ବିଶ୍ବମ୍ଭର- ମୋର କାର୍ଯ୍ୟରେ ଅନ୍ୟାୟ ହେଉଚି କେଉଁଠି ମୋତେ ସେଇକଥା ଦେଖେଇ ଦିଅନ୍ତୁ । ମୋ କାର୍ଯ୍ୟ ହେତୁକାହା ମନରେ କଷ୍ଟ ହେବ କି ନାହିଁ, ସେ କଥା ମୁଁ ଭାବୁନାହିଁ-ମୁଁ ଯଦି ଭୁଲ୍ କାମ ଗୋଟାଏ କରି ଅନ୍ୟଙ୍କ ମନରେ କଷ୍ଟ ଦିଏ,ସେଇଟା ମୋର ହେବ ଅପରାଧ,କିନ୍ତୁ-
ମହେନ୍ଦ୍ରବାବୁ-ଖରାପ କାମ କରିବା ଅପରାଧ। ବାପ-ମା’ଙ୍କ ମନରେ କଷ୍ଟ ଦେବା ଏଇଟା ହେଉଚି ବାହାଦୂରୀ, ଭାରି ଭଲ କାମ, ନା ?ବାପ ମାଙ୍କ କହିବା କଥା ନା ମାନିବା-ଏଇଟା ହଉଚି-ଏଇଟା ହଉଚି କଣ?
ବିଶ୍ବମ୍ଭର- ସେଇଟା ହେଉଚି ବିରାଟ ଗୋଟାଏ କିଛି ନୁହେଁ। ସ୍ନେହ ବାତ୍ସଲ୍ୟର ଫମ୍ପା ଆବାଜ ଆପଣ ଦେଉଛନ୍ତି, ଦାସତ୍ବର ସେ ଗୋଟାଏ ଅନ୍ୟ ରୂପ। ଆପଣ ମୋତେ ଖାଇବା ପିଇବାକୁ ଦେଇ ବଢ଼େଇଛନ୍ତି ବୋଲି ଦାବି କରୁଛନ୍ତି ଯେ, ମୋ ମନକୁ ପାଉ ବା ନ ପାଉ ମୋତେ ଆପଣଙ୍କର ଆଦେଶ ମାନିବାକୁ ହେବ। ମୋର ସ୍ବାଧୀନତା ନାଇଁ?, ମୁଁ ସ୍ବାଧୀନ ଭାବରେ ଭାବି ପାରିବି ନାହିଁ।
ମହେନ୍ଦ୍ରବାବୁ- ନାଃ, ତୋର ତୁ ମନଇଚ୍ଛା କାମ କରିବୁ;ଆଉ ମୋ ଚାକିରି ଯିବ, ତୋରି ଯୋଗୁଁ!
ବିଶ୍ବମ୍ଭର- ହଁ, ବାପା; ସେଇତ ସତକଥା। ଆପଣ ଯୋଉ ସ୍ନେହର ବଢ଼େଇ କରନ୍ତି,ତା ଏଇ ଟଙ୍କା ପଇସା ଦ୍ବାରା ହିସାବ ହୁଏ। ପୁଅର ଦାମ୍ ତାର ବାଧ୍ୟତା, ତାର ଦାସତ୍ବ ଉପରେ ନିର୍ଭର କରେ। ଆଉ ପୁଅର କାମରେ ଆପଣ ଯେଉଁ ଗର୍ବ ବା ଲଜ୍ଜା ଅନୁଭବ କରନ୍ତି- ତା ଠିକ୍ ମେଣ୍ଢା ଲଢ଼େଇ ପରି। ଯାହାର ମେଣ୍ଢା ଲଢ଼େଇ ଭଲ, ତା ମନ କୁଣ୍ଢେ ମୋଟ। ଦାସତ୍ବ ପ୍ରଥା; ଏ ଦାସତ୍ବ ପ୍ରଥା ଗୋଟାଏ ଚଳନୀ, ଗୋଟାଏ ରୀତି-ଯାହାକୁ କହନ୍ତି Convention, ସେଇଥିରେ ପରିଣତ ହୋଇଗଲାଣି । ସ୍ନେହ, ବାତ୍ସଲ୍ୟ ଏଗୁଡ଼ାକ ମିଥ୍ୟା, ଫିସାଦର ଗୋଟାଏ ଗୋଟାଏ ଶକ୍ତ ଜାଲ। ସବୁ ଟଙ୍କା ପଇସାର କାରବାର। ସ୍ନେହର ଯେ ଛାପ ଆପଣ ମାରିଛନ୍ତି, ସେ ସବୁ ଭଣ୍ଡାମି-ମିଥ୍ୟା ଫିସାଦ।
