“ଯଥେଷ୍ଟ ହେଇଛି।”
ତାର କିଛିକ୍ଷଣ ପରେ ଗୋଟାଏ ଟେବୁଲ ସାମନାରେ ବସିଲି। ଟେବୁଲଟା ସତେ ଯେପରି ନାହିଁ ତଳକୁ ଚାଲିଯାଉଛି, ପୁଣି ମୋ ପାଖକୁ ଉଠି ଆସୁଚି। କିଏ ଜଣେ ପଶି ଆସିଲା, ମତେ ପାଣି ମନ୍ଦିଏ ଦେଲା। କିଏ ଜଣେ ମତେ ଖଣ୍ଡେ ସିଗାରେଟ୍ ଯାଚିଲା କିନ୍ତୁ ତାକୁ ଉଠାଇପାରିଲି ନାହିଁ। କିଏ ଜଣେ ମୋତେ ଚଟି ପିନ୍ଧାଇବାକୁ ଚେଷ୍ଟା କଲା, କିନ୍ତୁ ପାରୁନାହିଁ ବୋଲି କହିଲା। ତାପରେ ସେମାନେ ମତେ ଅଧା ଚଲେଇ ଚଲେଇ ଅଧା ଟେକି ଟେକି ତଳ ମହଲାକୁ ନେଇଯାଇ ଗୋଟାଏ ଗାଡ଼ିରେ ଉଠେଇଲେ। ଗାଡ଼ି ଚାଲିଲା ବେଳେ ଜଣେ ତା ପିସ୍ତଲ ମୋ ଆଡ଼କୁ ବରାବର ରଖି ପହରା ଦେଇଥାଏ। ମୋର ଏ ଅବସ୍ଥାରେ ପିସ୍ତଲ୍ । ହାସ୍ୟକର କଥା। ରାସ୍ତାରେ ଆମ କଡ଼ରେ ଚାଲିଗଲା ଗୋଟାଏ ଗାଡ଼ି –ଧଳା ଫୁଲମାନରେ ସଜ୍ଜିତ ବିଭାଘର ମଟର ଗାଡ଼ି-କିନ୍ତୁ ଏ ମୋର ସ୍ବପ୍ନ ହୋଇପାରେ। ହୁଏତ ସ୍ବପ୍ନ , ନ ହେଲେ ଜର ବାଉଳା, ନୋହିଲେ ମୁଁ ମରୁଛି –ବା ମରଣ ସ୍ବୟଂ। ମୁମୂର୍ଷୁ ଅବସ୍ଥା ତ କଠିନ ଆଉ ଏତେ ସହଜ । ସହଜ ବା କଠିନ କିଛି ବି ନୁହେଁ। ଏତ ତୂଳା ପରି ହାଲୁକା। ନିଃଶ୍ବାସଟାଏ ମାରିଲେ ଏସବୁ ଉଡ଼ିଯିବ।
ସବୁ ଚାଲିଯାଉଛି? ନା, ବର୍ତ୍ତମାନ ସୁଦ୍ଧା ଯାଇନାହିଁ। ପୁଣି ମୁଁ ଉଠି ଛିଡ଼ା ହୋଇଛି,ସତକୁ ସତ ଛିଡ଼ା ହୋଇଛି। ଏକା ଏକା କାହାରି ସାହାଯ୍ୟ ନ ନେଇ। ଠିକ୍ ମୋ ସାମନାରେ ଗୋଟାଏ ଅପରିଚ୍ଛନ୍ନିଆ ହଳଦିଆ ପାଚିରି, ରଞ୍ଜିତ…କେଉଁଥିରେ? ରକ୍ତରେ ସେଇପରି ତ ଦେଖାଯାଉଛି…ହଁ, ସତ ତ ରକ୍ତ । ଗୋଟାଏ ଆଙ୍ଗୁଠି ଉଠେଇ ସେଥିରେ ମାରିଲି…ହଁ, ସଦ୍ୟ ରକ୍ତ…ଏ ମୋରି ରକ୍ତ…।
