ନାଚ ଶ୍ୟମା, ନାଚ ଦଶଭୁଜା
ବହୁକାଳ ପରେ ଆଜି ହୋଇଛି ପୂର୍ଣ୍ଣ ତୁମ ପୂଜା।
ଦୃପ୍ତପଦେ ନାଚ ଆଜି ମୁକ୍ତକେଶେ ଉଲ୍ଲାସ ବିହ୍ବଳେ;
ଉତ୍ସବର ଗୌରବରେ ଚଉପାଶେ ତୁମ ଲାଗି ଜଳେ
ଅନିର୍ବାଣ ଚିତା
ସଗହଣେ ବିଜେ କର ମେଦିନୀରେ ଆଗୋ ନିଃଶଙ୍କିତା।
ଆଜି ଧରାତଳେ
ମୃତ୍ୟୁ- ମହାନାଟକର ଅଭିନୟ ହୁଏ କୋଳାହେଳେ,
ତପ୍ତ ରୁଧିରର ବନ୍ୟା ପ୍ଲାବିଅଛି ସପ୍ତ ମହାଦେଶ,
ରାଗପଥେ ମୁର୍ଦ୍ଦାରର ଶୋଭାଯାତ୍ରା ଦୀର୍ଘ ଓ ଅଶେଷ;
କବନ୍ଧ କରୁଛି ନୃତ୍ୟ; ଗୃଧ୍ରକଣ୍ଠେ ଅଜସ୍ର ସଂଗୀତ;
ଶୃଗାଳର ଆସ୍ଫାଳନ: ‘ ବିଶ୍ବଜୟୀ, ମୁହିଁ ଇନ୍ଦ୍ରଜିତ।’
ହତ୍ୟା ଓ ମଡ଼କ
( ବିନାଶର ଅନ୍ତଃପୁରେ ପରିଣିତା ନାୟିକା ନାୟକ)
ରହିଛନ୍ତି ଯୁଗାନ୍ତବାସର
ଶ୍ମଶାନର ପଲଙ୍କରେ ବିଞ୍ଚିଦେଇ ପୁଷ୍ପ କଙ୍କାଳର!
ସର୍ବ ଉପଚାରେ ଆଜି ଅର୍ଘ୍ୟ ବଢ଼ା-
ହେ ଖଡ଼୍ଗଧାରୀଣୀ,
ଅବତରି ଆସ ଶ୍ୟାମା, ମୃତ୍ୟୁମୟି, ନୃମୁଣ୍ଡମାଳିନୀ।
ହେ ଶିଳ୍ପୀ, ଏ କି କଲ ଅପସନ୍ଦ କଥା!
ମୃତ୍ତିକାରେ କିଆଁ ତୁମେ ଗଢ଼ୁଥିଲ ମଣିଷର ମଥା?
ଏ ଯୁଗର ଶ୍ୟାମା ପାଇଁ ଲୋଡ଼ା
ନୁହେଁ ଆଉ କାଳ୍ପନିକ ଅଳୀକ୍ ସେ ନୃମଣ୍ଡର ତୋଡ଼ା।
ମାୟାପଟ ଚିରି ବଂଧୁ ଥାପିଦିଅ ବିରାଟ ସତ୍ୟକୁ
ତୁଟି ଯାଉ ସବୁ ମୋହ, ଦେଖୁ ଥରେ ଦୁନିଆର ଚକ୍ଷୁ
ଆପଣାର ସଭ୍ୟ ସମାଜକୁ
ଜନତା-କବନ୍ଧ ଲହୁ ଶୋଷି ଶୋଷି ପିଉଛି କିଭଳି
ତୃପ୍ତ ଉଲଗ୍ନ ଢ଼ାଙ୍କୁଣୀ, ଶତଧାରେ ସଦ୍ୟ କଣ୍ଠଭରି;
ତେବେ ବି ତା ମେଣ୍ଟୁନି ପିପାସା-
କାଳରୂପୀ ଏ ସମାଜ ତୋଳିଅଛି ନୀତି ସର୍ବନାଶା।
ପଥେ ପଥେ ଅନିର୍ବାର ଭୟଙ୍କର ହତ୍ୟା ଅଭିଯାନ,
ଚାଲେ ଟେକି ମୃତ୍ୟୁର ନିଶାଣ।
କୋଟି କୋଟି ନର ଶିର ଅକାତରେ ହୁଏ ବଳିଦାନ,
ତହିଁରେ ମେଣ୍ଟିବ ଯେଣୁ ଜଣଙ୍କର ବୃଥା ଅଭିମାନ!
ବିନାଶର ପଥେ ତା’ର ଯାତ୍ରା ଏ ଯେ ଅମଙ୍ଗଳମୟୀ
ରୋକିବାକୁ ହେବ ତାକୁ
ନୋହିଲେଟି ନାଶ ଯିବ ମହା!
ତେଣୁ ଆହେ ଶିଳ୍ବକାର, ଜନନେତ୍ରେ ସତ୍ୟ ଦିଅ ଫେଡ଼ି
ଚଉଦିଗେ ଘନରୋଳ ବାଜୁଅଛି ମରଣର ଭେରୀ
ତାଜା ଲହୁ, ସଦ୍ୟ ମାଂସ ଶ୍ୟାମ ପାଇଁ ସାଜ ଉପଚାର;
ମଣିଷର ସଦ୍ୟ ଶିରେ ଗୁନ୍ଥିଦିଅ ଶ୍ୟାମ ଲାଗି ହାର।
ଶିର ଆଉ ରକ୍ତ ପାଇଁ ପଡ଼ିଅଛି ଚୌଦିଗ ଡ଼ାକରା;
ଆବୃତ ତମିସ୍ର ମଧ୍ୟେ କାନ୍ଦେ ଶିଶୁ, ଯାତ୍ରୀ ଦିଗହରା,
ଆହେ ଶିଳ୍ପୀ, ଦିଗଦ୍ରଷ୍ଟା କହ କହ ଶିବର ସନ୍ଧାନ!
କେସନେ ରୋଧିବୁ କହ ରକ୍ତପଦ୍ମା ଦିଗନ୍ତ ପ୍ଲାବନ।
କେସନେ ତୁଟାଇ ବ୍ୟାପ୍ତ ଅନ୍ଧାରର ଦୃପ୍ତ ମେଘନାଦ
ଏକ ଆନ, ଦେଶ ଦେଶ, ଜାତି ଧର୍ମ ବାଦ ବିସମ୍ବାଦ
ଗଢ଼ିବାର ହେବ ଏଥି ପ୍ରେମଦୀପ୍ତ କୋଣାର୍କ ମନ୍ଦିର
ଉଚ୍ଚାର ସେ ମନ୍ତ୍ର ବାରେ, ହେବା ଆଗୁଁ ଏ ବିଶ୍ବ ସ୍ଥବିର।
(ଶଂଖ-୨ୟ ବର୍ଷ-୫ମ ସଂଖ୍ୟା-୧୯୪୬)