ବନ- ବୋଉ, ତୋ କଥାର ମାନେ ମୁଁ ବୁଝିପାରୁନାହିଁ। ତୁ ଚାକର ବାକରଙ୍କୁ ଯୋଉ ବୃଥାରେ ଗାଳି ଦଉ, ମୁଁ ସେଥିର ପ୍ରତିବାଦ କଲେ ସେଇଟା ମୋର ହେଲା ଦୋଷ!
ମା- ହଁ, ମୁଁ ଯାହାସବୁ କହେ ସବୁ ତ ବୃଥାରେ। ତମେ ତାଙ୍କୁ ଯୋଉ ଗେଲବସର କରିଥେଲ, ତାରି ଫଳ ଏବେ ପାଅ।–
ବନ- ନିମା ମୋ ପାଇଁ କି ଭାଇଙ୍କ ପାଇଁ ସେ ଯାଇନାହିଁ-ଯାଇଚି ତୋରି ପାଇଁ। ମୋ ପାଇଁ ଯାଇଥିଲେ ମୋ ସଙ୍ଗରେ ଝଗଡ଼ା ଲଗେଇ ଯାଇଥାନ୍ତା।
(ଆଉ କଣ ସେ କହି ଆସୁଥିଲା, ଏହି ସମୟରେ )
ବାବୁ- ବ, ବ, ଯହୁଁ ଯହୁଁ ବଡ଼ ହଉଚ, ତହୁଁ ତହୁଁ ବୁଦ୍ଧି ବାହାରୁଚି- (ସମସ୍ତେ ନୀରବ)
(ଏହି ସମୟରେ ବାହାରୁ ଦାଣ୍ଡଦୁଆରେ ଠକ୍ ଠକ୍ ଶବ୍ଦ ହେଲା)
ବାବୁ- କିଏ ସେ-
(ଦାଣ୍ଡ ଦୁଆରେ ପାଟି ଆସ୍ତେ ଆସ୍ତେ ବଡ଼ ହଉଚି ‘ନିମା-ନିମା-ଏ ନିମା)
(ସେଣୁ ଉତ୍ତର ଆସିଲା –‘ବିପ୍ରବାବୁ’)
ହଁ,ହଁ,-
ବନ ଯିବୁଟି ବିପ୍ରବାବୁ ଆସିଛନ୍ତି, କବାଟଟା ଫିଟେଇ ଦବୁ
(ବନ ଚାଲିଗଲା-କବାଟ ଫିଟେଇବାର ଶବ୍ଦ- “କି ମହେନ୍ଦ୍ରବାବୁ, କଣ ହଉଚି?” ଏ ପଦକ ମଧ୍ୟ ଶୁଣାଗଲା –ଜଣେ ଘର ଭିତରକୁ ଆସୁଚି ସେ ଶବ୍ଦ ମଧ୍ୟ, ଏଣେ ବାବୁ ସେହି ଘର କବାଟ ପାଖକୁ ଉଠି ଚୌକି ଛାଡ଼ି ଠିଆ ହେଲେ, ଟିକିଏ କରେଇ କରି ବିପ୍ରବାବୁ ଆସିଲେ, ପଛରେ ବନ। ନମସ୍କାରର ଆଦାନପ୍ରଦାନ)
ମହେନ୍ଦ୍ରବାବୁ- ଆସନ୍ତୁ, ଆସନ୍ତୁ-ଅନେକ ଦିନୁ ତ ଆପଣ କାଇଁ ଇୟାଡ଼େ ଆସୁନାହାନ୍ତି?
(ବିପ୍ରବାବୁ ବସିଲେ;ମହେନ୍ଦ୍ରବାବୁ ବି ବସିଲେ)
ବିପ୍ରବାବୁ- କଣ ଆଉ ଖବର?
ମହେନ୍ଦ୍ରବାବୁ- ଖବର ଆଉ କଣ-
ବିପ୍ରବାବୁ- ସବୁ ଭଲ ତ?
ମହେନ୍ଦ୍ରବାବୁ- ହଁ, ଏକପ୍ରକାର ।
(ଟିକିଏ ନୀରବତା)
ବନ , ପାନ ଫାନ ଆଣମ- (ବନ ଚାଲିଗଲା)
ବିପ୍ରବାବୁ- ନିମା ଯାଇଛି କୁଆଡ଼େ କି-?
