ଚିଠି


ଗାଁ ଗୋପୀ ବାରିକର ମା ବୁଢ଼ୀ, ସ୍କୁଲ କଲେଜ ପାଠପଢ଼ୁଆ ବାବୁ ଆପଣଙ୍କ ପାଖରେ ଦୀର୍ଘ ଏକ ଅନୁରୋଧ ନେଇ ପହଞ୍ଚେ-‘ଗୋପିଆ ମୋର କୋଲକତାରୁ ଭାଷା ନେଖିଛି। ଆପଣ ପଢ଼ି ଶୁଣାନ୍ତୁ-’

   ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚରଣେ ଶରଣ। ନେଖିବାର କାରଣ ଏହିକି ଯେ-ଆମ୍ଭର କୁଶଳକୁ ନୀଳାଚଳ ଗୋସେଇଁ ବିଜେ ଅଛନ୍ତି। ତୁମ୍ଭର କୁଶଳକୁ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁ ସର୍ବଶୁଭରେ ଘଣ୍ଟଘୋଡ଼ାଇ ରଖିଥିବେ।

    ଏ ମଙ୍ଗଳା ଚରଣ ପରେ ଆସେ ଗୋପିଆର ଶତ ସହସ୍ର କୋଟି ମୁଣ୍ଡିଆ,ଗ୍ରାମ ଦେବତୀଙ୍କଠାରୁ ଆରମ୍ଭ କରି ମଇତ୍ରଙ୍କ ଆଈ ବୁଢ଼ୀ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଆଉ ବି ଗାଁ ଯାକର ପିଲାପିଚିକାଙ୍କୁ ଜଣ ଜଣ କରି କଲ୍ୟାଣ । ଏହିଥିରେ ଦୀର୍ଘ ଚାରି ପୃଷ୍ଠାର ଚିଠି ଶେଷ ହୁଏ ।ବୁଢ଼ୀ ଶୁଣି ବଡ଼ ସନ୍ତୋଷରେ ‘ବୁଢ଼ା ହେଉଥା’ ବୋଲି ଆପଣଙ୍କୁ ଆନ୍ତରିକ ଆଶୀର୍ବାଦ କରି ଘରକୁ ଫେରେ । ପଛରେ ବୋଧହୁଏ ଆପଣ ମୁରୁକି ମୁରୁକି ହସନ୍ତି। ଏଡେ ଚିଠିଟାରେ ସେ ଲେଖିଲା କ’ଣ? ହସ ମାଡ଼ିବାର କଥା, ନା? ହାଃ,ହାଃ, ହାଃ।  

