ଅନାହାତ ପଥେ କା’ର ପଦଧ୍ବନି-;
ଚମକି ଚାହିଁଲା ଚକିତ ବନାନୀ,
ଚରଣ ପରଶେ ବିକାଶେ ପାଷାଣୀ;
ଆମର କାହାଣୀ ପୁରାତନ ଅତି,
ରଚିଥିଲୁ ରାମାୟଣ
ଆମେ ଜନସାଧାରଣ॥
ଧମନୀରେ ଛୁଟେ ଯୌବନ ଉଦ୍ଦାମ,
ଏ ଧରଣୀ ହେଉ ସୁନ୍ଦର ସୁଠାମ
ଛବିଳ ନଗର ସୁଗଠିତ ଗ୍ରାମ,
ମହୀୟସୀ ଗ୍ରୀସ୍, ମନୋରମ ରୋମ,
ଉଷାର ସ୍ବର୍ଣ୍ଣ ତୋରଣ
ଆମେ ଜନସାଧାରଣ॥
କୁଠାର ଆଘାତେ ନିପାତ ଜଙ୍ଗଲ,
ମୁଠାରେ ଲଙ୍ଗଳ, ଉଠାରେ ଫସଲ,
ଆମ ହାତେ କିଆଁ, ଜଡ଼ିତ ଶୃଙ୍ଖଳ?
ହାଣ ଅମଙ୍ଗଳ, ଜାଗ ପ୍ରମିଥସ୍,
ମୁକ୍ତିର ଦୃପ୍ତ ସପନ
ଆମେ ଜନସାଧାରଣ॥
କେତେ ଯେ ଅମୀର ଜାର ବାଦଶାହ
କାଳସ୍ରୋତେ ଫୁଲି ବୁଦ ବୁଦ ପ୍ରାୟ
ଝଟକି କ୍ଷଣକେ ଫାଟିଗଲେ ହାୟ
ବିପୁଳ ପ୍ରବାହେ ଆମ ଜୀବନର
ଅବିନାଶୀ ଚିରନ୍ତନ।
ଆମେ ଜନସାଧାରଣ॥
ଦଳିତର ଗଣ୍ଡେ ତପ୍ତ ଅଶ୍ରୁଧାରା,
ନିରନ୍ନ କଡର ତୀବ୍ର ବହ୍ନିଜ୍ବାଳା,
ବଞ୍ଚିତ ଲାଞ୍ଚିତ ଆମେ ସର୍ବହରା;
ବିଷାଦ ଜଡ଼ିତ ବଡ଼ ବାଷ୍ଟାଇଲ
ନିଃସ୍ବା ମହାକ୍ରନ୍ଦନ
ଆମେ ଜନସାଧାରଣ॥
ଶ୍ରମୁଁ ବଳତ କାହିଁ ଅଛିରେ ପୁନିଅଁ?
ମାଟିରେ ରୋପିଲା ରସାଳ ଅମିୟ,
ଜୀବନେ ରଚିଲା କଳା କମନୀୟ
ପ୍ରଗତି ପୀଠର ପ୍ରିୟ ମହାଯୋଗ
ଅସ୍ଥିକୁ କରୁ ଇନ୍ଧନ
ଆମେ ଜନସାଧାରଣ॥
ଖେତେ ଖେତେ ଘନ ଶିହରଣ ଲାଗେ,
ସୃଜନର ବାଣୀ ବାଜେ ଅନୁରାଗେ,
ମୃଦୁ କଳରବେ କେହୁ କିରେ ଡ଼ାକେ!
କୋଟି ପ୍ରାଣେ ଜାଗେ ଗୋଟିଏ ସେ ଛନ୍ଦ
ବିଶ୍ବବୁକୁର ସ୍ବନ୍ଦନ
ଆମେ ଜନସାଧାରଣ॥
ପ୍ରେମ ଯମୁନାର ଆମେ ନୀଳ ସ୍ରୋତ,
ଦେଶେ ଦେଶେ ଉଡ଼େ ଶାନ୍ତି କପୋତ,
ରଣ ଓ ମରଣ କରିବୁ ବିରୋଧ,
ମାନବିକତାର ବୋଧେ ବଳିୟାର
ନାହିଁ ଚାହୁଁ ଆମ୍ରମଣ
ଆମେ ଜନସାଧାରଣ॥
ଆମେ ଚିକାଗୋର ଲୋହିତ ନିଶା,
ଭଲ୍ଗା ତଟ ଛୁଇଁ ଛୁଟେ ଯେ ତୋଫାନ,
ନୂଆ ଚାଇନାର ବିପ୍ଲବୀ କିଷାନ
ଆମ ଅଭିଯାନେ ଦଳିତ ଜାତିର
ଛିନ୍ନ କରିବୁ ବନ୍ଧନ
ଆମେ ଜନସାଧାରଣ॥
ମାଳୟ ବଣର ପ୍ରଳୟ ଝଟିକା
କୋରିଆର ବୀର ସମର ଗୀତିକା
ଆମେ ରକ୍ତ ନଦୀ ଦୁର୍ଗମ ପରିଖା
ଆମେ ଲାଲଶିଖା ନବିନ ଆଶାର,
ଏସିଆର ଜାଗରଣ;
ଆମେ ଜନସାଧାରଣ॥
ଜୀବନପଥରେ କୋଟିଏ ପାହଚ
ପଦେ ପଦେ ପୁଣି ନୂଆ ନୂଆ ନାଚ
ସ୍ମୁତି ଅନୁଭୂତି, କାଲି ଲାଗି ପାଞ୍ଚ,
ବିପୁଳ ରୋମାଞ୍ଚେ ଗଢ଼ା ଆମ ପାଞ୍ଜି
ସବୁଜ ନିତ୍ୟ ନୂତନ;
ଆମେ ଜନସାଧାରଣ॥