ମହେନ୍ଦ୍ରବାବୁ- ଛାଡ଼ନ୍ତୁ ସେ କଥା। ଚାକର ତ ଆଜିକାଲି ଗୋଟାଏ ଗୋଟାଏ ନବାବ ହେଲେଣି-ତାଙ୍କୁ ଡରି ଡରି ମଣିଷ ମରୁଚି। ସେଟା ଆଜି ଝୁଙ୍କ ଛଡ଼େଇଦେଲା- ଗୋଟାଏ କଣ ସଭା ହଉଛି କୋଉଠି, ସେଠିକି ଯିବାକୁ-ତାକୁ ମନା କଲାରୁ ‘ବାବୁ ’ମୁଁ ଏଠି ରହିପାରିଲେ ନାହିଁ- ମୋ ଦରମା ଦବଟି ମୁଁ ଯିବି, ଗଣ୍ଠିଲା ପୁଟୁଳି ବାନ୍ଧି ଭାଗିସ୍- ଏଥିରେ ମଣିଷ କଣ କରିବ କହିଲ? ଏଡ଼ିକି ବଦମାସ।
ବିପ୍ରବାବୁ- ଦିଅନ୍ତୁ, ଥଣ୍ଡା ବନେଇ ଦିଅନ୍ତୁ, ଚୋରିରେ ପୋଲିସ ଇତାଲା କରି ଦିଅନ୍ତୁ- ବୁଦ୍ଧି ଶିଖିଯିବ।
ମହେନ୍ଦ୍ରବାବୁ- ମୁଁ ତ ସେଇୟା ଭାବୁଥିଲି।
ବିପ୍ରବାବୁ-ବିଶ୍ବମ୍ଭର ଫେରିଲାଣି?
ମା- ନାଇଁ ତ, ଚାରିଟା ବେଳୁ ଗଣ୍ଡେ ଖାଇଲେ କୁଆଡ଼େ ଯାଇଚି ଯେ ଏତେବେଳେ ଯାଏଁ-ତାର କଣ ଆଜିକାଲି ଘରେ ଦେଖା ମିଳୁଚି?
ବିପ୍ରବାବୁ- ହେଃ, ସେ ତ କଣ ପୁରା ସାମ୍ୟବାଦୀ ନେତା ପାଲଟି ଗଲେଣି। ବଡ଼ ବଡ଼ ବକ୍ତୃତାମାନ ଝାଡ଼ି ଦେଉଛନ୍ତି।
ମହେନ୍ଦ୍ରବାବୁ- ମୁଁ ଆଉ ତାକୁ ପାରିବି ନାହିଁ, ଏବେ ସେ ଯାଇ ସାମ୍ୟବାଦୀ ଦଳରେ ମିଶିଗଲାଣି ଟି? ଏଥିରେ ମଣିଷ କଣ କରିବ କହିଲ? ମୁଁ ଚେଷ୍ଟା କରୁଛି କିମିତି ସେ ଏମ୍.ଏ.ଟା ପାଶ୍ କରି ସାରିଲେ, ତାକୁ ଗୋଟାଏ ସରକାରୀ ଚାକିରିରେ ଢୁକାଇ ଦେବି- ସେ ଯାଇ ଦେଖିଲା ବେଳକୁ ସାମ୍ୟବାଦୀ-
ବିପ୍ରବାବୁ- ହଁ, ସେତ ଏଣିକି ପୁରା ନେତା ବନିଗଲାଣି। ଏପରିକି ପ୍ରଫେସରଙ୍କ ସାଙ୍ଗରେ ପଦ ପଦକେ ଗଣ୍ଡଗୋଳ- ପ୍ରିନ୍ସିପାଲଙ୍କ ଆଦେଶର ପ୍ରତିବାଦ-ପିଲାଙ୍କୁ ମତେଇବା-ବକ୍ତୃତା ଦେବା-ଏଇ ହେଉଛି ତା କାମ। ସରକାରୀ ଚାକିରିଆଙ୍କ ପୁଅ, ବିଶେଷତଃ ଜଣେ ଡିପୁଟିଙ୍କ ପୁଅ, ଇମିତି ଗୁଡ଼ାଏ କରିବା, ଯାହା କହନ୍ତୁ ପଛେ ସୁନ୍ଦର ଦେଖାଯାଉନାହିଁ।
ମହେନ୍ଦ୍ରବାବୁ- ପୁଅ ନୁହେଁ, ସେ କୁଳାଙ୍ଗାରଟାଏ ଜନ୍ମ ହୋଇଛି।
ବିପ୍ରବାବୁ- ଆଜିକା କଥା ଜାଣନ୍ତି ନା- ଆଜି ଟାଉନ୍ହଲ୍ରେ ଗୋଟାଏ ସଭା ହେଉଥିଲା, ବାପତ ‘ଭାରତ ଓ ସାମ୍ୟବାଦୀ’ବିଷୟରେ କହିଲେ, ତା ପରେ ଆମ ବିଶ୍ବମ୍ଭର ଉଠିଲେ-ମୋ ବାପରେ, ହାତକୁ ହଲେଇ, ମୁଣ୍ଡକୁ ଝୁଙ୍କେଇ ଏକ ଲମ୍ବା ବକ୍ତୃତା;ବହୁତ ରାଜଦ୍ରୋହ ମୂଳକ କଥା ବି ଥିଲା, C.I.D ଟିପିଥିବ ନିଶ୍ଚୟ! ମୁଁ ଭାବୁଚି ଏଥର ପ୍ରିନ୍ସିପାଲ୍ କିଛି ଗୁରୁତର ଦଣ୍ଡ ବିଧାନ କରିପାରନ୍ତି,ଜୋରିମାନା ବି କରିପାରନ୍ତି। ଆପଣ ଟିକିଏ ସାବଧାନ ହୁଅନ୍ତୁ, ନଚେତ୍ କୋଉଦିନ ଦେଖିବେ,ସେ ଜେଲ୍ ଯାଉଚି।