ମା- (ବିରକ୍ତ ହୋଇ) ଏତେ ମିଳିବ କ’ଣ? ତମେ ଖାଇବ ଯଦି ଖାଅ, ନ ଖାଇବ ଯଦି ମନା କରିଦିଅ। ମତେ ଇମିତି କଥା ଗୁଡ଼ାକ ଭଲ ଲାଗେ ନାହିଁ।
ବାବୁ- ଥରେ ମନା କଲି ପରା- ଆଉ କେତେ ଥର ମନା କରିବି ?
ମା- ନିମା,ନେଇଯା ଏସବୁ-ନପଚାରି କରି କାହିଁ ପାଣି ଆଣୁଥିଲୁ? କୋଉଠୁ ଗୋଟାଏ ଓଲୁଟାଏ ଆସି ଜୁଟିଛି।
(ତାପରେ ଅଳ୍ପ ସମୟ ପାଇଁ ସମସ୍ତେ ନୀରବ-ନିମା ପାଣି ଗିଲାସ ନେଇ ଚାଲିଗଲା;ବନ ପ୍ଲେଟ୍ଟା ଧରି ସେ ଘରୁ ବାହାରିଗଲା)
ବାବୁ- ଅଭିମାନ ହୋଇଗଲା ପରା-ମୋ ବାପରେ ରାଗ-କଥା କଥାରେ ଇମିତି ଚଟି ଯାଉଛ କାହିଁକି ମ?
ମା- ସିମିତି ଗେଲବସରିଆ କଥାଗୁଡ଼ାକ ରଖିଦିଅ।
ବାବୁ- ନାଇଁମ-ମୁଁ ବିନାୟକବାବୁଙ୍କ ଘରୁ ଖାଇକରି ଆସିଛି-କଚିରୀରୁ ମତେ ସିଏ ସେଣେ ସେଣେ ଡାକିନେଲେ ପରା।
ମା- ସେଇଆଡ଼ ମୂଳରୁ କହିଥା’ନ୍ତ- ଏଣୁ ତେଣୁ କହି କି ଲାଭ? ମୋ ଖାଇବା ଖାଲି ତମ ଆଖିକି ଦିଶୁଚି।
ବାବୁ- ଫେରତ ଅଭିମାନ।
(ଟିକିଏ ନୀରବତା)
ମା- ନିମା ମୋ ସାଙ୍ଗରେ ପଟେ ଯୁଝି ସାଇଲାଣି, ଲଗେଇଛି କେଉଁ ସଭାକୁ ଯିବ- ଯାଉ ସଭାକୁ କି ଫଭାକୁ-ମୋର ସେଥିରୁ ଯାଏ କେତେ ଆସେ କେତେ । ତମ କଥା ତମେ ବୁଝ- ତାକୁ ତୁମେ ସମ୍ଭାଳ। ମୋ କଥାକୁ ତ ତିଳେ ବୋଲି ସେ ଖାତିରି କରେ ନାହିଁ।
ବାବୁ- କି ସଭା?
ମା- କେଜାଣି କି ସଭା। ଚାକର ଯିବେ ସଭାକୁ, ଯୁଗ ଓଲଟା ହେଲାକୁ ଇମିତି କଥା ହଉଚି। ବାବୁଭାୟା ସିନା ସଭା କରନ୍ତି, ଏଣିକି ତାଙ୍କର ସବୁ ସଭା କଲେଣି-କାଲି କୋଉଠି ଗୋପାଳଜୀ ମଠରେ କଟକଯାକର ଚାକରଙ୍କ ଗୋଟାଏ ସଭା ହେବ, ଆଉ ଆମ ନିମା ଯିବ ସେଠିକି।
ବାବୁ- ନିମା କହୁଥିଲା ଯିବାକୁ, ନାଇଁ?
ମା- କହୁଥେଲା? ମୋ ସାଙ୍ଗରେ ଏତେବେଳଯାଏ ସେଇ କଥା ଫଟର ଫଟର ଲଗେଇଥେଲା-ମତେ ଖାଲି କଲବଲ କରି ସମସ୍ତେ ଖାଇଲେ।
ବାବୁ- ତମେ କଣ କହିଲ?
ମା- ମୁଁ କଣ କାଇଁ କହିବି? ମୁଁ କାଇଁକି ମନା କରିବି? ତମେ ତାକୁ ଯାହା କହିବ କହ, ମୋଅର କି ଗରଜ ପଡ଼ିଚି।
ବାବୁ- ହଉ, ନିମା- ନିମା-
ନିମା- ଆଜ୍ଞା,(ପ୍ରବେଶ) ବାବୁ,
ବାବୁ- କିରେ କି ସଭା ହଉଚି କୋଉଠି?
ନିମା- (ମୁଣ୍ଡକୁ ନଖରେ ରାମ୍ପୁ ରାମ୍ପୁ) ନାଇଁ,ବାବୁ, କାଲି କଟକର ଯେତେ ଚାକର ଅଛନ୍ତି, ସମସ୍ତଙ୍କର ଗୋଟାଏ ସଭା ହଉଚି?
ବାବୁ- ହୁଁ-କେତେବେଳେ?
ନିମା- ଦିହିପହରେ, ୧୨ଟା ବେଳେ,ଗୋପାଳଜୀ ମଠରେ ।
ବାବୁ- ହୁଁ, ଆଉ ତୁ ସେଠିକି ଯିବୁ, ନାଇଁ?
ନିମା- ହଁ, ବାବୁ, ସବୁ ଚାକର ବାକର ଯାଉଛନ୍ତି ଯେ, ମୁଁ କାମଦାମ ଛିଣ୍ଡେଇ ଘଣ୍ଟାକ ପେଇଁ ଟିକିଏ ଯାନ୍ତି ବୋଲି ମାଙ୍କୁ କହୁଥେଲି।
ବାବୁ- ହୁଁ, କି ବିଷୟରେ ସଭା ହଉଚି? ସଭା କରଉଚି କିଏ?
ନିମା- ବାବୁ- ମୁଁ ତ ବଜାରରେ ଦୀନେଶବାବୁଙ୍କ ଚାକରଠୁଁ ଶୁଣିଲି, କିଏ କରଉଚି କି କଣ ମୁଁ ଜାଣିନାଇଁ।
ବାବୁ- କି ବିଷୟରେ ହଉଚି, ସେ କଥା ବି ଜାଣିନାଉଁ-ନାଁ?
ନିମା- ନାଇଁ ବାବୁ, ଖାଲି ଜାଣିଛି, ସଭା ହଉଚି।
ବାବୁ- କିଏ ସଭା କରଉଚି, ସଭା କାହିଁକି ହଉଚି, ସେ କଥା ମାଲୁମ୍ ନାଇଁ।ଖାଲି ସଭାକୁ ଯିବି, ସଭାକୁ ଯିବି, ହେଃ-
ନିମା- (କଣ କଣ କହିବାକୁ ଯାଉଥିଲା, ଚୁପ୍ ହୋଇଗଲା)
ବାବୁ- କଣ କହୁଚୁ, ଯିବୁ?
ନିମା- ହଁ ବାବୁ, ଖାଲି ଟିକିଏ ମୁହଁ ମାରିଦେଇ ଆସନ୍ତି।
ବାବୁ- କଣ ଯିବୁ ଚେହେରା ଦେଖେଇବାକୁ? ସେଠି କଣ ଛେନା-ଗୁଡ ବଣ୍ଟା ହଉଚି ଯେ ଯିବୁ?