ବିପ୍ରବାବୁ- ତେବେ ଆଉ କଣ? ଶୁଭସ୍ୟ ଶୀଘ୍ରମ୍।
ମହେନ୍ଦ୍ରବାବୁ- ହଁ, ଆଜି ବିନାୟକବାବୁଙ୍କୁ ନିର୍ଭର ଜବାବ୍ ଦେଇଆସିଛି-ଏଇମାସ ତିନି ଭିତରେ କରେଇ ନବା ମୋ ଇଚ୍ଛା-ସେଣିକି ଭଗବାନଙ୍କ ବରାଦ।
ବିପ୍ରବାବୁ- ବେଶ୍ ବେଶ୍ ଭଲକଥା-ଇମିତି ଜ୍ବାଇଁ, ଇମିତି ଘର ଆଉ ପାଇବେ ନା? ଜୋଇଁ ତ ବେଶ୍ ଶିକ୍ଷିତ, ଯୋଗ୍ୟ, ସଚ୍ଚରିତ୍ର। ଘରର ତ ବେଶ୍ ଭଲ ନାଁ ଅଛି । ଏ ସୁଯୋଗ ଆପଣ ଯିମିତି ନ ଛାଡ଼ନ୍ତି। ତେବେ ବନର ମତାମତ କ’ଣ ?
ମହେନ୍ଦ୍ରବାବୁ- ତାର ମତାମତ କ’ଣ? ୟାଠୁ ଆଉ ସୁବିଧା ଥାନ ମିଳିବ ଯେ ତାର ମତାମତ ପଚାରିବି? କାହିଁ, ସେ କଣ ଦୁଃଖରେ ପଡୁଛିକି?
ବିପ୍ରବାବୁ- ହଁ , ତା ନୁହେଁ ଆଉ କ’ଣ ? ଏଠି ତାର ମତାମତ ନେବା ଯାହା, ନ ନେବା ବି ସେୟା। ଏଥିରେ ସେ ଅମତ ହବ କାହିଁକି ଯେ!(ଏହି ସମୟରେ ବିଶ୍ବମ୍ଭର ଆସିଯିବାରୁ ସେ ବିଷୟଟା ଠକ୍କରି ବନ୍ଦ ହୋଇଗଲା) (ବିଶ୍ବମ୍ଭରର ନମସ୍କାର)
ବିପ୍ରବାବୁ- ବିଶ୍ବମ୍ଭର , ଆସ, ଆସ,ବସ। ତମ ସାଙ୍କରେ ବହୁତ ଗୁଡ଼ାଏ କଥା ଅଛି।(ବିଶ୍ବମ୍ଭର ଗୋଟାଏ ଚେୟାର ମାଡ଼ି ବସିଲା। କଥାଟା ଆଗ ବିପ୍ରବାବୁ ଆରମ୍ଭ କରିବେ ନା ମହେନ୍ଦ୍ରବାବୁ ଆରମ୍ଭ କରିବେ ଏ ଗୋଟାଏ ସମସ୍ୟା ହୋଇ ଉଠିଲା-କିଛିକ୍ଷଣ ସମସ୍ତେ ନୀରବ)
ମହେନ୍ଦ୍ରବାବୁ- ବିଶୁ, ବିପ୍ରବାବୁ କଣ କହୁଛନ୍ତି? ତୋର ଦିନକୁ ଦିନ ବୁଦ୍ଧି ମାଡ଼ି ଯାଇଛି। ତତେ ମୁଁ କେତେଥର ବାରଣ କଲିଣି, ତୁ ଯେ ବଜାରି ପିଲାଙ୍କ ସାଙ୍ଗରେ ମିଶିନା। ତୁ ବୁଝିପାରୁନୁ ତୋର ସ୍ଥାନ କୋଉଠି- ଆଉ ତାଙ୍କର ସ୍ଥାନ; କୋଉଠି। ତୋର କାମ ପାଠ ପଢ଼ିବା-ତୋର ଏତେ ଆଡ଼େ ମୁଣ୍ଡ ଖେଳୁଛି କାହିଁକି?
