ଜଉଘର




ମହେନ୍ଦ୍ରବାବୁ- ସେ ଜେଲ୍‌ ଯାଉ,ମରୁ, ସରୁ, ମୋର ଯାଏ କେତେ। ଆସୁ ଆଜି ସେ, ଥଣ୍ଡା କରି ଦେଉଚି। ବିପ୍ରବାବୁ ସତ କହୁଚି, ତାର ଇମିତି ବ୍ୟବହାର ଯୋଗୁଁ ମୁଁ ବାବୁ ଭାୟାଙ୍କ ଆଗରେ ମୁଣ୍ଡଟେକି ଚାଲିପାରୁନାହିଁ। କାଲି ପୁଲିସ ସାହେବ ସେଇୟା କହୁଥିଲେ, କଣ କହିବି, ସେ ଟୋକାଯଶ ଯୋଗୁଁ ମୋ ଚାକିରିରେ ବଦମାସୀ ହେବ। କୋଉଠୁ ଗୋଟାଏ ଘୋଡ଼ାମୁହାଁଟାଏ ଜନ୍ମ ହେଲା-

ମା-   (ଭୀଷଣ ଅପମାନିତା-ଦଳିତା ଫଣିନୀ-କିନ୍ତୁ ବିପ୍ରବାବୁ ଯେ ଅଛନ୍ତି, ସେହି ଗାରିଡ଼ିର ଭୟ। କାନ୍ଦ କାନ୍ଦ ହୋଇ)

ମହେନ୍ଦ୍ରବାବୁ-  ଆସୁ ସେ ଆଜି- ଦେଖି ଦଉଚି ତାକୁ, କିଛି ନ କହିଲାରୁ ଗୁଣ ବିକାଶୁଛି।

ବିପ୍ରବାବୁ-    ମୁଁ ତାକୁ ବୁଝେଇ କହିଲି, ବାବା, ରାଜନୀତିରେ ପଶନାହିଁ-ବୃଥାରେ ଜୀବନଟା ନଷ୍ଟ ହୋଇଯିବ- ପାଠପଢ଼ା ମାଟି ହୋଇଯିବ- ଯଦିବା ମିଶିବ, ତେବେ ପାଠପଢ଼ା ସାରି। ୟା ଭିତରେ ଇମିତି କୁଦିନାଚି ଖାଲି ପାଠପଢ଼ା ଖଇଚା କରିବା ଛଡ଼ା ଆଉ କିଛି ନାହିଁ। ସେ କାହିଁ ଆମ କଥାକୁ କାନେଇବ। ହେଃ, କି ବୁଦ୍ଧି ୟା ନାଁ? ତାଙ୍କ ରାଜନୀତିର ପ୍ରଧାନ କ୍ଷେତ୍ର ହୋଇଛି ସ୍କୁଲ କଲେଜ; ସେଇଠି ସମ୍ରାଜ୍ୟବାଦ, ସାମ୍ୟବାଦ ସବୁ ପ୍ରକାଶ ପାଉଛି। ସେଇଠି ଧର୍ମଘଟ, ସତ୍ୟାଗ୍ରହ,ଆଉ ଯେତେ ଯେତେ ଯାହା- କିମିତି ଗୋଟାଏ କଦର୍ଯ୍ୟ ବାୟୁମଣ୍ଡଳ ସୃଷ୍ଟି ହୋଇଛି-ଛିଃ। କଥା କଥାକେ ପ୍ରତିବାଦ, ଧର୍ମଘଟ-ଶୃଙ୍ଖଳା ନାହିଁ-ଶିଷ୍ଟତା ନାହିଁ।  ଗୋଟାଏ କଥା କହିଲେ ବୁଝିବେ ନାହିଁ-ଏଥିରେ ପାଠ ହବ କଣ?

ମହେନ୍ଦ୍ରବାବୁ-  ଆଉ କଣ କରିବି ବୁଦ୍ଧି ଦିଶୁନାହିଁ। ତାକୁ ବାରମ୍ବାର ମନାକଲି, -ସେ ସବୁ ଗୁଡ଼ାକରେ ପଶ ନାହିଁ। ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ;ଯିଏ ମନା ଘିନିବ ନାହିଁ ତାକୁ ଆଉ କଣ କରିବ କିଏ?

