ମୋକଥା


ସାଗରର ବେଳା ପରେ ଏକାକୀ ମୁଁ ବସିଅଛି ଦିନେ

ମୃଗ ସମ ସମୀରଣ ଛୁଟିଯାଏ ବିଜନ ପୁଲିନେ

ଦୂରେ ଦୂରେ, ଶିଶୁପରି କିଛି କିଛି ମେଲି ଦେଇ ହସ,

 ପୁଣି ଆସେ ସାଗରରେ ଗୋଳି ଦେଇ ଆପଣା ଉଚ୍ଛ୍ବାସ

ଢ଼େଉ ପରେ ଢ଼େଉ ଆସେ, ଫୁଲି ଫୁଲି କେତେ ନାଚି ନାଚି

ତରୁଣୀର ବୁକୁ ଭଳି, ବିରାଟ ବେଳା ଦେହ ବାଜି

ଯାଏ ଭାଜି; ଶତ ଟିକି ହୋଇ ଲୋଟେ ମୋ ପାଦଦେଶେ,

ଆସେ ପୁଣି ଆଉ ଢ଼େଉ, ସବୁ କିନ୍ତୁ ସମୂହ ବିନାଶେ

 

ଏସନେ ମୋର କଥା ଆତ୍ମାର କାହାଣୀ:

ବୁକୁ ତଳେ ଜାଗେ ଯେତେ କଳପନା, ଫୁଲି ଫୁଲି ଉଠେ

ସବୁ ହାୟ, ପଡ଼େ ଭାଜି, ସବୁ ରଟେ ବ୍ୟର୍ଥତାର ବାଣୀ,

ବାସ୍ତବର ରୂଢ଼ ସ୍ପର୍ଶେ ପରୀଦେଶ ସ୍ବପ୍ନ ମୋର ତୁଟେ

 

ହୃଦୟର ସୋହାଗରେ ରୋପଇ ଯେ କବିତାର ଲତା,

ଜୀବନର ଉଷରରେ ସେ ଗୋ ଟେକି ପାରେନାହିଁ ମଥା

 

 

(ସହକାର-୨୧ଶ ବର୍ଷ-୨ୟ ସଂଖ୍ୟା-୧୯୪୦)




+ -

© Jataayu Charitable Trust
Site designed,developed & maintained by Tekons