ଜଉଘର


(ପରଦା ଉଠିଲା- ଗୋଟିଏ କୋଠରୀର ଦୃଶ୍ୟ ଆଖି ଆଗରେ – କୋଠରୀଟି ଖୁବ୍‌ ବଡ଼ ନୁହେଁ-କି ଖୁବ୍‌ ଛୋଟ ବି ନୁହେଁ। ଖଣ୍ଡିଏ ତକ୍ତପୋଷ ପଡ଼ିଛି, ଖଣ୍ଡିଏ ଆଲମାରି,-ଦୁଇଟି ସାଦା ଚୌକି, ଆଉ ଖଣ୍ଡେ ଆରାମ ଚୌକି,ଖଣ୍ଡିଏ ଛୋଟିଆ ଟେବୁଲ୍‌ ମଧ୍ୟ,-ଏହି ମାତ୍ର ଘରର ଆସ୍‌ବାବ।

ଖଟ ସେ କରକୁ ଗୋଟାଏ ଠଣାରେ timepiece, ଘଣ୍ଟାଟାଏ ଥୁଆ ହୋଇଛି। ଦୁଇତିନିଟା ଫଟୋ ବି ଟଙ୍ଗାହୋଇଛି। ନୂଆ ପୁରୁଣା calendar ପାଞ୍ଚ ଛ’ରୁ କମିନାହିଁ, ସବୁଠୁ ନୂଆ calendar ୧୯୪୦ର। ସେଥିରୁ ସେଇଟା ଏ ବର୍ଷର ବୋଲି ବେଶ୍‌ ମାଲୁମ୍‌ ହେଉଛି। Calendarରୁ ଜଣାପଡ଼ୁଛି ଯେ ଚଳନ୍ତି ମାସ ସେପ୍ଟେମ୍ବର-। ସମୟ ଜାଣିବା ବିଷୟରେ ଘଣ୍ଟାଟା ବି କିଛି କମ୍‌ ସାହାଯ୍ୟ କରୁନାହିଁ। ୫ଟା ବାଜି ୧୫ ମିନିଟ୍‌ ହୋଇଯାଇଛି-ସଞ୍ଜ ସମୟ, କିନ୍ତୁ ଆଲୁଅ ଲଗାଇବାର କୌଣସି ଆବଶ୍ୟକତା ଏ ପର୍ଯ୍ୟନ୍ତ ପଡ଼ିନାହିଁ । ସନ୍ଧ୍ୟାର ସେହି ଈଷତ୍‌ ଆଲୁଅରେ ଘରେ ଦୁଇତିନିଟା ଦେଶୀ ଓ ବିଦେଶୀ ସୁନ୍ଦର ଖେଳନା ଦେଖିବାକୁ ମିଳେ। ଏ ନିର୍ଜୀବ ପଦାର୍ଥମାନଙ୍କୁ ଦେଖିବା ଆଗରୁ ଦର୍ଶକ ନିଶ୍ଚୟ ଦୁଇଟି ଜୀବନ୍ତ ପ୍ରତିମା ଦେଖିପାରିଥିବେ; ଉଭୟେ ନାରୀ- ତନ୍ମଧ୍ୟରୁ ଜଣେ ଟିକିଏ ପ୍ରୌଢ଼ା। ଅନ୍ୟ ଜଣକ ଯୌବନର ବିକଶିତ ଅବସ୍ଥାରେ, ବର୍ଷ ୧୬କି ୧୭  ହେବ, ଦେଖିବାକୁ ମେନକା ବା ଉର୍ବଶୀ ନୁହନ୍ତି- ତଥାପି ଅସୁନ୍ଦରୀ ବୋଲି କହି ହେବନାହିଁ-ସାଧାରଣ ସ୍ବାସ୍ଥ୍ୟ; ଦୈର୍ଘ୍ୟ,ପ୍ରସ୍ଥ ଓ ଉଚ୍ଚତା ସବୁ ସାଧାରଣ,ତଥାପି ତାହାଠାରେ ଅସାଧାରଣ କିଛି ଗୋଟାଏ ଦର୍ଶକ ଅନୁଭବ କରିପାରେ। ଦେଖିଲେ ବୋଧହୁଏ ଯେ ଯୁବତୀ ଶିକ୍ଷିତା, କିନ୍ତୁ ଔଦ୍ଧତ୍ୟର କିଛି ଲକ୍ଷଣ ନାହିଁ- ବେଶର ପରିପାଟୀ ସରଳ-ସୂତାଶାଢ଼ୀ ଖଣ୍ଡେ-ହାତରେ ଚକ୍‌ଚକ୍‌ କାଚ ଦୁଇପଟି ଏହାକୁହିଁ ଦେଖି ଦର୍ଶକବର୍ଗ ତାକୁ ଅବିଧବା ବୋଲି ବେଶ୍‌ ବୁଝିପାରିବେ –