    ଆପଣ ମନଇଚ୍ଛା ହସି ପାରନ୍ତି- ଗୋପିଆକୁ ନିପଟ ଓଲୁ ଠଉରେଇ ପାରନ୍ତି।କିନ୍ତୁ ଗୋପିଆ ବେଅକଲ ନୁହେଁ- ଏଇଟା ସତ । ତାର କାମଟି ଯେତେ ସୁବିଧାରେ ସହଜରେ ସେ ତୁଲେଇଛି ତା ହୁଏତ ଆପଣ ପାରିନଥାନ୍ତେ, ମୋ କଥା ଛାଡ଼ନ୍ତୁ ,କଅଣ ବା ଲେଖନ୍ତା ? କଲିକତା ଏତେ ବଡ଼, ତା ଗାଁ ଠାରୁ ଏତେ ଫରକ ଯେ ଚିଠିରେ ସେ କଥାଟା ଲେଖିବାଟା ନିହାତି ଅପସନ୍ଦିଆ ହୁଅନ୍ତା । ବୁଢ଼ୀ ତ ତା ଜୀବନରେ ଦୀପଠୁ ଉଜ୍ଜ୍ବଳ ଆଲୁଅ ଦେଖିଛିକି ନାହିଁ, ବିଜୁଳିବତୀ ବିଷୟ ତା ପାଖକୁ ଲେଖ ପୁଅ ସୁଆଗି ବୁଢ଼ୀ ମନ ସିନା ହନ୍ତସନ୍ତ କରିବା କଥା ଖାଲି! ସେଥିରୁ ବି ସେ କି ପାଇବ? ଗାଁ ଆଉ କୋଲକତା ଦୁଇଟା ଭିତରେ ଏତେ ଫାଙ୍କ୍‌, ଦୁଇଟା ଅଭିଜ୍ଞତା ଏତେ ପୃଥକ ଯେ ବୁଢ଼ୀର ସବୁଠାରୁ ବିରାଟ କଳ୍ପନା ବି କୁଂପାନୀ କଳର ରୂପରେଖ ଦେଇପାରିବ ନାହିଁ। ତେବେ ସେ ଲେଖିବ କ’ଣ? ଅଥଚ ଲେଖିବାକୁ ହେବ। ବୁଢ଼ୀ ଚାତକ ପରି ଚାହିଁ ବସିଚି-ନିତି କାଉକୁ ଚାଉଳ ଦଉଚି। ତା’ର ଏ ବିରାଟ ଆଶାକୁ ପୁଅ ଯଦି ତେନ୍ତୁଳି ପତ୍ର ଭଳି ଏତିକି ଟିକିଏ ଭାଷା ଦିଏ, ବୁଢ଼ୀ ସିନା କରମ କଚାଡ଼ି ମରିବ?କିଏ ଏ କଲିକତିଆ ଚିଠିକି ହସୁ ପଛକେ, ମୁଁ ବରାବର ବାହାବା କରିବି। କାହିଁକି କୋଉଠି ରହି ତୁଚ୍ଛା ପ୍ରଣାମଟାରେ ସେ ତ ଗାଁଟା ଯାକର ସହାନୁଭୂତି କିଣି ନେଲା। ମା’ ବୁଢ଼ୀର ହାନିଲାଭକୁ ସେଇଟା କେଡ଼େ ସାହା ଗୋପିଆ ବୁଝେ ତା ମା’ ବୁଝେ। ଲେଖିବାର ସେଇ କୌଶଳ ଟିକକ ଆମର ନାହିଁ ବୋଲି ତ ବରଷ ଦିଟା ସହରରେ ରହିବା ପରେ ଆଉ ତମ ଭଳିଆ ବାବୁ ଭାୟା ନିଜ ଗାଁରେ କୁଣିଆ ତଳେ ଗଣା ହେଉ। ଗୋପିଆ ମନରେ ଗାଁର ସମାଜ ବଞ୍ଚି ରହିଚି, ଗାଁର ସଭିଙ୍କ ପାଖରେ ଗୋପିଆ ଜିଇଁଚି। 

