ମହେନ୍ଦ୍ରବାବୁ- କାହିଁକି ଏମିତି ବ୍ୟସ୍ତ ହେଉଛ ଯେ? ଏଇଖିଣି ଦି’ ଦିନ ବୁଲିବ ସେ- ସେଇଠୁ, ପେଟ ଶୁଖିଲେ ବଳେ ଆସିବ ନାହିଁ, ଯିବ କୁଆଡ଼େ? କୋଉଠି କିଏ ଇମିତି ଚାଲିଗଲାଣି ନା ସିଏ ଯିବ?
ମା- ଆମ ଗାଁରେ ଇମିତି ସିମିତି ଗୋଟାଏ ଟୋକା ଘରୁ ରାଗି କରି ପଳେଇଲା ଯେ ଗଲା ସିଆଡ଼େ-ରେଙ୍ଗୁନ ରାଇଜ ସାତ ସମୁଦ୍ର ପାର ହୋଇ ପଳେଇଲା। ସେଇଠି ତ ଘରଦ୍ବାର,ପୁଅ ମାଇପ କରି ରହିଲାଣି , ଆଉ ସେ ଘର ମୁହଁ ଦେଖିବ?
ମହେନ୍ଦ୍ରବାବୁ- ଓ, ହୋ-(ବଡ଼ ହସଟାଏ ହସି ଆସୁଥିଲେ)
ମା- ତେମେ ସବୁ ଯାକ ଅଡ଼ୁଆରେ ହାତ ଭରତି କରୁଥାଅ। ସମାଜ ତମେ କି ବରଘର ବୁଝିଲ ଯେ ବନ-
ମହେନ୍ଦ୍ରବାବୁ- କଣ ହେଲା ବନ…କଣ ହେଲା ସେଇଠୁ…କହୁନ-ବସିଲ କାହିଁକି ଚୁପ୍ ହେଲ…?
(ଏହି ସମୟରେ ବନ ସେ ଘରୁ ଉଠି ଚାଲିଗଲା)
ମା- ସେ କହୁଛି ସେ ସେଠି ବାହା ହବ ନାହିଁ।
ମହେନ୍ଦ୍ରବାବୁ- କହୁଚି ସେଠି ବାହା ହେବ ନାହିଁ
ମା- ହଁ, ମତେ ଏଇଲାଗେ ସେଇଆ କହୁଥିଲା।
ମହେନ୍ଦ୍ରବାବୁ-କାହିଁକି?କାହିଁକି ମ? କଣ,କଥା କଣ?
ମା- ମୁଁ ଜାଣିଛି କାହିଁକି?
ମହେନ୍ଦ୍ରବାବୁ- ତମେ ଜାଣିନ ଆଉ କଣ ମୁଁ ଜାଣିଛି?
ମା- ଭଲା କଥା, ମୁଁ ଜାଣିଲି କେମିତି ହୁଏ…?
ମହେନ୍ଦ୍ରବାବୁ- ମ, ତମକୁ ସିଏ କହୁଥିଲା , କହି ନଥିବ ଫେର୍।
ମା- ଆଉ ଯୋଉଠି କଣ କହିଲା।
ମହେନ୍ଦ୍ରବାବୁ- ଆଚ୍ଛା ଏଠି ଖରାପ ହେଲା କଣ?
ମା-ସିଏ ଜାଣିଥିବ ।
ମହେନ୍ଦ୍ରବାବୁ- ତୁମେ ପଚାରିଲ ନାହିଁ।
ମା - ସିଏ କିଛି କହିଲା ନାହିଁ।
ମହେନ୍ଦ୍ରବାବୁ- ତୁମର ତ ଯେଉଁ ବୁଦ୍ଧି-ଛାଡ଼-
ମା- ନ ହେଲା ନାହିଁ।
ମହେନ୍ଦ୍ରବାବୁ-ହଇକିଏ ଇମିତି ଚଟି ଯାଉଛ କାହିଁକି?
ମା- ତମେ ନଇଲେ ସିମିତି କଥାଗୁଡ଼ାକ କହୁଛ- ସେତ କହିଲା ନାହିଁ-ମୋର ଦୋଷ କ’ଣ ହେଲା?
ମହେନ୍ଦ୍ରବାବୁ- ନା ମୁଁ କଣ କହୁଛି କି; ୟା ଭିତରେ କଅଣ କଥା ଅଛି ନା, ତମେ କିଛି ବୁଝିପାରିଲ ନାହିଁ-?
ମା- ମୁଁ ତାଙ୍କମାନଙ୍କ କଥାରେ ପଶି ପାରେନାହିଁ-
ମହେନ୍ଦ୍ରବାବୁ- କିଏ ତାକୁ କଣ କହି ଦେଇଥିବ ଯେ ସେଥିପାଇଁ କି ସିଏ ସିମିତି ହେଉଥିବ।
ମା- କେଜାଣି-କିଏ ଜାଣିଲା?
ମହେନ୍ଦ୍ରବାବୁ- ସବୁ କଥାକୁ ତୁମର ଗୋଟାଏ କେଜାଣି କିଏ ଜାଣିଲା । ତମେ ଜାଣିବ ନାହିଁ ଆଉ ଜାଣିବ କିଏ? ମା ହୋଇଚ ଖାଲି-
ମା- ହଁ, ମା ହୋଇଛି ବୋଲିତ ମୁଁ ଦୋଷ କରିଛି? ଯା,ଯା, କଅଣ ଫେର୍ ତୁଣ୍ଡକୁ ଆସୁଥିଲା ଯେ-
ମହେନ୍ଦ୍ରବାବୁ- କଅଣ ଗାଳି ଦେବ?
ମା- ନୋଇଲେ ଫେର୍, ମୋ ଦେହ ଜଳଉଚ!
ମହେନ୍ଦ୍ରବାବୁ- ମୋ ମା’ ଲୋ- ଘରକଥା ଫେର ଟିକିଏ ବୁଝିବ ନାହିଁ।
ମା- ନୋଇଲେ ତ ଘରକଥା ତମେ ସବୁ ବୁଝି ପକାଉଛ।
ମହେନ୍ଦ୍ରବାବୁ- କ‘ଣ ନ ବୁଝିଲ କି?
ମା- ଥାଉ, ଥାଉ, ତୁମର ସେ କଥା- ଏବେ ବିଶୁ କୁଆଡ଼େ ଗଲା ଯେ-
ମହେନ୍ଦ୍ରବାବୁ- ତୁମେ ଯିବଟି ଶୋଇବ-ଯାଅ ଖାଇବ-
ମା- ଶୋଇବି ଆଉ ନିଆଁରଡ଼; ମତେ ଖାଲି ଦହଗଞ୍ଜ କରି ମାରିବ, ଆଉ କିଛି ନାହିଁ- ସେ ବନୁଟା ତେହିଁକି।