନୁରେ ଏହି କ୍ଲେଶ ବିନ୍ଧିଅଛି ଫୁଲଶର ବ୍ୟାଧି,’

ଲାଜରେଖା ତତେକହ ଅନସୂୟାଭାରି ମାନେ ସଖି!’

ମୃଗଶିଶୁ ଋଷିକନ୍ୟା ପଛେ ଧାଏଁ ହାତୁଁ ତୃଣ ଭକ୍ଷି

ଶତ ବ୍ରହ୍ମଚାରୀ କଣ୍ଠୁ ଓଁକାରିତ ସାମମନ୍ତ୍ର-ଧ୍ବନି

ଦୀପ୍ତଶିଖା ଟେକି ଜଳେ ଘୃତଗନ୍ଧି ହୋମପୂତ ବହ୍ନି

ଆଶ୍ରମର ତରୁତଳେ ନମ୍ରହୁଏ ରାତ୍ରିର ଅନ୍ଧାର,

ବନ ପ୍ରାନ୍ତୁ ଭାସିଆସେ ମୃଦୁବାସ ରଜନୀଗନ୍ଧାର

 

ସେବେ, ଏପରି ସନ୍ଧ୍ୟାରେ

ସାଧବଘରର ବୋହୂ ନିନ୍ଦୁଥିଲା ,ଆଗାମୀ ଅନ୍ଧାର

କାହିଁ ମୋ ରହିଲେ ନାଥ! ଦରିଆର କଳା କଳା ପାଣି;

ବୋଇତକୁ ଲେଉଟାଇ ଆଣ ଭଲେ ମାଗୋ ଠାକୁରାଣୀ

ବୃନ୍ଦାବତୀ ପାଶେ ଥାପି ଘିଅଦୀପ , ଶିରେ ଛୁଇଁ ମାଟି

ନୀରବ ପ୍ରାର୍ଥନା ଛଳେ ଦେବୀପାଶେ ମେଲି ଦିଏ ଛାତି

ଗ୍ରାମ ପ୍ରାନ୍ତ ଦେବାଳୟେ ବାଜେ ଘଣ୍ଟା ଘୋଷିଉଠେ ଶଙ୍ଖ

ଦେବତାର ଆଶୀର୍ବାଦ ମଧୁମୟ, ମନ୍ଦ୍ର ନିଃଶଙ୍କ

 

ସେବେ, ଏପରି ସନ୍ଧ୍ୟାରେ

ଗାଦିଘରେ ବସି ସର୍ବେ ଗ୍ରାମବାସୀ ମାଇପି ମରଦ

ବ୍ରାହ୍ମଣ ଚାଷୀ କଣ୍ଡରା ଶୁଣିଥିଲେ ଗୀତା ଭାଗବତ

ପୋଲାଙ୍ଗ ତେଲର ସ୍ନିଗ୍ଧ ଆଲୋକରେ ପଣ୍ଡିତ ପୂଜାରୀ

କରୁଥିଲା ପୋଥିପାଠ; ଦଗ୍ ପ୍ରାଣେ ସିଞ୍ଚି ଆଶାବାରି,

କହୁଥିଲା ଧରମ ଶତ ଶତ କୁହୁକ କାହାଣୀ,

କେସନେ ଧରମେ ହୋନ୍ତି ଆତଯାତ ଏଥି ସର୍ବପ୍ରାଣୀ

ଅତ୍ୟାଚାରେ ଅନାଚାରେ ସ୍ବର୍ଣ୍ଣପୁରୀ ହୋଇଲାକି ଧ୍ବଂସ,

ଦୁଃଶାସନ ଫଳେ ନାଶ ଗଲେ ଯେତେ କୁରୁ ଅବତଂସ

ସାବିତ୍ରୀ ଆଖ୍ୟାନ ଶେଷେ ପ୍ରତିପ୍ରେମେ ଉଠେ ହୁଳହୁଳି;

ଅଜାଣତେ ମର୍ମସ୍ଥଳ ସ୍ପର୍ଶ କରେ ଆର୍ଦଶର ତୂଳୀ

ଶ୍ରୋତା ନେତ୍ରୁ ଝରିପଡ଼େ ଗଦଗଦ ଭକ୍ତିର ସଲିଳ,

ରସାପ୍ଲୁତ, ଅମାୟିକ, ଶାନ୍ତିମୟ ମୁଗ୍ଧ, ଅନାବିଳ

ଛନ୍ଦହରା ଜୀବନରେ ଛନ୍ଦେ ଫେରେ, ଗତି ହୁଏ ସ୍ଥିର;

 

ହରି ବୋଲ”, ସଭା ଭାଙ୍ଗେ ରାତ୍ରୀ ହୁ ଗଭୀର ଗଭୀର




+ -

© Jataayu Charitable Trust
Site designed,developed & maintained by Tekons