ଚିଠି




ପ୍ରେମପତ୍ର। ମଧୁନିନ୍ଦି ମଧୁର। ପ୍ରେମିକର ଶ୍ରେଷ୍ଠ ଜୟବଟୀକା, ପ୍ରେମିକାର ବିପୁଳତମ ସଂପଦର ଦାମୀ ଦଲିଲ। ତାରି ପ୍ରତୀକ୍ଷାରେ ଜଣେ ଅନ୍ୟମନସ୍କ । ଅପରର ମୁଣ୍ଡ ଗରମ କ’ଣ ବା ଲେଖିବ? ପ୍ରିୟାକୁ ତୁମେ ତୁମର ପ୍ରେମର ଅନାବିଳତା ଓ ପ୍ରଖରତା ବିଷୟ ତ ଜଣାଇ ପାରିବ। ତା’ପରେ? ମୁଁ ଭଲପାଏ, ମୁଁ ଭଲପାଏ ବୋଲି ଦଶହଜାର ଥର ଲେଖିଲେ ପ୍ରେମ ତ ଅଧିକ ହେବ ନାହିଁ ବରଂ ଅନ୍ୟଥା ତୁମେ କୌଣସି ନାରୀର ପ୍ରଶଂସା କରି ପ୍ରିୟାଙ୍କ ପାଖକୁ ଲେଖିବା ବିପଜ୍ଜନକ। କୌଣସି ବନ୍ଧୁ ବିଷୟ ନେଇ (ସମସ୍ତେ ତ ଯୁବକ) ଆଲୋଚନାରେ ଭୁଲ୍‌, ଆପଣାର ପ୍ରେମରେ ପ୍ରତିଦ୍ବନ୍ଦୀ ଛିଡ଼ା କରିବା। ଅନୁରାଗରେ ଏକ ତାରରେ କିଏ କି ସଂଗୀତ ତୋଳିବ ଅବା, କୋକିଳର ଲଳିତ ମୂର୍ଚ୍ଛନାମୟ ଏକ ପଦର ସହସ୍ର ଆବୃତି କର୍ଣ୍ଣକୁ ଏତେ ଅପ୍ରୀତିକର ଯେ ପିଲା ବି ତାକୁ ଖତେଇ ହୁଅନ୍ତି। ହାୟ ବିଚାରା ପ୍ରେମ-ସୌଦାଗର। ମୁଁ ଯେବେ କି ଭାବ କରିନାହିଁ;ତେବେ ଖାଲି ଏହି ଦୁଷ୍କର ବ୍ୟାପାରର ସମ୍ମୁଖୀନ…ହୋଇ ଦୁନିଆର ଯେତେ ପ୍ରେମପତ୍ର ସେସବୁର ଭାବ ଓ ପ୍ରକାଶ ଭଙ୍ଗା…ଗତାନୂଗତିକ,ନୀରସ ବିଚିତ୍ରତା ହୀନ ଯେ କୌଣସି ପ୍ରେମିକ…ରୋନିଓ କରାଇ ନେଇ ପ୍ରତି ତିନିଦିନରେ ଖ ମାରି ପ୍ରିୟା ପାଖକୁ ପଠାଇପାରନ୍ତା। ଏଥିରେ ପୁଣି ଏଇ ପ୍ରେମପତ୍ରସବୁ ଚୋରାଇବା ପାଇଁ ଅପ୍ରେମିକ ସବୁ ଆଉ ନବ ପ୍ରେମିକମାନେ ପ୍ରିୟାର ଲେଖାକୁ ଯୋଉ ଆଗ୍ରହରେ ବନ୍ଧୁମାନଙ୍କ ଆଗରେ ପଢ଼ାନ୍ତି!!