ବିପ୍ରବାବୁ- ଆମେ କହୁଚୁକି କଣ ନା, ତମର ଏଇଟା ହେଲା ଛାତ୍ରଜୀବନ। ଛାତ୍ରର ପ୍ରଧାନ କର୍ତ୍ତବ୍ୟ ହେଉଛି ପାଠ ପଢ଼ିବା, ବୁଝିଲ, ଏ ସମୟରେ ରାଜନୀତିରେ ପଶିବା କୌଣସି ମତେ ଉଚିତ୍ ନୁହେଁ । ରାଜନୀତିରେ ପଶ, ନେତା ହୁଅ- ସେଥିପାଇଁ ତମକୁ କିଏ ମନା କରୁନାହିଁ –କିନ୍ତୁ ବର୍ତ୍ତମାନ ନୁହେଁ। ସେଥିପାଇଁ ସମୟ ପଳାଉ ନାହିଁ – ବେଶ୍, ପଢ଼ାପଢ଼ି କରିସାର, ସେଣିକି ତମ ମନଇଚ୍ଛା ବକ୍ତୃତା ଦିଅ-କଂଗ୍ରେସରେ ମିଶି ଦେଶସେବା କର କିଏ ମନାକରୁଛି? ବର୍ତ୍ତମାନ ଛାତ୍ରଜୀବନ, ବର୍ତ୍ତମାନ ଏଥିରେ ଗୋଡ଼ ସେଥିରେ ଗୋଡ଼ ଦେଇ ମଝିରେ ବୁଡ଼ି ମରିବା କଥା। ଏଣେ ପାଠ ପଢ଼ିବା ହେବନାହିଁ କି, ସେଣେ ଦେଶସେବା ବି ହେବନାହିଁ-ଗୋଟାଏ କିଛି କର- ହୁଏ ତ ପଢ଼ା ଛାଡ଼ି ଦେଶସେବା କର-ନୋହିଲେ ଏ ଦିଗରେ ମନ ନ ଦେଇ ପାଠ ପଢ଼ାପଢ଼ି କର।
ମହେନ୍ଦ୍ରବାବୁ- କଣ ବିଶୁ, ଶୁଣୁଚୁ ନା, ସେ ତାଙ୍କର କହି ଯାଆନ୍ତୁ , ଆଉ ତୁ ଯୋଉତା କୁ ସେଇତା-
ବିପ୍ରବାବୁ- ମୁଁ ତୁମକୁ କହି ଆସିଛି- ରାଜନୀତି ବଡ଼ ଜଟିଳ ବିଦ୍ୟା। ଛାତ୍ର ଅବସ୍ଥାରେ ସେଥିରେ ପ୍ରବେଶ କରିବା ଆଦୌ ଉଚିତ୍ ନୁହେଁ। ଦେଖ ଘଟଣା କିପରି ହେଉଛି, ଶିଖ- ଏ କଣ କହୁଛି, ସେ କଣ କହୁଛି ଜାଣ,ଶୁଣ ସବୁ କର କିନ୍ତୁ ପରୋକ୍ଷଭାବରେ । Passive, ଖାଲି Theory, ବୁଝିଲ ବିଶୁ, କେବଳ Theory Active Politics ବର୍ତ୍ତମାନ ତୁମ ପକ୍ଷରେ Suitable ନୁହେଁ।
ମହେନ୍ଦ୍ରବାବୁ- ତୋରି ଯୋଗୁଁ ମୁଁ କାହା ଆଗରେ ମୁଣ୍ଡ ଟେକି ଚାଲି ପାରୁନାହିଁ। ପିନ୍ସିପାଲ ସେ ଦିନ ମତେ ସେ ଦିନ ମତେ ସେଇ କଥା କହୁଥିଲେ। ଏଇ ତ ବିପ୍ରବାବୁ ଦେଖିଲୁ କଣ କହିଲେ।ପୁଲିସ ସାହେବ ମୋତେ ୟା ଭିତରେ ଦିଥର କହି ସାରିଲେଣି-ତାଙ୍କ ଆଗରେ ମୁଣ୍ଡଟେକି କହିବାକୁ ମୋତେ ଏଣିକି ଲାଜ ମାଡ଼ିଲାଣି।
ବିପ୍ରବାବୁ- ସେ ବି ଗୋଟାଏ କଥା- ବାପ ସରକାରୀ ଚାକିରିଆ-ତୁ ଫେର୍ ଗୋଟିଏ ବୋଲି ପୁଅ-ତୁ ସିନା ବୁଝିପାରୁନୁ,ସେ ତତେ କେତେ ଭଲ ପାଆନ୍ତି।ସେ ସବୁବେଳେ ତୋର ଭଲ ପାଇଁ ଧାଇଁଛନ୍ତି। ତୁ କେମିତି ଭଲ ଖାଇବୁ, ଭଲ ପିନ୍ଧିବୁ, ଭଲରେ ରହିବୁ, ତୋ ଭବିଷ୍ୟତ ଜୀବନ କିମିତି ଭଲ ହବ, ସେ ହେଉଛି ତାଙ୍କର ଦିନରାତି ଚିନ୍ତା। ଏମ୍.ଏ.ଟା ପାଶ୍ କଲେ ତାଙ୍କ ଇଚ୍ଛା ତତେ ବିଲାତ ପଠାନ୍ତେ ,ତାଙ୍କରି ଆଗରେ ତୁ ଚାକିରି ପାଆନ୍ତୁ । ତୋର ସୁଖ ସେ ଦେଖିକରି ଯାଆନ୍ତେ।
ମହେନ୍ଦ୍ରବାବୁ- ସେ କଣ ତା ଭାବୁଚି କି? ତା ମନକୁ ଯାହା ପାଉଛି, ସେ କରି ଯାଉଛି, ଆଗକୁ ପଛକୁ ନ ଚାହିଁ।
ବିପ୍ରବାବୁ- ନାଁ ,ନାଁ, ହେଇଥାଏ ସେମିତି,ନୂଆ ଟୋକାଳିଆ କଥା ନାଁ। ହେଁ, ବିଶୁ, ଏଡୁଟିମାନ ହେଲଣି ତମେ ଏକଥା ନ ବୁଝିଲେ ଫେର୍ ହବ କେମିତି? ଭାବିଚିନ୍ତି ଦେଖ, ନିଜର ଭବିଷ୍ୟତ କଥା ଚିନ୍ତା କର, ତା ହେଲେ ସିନା ହୁଏ। ଇମିତି ହୁଜୁକିରେ ମାତିଲେ କଣ ହେବ?
