ତୃତୀୟ ଅଙ୍କ
(ପ୍ରଥମ ଅଙ୍କର ସେଇ ଘରଟା ପୁଣି ଆଉ ଥରେ ଦର୍ଶକର ଆଖି ଆଗରେ। ଘରର ଦୃଶ୍ୟ ଆରଥର ଯାହା ଥିଲା –ଏଥର ସେଥିରେ ପ୍ରାୟ କିଛି ପରିବର୍ତ୍ତନ ହୋଇନଥିଲା ପରି ଜଣାଯାଉଚି। କେବଳ ଏଥର ଶୋଇଲା ଘରର ଆଲୁଅଟା ଜଳି ଉଠିଚି, ମା ବସି ପାନଭଙ୍ଗା ସରଞ୍ଜାମ ସବୁ ଧରି ଗୁଆ କାଟୁଛନ୍ତି; ଆଉ ବନ ପାଖରେ ବସି ପାନରେ ଚୂନ ଲଗାଉଚି)
ମା- ନାଁ,ଯିଏ କିମିତି ହବ, ତୁ ଆଗରୁ କହିଲୁ ନି?
ବନ- ଆଗରୁ ତ ମତେ ପଚାରି ନଥିଲ।
ମା- ନ ପଚାରିଲେ କଣ ହେଲା,ତୁ କଣ ଜାଣି ନଥିଲୁ?
ବନ- ମୁଁ ଜାଣିବା ସାଙ୍ଗରେ କଥା ନାହିଁ, ମତେ ତମେ ଦିନେ କରି ତ କହିନାହଁ।
ମା- ନ କହିଲେ କଣ ହେଲା, ଆମେ ଜାଣିଲୁ ତୁ ଜାଣିବୁ, ତୋର ଏଥିରେ ଅମତ ନାହିଁ।
ବନ- ବେଶ୍ ତ, ମନେ ମନେ ସବୁ ଠିକ୍ କରି ଯାଉଥା –କାଇଁ,ତମେ ମନେ ମନେ ଜାଣିଲ ମୁଁ ଜାଣିଚି ବୋଲି, ମନେ ମନେ ଠିକ୍ କରିଦେଲ ମୋର ଆପତ୍ତି ନାଇଁ ବୋଲି, ବାସ୍, କାମ ସଇଲା, ବେଶ୍ ବୁଦ୍ଧିତ- ଆଉ ମତେ ଟିକିଏ ପଚାରିବାକୁ ହେଲା ନାହିଁ?
ମା- ନୋଇଲେ ନାଇଁ ଯା- ତମର ଖାଲି ବେଶି ବୁଦ୍ଧି ଛିଣ୍ଡି ପଡୁଛି । ଏକଥା କିଏ କାହାକୁ ପଚାରୁଥାଏ? ତମ ବେଳକୁ ନୂଆ କଥା। ସେ ଟୋକାଟା ଯିମିତି ହଉଚି ତୁ ବି ସିମିତି ହେଲୁଣି, କୁଆଡ଼େ ଗଲା ସେ ଟୋକାଟା,ଦଶଟା ବାଜିଲାଣି-ଖାଇ ନଥିବ;ଏ ଶୀତରେ କୁଆଡ଼େ ବୁଲିଥିବ। ୟାଙ୍କ କଥା ସବୁ ସିମିତି-ଖାଲି ହୁଙ୍କାପିଟା କାମ- ତାକୁ କଣ କହିଲେ ଯେ…। ସେ ଟୋକାବି କମ୍ ନୁହେଁ,ସିଏ ତେହିଁକି ଆରକ।
ବନ- ନା, ବୋଉ, ମୁଁ କହି ଦେଉଚି, ମୋର ସେଥିରେ ରାଜି ନୁହେଁ।
ମା- କାଇଁକି? କଣ ଧନ ନାଇଁ, ନା ମାନ ନାଇଁ?ପାଟଣା ଯାଇ ସେଠି ଭଲରେ ପାଶ୍ କରି ଆସିଲା। ଘରଦ୍ବାର ସବୁ ଭଲ-ଦେଖିବାକୁତ କେଡ଼େ ସୁନ୍ଦର- ଆଉ ତୋ ମନଲାଖି କିଏ କୋଉଠୁ ଗୋଟିଏ ସରଗରୁ ଆଣିବ? ତୋ ବାପ ତ ଖୋଜି ଖୋଜି ସେଇଠି କରିଚନ୍ତି, ଏଥିରେ ତୋର ଏଡ଼େ ଆପତ୍ତି ଓଜର କାଇଁକି?
