ଫାଶୀ- ଆସାମୀର ଚୋରା-ଚିଠି




ମୁମୂର୍ଷୁ

   ସୂର୍ଯ୍ୟର ତାପ ପୁଣି ତାରାର ଜ୍ୟୋତି

   ଲିଭିଯାଏ ଯେବେ, ମିଳାଇଯାଏ…

    ଦୁଇ ଜଣ ଲୋକ, ପ୍ରାଥନାରତ ଯୋଡ଼ହଦ୍ତ ନିମ୍ନକୁ,ଜଣକ ପଛରେ ଜଣେ ଧୀର ପଦକ୍ଷେପରେ ବୃତ୍ତାକରରେ ବୁଲିଛନ୍ତି ଗୋଟିଏ ଗୀର୍ଜାର ଉପାସନା ମନ୍ଦିର ଭିତରେ ଅନଭ୍ୟସ୍ତ ସ୍ବର, କିନ୍ତୁ ଟାଣିହୋଇ ଗାଉଛନ୍ତି ଏକ ‌ଶୋକ ଗାଥା।

    ଘନ ଆନନ୍ଦେ ଅତ୍ମା ମେଲିଛି ପକ୍ଷ,

    ଉଡ଼ିଯିବ ପରା ଉର୍ଦ୍ଧ୍ବେ ସରଗପଥେ,ସରଗପଥେ…

    ଜଣେ କିଏ ମରିଯାଇଛି। କିଏ? ମୁଁ ମୁଣ୍ଡ ଘୂରେଇ ଶବାଧାର ଆଉ ଶବକୁ ଦେଖିବାକୁ ଚେଷ୍ଟା କଲି। ଦୁଇଟା ମହମବତୀ ଉର୍ଦ୍ଧ୍ବକୁ ଶିଖା ଟେକି ତା ମୁଣ୍ଡ ନିକଟରେ ଜଳୁଥିବ।

  …ରାତ୍ରି ତୁଟିଛି ଯହିଁ ଚିରତରେ…

   ଚିରଭାସ୍କର ଦିବସ ଭାତିରେ…

   ଏବେ ଆଖି ଉପରକୁ ଟେକି ଏପଟ ସେପଟ ଚାହିଁପାରିଲି। ଏଠି ଆଉ କେହିନାହାନ୍ତି। ସେଇ ଦୁଇଜଣ ଓ ମୋତେ ଛାଡ଼ି ଆଉ କାହାକୁ ମୁଁ ଦେଖିପାରୁନାହିଁ। କାହାପାଇଁ ସେମାନେ ଗାଉଛନ୍ତି ଏ ଶୋକଗାଥା?

   ଜଳେ ଯହିଁ ତାରେ ଜ୍ୟୋତି ଅନିର୍ବାଣ,

   ଯିଶୁ ସେହି ଜନ, ଯିଶୁ ସେହି ଜନ।…

   ଅନ୍ତ୍ୟେଷ୍ଟି-ହଁ ଅନ୍ତ୍ୟେଷ୍ଟି ନିଶ୍ଚୟ-କିନ୍ତୁ କାହାକୁ ସେମାନେ କବର ଦେଉଛନ୍ତି? ଦେଖେଁ, ଆଉ କିଏ ଅଛି…କେବଳ ସେ ଦୁଇଜଣ ଆଉ ମୁଁ । ଆଉ ମୁଁ? ତାହାହେଲେ ତ ଏ ମୋର ଅନ୍ତ୍ୟେଷ୍ଟିକ୍ରିୟା? କିନ୍ତୁ ଶୁଣ ତୁମେ, କିଛି ଗୋଟାଏ ଭୁଲ୍‌ ହେଇଚି। ମୁଁ ମରିନାହିଁ। ବର୍ତ୍ତମାନ ବି ବଞ୍ଚି ରହିଛି। ଦେଖିପାରୁନାହିଁ। ତମ ଆଡ଼କୁ ଚାହିଁ ରହିଛି। କଥା କହୁଛି। ରହ, ବର୍ତ୍ତମାନ ମତେ କବର ଦିଅ ନାହିଁ।

  ତେଜି ଏହି ଧରା ଅନ୍ତିମ ବିଦାୟ ମାଗେ

   ଅନ୍ତିମ ବିଜୟ…

   ସେମାନେ ଶୁଣୁନାହାନ୍ତି। କାଲା ନା କଅଣ? ମୁଁ କଣ ବଡ଼ ପାଟିରେ କଥା କହୁନାହିଁ? ନା ସତକୁ ସତ ମୁଁ ମରିଯାଉଛି ବୋଧହୁଏ?...ଆଉ ସେମାନେ ଅଶରୀରର କଥା ବୁଝିବାକୁ ଅକ୍ଷମ। ମୋର ଶରୀର କଣ ଏଇପରି ତଳକୁ ମୁହଁମାଡ଼ି ପଡ଼ିଥିବ, ଆଉ ମୁଁ  ଦେଖୁଥିବି ମୋ ଅନ୍ତ୍ୟେଷ୍ଟି? ବଡ଼ କୌତୁକ କଥା ତ!

