ଜଉଘର




ବନ-    ସଭାଫଭା ଯାଉଥା ସେ- ବାପା ଭାରି ଚିଡ଼ିଛନ୍ତି। ବିପ୍ରବାବୁ ପ୍ରଫେସର ଆସିଛନ୍ତି, ସେ ବାପାଙ୍କ ଆଗରେ କହିଲେ ତମେ ଇମିତି ନେତା ବନିଛ, ଆଜି କଣ ବିଦ୍ରୋହାତ୍ମକ ବକ୍ତୃତା ଦେଲ- ଆଉ କେତେ କଥା- ବାପା ତ ଚିଡ଼ି ନିଆଁବାଣ-

ବିଶ୍ବମ୍ଭର-  ଓଃ, ଏଇତ କଥା-

ବନ-     ହଁ, ଆଉ ଜାଣିଛ ନା, ନିମା ଆଜି ବାହାରି ଯାଇଛି।

ବିଶ୍ବମ୍ଭର-  ହଁ, ବାଟରେ ମୋତେ ସେ କହୁଥିଲା। ସେ ସଭାକୁ ଯିବାକୁ କହିଲାରୁ ତାକୁ କାଳେ ବାପା ହେରିକା ଗାଳିଦେଲେ, ସେଇଥିପାଇଁ ତ?

ବନ-      ହଁ ବୃଥାଟାରେ ମ, ଏଥିରେ ଚାକର ରହିବେ।

ବିଶ୍ବମ୍ଭର-   ହଉ, ଟିକିଏ ଘରୁ ଆସେଁ- (ବିଶ୍ବମ୍ଭର ଘର ଭିତରକୁ ଚାଲିଗଲା। ବନ ଆସି ଫେର୍‌ ରେଡ଼ିଓ ପାଖରେ ବସି ‘ ବନ୍ଦେମାତରଂ’ ଲେଖା ଆଡ଼କୁ ଅନାଇଛି- ଯେପରି ତାକୁ ଭାରି ପସନ୍ଦ କରୁଛି- ଏହି ବିପ୍ରବାବୁ ଓ ମହେନ୍ଦ୍ରବାବୁ ସେ ଘରକୁ ଆସିଲେ । ବନ ଉଠି ଠିଆ ହେଲା)

ବିପ୍ରବାବୁ-   (ବନକୁ) ଆଃ, ବନପ୍ରିୟା;-ବ,ବ, ଉଠୁଛୁ କାହିଁକି, ବଜା,ବଜା, କୋଉଠା ସେଣ୍ଟର୍‌ ଦେଇଛୁ?(ଗୋଟାଏ ଚୌକି ମାଡ଼ି ବସିଲେ, ମହେନ୍ଦ୍ରବାବୁ ମଧ୍ୟ ଆସନ ଗ୍ରହଣ କଲେ)- ହଁ, ହଁ, କିଏ ବୋଲୁଚି?

ବନ-     କଲିକତା, ଓଡ଼ିଆ ରେକର୍ଡ଼ ଅଛି।

ବିପ୍ରବାବୁ-  ହଁ,ହଁ,ବନଟି ଭଲ ପିଲା - ଏଁ ଲୋ, ତୋ ନାଁ ବାଛି ଦେଇଥିଲି- ବନପ୍ରିୟା- ଏଁ (ଅଥଚ ଯେପରି ଶବ୍ଦଟି ଉଚ୍ଚାରଣ କଲେ ହନୁ ଖତେଇହବା ଠାରୁ ଈଷତ୍‌ ପୃଥକ୍‌) ତୋ ମନକୁ କିମିତି ଲାଗୁଚି- ଭଲ ଲାଗୁଚି ତ, କଣ କହୁଚୁ ବନ?