   ଏସବୁ ଝିନ୍‌ଝଟ୍‌ ନାହିଁ ବୋଲି ବ୍ୟବସାୟ ଚିଠିପତ୍ର ମୋର ପସନ୍ଦକୁ ଆସେ। ଯେତିକି ଦରକାର ସେତିକି ଲେଖା-କି ମୁକ୍ତି, ପତ୍ର ଲେଖକକୁ ,ପତ୍ର ପାଠକକୁ। ବ୍ୟକ୍ତିଗତ ଚିଠି ବୋଲି ବେଳେ ବେଳେ ଖଣ୍ଡେ ଖଣ୍ଡେ ଛୋଟ ପୁସ୍ତିକା ଆସି ପହଞ୍ଚେ। ସେ ସବୁ ପଢ଼ିବାକୁ କାହାର ବା ଧୈର୍ଯ୍ୟ ରହିବ? ମୋ ପାଖକୁ ଏହିପରି ଯେତେ ଚିଠି ଆସିଛି, ମୁଁ ସେସବୁ ଭାଗବତ ପଢ଼ିଲା ପରି ନିତି ପୃଷ୍ଠାଏ ପଢ଼େ। ବ୍ୟବସାୟ ଚିଠି ଗୁଡ଼ିକ କିନ୍ତୁ ଯେତେ ଛୋଟ ଆକାରରେ ଲେଖାଯାଇ ପାରେ ସାବଧାନ ସହକାରେ ସେସବୁର କଳେବର ସେତିକି ରଖାଯାଇଥାଏ। ତହିଁର ପ୍ରକାଶ୍ୟ ସବୁ କ୍ଷେତ୍ରରେ ଖୋଲାଖୋଲି ନ ହେଲେ ବି ପାଠକକୁ ସ୍ପଷ୍ଟ ଓ ପ୍ରାଞ୍ଜଳ। ତାର ଦୋଷ ଭିତରେ ଏତିକି କହିପାରନ୍ତି, ସେଗୁ‍ଡ଼ାକ ବଡ଼ ମାମୁଲି ଧରଣର ଲେଖା । ମାନୁଛି, ସେମାନେ ବ୍ୟବସାୟ ଅନୁରୋଧରେ ମାମୁଲି ଭଦ୍ରତାର ଆଶ୍ରୟ ନେଇଥାନ୍ତି-ହଜାର ଲୋକଙ୍କ ପାଖକୁ ଏକ ଛପା ଫରମ୍‌ରେ ଲେଖନ୍ତି, “ଆପଣଙ୍କ ଚିଠି ପାଇ ଆମ୍ଭେମାନେ ବିଶେଷ ଖୁସି ହେଲୁ, ଆପଣଙ୍କ ଅର୍ଡ଼ର ପୂରଣ କରିବାକୁ ଆମେ ସ୍ବତନ୍ତ୍ର ଭାବେ ଦେଖାଦେଖି କରିବୁ, ଆପଣଙ୍କଠାରୁ ଶୀଘ୍ର ସଦୟ ଜବାବ ପାଇବା ଲାଗି ଆମ୍ଭେମାନେ ଅତିଶୟ ଉତ୍କଣ୍ଠିତ।”ଏଗୁଡ଼ିକ ମିଛ, ଡାହାମିଛ। ଆପଣଙ୍କ ପତ୍ର ସେ ମୋଟେ ପଢ଼ିନାହିଁ, ପଢ଼ିଛି କୌଣସି କିରାଣୀ, ତା ବି ଚିଠିରୁ ଚଉଠେ । ସେଥିରେ କୌଣସି ଲୋକ ଖୁସି ହୋଇନାହିଁ, ବରଂ ବିରକ୍ତ ହୋଇଛି। ତାର କାମ ବଢ଼ିଗଲା । କିନ୍ତୁ ଆପଣ ଯେପରି ଅପମାନିତ ନ ହୁଅନ୍ତି ସେଥିପାଇଁ ସେମାନେ କେଡ଼େ ହୁସିଆର । ଜବାବ ଦେବାରେ କି ତତ୍ପର । ଆପଣଙ୍କ ଚିଠି ବିଷୟରେ କି ସାବଧାନ ସେମାନେ, ନମ୍ବର,ତାରିଖ…। ଏସବୁ ତ ବ୍ୟବସାୟର ମାମୁଲି ଭାଷାରେ ଫୁଟାଏ ବ୍ୟକ୍ତିଗତ ଆଗ୍ରହ। ଅପର ପକ୍ଷରେ ବ୍ୟକ୍ତିଗତ ଚିଠି ବୋଲି ବାପ ଭାଇ ଓ ପ୍ରିୟାପ୍ରୀତିଙ୍କ ପାଖକୁ ଯୋଉ ଭାଷା ଆମେ ଦେଉ, ସେ ସବୁ କି ମାମୁଲି। ଲେଖିବାରେ ସତର୍କତାର ଏକାନ୍ତ ଅଭାବ, ଶୈଳୀ ବିଲ୍‌କୁଲ୍‌ ନାହିଁ, ବିଷୟରେ ବୈଚିତ୍ର୍ୟ କଥା ତ କହିଲି।

     କେହି ଯେପରି ମୋତେ ଭୁଲ୍‌ ନଭାବନ୍ତି; ମୁଁ ବ୍ୟକ୍ତିଗତ ଚିଠି ଲେଖିବାରୁ କାହାରିକି ବିରତ କରୁନାହିଁ। ମଣିଷର ଅଳସ ସମୟଟା କଟାଇବାକୁ ଚିଠି ତ ଗୋଟାଏ ପ୍ରଧାନ ଅବଲମ୍ବନ ଆମର ଏ ପାଠ ପଢ଼ୁଆଣୀ ଗୃହିଣୀମାନେ ତ ଘରର କାମଦାମ ନକରିବାକୁ ଆଠ ଦଶବର୍ଷ ଲେଖାଁ ସ୍କୁଲରେ ଶିକ୍ଷା, କଲେଜରେ ଉଚ୍ଚଶିକ୍ଷା, ସମାଜରେ ଉପାଧି ପାଇଲେ।ତାଙ୍କର ସମୟଟା ପୁଣି କୌଣସି ମତେ କଟିବ? କବିତା ଲେଖିବାକୁ ଥରେ ଅଧେ ଚେଷ୍ଟା କରି ‘କାନନ’ ସହିତ ପଦ ପଡ଼ିବାକୁ ଶବ୍ଦ ନ ମିଳିବାରୁ ତାକୁ ଛାଡ଼ିଲେ। ଶେଷରେ ଏ ଚିଠି ଲେଖା  ଧଇଲେ। ତାକୁ ପୁଣି ଯଦି ଆପଣ ପ୍ରେମ ବିରୋଧରେ, ଈର୍ଷାରେ ରୋକନ୍ତି, ତେବେ ଆପଣଙ୍କ ସହିତ କଜିଆ ସିନା ଏକମାତ୍ର ଅବଲମ୍ବନ ହେବ।