ଅଧିକ ସୂକ୍ଷ୍ମଦୃଷ୍ଟି ସମ୍ପନ୍ନ ଦର୍ଶକମାନେ ତାର ଅକ୍ଷୂର୍ଣ୍ଣ ଯୌବନର ଝଳି ଭିତରେ ଦେଖିପାରିବେ ଗୋଟାଏ ବିଷାଦର ଛାୟା, ଅସନ୍ତୋଷର ଖଣ୍ଡେ ଛୋଟ କଳା ବଉଦ-ଦୂର ଦିଗ୍‌ବଳୟରେ କେଉଁ ଭାବି ବିପ୍ଳବର ସୂଚନା ଦେଇ ଶିର ତୋଳିଛି ।

ଅନ୍ୟଜଣକ ଯୁବତୀର ମାଆ କିମ୍ବା ମାତୃସ୍ଥାନୀୟା ବୋଲି ସହଜେ ଅନୁମେୟ; ଦେଖିଲାମାତ୍ରେ ଯେ କୌଣସି ଲୋକ ତାକୁ ମୋଟୀ ବୋଲି କହିବେ-ଅବଶ୍ୟ ଅଚଳନ୍ତି ମହାମେରୁ ନୁହନ୍ତି-ତଥାପି କାୟାର ଅଯଥା ବୃଦ୍ଧି ଲାଭ। ପ୍ରୌଢ଼ା ଆଧୁନିକ ଶିକ୍ଷିତା ନୁହନ୍ତି- ମରହଟ୍ଟୀ ଆଦର୍ଶରେ ମଧ୍ୟ ଦୀକ୍ଷିତା ନୁହନ୍ତି। ବଂଗର ଚୋରାମାଲ, ପାଶ୍ଚାତ୍ୟ ସଭ୍ୟତାର ପରିପାଟୀ ପ୍ରୌଢ଼ା କିଛି କିଛି ହାସଲ କରିଛନ୍ତି ମାତ୍ର ।

ପ୍ରୌଢ଼ା ଗୋଟିଏ ଚୌକି ଉପରେ ବସିଛନ୍ତି-ଗାମ୍ଭୀର୍ଯ୍ୟର ସହିତ। ଅନ୍ୟ ଜଣକ ନୀରବରେ ଖଣ୍ଡେ ଝାଡ଼ଣରେ ଛୋଟ ଟେବୁଲ୍‌ର ଉପର ସଫା କରୁଛନ୍ତି। ଏହି ସମୟରେ ଚାକର ଆର ଘରୁ ଆସି ମାଙ୍କୁ କହିଲା)

ଚାକର-  ମା, ସବୁ ପାଇଟି ସଇଲା।

ମା-  (ତୃପ୍ତିର କୌଣସି ଲକ୍ଷଣ ତାଙ୍କ ମୁହଁରେ ଦେଖାଦେଲା ନାହିଁ,ବରଂ ଆକ୍ରୋଶର ଚିହ୍ନ)-କଳରୁ ପାଣି ଆଣିଛୁ?

