ଜଉଘର




ବନ-  ହଁ ବାବା, ସେଇ ଗୁଣ୍ଡାମି, ସେଇ ଗୁଣ୍ଡାମି ବଳରେ ଆପଣ ଏତେ ଦିନ ଅତ୍ୟାଚାର କରି ଆସିଛନ୍ତି। ସ୍ନେହ, ମମତାର ନାମ ଦେଇ ଆପଣ ସବୁଦିନେ ଏଇ ଗୁଣ୍ଡାମି ଚଳାଇଥାନ୍ତି।

ମହେନ୍ଦ୍ରବାବୁ-    କଣ କହିଲୁ? ମୁଁ ଗୁଣ୍ଡା?

ବନ-   ହଁ, ଆପଣ ଗୁଣ୍ଡା-ଆଉ ଆପଣ ଚାହାନ୍ତି ସମସ୍ତଙ୍କୁ କ୍ରୀତଦାସ କରି ରଖିବାକୁ ।ମୁଁ ଚାହେଁ ମୋର ସ୍ବାଧୀନତା। ଭାଇ ଚାହିଁଥିଲେ ସେଇଆ –ଆପଣ ତାଙ୍କୁ ଘରୁ କାଢ଼ିଦେଲେ- ମୁଁ ବି ମୋ ସ୍ବାଧୀନତା ବଜାୟ ରଖିବା ପାଇଁ, ଘରୁ ଚାଲିଯିବାକୁ ପ୍ରସ୍ତୁତ।

ମହେନ୍ଦ୍ରବାବୁ-  ତେବେ-

ବନ-    ଓଃ,ଏଇକ୍ଷଣି ଚାଲିଯାଉଛି।(ବନ ଦର୍ପର ସହିତ ସେ ଘରୁ ଚାଲିଗଲା-ମା ଓ ମହେନ୍ଦ୍ରବାବୁ ବଲ ବଲ ସେହିପରି ଅନାଇଥାଆନ୍ତି।)

ମା-   ବନ, ବନ ଯାଉଛୁ କୁଆଡ଼େ(କିଛି ଉତ୍ତର ନାହିଁ)ହଇଏ କୁଆଡ଼େ ଗଲାକି?

ମହେନ୍ଦ୍ରବାବୁ-  ଶୁଣିଲ ନାଇଁକି ?

ମା-   କଣ, ତାଙ୍କ କଥାରୁ ମୁଁ କଣ ବୁଝିପାରୁଛି? କଣ ସ୍ବାଧୀନ ଦାସ ଫାସ ଗୁଡ଼ାଏ ସେ କି କଥା ମୁଁ ବୁଝିପାରିଲି ନାହିଁ।

ମହେନ୍ଦ୍ରବାବୁ-  ସେ ଗଲା, ସେ ଘରେ ରହିବ ନାହିଁ, ତା ମନ ମୁତାବକ କାମ କରିବ (ମା ସେ ଘରୁ ଧାଇଁଲେ- ଏହି ସମୟରେ ଶୁଭିଲା ଦାଣ୍ଡ କବାଟର ଶବ୍ଦ। ମାଆଙ୍କ କଥାଗୁଡ଼ାକ ମଧ୍ୟ ସେ କବରରୁ ଶୁଣା ଯାଉଥାଏ –ମା“ଏ ବନ,ବନ, କୁଆଡ଼େ ଗଲୁ ଝିଅ- ଏ କି କଥାଲୋ –ଇଲୋ କୁଆଡ଼େ ଯାଉଚୁ ଏତେ ରାତିରେ ?ଏ ବନ,ଶୁଣି ଯାଆମ-ମୋ ରାଣଟି, ମୋ ମୁଣ୍ଡ ଖାଇଲାପିରିଟି-ହଇଲୋ ଝିଅ ଅତି ଫେର୍‌ ଗୁଡ଼ାଏ ଆ ଭାଆରି କୁଆଡ଼େ ଗଲୁମ ଅନ୍ଧାରରେ? କାଇଁ କୁଆଡ଼େ ଗଲାଭାରି”। ମହେନ୍ଦ୍ରବାବୁ ରାଗ ଓ ଗାମ୍ଭୀର୍ଯ୍ୟର ମୁର୍ତ୍ତି ଧାରଣ କରି ବସି ଥାଆନ୍ତି । ମା ଫେର୍‌ ସେ ଘରଭିତରକୁ ପଶି ଆସିଲେ-ମୁହଁରେ ତାଙ୍କର ଉଦ୍‌ବିଘ୍ନତାର ଚିହ୍ନ)

