(ଏହି ସମୟରେ ବନର ପ୍ରବେଶ- ନିମା ତା ଆଡ଼କୁ ମିନତିଭରା ଏକ ଚାହାଣୀ ନିକ୍ଷେପ ହେଲା)
ବନ- ଯାଉ,ବାପା, କଣ କ୍ଷତି ହଉଚି ଯେ।
ବାବୁ- ଯାଉ? କାଇଁ ଯିବ ନି? ଯିବ? ଯାଇକରି ଶିଖି ଆସିବ ଦୁନିଆର ସବୁଯାକ ବଦମାସୀ। ଆରେ ତୋର ଅସୁବିଧା ହଉଚି କଣ ଏଠି?
ନିମା- ବାବୁ ମୁଁ କଣ କହୁଚି ମୋର ଅସୁବିଧା ହଉଚି ବୋଲି।
ବାବୁ- ତେବେ ସଭାକୁ ଯିବୁ କାଇଁକି? ଏଠ ଦେଖୁଚ ଗୋଟିପରି ସୁନା। ସଭାକୁ ଯାଅ ଦେଖିବ, ନିମା ଆମର ଗୋଟାଏ ବଡ଼ ବକ୍ତା ପାଲଟି ଯାଇଥିଲେ। ସେଠି ବାହାରିବ କେତେକଥା। ବାବୁ ଆଜି ମତେ ସଭାକୁ ଛାଡ଼ୁନଥିଲେ ,ବାବୁଆଣୀ ୟା କହିଲେ- ଚାକରଙ୍କ ପ୍ରତି ବାବୁଙ୍କର ବ୍ୟବହାର ନିହାତି ଖରାପ। ଆମେ ୟା କାହିଁକି ସହିବା। ଚାଲ ଧର୍ମଘଟ କରିବା, ଚାଲ ବାବୁଙ୍କ ବିରୁଦ୍ଧରେ ଲଢ଼େଇ କରିବା।–ସେଠି ଦେଖିବ କଣ? ସୃଷ୍ଟି ଯାକର ସମାଚାର ଆସି ପଡ଼ିବ। ସମସ୍ତେ ଗୋଟାଏ ଲେଖା ଯୋଦ୍ଧା ହୋଇଯିବେ।ସମସ୍ତେ ଗୋଟାଏ ଲେଖା ବୀର, ଆଉ ସେଠୁ ଶିଖି ଆସିବେ ସବୁଯାକ ଚୋରି; ବଦମାସୀ ଜୁଆଚୋରି। ଆଜି ଧର୍ମଘଟ ତ କାଲି ଆଉ କଣ। ନାଇଁ ତ ଯାଇପାରିବୁ ନାହିଁ।
ନିମା- ବାବୁ, କାମ ଖଇଚା କଲେ ସିନା ମତେ କହିବେ।
ବାବୁ- କାମ ଖଇଚା କଲେ? ଯା, ଯିବୁ ଯଦି ଆଉ ଏଣେ ଫେରିବୁ ନାହିଁ ।
ମା- କାମ ଖଇଚା ହଉନାହିଁ ଯେ ତୁ ଆସି ଖଇଚା କରିବୁ?
ବାବୁ- ଏଣିକି ବଦମାସୀ ଆରମ୍ଭ ହେଲାଣି। ଦିହରେ ଭାତ ଲାଗିଲାଣି ଯେ ନ ମାତିଲେ ଝଡ଼ିବ କେମିତି? ଏଣିକି କେତେ ଗୁଣ ବାହାରିବ ନା। ନୂଆ ନୂଆ ଯେତେବେଳେ ଆସିଲା, ଯେତେବେଳେ କିମିତି ଶୁଆଟି ପରି ଯାହା କହିବ ସେଇଆ; ଏଣିକି ଟିକିଏ ଚେରେଇ ଗଲାଣି ନାଁ। ଚାକର କୁକୁର ଜାତି, ଟିକିଏ ଆଶ୍ବାସନା ଦେଲେ ମୁଣ୍ଡରେ ଚଢ଼ନ୍ତି। ଆଉ କୋଉଠି ଥିଲେ ତିନି ଓଳିରେ ପେଜପଖାଳ ଗଣ୍ଡେ ମିଳୁନଥାନ୍ତା। ଏଠି ଆସି ଚାରି ବକତ ହାଣିଲାରୁ, ଭଲ ଖାଇ ଭଲ ପିନ୍ଧିଲାରୁ ସଉକି ବାହାରୁଚି। ସଭାକୁ ଯିବେ, କାଲି ଦାର୍ଜିଲିଂ ବୁଲିଯିବେ, ପଅରଦିନକୁ କହିବେ ବଜାର ସଉଦା ପାଇଁ ଖଣ୍ଡେ ମଟର ନ ଦେଲେ ଆମେ ବଜାରକୁ ଚାଲିକରି ଯିବୁନାଇଁ। ଦେଖ, ଦେଖ, ମୁଣ୍ଡରେ ପାଏ ତେଲ ଢାଳି କିମିତି ସଖଳ ଫିରେଇ କଟା ହେଉଚି। ବଦମାସୀ, ସୁଦୁ ବଦମାସୀ-
ନିମା- ବାବୁ, କଥାନାଇଁ ମିଛରେ ଗୁଡ଼ାଏ ଖାଲି ଗାଳି ଦେଉଛନ୍ତି।
ବାବୁ- ମିଛରେ? ତୋର ତ ଭାରି ଦିମାକ୍ ହେଲାଣି ରେ। ଭାରି ମୁହଁ ବଢ଼ିଗଲାଣି, କଥା କଥାକେ ଜବାବ। କଣ କହିଲୁରେ ବଦମାସ-।
ନିମା- ବାବୁ, ମୁଁ କଣ କହୁଚି? ଆପଣତ ଖାଲି ଗୁଡ଼ାଏ ଗାଳି ଦେଉଛନ୍ତି।
ବାବୁ- ପେର୍, ଫେର୍ ଜବାବ ଦେଲା- ବସେଇବି ଚଟି ଯେ କଥା କହି ଶିଖୁଚି।
ନିମା- ଇମିତି ତୁଚ୍ଛାଟାକୁ ମୁହଁ ଖରାପ କରୁଚନ୍ତି କାଇଁକି ବାବୁ?