ଚାକର-  ହଁ, ମା-

ମା- (ଅଧିକ ବିରକ୍ତି ପ୍ରକାଶକରି )-ଦୋକାନ ସଉଦା ସବୁ ଆଇଁଲୁଣି?

ଚାକର- କେତେବେଳୁ, ମା, ଆଣି ସାରିଲିଣି-

ମା-  ଆଉ, ଚିଠି ପକେଇ ଦେଇ ଆଇଲୁଣି?

ଚାକର-  ମତେ ତ ମା’ ଚିଠି କଥା କିହିନାହାନ୍ତି-

ମା-   (ଏଥର ଉତ୍ସାହିତ ହୋଇ)–ତତେ ଖାଲି ସବୁକଥା କହୁ ଥାଆନ୍ତି? ତୋ ସାଙ୍ଗରେ ବଜର ବଜର ନ ହେଲେ କିଛି କାମ ଆଉ ହବନାହିଁ-କିରେ କହନ୍ତି କ’ଣ? ତୋ ଆଖି ଯାଇଥିଲା କୁଆଡ଼େ କି? ତୁ ପରା ଦେଖୁଥେଲୁ ମୁଁ ସେତେବେଳେ ଚିଠି ଲେଖୁଥେଲି-ତତେ ଆଉ ଏତିକି ମାଲୁମ୍‌ ପଡ଼ିଲା ନାହିଁ?

ଚାକର-    ମୁଁ ତ ସେ କଥା ଜାଣିନାହିଁ,ମା।

ମା-  ନାହିଁ, କାହିଁକି ଜାଣିବୁ-? ତତେ ଖାଲି ସବୁକଥା କହୁଥିବି, ନୋଇଲେ ନିଜ ମନକୁ ଗୋଟାଏ କାମ କରିନେବା, ଏକଥା ନାହିଁ। ତୋ ସାଙ୍ଗରେ ଏତେ ଫଟେଇ ହବ କିଏ ରେ ? ମୁଁ ଆଉ ତତେ ପାରିବି ନାହିଁ- ତୁ ଯା।ୟା ସାଙ୍ଗରେ ବକର ବକର ହୋଇ ମଣିଷର ବର୍ଷକର ଆୟୁ ଛ ମାସରେ ତୁଟିଯିବ । ଚାକର ଅଛନ୍ତି ମାଡ଼ି ବସି କାମ କରି ଯାଉଛନ୍ତି-ହାତରୁ ଛଡ଼େଇ;ୟାକୁ ସବୁ କଥାରେ ଗୋଟାଏ କହିବ-ବେଠିଆଟାଏ ତା ସାଙ୍ଗରେ କୋଢ଼ିଆଟାଏ। ଏଇଥିପାଇଁ କହୁଥିଲୁ ପରା ସବୁ କାମ ସରିଲାଣି, ନାଇଁ?ଇଏ ନବାବଙ୍କ ପରି ଖାଇ ପିଇ ବସିବେ-ଆଉ ମୋ ଝିଅ ହାତରେ ଝାଡୁ ସଫା କରିବ। ଘର ଓଳାଇଲୁଣି?

ଚାକର-  ହଁ,ମା-

ମା-  ହଁ ମା ? ଏ ଘର ସଫା କଲୁ-?

ଚାକର-  କେତେବେଳୁଁ-

ମା- କ’ଣ କାଲି ନା, ପଅରଦିନ?କହୁଚି କେତେବେଳୁ ? ହେଁ, ଏ ଟେବୁଲ ଉପରେ ଧୂଳି ପଡ଼ିଚି ସେ କଥା ଆଉ ଦିଶିଲା ନାଇଁ, ଆଖି କଣ ତୋର ଫୁଟି ଯାଇଚି କିରେ?ବନ ସେସବୁ ସଫା କରିବ, ଆଉ ମୁଁ ଚାକର ରଖିଚି-

 

ବନ- ବୋଉ, କାଇଁ ବୃଥାରେ ଇମିତି ତା’ଉପରେ ଚିଡୁଚୁ?

 

 




+ -

© Jataayu Charitable Trust
Site designed,developed & maintained by Tekons