ମା-   ଏ ରାତି ଦଶଟାବେଳେ ଗଲା ସେ କୁଆଡ଼େ? ମୋ ମାଆଲୋ, ଘରୁ ଗୋଡ଼କାଢ଼ି ପଳେଇଲା କୁଆଡ଼େ? ହଇଏ ବସିଲ କଅଣ ମ? , ଯାଅ ମ ଯାଅ;କଣ ଗୋଟାଏ ବସିଛ ମ । ଯାଉନ ଯାଅ ମ, ତାକୁ ଲେଉଟାଇ ଆଣ ମ- କୁଆଡ଼େ ଏତେ ରାତିରେ ଅନ୍ଧାରରେ ଗଲା ସିଏ, ଯାଉନ, ହଇହେ ବେଗି ଯାଅ ମ଼- ଟୋକୀଟା ଖାଇନି କିଛି-

ମା-   ଯାଇ ପାରିବ ନାହିଁ ତ, ଏତେ କଥା ମୁହଁକୁ ଆସୁଥିଲା କାହିଁକି? କହିଲା ବେଳକୁ ଆଗ –ସହିଲା ବେଳକୁ ନାହିଁ? ଯାଅମ।

ମହେନ୍ଦ୍ରବାବୁ-   କାହିଁକି ନାହିଁ ତ ଆଉ କଣ ଦୋଳିରେ ବସେଇ ଝୁଲେଇବି? ଯାଆନ୍ତୁ ସେ – ମୁଁ ଯିବି ଫେର୍‌ ତାଙ୍କ ଗୋଡ଼ହାତ ଧରି ଲେଉଟାଇ ଆଣିବାକୁ। ଯାଆନ୍ତୁ ସେ –

ଭଲା, ତମକୁ କିଏ କହୁଥିଲା, ଭୁଆସୁଣୀ ଝିଅଟା ଉପରେ ତମର ସବୁ ରାଗ ଝଡ଼େଇବାକୁ, ଭୁଆସୁଣୀ ଝିଅକୁ ଡରୁ ଡରୁ ତ କାଳ ସରୁନାହିଁ। ବାପ ଘରେ ତା ଆଇଷ ଆଉ କେତେଦିନ? ତା ପରେ ସିଏ ଆଉ କାହାର , ଏଇ ଦିନ କେଇଟା ଏଇଥିରେ ତମର ଏତେ ଜୁଲମ,ଏତେ ରାଗ!ଏଇକ୍ଷଣି ଗଲା ସେ, ମନକୁ ଖାଲି କାଳ ଛୁଇଁଚି, କଟକ ସହର, କୋଉଠି ନଈ, ନା,କୂଅ, ପୋଖରୀ-କୁଆଡ଼େ କେତେକ କଣ। ତମେ କିମିତି ମଣିଷ ମ! ଭୁଆସୁଣୀ ଝିଅଟା ପଳେଇଗଲା, ତମର ଆଖି ଆଗରେ, ତମେ ଏଠି ଅଧୋକା  ହୋଇ ବସିଛ। କିମିତିକା ଜନମ ପାଇବ ମ? ହଇ କିଏ-କଣ ଶୁଭୁଛିନା? (କାନ୍ଦୁଣୁ ମାନ୍ଦୁଣୁ ହୋଇ) ଇମିତି କଥା ଯଦି ତମର, ପୁଅ ଝିଅ ଜନମ କରୁଥିଲ କାହିଁକି?