ବିପ୍ରବାବୁ-   ହଁ, ଭୁଲିଯାଉଚି ତ। କାଲି ସିଏ ଫେର୍‌ ଗୋଟାଏ ସଭାର ସଭାପତି ହେଉଛନ୍ତି। କାଲି ଗୋପାଳଜୀ ମଠରେ-

ମହେନ୍ଦ୍ରବାବୁ- ଚାକରଙ୍କ ସଭା ନା ? ହେଃ ଏଣେ ପଛେ ନିଜ ଘରେ ଚାକରଙ୍କ ଆତ୍ୟାଚାର କହିବାର ନାହିଁ, ସେଣେ ପୁଅ ଆମର ଚାକରଙ୍କ ସଭା କରି ତାଙ୍କୁ ମତଉ ଥାଆନ୍ତୁ। ଲାଜ ମାଡୁନାହିଁ ତାକୁ।

ମା-       ଚାକରଗୁଡ଼ାକ କାହିଁକି ଇମିତି ଅବୋଲକରା ହଉଛନ୍ତି କି-ଖାଲି ତାରି ଯୋଗୁଁ। ଚାକରଙ୍କ ଆଗରେ ତ ତାକୁ ବାପ ମା ବି ଦିଶିବେ ନାହଁ।

ମହେନ୍ଦ୍ରବାବୁ-   ରହିଥା ଆଜି ଆସୁ, ତା ଚାକର ସୁଆଗ ବାହାର କରି ଦେଉଛି-ତା ବକ୍ତୃତା ଦେବା ଛଡ଼େଇ ଦଉଛି।

(ଏହି ସମୟରେ- ସମୟ ସନ୍ଧ୍ୟା ସାଢ଼େ ଛଅଟା- ବନ ଜଳଖିଆ ପ୍ଲେଟ୍‌ ଓ ପାଣି ଗିଲାସ ଆଣିଲା- ପ୍ରଫେସର ମନା କରୁଥାନ୍ତି ପରଦା ପତନ)

ଦ୍ବିତୀୟ ଅଙ୍କ

(ଘିରରର୍‌-ଟିଂ-ଟିଂ-ଟିଂ –ପରଦା ଉଠିଲା- ଟିଂ – ଟିଂ -  ଟିଂ  -  ଟକ୍‌…ଟକ୍‌…ଟକ୍‌…ଟକ୍‌…ସାମନାରେ କାନ୍ଥଘଣ୍ଟାରେ ପେଣ୍ଡୁଲମ୍‌ଟା ଦୋଳି ଖେଳି ଚାଲିଛି…ଗୋଲାପି ରଙ୍ଗର ବିଜୁଳି ଆଲୁଅ ଘର ଗୋଟାକୁ ଉଛୁଳେଇ ପକାଉଛି। ଘରର କାନ୍ଥକୁ ଅନାଇଲେ ଜଣାପଡୁଛି ଯେ ଅଳ୍ପ ଦିନ ହେଲା ସେଥିରେ ନେଳିଆ ରଙ୍ଗ ଦିଆଯାଇଛି…

ମଧ୍ୟ ଭଳିଆ ଆକୃତିର ଘରଟିଏ। ଚୌକି ପାଞ୍ଚ ଛ’ରୁ କମି ନୁହେଁ । ବଡ଼ସାନ ଟେବୁଲ୍‌ ଦୁଇ ତିନିଟି; ଖଣ୍ଡେ ଦୁଇଖଣ୍ଡ ଖବରକାଗଜ ଓ ମାସିକ ପତ୍ରିକା ବି ତା ଉପରେ ଥୁଆ ଗୋଟାଏ କରକୁ ଚାରିଫୁଟିଆ ଗୋଟାଏ ଆଲମାରି…କାଚଦିଆ, କେତେ ଖଣ୍ଡ ବହି ତା ଭିତରେ ଖୁନ୍ଦାଖୁନ୍ଦି ହୋଇ ଦ୍ବିତୀୟ ଅନ୍ଧକୂପ ହତ୍ୟାକାଣ୍ଡ ସୃଷ୍ଟି କରୁଛନ୍ତି।