   ସେ ସବୁ ବିଚାର ଛାଡ଼ିଦେଲେ ବି ଚିଠିଟା ପୂରଣ କରିବା ଯେ ନିହାତି ମୁସ୍କିଲ୍‌ ସେ କଥା । ମୁଁ କହୁନାହିଁ; ପଇସା ଦେଇଚେଁ ବୋଲି ଡାକପିଅନ ଉପରେ କଥା ପଡ଼ିଚି ଚିଠି ଯଦି ନିହାତି ଛୋଟ ହୁଏ, ପାଇବା-।ମୋରି କଥା କହୁଚି, କଲେଜରେ ପଢ଼ୁଥିବା ବେଳେ ବାପାଙ୍କ ତାଗିଦା ଚାରିଦିନରେ ଖଣ୍ଡେ ଚିଠି ଦେବୁ। ଚାରିଦିନରେ ବା କି ବିଶିଷ୍ଟ ଖବର ଅଛି, ମୁଁ ଲେଖିବି? ଏଇ ଚିଠି ଲେଖିବାଟା ମୋ ପକ୍ଷରେ ସବୁଠାରୁ କଷ୍ଟକର ବିଷୟ ହୋଇ ଉଠିଲା। ରୀତିମତ ଏକ ସମସ୍ୟା। “ମୋର ଏଠାରେ ସବୁ ଭଲ।”ବାସ୍‌ ପାଠ ଶେଷ। ଆଉ ସେଣିକି ? ଦେଶ ବିଦେଶର ଖବର ଅନ୍ତ ଚିଠିରେ ଲେଖି ବା ଲାଭ କ’ଣ? ଖବରକାଗଜ ତ ଆଗେ ଜଣାଇବ- ଆମର ଏ ସୃଷ୍ଟିତତ୍ତ୍ବ ଆଇ ଘନ-ଜ୍ୟାମିତି ବିଷୟ ତ ବାପାଙ୍କ ପାଖକୁ ଲେଖି ହବ ନାହିଁ। ତେବେ?ବହୁ ଚିନ୍ତା ପରେ ଶେଷକୁ ପାଖର ଗୋଳମାଳ-ପତ୍ର ଲେଖକ ମନରେ ଆଶାର କ୍ଷୀଣ ରେଖା ସଂଚାର କରେ । କିନ୍ତୁ ତା ବି କ୍ବଚିତ୍‌ । ସେତେବେଳେ ମନେହୁଏ, ଆମ ଏ ଦେଶଟା ବିଲାତ ହୋଇଥାନ୍ତା କି- ,ଘଡ଼ିଏ ଖରା ,ଘଡ଼ିଏ ବର୍ଷା,ଘଡ଼ି ଘଡ଼ିକେ ଆନ। ଧର, ସେ ବିଷୟ ଲେଖିଲେ, ସେ ବି କେତେ? ମଣିଷକୁ ଏ ସମସ୍ୟାରୁ ଅବ୍ୟାହତ ମିଳିବା ଲାଗି ଘରେ ଜଣେ କେତେ ବେମାର ପଡ଼ିଥାନ୍ତେ କି? ଅଗତ୍ୟା ଲେଖିବାକୁ ପଡ଼େ ‘ଏଥର ଫସଲ କିପରି ହୋଇଛି? କି ମୁସ୍କିଲ୍‌ ପାଠ ଏ ଚିଠି ଲେଖିବା!! ତୁମେ ଚିଠିର ପ୍ରଥମେ ସେ କଥା ଲେଖି ପାରିବ ନାହିଁ, ଯଦି ଓ ଚିଠି ଲେଖିବାର ଏକମାତ୍ର କାରଣ ସେଇୟା । ବାପା କାଳେ ଭାବିବେ ତାଙ୍କ ସହିତ ପୁଅର ସମ୍ବନ୍ଧ କେବଳ ଏଇ ଟଙ୍କା ନେଣ ଦେଣରେ । ତମର ଯଦି ବାପାଙ୍କ ମାନସିକ ପ୍ରତିକ୍ରିୟା ପ୍ରତି କିଛି ହେଲେ ସମ୍ମାନ ଥାଏ, ତେବେ ଚିଠିର କଳେବଳେ ଏ କ୍ଷେତ୍ରରେ ଅପେକ୍ଷାକୃତ ଦୀର୍ଘତର କରିବାକୁ ହିଁ ହେବ;ଆଉ ତାରି ଭିତରେ ଆତି ସତର୍କତା ପୂର୍ବକ ଓ କୌଶଳ ସହକାରେ ଏକ ଅପ୍ରଧାନ ଅଙ୍ଗରୂପେ ଟଙ୍କା ପଠାଇବାର ଅନୁରୋଧଟା ଯୋଡ଼ିବାକୁ ହେବ। ପୁଣି ବାପାଙ୍କ ପାଖକୁ ଚିଠି ସମ୍ମାନର ସଂକୀର୍ଣ୍ଣ ଚତୁଷ୍କୋଣ ମଧ୍ୟରେ ରହିବା ନିତାନ୍ତ ଲୋଡ଼ା । ସେଥିରେ ତ ତମେ ଆଉ ଚଳଚ୍ଚିତ୍ରର କୌଣସି ଛବିର ଜନୈକା ନର୍ତ୍ତକୀର ଭାବଭଙ୍ଗୀର ପ୍ରଶଂସା କରିପାରିବ ନାହିଁ ବା କୌଣସି ପ୍ରାକୃତିକ ଦୃଶ୍ୟର ଉଚ୍ଛସ୍ବିତ ବର୍ଣ୍ଣନା ଦେଇପାରିବ ନାହିଁ । ତେବେ ଲେଖିବାର ଏତେ ବିଷୟ ଆସିବ କୁଆଡ଼ୁ ?ବାପା ପୁଅର ଏ ବିଷୟ କଷଣ ବୁଝନ୍ତେ ଟିକିଏ ଭଲା ।




+ -

© Jataayu Charitable Trust
Site designed,developed & maintained by Tekons