ଜଉଘର




ମହେନ୍ଦ୍ରବାବୁ-   ଚୁପ୍‌ ହୋ, ବେଶି କଥା କହି ଶିଖି ଯାଉଚି।

ବିଶ୍ବମ୍ଭର-      ରାଗିବାର କାରଣ କିଛିନାହିଁ, ବାପା –ମୋର କହିବାର ଯାହା ଅଛି, ତା ଶୁଣନ୍ତୁ- ଆପଣ ଛାତ୍ରମାନଙ୍କ ପକ୍ଷରେ ଧର୍ମଘଟ ଅସୁନ୍ଦର, ସବୁଠାରେ ତ ଚିତ୍କାର କରି ଆସୁଛନ୍ତି କିନ୍ତୁ ମୋତେ କୁହନ୍ତୁ ତ ଧର୍ମଘଟ ବିନା ଛାତ୍ରମାନଙ୍କର ଅଭାବ ଅଭିଯୋଗ ସୁଧାରିବା ପାଇଁ ଆପଣ ଅନ୍ୟ କି ପନ୍ଥା ରଖିଛନ୍ତି? ଆପଣ ଛାତ୍ରମାନଙ୍କର କେତେଟା ଅଭାବ ଅଭିଯୋଗ ମେଣ୍ଟାଇଥାନ୍ତି?

ମହେନ୍ଦ୍ରବାବୁ-   ତମରି ଖାଲି ଅଭାବ ଅଭିଯୋଗ ଗୁଡ଼ାକ ବଳେଇ ପଡ଼ୁଚି, ଆମେ ତ ଫେର୍ ଦିନେ ଛାତ୍ର ଥିଲୁଁ, ପାଠ ପଢ଼ୁଥିଲୁ। ଆମର ତ କିଛି ନଥିଲା, ତମରି ବେଳକୁ ସବୁ ହଉଚି। ଅସଲ କଥା ତମର ପାଠ ପଢ଼ିବାକୁ ମନ ନାଇଁ। ଆମବେଳେ ପ୍ରଫେସର ଯଦି ଅନ୍ୟାୟରେ ଦଶ ବେତ ମାରନ୍ତି, ତେବେ ବି ଆମ ପାଟିରୁ କଥା ପଦେ ବାହାରୁ ନଥିଲା- ୟାଙ୍କୁ ଦେଖ- ପ୍ରଫେସରଙ୍କ ଆଗରେ କି ଫାଜିଲ ଚଲାକ ହୋଇ କଥା କହୁଚନ୍ତି।

ବିପ୍ରବାବୁ-   ନା, ନା, ଆପଣ ରାଗନ୍ତୁ ନାହିଁ, ଟୋକାଳିଆ ବୁଦ୍ଧି କହୁ-କହୁ-

ମହେନ୍ଦ୍ରବାବୁ-  ନାଁ, ଦେଖୁଚ ନା ତା ବ୍ୟବହାର-ପିଲା ହେଇଚି-ନାଇଁ?