ବନ-      ଆଜ୍ଞା-

ବିପ୍ରବାବୁ-  କେଜାଣି ତମେ ସବୁ ନୂଆଯୁଗର- ଏଣିକି ତ କେତେ ନୂଆ ନୂଆ ନାଁ ବାଛି କେତେ ଛଇରେ ଦଉଛନ୍ତି। ନାହିଁ, ବନ ଆମର ଭାରି ଭଲ ପିଲା- ତାକୁ ଦେଖିଲେ ମୋ ମନଟା କାହିଁକି ଭାରି ଖୁସି ହୁଏ-ବଡ଼ ସୁନ୍ଦର ବ୍ୟବହାର-ଏ ବିଶ୍ବମ୍ଭରଟା କାହିଁକି ଟିକିଏ ଚଗଲା ହୋଇଗଲା –ବେଶ୍‌ ତ ଥିଲା ବି.ଏ. ପର୍ଯ୍ୟନ୍ତ। ବି.ଏ.ରେ ଭଲ କରିଚି ଏ ଦିଟା ବର୍ଷ ଭଲରେ ଟିକିଏ ପଢ଼ିଦେଲେ, ବେଶ୍‌ ଭଲ କରନ୍ତା-ଏ ଚଗଲା କେତେଟା ଟୋକାଙ୍କ ସାଙ୍ଗରେ ପଡ଼ି ସେ ତ ଚଗଲା ହୋଇ ଯାଉଛି। ତାଙ୍କରତ ପଢ଼ିବା ଉଦ୍ଦେଶ୍ୟ ନାହିଁ, କଲେଜରୁ ଆସିଛନ୍ତି ବଜାରିଗିରି ଶିଖିବାକୁ, ବଦମାସୀ କରିବାକୁ- ଗଣ୍ଡଗୋଳ କରିବେ, ଫାଜିଲାମି କରିବେ, ପାଠ ପଢ଼ିବେ ନାହିଁ, କଣ କହିବି, ଇମିତି ପିଲା ବି ଅଛନ୍ତି। ସେ ଶ୍ୟାମ ବୋଲି ଗୋଟାଏ ପିଲା ଅଛି- ପାଠ ଫାଠ ପଢ଼ିଲା ନାହିଁ-ମୁଁ କହିଲାରୁ ସେ ମୋତେ କହୁଚି- କଲେଜ ଜୀବନଟା ଯେ ତାହାହେଲେ ଚଞ୍ଚଳ ସରିଯିବ, ସାର୍‌। (ବ୍ୟଙ୍ଗର ହସ ଘରଟାକୁ ଉଛୁଳେଇ ଦେଲା) ବିଶ୍ବମ୍ଭରକୁ ଟିକିଏ ବାଗିଆ ବାଗି କରି ଦିଅନ୍ତୁ-ବୁଝେଇ ଦିଅନ୍ତୁ- ବୁଝିଯିବ ନାହିଁକି। ଏତେବେଳେ ସମୟ ଅଛି-ପଛକୁ ଅତିଶୟ ହୋଇଯିବ –ଆଉ ପାରି ହେବନାହିଁ। ବୃଥାରେ ଜାଣୁ ଜାଣୁ କାହିଁକି ନିଜ ଜୀବନଟାକୁ ମାଟି କରିବ ପ୍ରିନ୍‌ସିପାଲ୍‌ ମୋତେ ସେଇୟା କହୁଥିଲେ।

ମହେନ୍ଦ୍ରବାବୁ-   (ଆଉ ସହିନପାରି ) ମୁଁ କଣ ତାକୁ ଆଜିଯାଏ ନ କହି ରଖିଛି? ସେ କଣ କହିବା କଥାରେ ରହୁଛି? ଆପଣ ବସନ୍ତୁ, ଆପଣଙ୍କ ଆଗରେ ତାକୁ ଆଜି ଶେଷଥର ପାଇଁ ଜଣାଇ ଦେଉଛି । ବନ, ବିଶ୍ବମ୍ଭର ଆସିଲାଣି ଘରକୁ?