ବୈଠକଖାନା?...ବୋଧହୁଏ ସେୟା। କାନ୍ଥରେ କେତେ ଗୁଡ଼ାଏ ଚିତ୍ର-ଭଲ ବନ୍ଧାଇ; ଆଉ କେତେଗୁଡ଼ାଏ ନୀତିବାକ୍ୟ-ଚିତ୍ର ଭିତରୁ କେତେଟା ପ୍ରାକୃତିକ ଦୃଶ୍ୟ-ଆଉ ଅଧିକାଂଶ ମାମୁଲି ଧରଣର, ନୀତିବାକ୍ୟ ଗୁଡ଼ାକ ବି ମଧ୍ୟଯୁଗର,କେବଳ ସାମନା କାନ୍ଥରେ ବନ୍ଦିନୀ ଭାରତମାତାର ଚିତ୍ର ଓ ତାର ପାଦ ଦେଶରେ ‘ବନ୍ଦେମାତରଂ’ଲେଖା ହୋଇଥିବା ଦୁଇଟି ବନ୍ଧାଇ, ଖୁବ୍‌ ସୁନ୍ଦର ଓ ଚିତ୍ତାକର୍ଷକ।

ଗୋଟାଏ କ୍ୟାଲେଣ୍ଡର ମଧ୍ୟ- ଆଲମାରି ପାଖକୁ ଗୋଟାଏ ରେଡ଼ିଓ ସେଟ୍‌; ତା ସାମନାରେ ଚୌକି ଖଣ୍ଡେ- ବନ ସେଥିରେ ବସିଛି।

ନିଶ୍ଚୟ ମହେନ୍ଦ୍ରବାବୁଙ୍କର ଘର-  ରେଡ଼ିଓରୁ ଜଣେ ଗୋଟାଏ ଗୀତ ଶୁଣାଯାଉଛି, ଖୁବ୍‌ ସ୍ପଷ୍ଟ ନୁହେଁ, ବନ ସେଇଠି ଖଣ୍ଡେ ଖବରକାଗଜ ଦେଖୁଛି।

ଏହି ସମୟରେ ଜଣେ  ଯୁବକ ସେହି କୋଠରୀରେ ପ୍ରବେଶ କଲେ-ବର୍ଷ ବାଇଶ୍‌ ତେଇଶ୍‌ ହେବ, ଧୋତି ଓ ପଞ୍ଜାବୀ ସବୁ ଖଦଡ଼ର, ଗୋଡ଼ରେ କାବୁଲି ଚଟି, କେଶ ବିନ୍ୟାସରେ ବିଶେଷ ଯତ୍ନ ନଥିଲା ପରି ବୋଧ ହେଉଛି।

ମୁହଁରୁ ତାଙ୍କର ବେଶ୍‌ ଜଣାଯାଉଛି ଯେ ଟିକିଏ କ୍ଳାନ୍ତ ହୋଇପଡ଼ିଛନ୍ତି-କିନ୍ତୁ ଯେପରିକି ସେ ଶାରୀରିକ ଅବସାଦକୁ ପରାହତ କରି କେଉଁ ଏକ ନୂତନ ଦିବ୍ୟଭାବର ଆଲୋକ ତାଙ୍କ ମୁଖମଣ୍ଡଳରେ ଉଦ୍‌ଭାସିତ।

(ଯୁବକ ଘରର ସାମନା ଦରଜା ବାଟେ ପ୍ରବେଶ କରି ଅନ୍ୟ ଦରଜା ବାଟେ ଚାଲି ଯିବାକୁ ବସିଛନ୍ତି,ଏହି ସମୟରେ-)

ବନ-   ଭାଇ ଶୁଣ, ଶୁଣ-  ଭାରି ବ୍ୟସ୍ତ ଦେଖାଯାଉଛ।

ବିଶ୍ବମ୍ଭର- ଗୋଟାଏ ସଭାକୁ ଯାଇଥିଲି, ଏଇ ଫେରୁଛି।




+ -

© Jataayu Charitable Trust
Site designed,developed & maintained by Tekons