ମହେନ୍ଦ୍ରବାବୁ-   ରଖ,ରଖ, ଆଉ କାହାର ପୁଅ ଝିଅ ହଉନାହାନ୍ତି, ୟାଙ୍କର ଏକା ପୁଅ ଝିଅ । ସେଗୁଡ଼ାଙ୍କୁ ତ ତମେ ଖରାପ କରି ଦେଇଛ, ଏତେ ବେଳକୁ ମତେ ଖାଉଛ। ଗେଲବସର କର, ସିମିତି ଫଳ ଭୋଗ,କିଏ କଣ କରିବ? ମୁଁ ସେଇଦିନୁ କହୁଚି ତାଙ୍କୁ ଜବତ କର, ନା, ନାହିଁ ଆମେ ସିନିହ କରୁଛୁ-କର ସିନିହ, ଫଳ ପାଅ,କରୁଥା ସିନିହ।

ମା-    ମୁଁ କଣ କଲିମ? ସବୁ ଦୋଷ ତ ମୋରି। ତାଙ୍କୁ ସବୁବେଳେ ଖାଲି ଛି, ଛାକର କଲ, ସବୁବେଳେ ରାଗ, ସବୁବେଳେ ନାଲି ଆଖି। ଏଥିରେ ଯେଝା ବାଟ ଯିଏ ଦେଖିଲେ, ତାଙ୍କ ଆଖି ଫିଟିଲାଖୁଣୁ ସେ କାହିଁକି ତମର ଏ କଡ଼ା କଥା ସହିବାକୁ ଯାଆନ୍ତେ ଯେ? ତମରି ଗୁଣରୁ ସବୁ ହଉଚି। ଏଥର ରାଗୁଥା।

ମହେନ୍ଦ୍ରବାବୁ-   ଆଃ,ତମେ ତ ବୁଝିବାକୁ ଖମ୍ବଆଳୁ। ତମେ ସେ ଗୁଡ଼ାଙ୍କୁ ମୁହଁବଢ଼ା କରି ଦେଇଛ। ବାପ ମାଙ୍କୁ ଭକ୍ତି ନାହିଁ, ସମ୍ମାନ ନାହିଁ-ମୁହେଁ ମୁହେଁ ଚାପଡ଼ ମାଇଲା ପରି ଠୋଠୋ ଜବାବ ଦେଉଛନ୍ତି। ଇମିତି ମୁହଁ ବଢ଼ା କଲା କିଏ ସେ ? ତମେ ନା ମୁଁ? ଗେଲ ବସରିଆ ମା; ତମଠି ଖାଲି ସିନିହ ଶଗଡ଼ ଛିଣ୍ଡି ପଡ଼ିଛି।

ମା-         ପୁଅ ତ ଗଲା , ଭୁଆସୁଣୀ ଝିଅକୁ ବି ଘରୁ ତଡ଼ିଲ, ଏଣିକି ତମ ରାଗ ଛିଣ୍ଡେଇବତ ମୋ ଉପରେ । ମୁଁ ଏତେ କଥା ସହିପାରିବି ନାହିଁ। ତମ ଦାଉ ମଣିଷ ସମ୍ଭାଳି ଏ ଘରେ ଚଳିପାରିବି ନାହିଁ। ମତେ ଘର କରିବା ଶିଖୋଉଛନ୍ତି, ପୁଅ ଗଲା, ଝିଅଗଲା, ତମରି ଯୋଗୁଁ; ଆଉ ମୁଁ? ମୁଁ ବି ଯାଉଛି, ମୋର କଣ କେହି ନାହାନ୍ତି କି? ତମେ ,ତମେ ତମର ଘରେ ବସିଥା –ମୁଁ ଯାଉଛି ମୋ ବାପଘରକୁ।

(ଏହା କହି ମା ଖସିଲେ- ମହେନ୍ଦ୍ରବାବୁ କାବା ହୋଇ ଅନେଇଛନ୍ତି- ଉଠିପଡ଼ି)

ମହେନ୍ଦ୍ରବାବୁ-   ହଇ କିଏ,ଯାଉଛ କୁଆଡ଼େ ମ? ମାଇଲେ ମଣିଷକୁ –ହଇକିଏ ଆସ-ଭୁଃ, କି କାଳ ଏ!!




+ -

© Jataayu Charitable Trust
Site designed,developed & maintained by Tekons