ମହେନ୍ଦ୍ରବାବୁ- ଦେଖୁଛନ୍ତିଟି ବିପ୍ରବାବୁ! ହଇରେ, ଆମର ତୋ ପ୍ରତି ସ୍ନେହ ନାଇଁ? ଆମେ ତୋର କେହି ନୋହୁଁ? ଆମେ ମିଛୁଆ, ଫିସାଦିଆ,ଭଣ୍ଡ,ଜୁଆଚୋର? ହଇରେ ଏ ଲେଖା (ବନ୍ଦେମାତରଂକୁ ଦେଖାଇ ) ଏଠି ମାଇଲା କିଏ? ମୋ ଚାକିରି ନବାକୁ ବ୍ୟବସ୍ଥା କରୁଚୁ- ଉପାୟ ଖଞ୍ଜି ଦଉଚୁ?ତୁ ତ ଯାହା ହେଲୁ,ହେଲୁ ନିଜେ ଛତରା ହେବୁ, ତା ସାଙ୍ଗରେ ଆଉ ଦଶ ଜଣଙ୍କୁ ହଇରାଣ ହଟହଟା କରି ଘାଣ୍ଟିବୁ। ତୁ ଯା-ଯା ମୋ ଘରୁ ତୁ ତ ଯାହା ବାପକୁ ପୋଷିବୁ ଜଣାଗଲାଣି। ବାପର ନା ରଖିବୁ ସେ ବି ଜଣାଗଲାଣି । ଯା ଅବି ମୋ ଘରୁ ବାହାର- ତୋର ତ ଆମେ କେହି ନୋହୁ। ୟା ପାଇଁ ମଣିଷ କାଇଁ ଏତେ ଦହଗଞ୍ଜରେ ପଡ଼ିବ-ଚାକିରିରେ ବଦନାମ୍ ହେବ-ଦଶଜଣଙ୍କଠି ଟାଣ କରି କଥା ପଦେ କହିପାରିବ ନାହିଁ-ଅପମାନ ପାଇବ-ତୁ-ଯା-ବେହିଆ ମୁହଁକୁ ଲାଜ ନାଇଁ, କୋଉ ମୁହଁରେ ତୁ ଏଠିକି ଆସୁଚୁ?ଚାକର ବାକର ୟାର ହେଲେ ବେଶି ଆପଣାର-ଆମେ ୟାର କେହି ନୋହୁଁ। ଯା-ଯା- ସେଇ ଚାକରଙ୍କ ପାଖକୁ ଯା- ସେଇ ତତେ ପଢ଼େଇବେ- । ଆରେ କାହା ଟଙ୍କାରେ ବଢ଼ିଚୁ? କାହା ଯୋଗୁ ବି.ଏ.ପାଶ କଲୁ-କାହା ଟଙ୍କାରେ ପଢ଼ୁଚୁ? ୟାରି ଯୋଗୁ ଗୋଟାଏ କରି ଚାକର ଘରେ ରହୁନାହାନ୍ତି। ସମସ୍ତିଙ୍କି ଶିଖେଇଲା-ଇମିତି ବଦମାସ; ଗୋଟାଏ ଯାଇଥିଲା ଦି ଦିନ ତଳେ-ଫେର ଆଜି ନିମା ବି-ମୋର ଏ ନାଗସାପକୁ କିଏ ଘରେ ପୋଷିବ? ଯା-ମୁଁ-କହୁଚି-ତୋ ମୁହଁ ଚାହିଁବି ନାହିଁ।
ବିଶ୍ବମ୍ଭର- ହଁ, ବାପା, ଯାଉଚି, ବିନା ଆପତ୍ତିରେ-ଦାସତ୍ବର ଶୃଙ୍ଖଳା ବରଣ କରିବା ଅପେକ୍ଷା ଦାଣ୍ଡରେ ସ୍ବାଧୀନ ହୋଇ ବୁଲିବାଟାକୁ ମୁଁ ଶ୍ରେୟସ୍କର ମନେ କରିବି। ଯିବା ଆଗରୁ ଆଉ ଗୋଟାଏ କଥା ବି କହିଯାଏଁ- ଚାରିଆଡ଼େ ବାପା,ମା, ଶିକ୍ଷକ ପାଟି କରୁଛନ୍ତି, ପିଲାଙ୍କର ସହିବାର ଶକ୍ତି ନାହିଁ। କିନ୍ତୁ ଦେଖନ୍ତୁ କିଏ ସହି ଜାଣେ, କିଏ ଉତ୍ତ୍ୟକ୍ତ ହୁଏ। ଆପଣ ମୋତେ ବୁଝାଇବାକୁ ଡାକିଥିଲେ, ବୁଝାଇପାରିଲେ ନାହିଁ। ମୋର ଯୁକ୍ତି ଆପଣଙ୍କର ଅସହ୍ୟ ହେଲା। ଯୁବକ ସବୁଦିନେ ସହିଜାଣେ, ପିଲା-ବରାବର ସହିଷ୍ଣୁ; ବାପ, ମା, ଶିକ୍ଷକ ଓ କର୍ତ୍ତୃପକ୍ଷ ସବୁଦିନେ ଅତ୍ୟାଚାରୀ-ଅସହିଷ୍ଣୁ-ହଉ, ନମସ୍କାର-ଯାଉଚି।
(ଘରୁ ବାହାରି ଚାଲିଗଲା)
