ଜଉଘର




ମହେନ୍ଦ୍ରବାବୁ- ବନୁକୁ ପଚାର ତୁମେ।

ମା-  ତୁମେ ପଚାର, ମୁଁ ସେଥିକି ପାରେନାହିଁ ।

ମହେନ୍ଦ୍ରବାବୁ- ଡାକ ତେବେ ତାକୁ।

ମା-  ତୁମେ ଡାକୁନ?

ମହେନ୍ଦ୍ରବାବୁ- ହଉ ତେବେ,ମୁଁ ଡାକୁଚି ପଛେ, ତୁମେ ଆଉ ଏତେ ରାଗନାହିଁ, ବୁଝିବା ରହିଥା –କଥା କଣ ଇମିତି ବ୍ୟସ୍ତ ହେଉଚ କାହିଁକି?...ବନ- ବନ- ଏ ବନ! (ବନ ଆସି ଠିଆ ହେଲା)

ମା-   ସେତ କହୁଚି ବାହା ହେବନାହିଁ।

ମହେନ୍ଦ୍ରବାବୁ-  ବାହା ହେବନାହିଁ? କି ଲୋ ବନ, ସେଠି ବାହା ହବୁନାହିଁ?କାହିଁକି?

ମା-  ତୁମେ ଆଉ କେଉଁଠି ହେଲେ ବୁଝ, ସେଠି ହେବନାହିଁ।

ମହେନ୍ଦ୍ରବାବୁ-  ଆଉ କୋଉଠି ବୁଝିବି କାହିଁକି, ସେଠି କଣ ନାକରା ଦେଲା କି? ସେ କେଉଁଥିରେ ଊଣା ହେଲେ ଯେ? କିଲୋ ବନ, କଣ କହୁଛୁ?

ବନ -  ମୁଁ ସେଠି ବାହା ହେବିନାହିଁ

ମହେନ୍ଦ୍ରବାବୁ- ଆଉ କୋଉଠି?

ବନ -    ଆଉ ଯୋଉଠି ହେଲେ । ସେଠି ମୁଁ ବାହା ହେବିନାହିଁ।

ମହେନ୍ଦ୍ରବାବୁ- କାହିଁକି? (ବନ ନୀରବ ରହିଲା) କାହିଁକି କହୁନୁ? ଫେର୍‌ ଗୋଟାଏ କାରଣ ଥିବ ନା?

ବନ-  ମୋର ସେଠି ବାହାଘରରେ ରାଜି ନାହିଁ।

ମହେନ୍ଦ୍ରବାବୁ-କୋଉଥିପାଇଁ ରାଜି ନାହିଁ? (ବନ ପୁଣି ନୀରବ) କାହିଁକି ରାଜି ନ ହେବାର ଗୋଟାଏ କାରଣ ଥିବ ନା, ଖାଲି ରାଜି ନାହିଁ, ଏଇତେକେ ପାଠ ସରିଗଲା। ହଁ, ସେ ଅମୁକରେ ଊଣା ହେଲେ, ଅମୁକ କଥାକୁ ସମୁକ କଥା, ଏଠି ମନ୍ଦ ଅଛି, ସେଠି ହାନି ଅଛି- ଏଥିପାଇଁ ମୁଁ ମନା କରୁଛି।

ବନ-  ନାହିଁ,ବାପା, ସେଠି ବାହା ହେବିନାହିଁ।

ମହେନ୍ଦ୍ରବାବୁ- କୋଉଥିପାଇଁ ରାଜି ନାର୍ହି?(ବନ ପୁଣି ନୀରବ) କାହିଁକି ରାଜି ନ ହେବାର ଗୋଟାଏ କାରଣ ଥିବ ନା, ଖାଲି ରାଜି ନାହିଁ, ଏଇତେକେ ପାଠ ସରିଗଲା।ହଁ , ସେ ଅମୁକରେ ଊଣା ହେଲେ, ଅମୁକ କଥାକୁ ସମୁକ କଥା, ଏଠି ମନ୍ଦ ଅଛି, ସେଠି ହାନି ଅଛି- ଏଥିପାଇଁ ମୁଁ ମନା କରୁଛି।

ବନ-    ନାହିଁ ବାପା, ମୁଁ ସେଠି ବାହା ହେବିନାହିଁ।

ମହେନ୍ଦ୍ରବାବୁ-ମୁଁ ଇମିତି କଥାକୁ କରିବି କଣ? ମୁଁ ଆଉ ତୋ ପାଇଁ ତାଠୁଁ ଭଲ ଘର ଖୋଜି ପାରିବି ନାହିଁ।ତୁ ତୋର  ଖୋଜୁଥା  ମୁଁ ଆଉ ପାରିବି ନାହିଁ ।କୋଉଥିରେ ଖୁଣ ଥାଆନ୍ତା-ହଁ, ତୁ ମନା କରନ୍ତୁ। ଦେଖିଲା ବେଳକୁ ସବୁ ଭଲ- ତୁ କଙ୍କଡ଼ା ଗାତରୁ ସାପ ପରି ଉଠି କହୁଚୁ –ନାହିଁ,ମୁଁ ସେଠି ବାହା ହେବିନାହିଁ।

(ମା ପାନ ବଢ଼ାଇଦେଲେ)

ମା-   ତା କଥା ମୁଁ କିଛି ବୁଝିପାରୁନାହିଁ। ଏତେ ଭଲ ଘରେ ବାହା ହବନାହିଁ ତ ବାହା ହବ କେଉଁଠି?

