ଜଉଘର




ମହେନ୍ଦ୍ରବାବୁ-   ଆଉ କେମିତି ବୁଝେଇବି? ମୁଁ ଆଉ ବୁଝେଇ ପାରେନାହିଁ ତମେ ବୁଝେଇ ପାରିବ ଯଦି ବୁଝା, ଇଏ ଗୋଟାଏ ଗୋଟାଏ ଗ୍ରହ ଜନ୍ମ ହୋଇଛନ୍ତି ମତେ ଟିକି ଟିକି କରି ଖାଇବାକୁ । ୟାଙ୍କ ଦାଉରେ ଶହେ ବର୍ଷର ପରମାୟୁ ଦିନକେ ତୁଟିଯିବ । ବିରକ୍ତ କରି କରି ମନୁଷ୍ୟକୁ ମାଇଲେ। ଆଉ ଏ ଜୀବନରେ ଟିକିଏ ବୋଲି ଶାନ୍ତି ନାହିଁ । (ଟିକିଏ ଗୁମ୍‌ ମାରି)

ହେଁ, ଆଜି ମୁଁ ବିନାୟକ ବାବୁଙ୍କୁ ନିର୍ଭର ଜବାବ ଦେଇ ଆସିଲି, କିନ୍ତୁ ଦେଖ ୟାଙ୍କ କଥା ।ମୁଁ କୋଉ ମୁହଁରେ ଫେର୍‌ ମନା କରିବି? କୋଉ ମୁହଁରେ ଫେର୍‌ ତାଙ୍କ ସାଙ୍ଗରେ  ଆଉ ଥରକୁ ଆଉ ଥର କଥାବାର୍ତ୍ତା କରିବି ୟାଙ୍କରି ଯୋଗୁଁ ମୁଁ କାଲି ଏତେ ଅପମାନ ସହିବି? ଇଏ ବାହାହେଲେ କେତେ ନ ବାହାହେଲେ କେତେ, ହାଡ଼ି ଘରକୁ ଗଲେ କେତେ, ପଠାଣ ଘରକୁ ଗଲେ କେତେ,ୟାଙ୍କରି ସୁଖକୁ ଦେଖିବାକୁ ଧାଇଁ ଧାଇଁ ମୋର ଆଉ ଜୀବନରେ ଶାନ୍ତି ନାହିଁ। ଇଏ ଓଲଟି ମତେ କାଲୁବାଲୁ କରି ମାରିବାକୁ ବସିଛନ୍ତି। ୟାଙ୍କର ମୋ ପ୍ରତି ଟିକିଏ ହେଲେ ମାୟା ନାହିଁ କି ମମତା ନାହିଁ, ମୋର କାହିଁକି ୟାଙ୍କ ପାଇଁ ଏତେ ମୁଣ୍ଡ  ଘୂରୁଚି!

ବନ-   ଇମିତି ରାଗିବାର, ବାପା,କିଛି ଆବଶ୍ୟକ ନାହିଁ । ଆପଣ ଖାଲି ବୃଥାରେ ରାଗୁଛନ୍ତି। ଆପଣ ମୋ ବିଭାଘର ଠିକ୍‌ କରିଦେଇ ଆସିବା ଆଗରୁ ତ ମୋତେ ପଚାରି ନାହାନ୍ତି- ମୋର କିଛି ଦୋଷ ନାହିଁ

ମହେନ୍ଦ୍ରବାବୁ-   ନାହିଁ, ସବୁ ଦୋଷ ମୋର। ମୁଁ ତମକୁ ଜନ୍ମ କରିଛି ଯେତେବେଳେ(ମା ଟିକିଏ ମହେନ୍ଦ୍ରବାବୁଙ୍କ ଆଡ଼କୁ ଏହି ସମୟରେ ଅନେଇଲେ)ଦୋଷଯାକ ମୋର ହବନାହିଁ ହେବ କାହାର ? ତୋର ମତ ନ ନେଇ ଠିକ୍‌ କରିଦେଲି ଯେ ଗୋଟାଏ ଅପରାଧ କରିଦେଲି। ୟାର ବୁଦ୍ଧି ମୋଠୁ ବେଶି ନା? ଇଏ ମୋ ଠୁ  ବେଶି ବୁଝି ବିଚାରିପାରେ।ମୋଠୁ ଜନ୍ମ ହେଇ ମୋ ଆଗରେ କେମିତି ଫାଜିଲ୍‌ ଚାଲାକିରେ କଥା କହୁଚି ଦେଖ। ୟାର ଫେର୍‌ ଗୋଟେ ମତ ନେଇଥାନ୍ତେ! ମୋତେ ବୁଦ୍ଧି ବତଉଛି । ନ ନେଲେ କଣ ଯେ ମାରା ହେଇଗଲା?ତମେ  ମୋତେ ମାରିବାକୁ ଜନ୍ମ ହେଇଛ। ଯୋଉଦିନ ମୁଁ ମରିବି ସେଦିନ ତମ ମନ ଶାନ୍ତି ହେବ।

ମା-   ଆହା, ଅତି ଗୁଡ଼ାଏ କହି ଦେଇଯାଉଛ, ତୁନି ହୁଅ।

ମହେନ୍ଦ୍ରବାବୁ-  ଯା, ଯାହାପାର ତା କର, ମୁଁ ଆଉ ତମକୁ କିଛି କହୁନାର୍ହି। କୋଉଠୁ ଗୁଡ଼ାଏ ଜନ୍ମ ହେଲେ, ଘରର ମାନ ମର୍ଯ୍ୟାଦା ସବୁ ବୁଡ଼େଇଲେ ।

ମା-   ଯାଅ ତୁମେ ଶୋଇବ-ଆଉ ଗୁଡ଼ାଏ ବକର ବକର ହୁଅନାହିଁ।

 