ବାବୁ- (ଉଠିଯାଇ) କଣ କହିଲୁ ବେ ବଦମାସ୍। ବଦମାସି ନିକାଲୁଚି! ଦେଖିବୁ ଏଇକ୍ଷଣି? ଦେଖିବୁ?
ନିମା- (କାନ୍ଦୁଣୁ ମାନ୍ଦୁଣୁ ହୋଇ) ବାବୁ, ମୋ ପଇସା ଛିଣ୍ଡେଇ ଦିଅନ୍ତୁ, ମୁଁ ଚାଲିଯିବି, ମୁଁ ଏମିତି ଗାଳି ଫଜିତ ଶୁଣି ପାରିବିନାଇଁ-
ବାବୁ- ପଇସା ନା ଘୋଡ଼ାଡିମ୍ବ ନବୁ- ଯା, ଅଦାଲତରେ ନାଲିସ୍ କରିବୁ।
ନିମା- ହକ୍ ମୋର ଦି ମାସର ଦରମା ଅଛି, କାଇଁ ଦେବେ ନାଇଁ ନାଁ।
ବାବୁ- ପଇସା ଫଇସା ମୁଁ ଜାଣେନାହଁ-ଯା, କାହାପାଖେ ମକଦ୍ଦମା କରିବୁ ଯା- ଯାଉନୁ ସଭାରେ ଗୁହାରି କରିବୁ-ଯା ଯା ସଭା କରିବୁ-
ନିମା- ବାବୁ ମୋ ପଇସା ଦେବେନାହିଁ?
ବାବୁ- ନିକଲ୍ ଏ ଘରୁ ଆଗ-ଯା, ବାହାର-
ନିମା- ଗରିବର ଦି ଚାରିଟା ଟଙ୍କା ଖାଇ ଯଦି ବାବୁ ବଡ଼ଲୋକ ହେବେ, ହୁଅନ୍ତୁ ।
ବାବୁ- ଯାବେ ନିକଲ, ବାହାର ତୁ- ଯା,ଯା, (ଚାକର ଚାଲିଗଲା, ବାବୁ ତାଙ୍କର ଆଗ ଜାଗାରେ ଆସି ବସିଲେ, ମା ସେହିପରି ବସିଥାନ୍ତି, ଝିଅ କାଠ ପିତୁଳାଟି ପରି ଆଖି ଆଗରେ ଏ ଘଟଣା ସବୁ ଦେଖୁଥାଏ, ବାବୁ କିଛି ସମୟ ପରେ ତାଙ୍କର ମୌନାବତାରର ଭଙ୍ଗ କରି କହିଲେ) କଣ ଏ ଯୁଗରେ ଚାକର ରଖିବ କହିଲ? ମୁଁ କଣ ଟିକିଏ କହିଲି କି ନାହିଁ, ତାର ସେଥିରେ ଅପମାନ ହୋଇଗଲା-ସାଙ୍ଗେ ସାଙ୍ଗେ ଉତ୍ତର-ସାଙ୍ଗେ ସାଙ୍ଗେ ଦରମା ଦବଟି ମୁଁ ଯିବି-
ମା- ଏଣିକି କାଳ ହେଲାଣି ଯେ ଚାକର ବାକରଙ୍କୁ ଡରିକରି ଚଳିବାକୁ ହବ। ଗଙ୍ଗା ବୋଲି କହିଲେ ଥେବି, ଗାଙ୍ଗୀ ବୋଇଲେ ଯିବି।
ବାବୁ- ହଁ, ସେଇୟାତ ଏଇ ଆଖି ଆଗରେ ଦେଖିଲ-କହିବ ଆଉ କାହାକୁ?
ମା- ନାଇଁମ-ସେତ ଆସିବାବେଳେ କେଡ଼େ ମାନିବାର ହେଇଥେଲା, ଏଣିକି ତତେ କାଇଁକି ଇମିତି ହେଲା (ତାପରେ ଟିକିଏ ଚୁପ୍ ରହି ଫେର୍ ଆରମ୍ଭ କଲେ) ସେ ହବ ନାଇଁ? ବଶ୍ବମ୍ବର ତ କହିବ, ଚାକରଙ୍କୁ ପଦେ କିଛି କହିବ ନାଇଁ କେହି, ତାକୁ ଗାଳି ପଜିତ୍ କରିବ ନାଇଁ- ତାଙ୍କର କୋଉଠି ଟିକିଏ ଅସୁବିଧା ଦେଖିଲେ ସେ ତ ମୋ ଉପରେ ଯୋଉଁ ରାଗୁଚି କହିବାର ନାଇଁ। ଏ ଟୋକାଟା ବି ତା ଭାଇ ବୁଦ୍ଧିରେ ପଡ଼ିଲାଣି, ସବୁବେଳେ ଚାକରବାକରଙ୍କ ପକ୍ଷନେଇ ଚାଲିଚି, ତା ଆଖିକି ଚାକର ବାକର ଗୋଟିଏ ଗୋଟିଏ ଦିଅଁ।