ମହେନ୍ଦ୍ରବାବୁ-  ଅଭିଲା କଥା ନା, ସିଏ ଯଦି ଏ ବିନୟବାବୁଙ୍କ ଘରେ ବାହା ହୁଏ, ତାହାହେଲେ କହିବାକୁ ହେବ ବନର ଭାଗ୍ୟ। ଯାହାକୁ ମୁଁ ପଚାରୁଛି, ସେ କହୁଛି‘ଭାରି ଭଲ, ପଚାରିବାକୁ ହବ ନା ଆଉ?’ ତାଙ୍କ ଭଳି ନାମଜାଦା ଘରେ ଆମର ବନ୍ଧୁ ହେବା ସୌଭାଗ୍ୟର କଥା, ମୁଁ କେତେ କଷ୍ଟରେ ସେଇଟା ବୁଝିଛି, ଆଉ ଭାଗ୍ୟକୁ ବି ସେ କେମିତି ରାଜି ହୋଇଗଲେ। ଏଥିକି ତୋର ଅମଙ୍ଗ!! ଏ ରାଜ୍ୟ ବାହାର କଥା ନୁହେଁ ତ ଆଉ କଣ?

ମା-   ସେଠି ତ ମହା ଅୟସରେ ଚଳିବୁ। ବାପଘର କି ଶାଶୁଘର ଜାଣିପାରିବୁ ନାହିଁ। ‘ମ’ ବୋଲି ପଦେ କହିବାକୁ କେହି ନାହାନ୍ତି। ଏ ଭାଗ୍ୟ ଯଦି ତୋ କପାଳକୁ ହୁଏ, ଜାଣିବୁ ସେ ତୋ ପୂର୍ବ ଅର୍ଚ୍ଚିତ ସୁକୃତର। ୟାକୁ ତୁ ବସିଚୁ ଗୋଡ଼ରେ ଠେଲିଦେଇ ଯିବୁ- ଚଣ୍ଡାଳପରି ମହାପ୍ରସାଦକୁ ଫୋପାଡ଼ି ଦବୁ-ତୋର ଏତିକି ବୁଦ୍ଧି ନାହିଁ?

ବନ-    ନା, ବୋଉ, ତୁମେ ଯାହା କୁହ ମୁଁ ସେଠି ବାହା ହେବି ନାହିଁ ତ।

ମହେନ୍ଦ୍ରବାବୁ-   ବାହା ହବୁ ନାହିଁ? କଣ ତୋ ମନକୁ ନା କଣ? ତୋର ଦିନକୁ ଦିନକୁ ବେଶି ବୁଦ୍ଧି ହେଇଯାଉଛି ଲୋ ଦେଖୁଛି? ଯା, ହାଡ଼ିଘରେ ପଶିବୁ ତ ବାଉରୀ ଘରେ ପଶିବୁ। ଘୁଷୁରୀକି ପାଚିଲା କଦଳୀ ଦେଲେ ଗନ୍ଧାଏ ଯାହା କହନ୍ତି ସତ। ମୁଁ ୟା ପାଇଁ ଏତେ କଷ୍ଟ କରି ବୁଝିଲି, ୟାର ଏକା ନାହିଁ ଯେ ନାହିଁ। ସମସ୍ତେ ପ୍ରଶଂସା କଲାରୁ ଗୁଣ ବିକାଶୁଚି ଦେଖ। ଛତରଖାଇ ହବାକୁ ତୋ କପାଳରେ ଅଛି, ତୋତେ ସେ ଥାନ ଗନ୍ଧାଇବ  ନାହିଁ, ଆଉ ହେବ କଣ?

ମା-  ତମର ଏଥର ରାଗ ବାହାରିଲା, ତାକୁ ବୁଝେଇ କହିଲେ ସେ କଣ ବୁଝିଯିବ ନାହିଁ?ସେ କଣ ପିଲା ହୋଇଛିକି? ସିମିତି ତାଙ୍କ ଘର ଝିଅ ଟୁନୁ,ସିମିତି ଥେଇକି ଥେଇକି ନାଚିଲା, ସେଇଠୁ ବୁଝେଇ ଦେଲାଖୁଣୁ ଗଲା ସବୁ ସୁଧାର-ଫେର୍‌ ତ ବାହା ହୋଇଗଲା। ଇମିତି ରାଗିକରି କଣ ହେବ? ସେ ଟୋକିଟା କାହିଁକି ଟିକେ ଅଝଟ ଧରିଛିନା। ବୁଝେଇଦେଲେ ଯୋଉକଥାକୁ ସେଇକଥା।




+ -

© Jataayu Charitable Trust
Site designed,developed & maintained by Tekons