ମା- (ହଠାତ୍ ପଶି ଆସିଲେ, ବନ ଦୁଆର ପାଖରେ ) ଇମିତି ରାଗୁଚ ଗୁଡ଼ାଏ କାଇଁକିମ, ତମର ଇମିତିକା କଥା ଗଲା ନାଇଁ ଆଉ। ବେଶି ରାଗ ଦେଖେଇ ହଉଚ, ଯା, ଏବେ ତାକୁ ବୁଝେଇ କରି ଆଣିବ-
ମହେନ୍ଦ୍ରବାବୁ- ଯାଉ ସେ,ଗଲାଣି ବଜାରୀ ହେଇ, ଛତରା ହୋଇଗଲାଣି- ଯାଉ ସେ ମରୁ ନଇଲେ ସରୁ-
ମା- ଆଃ, ଅତି ଗୁଡ଼ାଏ କୋଉ କଥାକୁ ଯାଏ ନାଇଁ, ଇମିତି ପରା ବାପପଣିଆ କରନ୍ତି। ପୁଅଟାକୁ ଏତେ ରାତିରେ କୁଆଡ଼େ ପଠେଇ ଦେଲ ମ?ଶୀତଦିନ –ଦିହରେ ଖଣ୍ଡେ ଲୁଗା ନାଇଁ।
ମହେନ୍ଦ୍ରବାବୁ- ନୋଇଲେ, ତାକୁ କଣ ମୁଣ୍ଡେଇ କରି ବସିଥାନ୍ତି?
ମା- ନୋଇଲେ ତ ପୁଅ ପୁଞ୍ଜାଏ ଛଅଟା ମାଡ଼ି ଆସୁଛନ୍ତି। ଇମିତି ଯଦି ପାଞ୍ଚଟା ପୁଅ ଜନମ କଲ ନି? ବାପ ପଣିଆ ଦେଖଉଚ- (କାନ୍ଦ କାନ୍ଦ ହୋଇ) ମୋ କଥା ତ ଶୁଣିବ ନାଇଁ , ସେଇଆ ହବ ନାଇଁ ତ ହବ କଣ? ମୁଁ ସେ ଦିନୁ କହୁଚି, ତା ହାତକୁ ଦିହାତ କରିଦିଅ। ତମେ ମାଇପି କଥାକୁ କାନ ଦବ କାଇଁକି ଏତେବେଳକୁ ପାଉଥାଅ-
ମହେନ୍ଦ୍ରବାବୁ- ସେ ଯାଉ, ଛତରାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁ-ମୁଁ ଆଉ ତାକୁ ଘରେ ପୁରେଇବି ନାଇଁ।
ବିପ୍ରବାବୁ- ଇମିତି ବ୍ୟସ୍ତ ହଉଚନ୍ତି କାଇଁକି- ସେ ବଳେ ଆସିବ ନାଇଁକି- ଦିଦିନ ଚାରିଦିନ ଏଠି ସେଠି ବୁଲିବ- ଫେର୍ ଘରକୁ ଆସିବ ନାଇଁ କି? ଯାଆନ୍ତୁ,ଘରକୁ ଯାଆନ୍ତୁ;ମୁଁ ଖବର ଦେବି ଯେ ସେ କୋଉଠି ରହିଲା-ଯାଆନ୍ତୁ ମହେନ୍ଦ୍ରବାବୁ –ଦେଖୁଛନ୍ତି ତ ଦୁନିଆର ରୀତି –ମୁହଁ ବାନ୍ଧି ରହିବାକୁ ହେଉଚି। ଆଜିକାଲିକା ଟୋକା-ସେ କହନ୍ତି, ବାପ ନାହିଁ, ମା ନାଇଁ, ଭାଇ ନାଇଁ, ଗୁରୁଜନ ନାହାନ୍ତି-ତାଙ୍କ ମନ ଯାହା ସେଇୟା କରିଯିବେ- ଏଥିକି ବୁଦ୍ଧିବାଟ ଦିଶୁନାଇଁ । ମହେନ୍ଦ୍ରବାବୁ, ହଉ, ଭାବୁଚନ୍ତି ଆଉ କ’ଣ ?ଯାଆନ୍ତୁ,ରାତି ଅନେକ ହେଲାଣି, ଖିଆପିଆ କରିବେ, ମୁଁ ଯାଉଚି- ବିଶ୍ବମ୍ଭର ଦେଖିଚି ଯଦି ଆମ ଘରକୁ ନେଇଯିବି- ବ୍ୟସ୍ତ ହେବେନାଇଁ-
ନମସ୍କାର
(ନମସ୍କାରର ପ୍ରତିନମସ୍କାର –ସମସ୍ତେ ଚାଲିଲେ, ପରଦା ପଡ଼ିଲା)