ଏ ଜୀବନ ଆସେ ସରି, ତେଣୁ ବନ୍ଧୁ, ମାଗଇ ବିଦାୟ
ଯିବି ଚାଲି ସନ୍ଧ୍ୟାଗମେ ପରପାରେ ଚକୋରୀର ପ୍ରାୟ;
ତେଜି ସାଥୀ, ପ୍ରିୟଜନ, ଦେଇଥିଲିଯାହାର ଗୋପନେ
ସ୍ଥାନ ମୁହିଁ ବିପୁଳ ଉଚ୍ଛ୍ବାସେ ହୃଦୟର ଉଚ୍ଚ ସିଂହାସନେ।
ବୁଲୁବୁଲୁ ଯାର ସାଥେ ହୋଇଥିଲା ପ୍ରଣୟ ଗଭୀର
ଦ୍ବିଧା କରି ଏକ ପ୍ରାଣ କେସନେ ମୁଁ ଯିବି ଆନ ଘର?
ନାହିଁ ଆନ ଯିବା ବିନା ସୃଷ୍ଟିର ଏକ କ୍ରୂର ଆଜ୍ଞା ମାନି,
ବିଧାତା ଶୁଣେ ନା ଯେଣୁ ହୃଦଗତ ବ୍ୟଥାର କାହାଣୀ।
ତେଣୁ ଆଜି ତୁମ ଆଗେ ମାନବର ଗୁରୁ ଏକ ଦାବି।
ଅଳସ ମୁହୂର୍ତ୍ତେ ଯେବେ ଉଠିବଇଁ ଶିଶୁ ସମ ଚେଇଁ
ଦୂର ଅତୀତର ସ୍ମୃତି, ପୁରୁଣା ଏ ହତଭାଗା ଲାଗି
ଛୋଟ ଏକ ଦୀର୍ଘଶ୍ବାସ ଦେବ ସଂଜ-ପବନେ ମିଶାଇ।
ପରଶିବ ଯେବେ ଯାଇ ସେଇ ବାଆ ଶମଶାନ ମାଟି
କ୍ଷଣେ ମୋ ସମାଧି ଅଙ୍ଗେ ନାଚିଯିବ ଜୀବନର ନାଟୀ।
(ସହକାର-୨୧ଶ ବର୍ଷ-୨ୟ ସଂଖ୍ୟା-୧୯୪୦)