    ଚିଠିରେ ଚିଠି ଅଛି, ସୁଖ ଚିଠି, ଦୁଃଖ ଚିଠି , ମିଠା ଚିଠି, ପିତା ଚିଠି, କଅଁଳ ଚିଠି ଓ ଗରମ ଚିଠି, ଦାରୁଣ ଓ କରୁଣ, ବହୁ କିସମର। କେତେବେଳେ ଯେ କି ଚିଠି ଆସିବ, କିଛି ତ ଠିକ୍‌ ନାହିଁ- ଏ ବିଷୟରେ ଡାକବାଲାକୁ ବିଶ୍ବାସ କରାଯାଇପାରେନା। ମଲା ଲୋକକୁ ଜଣାଇ ଦେବ, ଜିଇଁଲା ଲୋକ ନଥିବ। କେହି ଯଦି ନିର୍ବାଣ ପାଇଁ ସାଧନା କରିବାକୁ ଚାହେଁ, ତାର ଉଚିତ୍‌ ହେଉଚି ଖାମ୍‌ଟା ନ ଖୋଲିବା । ନ ଖୋଲିବା ଯାଏ ସବୁ ନିର୍ବେଦ, ସୁଖ ନାହିଁ, ଦୁଃଖ ନାହଁ ,ହସ ନାହିଁ, ହତାଶା ନାଇଁ। ଖୋଲିଲେ ପାଣ୍ଡୋରା ବାକ୍ସରୁ ହରେକ ରକମ ଭାବ ଓ ଭାବନା ଉଠିବ। ସେଇ ଯୋଗୁରୁ ଚଲାକ୍‌ କଥା ଚିଠିର ମୁଦକୁ ଆଉରି ଟାଣ କରିବା। ମୁଦା ଖାମ୍‌କୁ ହାତରେ ଧରି ବହୁତ-ମନ ମାଫି କଳ୍ପନା ଜଳ୍ପନା କରାଯାଇପାରେ ।ତମର ପ୍ରେମ ପାଇଁ ତମର ଗୌରୀ ଆହୁରି ଆତୁରା ହୋଇପାରେ। କିନ୍ତୁ ଚିଠିରେ ହୁଏତ ଆସିଛି ଗୌରୀର ଅନ୍ୟତ୍ର ବିବାହ ଉପଲକ୍ଷେ ରଚିତ କବିତା, ସେ ସବୁର ଦଂଶନରେ ତୁମେ ମର୍ମାହତ ହୋଇପଡ଼ିବ। ନଜାଣିଲା ଯାଏଁ ସବୁ ଭଲ। ଯୋଉ ମାଆମାନେ ପୁଅଠୁ ଭାଷା ନ ପାଇ ବୃନ୍ଦାବତୀଙ୍କଠି ଘିଅ ଦୀପ ଜାଳନ୍ତି, ତାଙ୍କ ଜପମନ୍ତ୍ର ପରି ମନେ ରଖିବା କଥା ଯେ ଚିଠି ନ ଆସିବାଠୁ ଶୁଭ ଖବର ଆଉ ନାହିଁ। ଭାଷା ଆସିବାମାନେ ପୁଅର ଦିହମୁଣ୍ଡରେ କିଛି ନା କିଛି ଅଭାବ ହେଇଛି, ସେ ଲେଖିବାକୁ ସୁଯୋଗ ପାଇଛି ।

     ବାଃ, ମୁଁ ତ ପୋଷ୍ଟକାର୍ଡ଼ ଖଣ୍ଡେ ପୂରଣ କରିବାକୁ ମୁଣ୍ଡ କଚାଡ଼ି ହେଉଥିଲି। ଏବେ କ’ଣ ଚିଠି ବିଷୟରେ ଗାଦିଏ କହିଲିଣି-? ଛ ପଇସାରେ ଯିବ କି ନାହିଁ ସନ୍ଦେହ । ହଉ ତେବେ, ଆଜି ଏତିକି। ରହିଲି।    




+ -

© Jataayu Charitable Trust
Site designed,developed & maintained by Tekons