ବନ-    ହଁ, ଏଇକ୍ଷଣି ଆସିଲେ।

ମହେନ୍ଦ୍ରବାବୁ-  ଯା, ଡାକି ଦବୁ- ଯା-

(ବନ ଉଠିବା ବେଳକୁ ବିପ୍ରବାବୁଙ୍କ ଆଖିରେ ସେ ବନ୍ଦେମାତରଂ ଫଟୋଟା ଉପରେ ପଡ଼ିଗଲା।)

ବିପ୍ରବାବୁ-    ଏ-ଆପଣ ତ ବଡ଼ କଂଗ୍ରେସବାଲା ହୋଇଗଲେଣି।ଏ, ଦୁଆର ସାମନାରେ କଂଗ୍ରେସ ପତାକା ଆଉ ବନ୍ଦେମାତରଂ॥

(ମହେନ୍ଦ୍ରବାବୁ ଅନେଇଦେଲେ)

ମହେନ୍ଦ୍ରବାବୁ-   (ଚିଡ଼ିଯାଇ) ଏକୁ ଲଗେଇଲା କିଏ? ବୁଦ୍ଧିତ ମାଡ଼ି ଯାଉଛି। ଦୂଆର ସାମନାରେ ଏଇୟା (ଦେଢ଼ଶୁରର ନାମ ସତେ ଯେପରି)ନ ମାରିଲେ ଆଉ ହବ କିମିତି, ସରକାରୀ ଚାକିରିଆଙ୍କ ଘର ବୋଲି ଜାଣିବେ କିପରି? କିଏ ମାରିଲା?

ବନ-      ଭାଇ ମୋତେ କହିଲେ- ମୁଁ ମାରିଛି।

ମହେନ୍ଦ୍ରବାବୁ-  ତୁ ତାରି ଶିକ୍ଷାରେ ପଡୁଥା। ତାର ତ ଦିନକୁ ଦିନ ଯହୁଁ ଯହୁଁ ବଡ଼ ହେଉଛି, ତହୁଁ ତହୁଁ ବୁଦ୍ଧି ବେଶି ହଉଚି, ବିବେକ ଉଛୁଳି ପଡୁଛି। ଯା ଜଲ୍‌ଦି ଡାକି ଦେ ଯା-

(ବନ ଚାଲିଗଲା)

ବିପ୍ରବାବୁ, ଭାଗ୍ୟ ଇୟା କରାଉଛି। ଗୋଟାଏ ବୋଲି ପୁଅ ସେଥିରେ ତାଙ୍କ ଗୁଣ ତ ଦେଖୁଛ। ବଂଶ ନାଶବେଳେ କୁଳାଙ୍ଗାର(ଏଥର ଘୋଡ଼ାମୁହାଁ କହିଲେ ନାହିଁ ଆଗଥର ଡରରେ )ପୁଅ ଜନ୍ମ ହୁଅନ୍ତି-ହତଳକ୍ଷ୍ମୀଟାଏ-ତା ଜନ୍ମ ହେବାଠୁ ମୋର ସବୁଯାକ ବିପଦ ଆସି ପହଞ୍ଚିଛି । ଏ ବନଟି ମୋର ଭାରି ଲକ୍ଷ୍ମୀମନ୍ତ। ତା ଜନମଠୁ ମୋର ବେଶ୍‌ ଉନ୍ନତି ହୋଇଛି।

ବିପ୍ରବାବୁ-    ହଁ, ବନ ବାହାଘର କଥଶ କେତେ ଦୂରଗଲା?

ମହେନ୍ଦ୍ରବାବୁ-  ବିନାୟକ ବାବୁଙ୍କର ଏଥିରେ ପୁରା ଇଚ୍ଛା ଅଛି। ପୁଅର ବି ମନ ଅଛି।




+ -

© Jataayu Charitable Trust
Site designed,developed & maintained by Tekons