   ବେନି ନେତ୍ର ତାର ଆକୁଳ ଆଗ୍ରହେ

   ଛୁଟେ ଉର୍ଦ୍ଧ୍ବ, ମାର୍ଗେ, ସ୍ବର୍ଗ ମହାପଥେ…।

   ବର୍ତ୍ତମାନ ମନେପଡୁଛି। କିଏ ଜଣେ ମତେ କଷ୍ଟେମଷ୍ଟେ ଟେକି ଧରି ପୋଷାକ ପିନ୍ଧାଇବାକୁ ଚେଷ୍ଟା କରୁଥିଲା। ତାପରେ ଶବାଚ୍ଛାଦନ ଆବୃତ୍ତ କରି ମୋତେ ନେଇଗଲେ, ସେମାନଙ୍କର ଗୋବବସା ଜୋତାର ଶବ୍ଦ ବାଜି ଉଠୁଥିଲା ବାରଣ୍ଡାରେ । ତାପର…ସେତିକି।ଆଉ ମୋର ମନେନାହିଁ।

   …ଶାଶ୍ବତ ସେ ଶିଖା ଜଳେ ଚିରତରେ ଯହିଁ…

    କିନ୍ତୁ ଏସବୁ ଘଟିନପାରେ । ମୁଁ ବର୍ତ୍ତମାନ ସୁଦ୍ଧା ଜୀବିତ। ମୁଁ ଏବେ ବି ଅସ୍ପଷ୍ଟ ବ୍ୟଥା ଓ ତୃଷା ଅନୁଭବ କରୁଛି। ମୃତ ବ୍ୟକ୍ତି ତ ଆଉ ତୃଷାର୍ତ୍ତ ହୁଅନ୍ତି ନାହିଁ। ଦେହର ସମସ୍ତ ଶକ୍ତି ପ୍ରୟୋଗ କରି ହାତ ଟିକିଏ ସଞ୍ଚାଳନ କରିବାକୁ ଚେଷ୍ଟା କଲି। ଗୋଟାଏ ଅଦ୍ଭୁତ, ଅସ୍ବାଭାବିକ ସ୍ବର ବାହାରିଆସିଲା କଣ୍ଠରୁ।

    “ପାଣି।”

   ଅବଶେଷରେ ସେ ଦୁଇଜଣ ଯାକ ବୃତ୍ତାକାରରେ ପରିକ୍ରମଣ ବନ୍ଦ କଲେ। ତାପରେ ମୋ ଉପରକୁ ଝୁଙ୍କି ପଡ଼ିଲେ ସେମାନେ। ଜଣେ ମୋ ମୁଣ୍ଡକୁ ଟେକି ଧରି ମୋ ଓଠ ପାଖରେ ଗୋଟିଏ ଜଳପାତ୍ର ଧରିଲା।

  -ବାବା, ତମର କିଛି ଖାଇବା ଦରକାର। ଦୁଇ ଦିନ ହେଲା ଖାଲି ପାଣି ପିଇ ରହିଛ। ସେ କଣ କହିଲେ ମତେ? ଏ ମଧ୍ୟରେ ଦୁଇଦିନ ହୋଇଗଲାଣି? ଆଜି କିବାର?

  -ସୋମବାର।

    ଆଉ ମୁଁ ଗିରଫ ହେଲି ଶୁକ୍ରବାର ଦିନ।

  ଉଃ,ମୁଣ୍ଡଟା କେଡେ ଭାରି ଲାଗୁଛି। ଆଃ, ପାଣି କି ଥଣ୍ଡା। ନିଦ। ଟିକେ ‌ଶୋଇପଡ଼। ଏକ ବିନ୍ଦୁ ଜଳ ନିର୍ଝର ବକ୍ଷରେ ଆଣିଛି ସ୍ପନ୍ଦନ। ନିର୍ଝର…ମୋର ପରିଚିତ ଛୋଟ ପାହାଡ଼ଗୁଡ଼ିକ ମଧ୍ୟରେ ଅବସ୍ଥିତ ପ୍ରାନ୍ତର ବକ୍ଷରେ ରୋକ୍‌ସନ ପର୍ବତର ନିମ୍ନଦେଶରେ ବନ ବିଭାଗର କର୍ମଚାରୀର ଘର ନିକଟରେ ଗଛର ଝରାପତ୍ର ଭିତରେ ଲାଗିରହେ ଝିର୍‌ଝିର୍‌ ଗାନ… 

   ନିଦ୍ରା କି ମଧୁର!… ତା ପରେ ଯେତେବେଳେ ନିଦ ଭାଙ୍ଗିଲା ସେତେବେଳୁ




+ -

© Jataayu Charitable Trust
Site designed,developed & maintained by Tekons