ବିଶ୍ବମ୍ଭର-      ବାପା, ମୋ କଥାରେ ରାଗିବାର କାରଣ ତ କିଛି ଦେଖୁନାଇଁ, ମୋ କଥା ଯଦି ନ ଶୁଣିବେ, ତେବେ ମୋତେ ଏଠିକି ଡାକିବାର ତ କୌଣସି ଆବଶ୍ୟକ ନଥିଲା। ମୁଁ କହିସାରେ, ମୋ ଯୁକ୍ତିରେ କେଉଁଠି ଅନ୍ୟାୟ ହୋଇଚି ଆପଣ କହିଦେଲେ ତ ହେବ। ଛାତ୍ରମାନେ ବାଧ୍ୟ ହୋଇ ଶ୍ରମିକଙ୍କ ପରି ଧର୍ମଘଟ କରୁଛନ୍ତି। ଆପଣମାନେ କହନ୍ତି ଯେ ଛାତ୍ରସମାଜରେ ଅସାଧୁ ଓ ନୈତିକତାହୀନ ବାୟୁମଣ୍ଡଳ ସୃଷ୍ଟି କରାହୋଇଛି କିନ୍ତୁ ମୋ ମତରେ ଠିକ୍‌ ଏହାର ବିପରୀତଟାରେ ସଭ୍ୟତା ଅଛି। ଧର୍ମଘଟ ସମୟରେ ଶିକ୍ଷକମାନେ ଓ କର୍ତ୍ତୃପକ୍ଷ କେତେକ ଛାତ୍ରଙ୍କୁ ନାନାପ୍ରକାର ପ୍ରଲୋଭନ ଦେଖନ୍ତି-ଏଇଟା କଣ ସାଧୁତା? ନୀତି ବିରୋଧୀ ନୁହେଁ? ଏତ ଗଲା ସାମାନ୍ୟ କଥା-ଏଠାରୁ ବଳି କଦର୍ଯ୍ୟ କଥା ହଉଚି ସେ ଯଦି କୌଣସି ଛାତ୍ର ଧର୍ମଘଟରେ ଯୋଗଦେଲା –କି ପ୍ରଫେସରଙ୍କ ସାଙ୍ଗରେ ତାର ମତଦ୍ବୈଧ ହେଲା, ତେବେ ଗରିବ ବିଚାରର Freee studentship କି Scholarship କଟିଲା, ଅଥଚ ଧନୀ ପିଲାଙ୍କର ସେ କ୍ଷେତ୍ରରେ କିଛି ହୁଏନାହିଁ। ଏହାର ପ୍ରାଞ୍ଜଳ ଅର୍ଥ ନୁହେଁ କି ଯେ, ଯେହେତୁ ସେମାନେ ଗରିବ, ସେମାନଙ୍କର ସ୍ବାଧୀନତା ନାହିଁ, ସେମାନେ କ୍ରୀତଦାସ-ତାଙ୍କ ମନର ସ୍ବାଧୀନତା ନାହିଁ, ସେମାନେ ସେମାନଙ୍କର ସ୍ବାଧୀନ ମତବ୍ୟକ୍ତ କରିପାରିବେ ନାହିଁ। ଏହାଠାରୁ ବଳି ବଳି କଦର୍ଯ୍ୟ କଥା, ନୀଚ କଥା କଣ ଥାଇପାରେ । କର୍ତ୍ତୃପକ୍ଷ ଆମକୁ ଶିକ୍ଷା ଦେଉଛନ୍ତି ଦ୍ବିରୂପ ହେବାକୁ-Hypocrite ହେବାକୁ, ଏହା କଣ ଶିକ୍ଷା ? ଏହା କର ନୈତିକତା?ଆଉ ଏହି ଶାସନ ବିରୋଧରେ , ଏହି ଶିକ୍ଷା ବିରୋଧରେ ଆପତ୍ତି ଅଭିଯୋଗ  କଲେ, ଦୋଷ ଛାତ୍ରଙ୍କର;ଏଥିରେ ସେମାନେ ହେବେ ଅସାଧୁ, ନୈତିକତାଶୂନ୍ୟ!।

ବିପ୍ରବାବୁ-   ହଁ,ବର୍ତ୍ତମାନ ତମେ ଯୁବକ। ଆଦର୍ଶ ପଛରେ ଗୋଡ଼ାଉଚ। ପ୍ରକୃତ କର୍ମକ୍ଷେତ୍ରକୁ ଆସ, ତମର ଏ ଆଦର୍ଶ କୁଆଡ଼େ ଯିବ। ଦୁନିଆ ବାବା ବଡ଼ ଜଟିଳ-ସଂସାର ଇମିତି ହେଇଚି, ତମକୁ ଦ୍ବିରୂପ ହେବାକୁ ପଡ଼ିବ-

ବିଶ୍ବମ୍ଭର-   ହଁ, ଠିକ୍‌, ସେଇଯୋଗୁ ତ ଦୁଇଯୁଗର ଲୋକଙ୍କ ମଧ୍ୟରେ ଏ ସଂଘର୍ଷ-କର୍ତ୍ତୃପକ୍ଷ ଓ ଛାତ୍ରଙ୍କ ଭିତରେ ଏ ଟଣାଓଟରା । ଆମେ ଚାହୁଁ ସତ୍ୟ।ଭଲ ହେଉ, ମନ୍ଦ ହେଉ,ଅମେ ସତ୍ୟର ଉପାସନା କରିବୁଁ। ସାପକୁ ସାପ କହିବୁଁ, ବେଙ୍ଗକୁ ବେଙ୍ଗ କହିବୁ। ଆପଣ ଏଇଟା ଚାହାନ୍ତି ନାହିଁ। ଆପଣ ଚାହାନ୍ତି ତେନ୍ତୁଳି ଦେଖି ନାରଙ୍ଗ କହିବୁ-

ବିପ୍ରବାବୁ-   ହଁ ବିଶ୍ବମ୍ଭର,କଥାଟା ସତ, ମୁଁ ମାନୁଚି କିନ୍ତୁ ଯାହା କହ ମନକୁ ପାଉନାହିଁ । ଇମିତି ହୋଇ ସଂସାରରେ ଚଳିପାରିବ ତ?