ମହେନ୍ଦ୍ରବାବୁ-  ମତେ ଶୁଆଇ ଦେଉଛନ୍ତି ଯେ ମୁଁ ଶୋଇବି। ୟାଙ୍କରି ଯୋଗୁଁରୁ ତ ରାତିରେ ନିଦ ନାହିଁ କି ଦିନରେ ଭୋକ ନାହିଁ।

ବନ-  ବାବା, ମୋ ଉପରେ ବିରକ୍ତ ହେବାର କିଛି କାରଣ ନାହିଁ ମୋର ବିବାହରେ ମୋର ମତ ନେବା ଦରକାର।

ମହେନ୍ଦ୍ରବାବୁ-   ତୋର ମତ ନେବି?ତୋରି ମତରେ ବାହାଘର ହେବ?

ବନ- ଏତେ ବିଚଳିତ ହେବାର ଏ କଥା ନୁହେଁ , ମୋର ଯେଉଁଥିରେ ମଙ୍ଗଳ ହେବ, ମୁଁ ସେକଥା କହୁଛି-

ମହେନ୍ଦ୍ରବାବୁ-   ନାହିଁ, ତୋର ବାପା ମା ହୋଇ ଆମେ ଖାଲି ତୋର ଅମଙ୍ଗଳକୁ ଅଛୁ-ଆମେ ବାହାଘର ଠିକ୍‌ କଲେ ହେଲାନାହିଁ-ତୋର ମନ ମୁତାବକ ତୁ ବାହାଘର ଠିକ୍‌ କରିବୁ।

ବନ-    ହଁ ବାପା, ବାହାଘର ଜିନିଷଟା ସେହିପରି। ବର ଓ କନ୍ୟାର ମନ ଉପରେ ତା ସମ୍ପୂର୍ଣ୍ଣ ଛାଡ଼ିଦେବାର କଥା।

ମହେନ୍ଦ୍ରବାବୁ-  ଆମଠୁ ଜନ୍ମ ହେଇ ଆମକୁ ପାଠ ଶିଖେଇବାକୁ ଆସିଛୁ? ତୋରି ଏକା ମନ ଅଛି?ଦୁନିଆରେ କିଏ କୋଉଠି ଇମିତି ଝିଅକୁ ପଚାରି ବାହାଘର କରୁଚି ଝିଅର ମତରେ ବାହାଘର ହେବ, ଆଉ ବାପା ମା ଗାଧୋଇଯିବେ।

ବନ-    ବାପା ମୋର ବିଭାଘର ହେବ, ମୋର ମତ ଲୋଡ଼ାନାହିଁ, ଲୋଡ଼ା ବାପାମାଙ୍କର, ମୁଁ ନା ଆପଣ କାହାକୁ ମୋ ସ୍ବାମୀଙ୍କ ସହିତ ରହିବାକୁ ହେବ? ମୁଁ ଯଦି ମୋ ସ୍ବାମୀ ଙ୍କ ସହିତ ସୁଖରେ ରହି ନ ପାରେ ତେବେ ଜୀବନଯାକ ସେ ଦୁଃଖ, ସେ ଅଶାନ୍ତି କାହାକୁ ଭୋଗ କରିବାକୁ ହେବ? ଆପଣଙ୍କ ଭୁଲ୍‌ ଲାଗି ମୋତେ ହିଁ ସବୁ ଦୁଃଖ ସହିବାକୁ ହେବ।

ମହେନ୍ଦ୍ରବାବୁ-  ଚୁପ୍‌ ହୋ, ନା, ତୋତେ ସେଠି ନିଶ୍ଚୟ ବିଭା କରିବାକୁ ପଡ଼ିବ ।

ବନ-  କଦାପି ନୁହେଁ।

ମହେନ୍ଦ୍ରବାବୁ- ଅଲ୍‌ବତ୍‌

ବନ -  କେବେ ନୁହଁ।

ମହେନ୍ଦ୍ରବାବୁ- ଅଲ୍‌ବତ୍‌,ଅଲ୍‌ବତ୍‌-ଦେଖିବି ତମର ସଇତାନି କେତେ ଦୂର ଯାଉଛି।

ବନ-  ବାପା ମୁଁ ସେଠି ବାହା ହେବିନାହିଁ-ଏଇଟା ମୋର ସ୍ବାଧୀନ ମତ।

ମହେନ୍ଦ୍ରବାବୁ- ତୋର ସ୍ବାଧୀନ ମତ? ଏଇ ସ୍ବାଧୀନତା ପାଇଲୁ କୋଉଦିନୁ?

ବନ-   ବହୁତ ଦିନୁ ବାବା, ବହୁତ ଦିନୁ-ଯୋଉଦିନ ମୁଁ ଭାବିବାକୁ ଶିଖିଛି , ସେହିଦିନୁ।

ମହେନ୍ଦ୍ରବାବୁ-  ବନ,ଦେଖ ମୁଁ ଶେଷ ଥର ପାଇଁ ପଚାରିଦେଉଛି ଭଲରେ ତୁ ସେଠି ବାହା ହେବୁକି ନାହିଁ?

ବନ-   ନା।

ମହେନ୍ଦ୍ରବାବୁ-  ନା?ଆଚ୍ଛା ଦେଖାଯାଉ, ତୁ କେତେଦୂର କଣ କରିପାରୁ?ତୋ କପାଳରେ ଅଛି ଗିରିଶବାବୁଙ୍କ ଝିଅପରି ସେମିତି ହାତଗୋଡ଼ ବନ୍ଧାହୋଇ ବାହାହେବୁ।




+ -

© Jataayu Charitable Trust
Site designed,developed & maintained by Tekons