ବନ- ନାଇଁ, ବୋଉ, ବାପାଙ୍କୁ ମନା କରିଦିଅ- ମୋର ଆଦୌ ସେଠି ବାହା ହେବାକୁ ମନା ନାଇଁ।
ମା- ତମରି ବେଳକୁ ସବୁ ନୂଆପାଠ ବାହାରୁଚି।ହଇଲୋ ତୋ ମୁହଁରେ ଟୋପାଏ କରି ଲାଜ ନାହିଁ, ତୁ ଏଇ ସରମ କଥା ଗୁଡ଼ାକ ମୁହଁ ଖୋଲି କହୁଚୁ? ତତେ ଲାଜ ମାଡୁନାହିଁ,ତୁ ଏ କଥା ତୁଣ୍ଡରେ ଧରୁଛୁ ଫେର୍ ଆପେ ଆସି ତୁ ମୋ ଆଗରେ କହୁଚୁ। ଯାହା କହୁଥିଲି ଯୁଗ ଓଲଟା ହେଲା, ସତ ସେ କଥା; ଆମବେଳେ ବାହାଘର କୋଉଁଠି ହବ, ମଙ୍ଗଳ ଦିନ ଯାଏ, ଆମେ ଜାଣି ନ ଥାଉଁ। ବାହାଘର କଥା ପଇଲେ କୋଉଠି ଯାଇ କୋଉ କଣରେ ଲୁଚୁ।ଏସବୁକୁ ତମର ନୂଆ କଥା- ଏଠା ମୋ ମନକୁ ପାଉନାହିଁ , ସେଠି ହେବ ନାଇଁ, ମୋ ମାଆଲୋ , ଦେଖ କେତେ କଥା । ହଇଲୋ, ତୁ ଝିଅ ଜନମ ପାଇବୁ କଣ ବର ବାଛିବୁ ବୋଲି? ଆପଣା ବରଘର ଆପେ ଖୋଜିବୁ ବୋଲି? ଏ କଥା ତ କାନ ଶୁଣି ନଥିଲା। ତୁ କଣ ଦୁଃଖରେ ଭାଙ୍ଗି ପଡୁଚୁ ଯେ ତୋର ଏତେ କଥା, ଯାହାର ତ କେହି ନାହାନ୍ତି, ସେ ତ ନିଜେ ଖୋଜୁନାଇଁ । ତୋର କିଏ ବାପା ନାହାନ୍ତି କି ଭାଇ ନାହାନ୍ତି ଯେ ଫେର୍ ତୁ ଏକଥା କହୁଚୁ?
ବନ- ସେ ଯାହା ହେଉ, ତମର ନିହାତି ଭୁଲ୍ ହୋଇଚି, ମୋତେ ନ ପଚାରି।
ମା- ଭୁଲ୍ ହେଲେ ହେଲା ଯା; ତୁ ଏକା ବାହା ହଉଚୁ ନା ଆଉ କିଏ ବାହା ହେଉଚନ୍ତି। ଝିଅ ପୁଅଙ୍କୁ ପଚାରିବ କାଇଁକି? ଆଜିକାଲି ତ ଚଳନି ହୋଇଗଲାଣି , ବର କନିଆକୁ ନ ଦେଖିଲେ ବାହା ହଉ ନାହାନ୍ତି। ଏ, ଝିଅ ଇମିତି କହିବା କଥା ତ କେବେ କାନ ଶୁଣିନାଇଁ।
ବନ- ବୋଉ, ମୁଁ ସଫା କହି ଦେଉଚି, ସେଠି ମୋର ଆଦୌ ରାଜି ନାହିଁ ।
ମା- ମୁଁ ଏତେକଥାକୁ ପାରିବି ନାହିଁ । ତମ ମନ ଯାହା ସେଇୟା କର। କହି ଦେଉଚି- ସିଏ ଯାହା କରନ୍ତୁ। ଏଥିକି ତ ହାତଗୋଡ଼ ପାଉନାହି-ତୋ ରାଜିଯୋଉଠି ସେଠି ବାଛି ବାହା ହ।
(ଏହି ସମୟରେ ମହେନ୍ଦ୍ରବାବୁଙ୍କ ପ୍ରବେଶ)
ମହେନ୍ଦ୍ରବାବୁ- କ’ଣ କ’ଣ କଥା କ’ଣ ? (ସମସ୍ତେ ନୀରବ) କ’ଣ କହୁ ନ ?
ମା- ନାହିଁ, କିଛି ନାହିଁ।
ମହେନ୍ଦ୍ରବାବୁ- କ’ଣ କଥା ପଡ଼ିଥିଲା, ପଚାରିଲା ବେଳକୁ କ’ଣ ନାଁ କିଛି ନାହିଁ।
ମା- ତମରି କଥା ପଡ଼ିଥିଲା,ବାର ଅଡୁଆ ଆଣି ଥୋଇବ।
ମହେନ୍ଦ୍ରବାବୁ- କଣ ଅଡ଼ୁଆ ଆଣି ଥୋଇଲି?
ମା- ବିଶୁ କୁଆଡ଼େ ଗଲା ଦେଖିଲ?
ମହେନ୍ଦ୍ରବାବୁ- ସିଏ ଯୁଆଡ଼େ ଯାଉ, ତମେ ସବୁ ବିଗାଡ଼ି ବସୁଚ-ଏଡ଼େ ବଡ଼ ଟୋକାଟାଏ କ’ଣ ହଜିଯାଉଛି? ଯାଉ, ବଳେ ଦିନେ ଦି’ ଦିନ ବୁଲି ଫେରିଆସିବ ନାହିଁ କି? ସିମିତି ହେଲେ ସାଧ୍ୟ ହୋଇଯିବ।
ମା- ହଉ, ତମ ମନ ଯାହା ସେଇୟା-