ବିଶ୍ବମ୍ଭର-     ଓଃ,ସଂସାରରେ ଚଳିବା କଥା ? ସେଠି ବି ଆପଣଙ୍କ ସହିତ ଆମର ମତଭେଦ। ଆପଣ ଚାହାନ୍ତି ଯେ କୌଣସି ଉପାୟରେ ବଞ୍ଚି ରହିବାକୁ ଦାସତ୍ବ ସ୍ବୀକାର କରି, ଏପରି କି ପଶୁତ୍ବ ସ୍ବୀକାର କରି, କିନ୍ତୁ ଆମେ ଚାହୁଁ ପୂର୍ଣ୍ଣଜୀବନ।ଏପରି ଅର୍ଦ୍ଧଜୀବନ ନେଇ ଯାହା, ନ ନେଉ ବି ତାହା। ଯଦି ଆମେ ବଞ୍ଚିବୁ ତେବେ ମନୁଷ୍ୟ ପରି, ତାର ସମସ୍ତ ସ୍ବାଧୀନତା ନେଇ, ତା’ ନ ହେଲେ ଏକଦମ୍‌ ମୂଳପୋଛ-ଲୋପ। ଜୀବନ୍ତରେ ମରଣ ଭୋଗ କରିବାର ପକ୍ଷପାତୀ ମୁଁ ଆଦୌ ନୁହେଁ-ଅର୍ଦ୍ଧଜୀବନରେ ଆବଶ୍ୟକ ନାହିଁ।

ବିପ୍ରବାବୁ-  ହଁ;ସେ ଯାହା ହେଉ ଆଉ ଗୋଟାଏ କଥା ଦେଖ, ତମ ବାପା ସରକାରୀ ଚାକିରିଆ-ତମେ ଇମିତି ସାମ୍ୟବାଦୀ ତ ହେଲେ ହବ ନାହି, ଆଜି ତମେ ଯୋଉଁ ବକ୍ତୃତାଟି ଦେଲ, ପୁଲିସ ରିପୋର୍ଟ କଲେ,ବାପାଙ୍କ ଚାକିରି ଉପରେ ବାଧା ଆସିବ। ଆମେ ୟା ଆଗରୁ ସେଇ କଥା ପକେଇଥିଲୁ। ସେ ଆଉ ମୁଣ୍ଡଟେକି ବାଟ ଚାଲି ପାରୁନାହାନ୍ତି।

ବିଶ୍ବମ୍ଭର-  କ୍ଷମା କରିବେ। ମୁଁ ଏପରି କିଛି କାମ କରୁନାଇଁ ଯୋଉଥିରେ ଅନ୍ୟ କେହି ଲଜ୍ଜିତ ହେବେ। ମୁଁ ଯାହା ଅନୁଭବ କରିବି ତା ଲୁଚାଇ ଭଣ୍ଡାମିର ଆଶ୍ରୟ ନେବି? ଅସାଧୁ ହେବି? ମିଥ୍ୟାବାଦୀ ହେବି? ଏଇତ ଆପଣ ଚାହାନ୍ତି-ବାପାଙ୍କ ପାଇଁ ମୁଁ ଏଇସବୁ କରିବି-?

ମହେନ୍ଦ୍ରବାବୁ-   ତତେ ଏତେ ସ୍ନେହ କରି ବଢ଼ାଇଥିଲି, ପାଠ ପଢ଼େଇ ଏଡୁଟିଏ କଲି, ଏଇୟା କହିବାକୁ? ମୁଁ ତୋର ଅମଙ୍ଗଳ ଖୋଜୁଛି, ନା? ମୁଁ ତତେ ଅସତ୍‌ କରିବାକୁ ବସିଚି, ନା? ଗଲାଣି ସେଇଟା ବଜାରି ହେଇ ମ, ବିପ୍ରବାବୁ।

ବିପ୍ରବାବୁ-     ବିଶ୍ବମ୍ଭର, ତମେ କଥାଟା ବୁଝିପାରୁନ ଆଦୌ। ତମ ବାପା ତମ ପାଇଁ କେତେ କଷ୍ଟ ସହିଛନ୍ତି-ତମକୁ କେତେ ସ୍ନେହ କରନ୍ତି- ତମେ ସେସବୁ କଥା ଆଦୌ ଭାବୁନା। ତାଙ୍କ ପ୍ରତି ତମର ତ ପୁଣି ଗୋଟାଏ କର୍ତ୍ତବ୍ୟ ଅଛି। ତମେ ବୃଥାଟାରେ ତାଙ୍କ ମନରେ କଷ୍ଟ ଦେଉଚ-ଏଇଟା କଣ ଭଲ କଥା?




+ -

© Jataayu Charitable Trust
Site designed,developed & maintained by Tekons