ବିଶ୍ବମ୍ଭର- ମହାଶୟ, ଆପଣ ଯାହା କହିଲେ ମୁଁ ତା ସବୁ ବୁଝିଲି। ଏ ସବୁ କଥା ବହୁତ ଦିନରୁ ବହୁତ ଲୋକ କହି ଆସିଲେଣି। ଆପଣ ଭାବୁଛନ୍ତି, ମୁଁ ଏ ବିଷୟରେ ଆଦୌ ନ ଭାବି ନ ଚିନ୍ତି ମନ ମୁତାବକ ଖିଆଲିଆଙ୍କ ପରି କାମ କରି ଯାଉଚି- କିନ୍ତୁ ପ୍ରକୃତରେ ତାହା ନୁହେଁ –ମୁଁ ଭାବିଛି- କିନ୍ତୁ ମୁଁ ଆପଣଙ୍କ ସାଙ୍ଗରେ ଏକମତ ହୋଇପାରୁନାହିଁ। ମୋ ମତରେ ଛାତ୍ରମାନେ ରାଜନୀତିରେ ପରୋକ୍ଷ ଭାବରେ ଯୋଗ ନ ଦେଇ ପ୍ରତ୍ୟକ୍ଷ ଭାବରେ ଯୋଗ ଦେବା ଉଚିତ୍, ବିଶେଷତଃ ଭାରତର ବର୍ତ୍ତମାନ ଅବସ୍ଥା ଦୃଷ୍ଟିରୁ । ଆପଣଙ୍କ ମତରେ ଛାତ୍ରମାନେ ରାଜନୀତିରେ ଯୋଗ ଦେବା ଉଚିତ୍ ନୁହେଁ, ଛାତ୍ରଜୀବନ ପରେ ସେମାନେ ଯାହା ପାରନ୍ତି ତା କରିପାରନ୍ତି, କିନ୍ତୁ ଏହା ଏକପ୍ରକାର ପିଲା ଭୁଲାଣିଆ କଥା- ଏକପ୍ରକାର ଅସମ୍ଭବ ବ୍ୟାପାର-(ବୋଧହୁଏ ଟାଉନ୍ହଲ୍ ବକ୍ତୃତାର ସୁଅରେ)
ମହେନ୍ଦ୍ରବାବୁ- ତୁ କଣ ଏଠିକି ଆସିଚୁ ପ୍ରଫେସରଙ୍କ ଆଗରେ ବକ୍ତୃତା ଦେବାକୁ?
ବିଶ୍ବମ୍ଭର- ନା, ବକ୍ତୃତା ଦେବାକୁ ଆସିନାହିଁ। ଆପଣ ମତେ ଏଠିକି ଡାକିଥିଲେ, ବୁଝାଇବାକୁ। ବେଶ୍ , ଆପଣ କହିଲେ ଆପଣଙ୍କ ଯୁକ୍ତି ମୋ ମନକୁ ପାଇଲା ନାହିଁ, ମତଦ୍ବୈଧ ହେଲା, ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ କଥାର ସତ୍ୟତା ମୋତେ ଉପଲବ୍ଧି କରାଇ ନାହାନ୍ତି ସେ ପର୍ଯ୍ୟନ୍ତ ମୋର କହିବାର ଅଧିକାର ଅଛି। ମୁଁ ମୋର ଯୁକ୍ତି ଆପଣଙ୍କ ନିକଟରେ ଉପସ୍ଥାପନ କରୁଛି, ଯଦି କୋଉଠି ଭ୍ରମଥାଏ, ତେବେ ଆପଣ ତାହା ଦୂର କରିଦେଲେ, ମୁଁ ବୁଝିବି। ତା ନହେଲେ ମୁଁ କେବଳ ଶୁଣିବି, ବୁଝିବି ନାହିଁ-ମୋର ମନବୋଧ ହେବନାହିଁ କି ଆପଣଙ୍କର ମୋତେ ଏଠିକି ଡାକିବାର କିଛି ଅର୍ଥ ରହିବ ନାହିଁ।