ପଛପଟୁ କିଏ ମୁଣ୍ଡରେ ଆଘାତ କଲା। ମତେ ଦୁଇ ହାତ ଉପରକୁ ଟେକି ଆଣ୍ଠୁଭାଙ୍ଗି ବସିବାକୁ ହୁକୁମ ଦେଲା। ବସ୍-ଉଠ୍-ବସ୍। ତୃତୀୟଥର ମୁଁ ତଳେ ପଡ଼ିଗଲି।
ଜଣେ ଦୀର୍ଘକାୟ ଏସ୍-ଏସ୍ ଲୋକ ମୋ ସାମନାରେ ଛିଡ଼ାହୋଇ ମତେ ଉଠିବାକୁ ଗୋଇଠା ମାରୁଛି। ଗୋଇଠା ମାରିବା ବର୍ତ୍ତମାନ ସମ୍ପୂର୍ଣ୍ଣ ନିରର୍ଥକ। ଆଉଜଣେ ମୋ ମୁହଁ ଧୋଇଦେଲା। ମୁଁ ଗୋଟାଏ ଟେବୁଲ୍ ସାମନାରେ ବସିଛି। ଜଣେ ସ୍ତ୍ରୀ ଲୋକ ମତେ କିଛି ଔଷଧ ଲଗେଇ ଦେଲା ଆଉ ପଚାରିଲା କେଉଁଠି ବେଶି ବ୍ୟଥା। ମୁଁ କହିଲି, ମୋତେ ବୋଧ ହେଉଛି ସବୁ ବ୍ୟଥା ମୋର ହୃଦୟରେ ।
“ତୋର ହୃଦୟ ବୋଲି କିଛି ନାହିଁ,” ଡେଙ୍ଗା ଏସ୍.ଏସ୍ ଲୋକଟି କହିଲା।
“ଅଲବତ ଅଛି।” ମୁଁ ଜବାବ ଦେଲି। ହଠାତ୍ ମନେ ମନେ ଗର୍ବ ଆସିଲା। ବର୍ତ୍ତମାନ ସୁଦ୍ଧା ହୃଦୟର ପକ୍ଷ ସମର୍ଥନ କରିବାକୁ ଶକ୍ତି ଅଛି ତ!
ପୁଣି ସବୁ ଉଭେଇଗଲା। ପାଚିରି, ଔଷଧପତ୍ର ଧରିଥିବା ସ୍ତ୍ରୀ ଲୋକ , ସେହି ଡେଙ୍ଗା ଏସ୍.ଏସ୍ ଲୋକ-ସବୁ।
ମୋର ଯେତେବେଳେ ଚେତନା ହେଲା, ଦେଖିଲି ଗୋଟାଏ ଗାରଦର କବାଟ ମୋ ଆଗରେ ଖୋଲା ହୋଇଛି। ଜଣେ ମୋଟା ଏସ୍. ଏସ୍ ଲୋକ ମତେ ଭିତରକୁ ଘୋଷାରି ନେଲା, ମୋର ଛିଣ୍ଡା କାମିଜ୍ଟା ଖୋଲି ପକେଇଲା। ମତେ ଗୋଟାଏ ଛଣ ଗଦି ଉପରେ ଶୁଆଇଦେଲା। ସେ ହାତ ଦେଇ ମୋର ଫୁଲି ଉଠିଥିବା ଶରୀରକୁ ଦେଖିଲା, ତାପରେ ଶେକ ଦେବାର ହୁକୁମ ଦେଲା।
“ ଦେଖ ତ,” ଅନ୍ୟ ଗୋଟିଏ ଲୋକକୁ ମୁଣ୍ଡ ହଲେଇ କହିଲା “ ସେମାନେ କିପରି ପକ୍କା କାମ କରନ୍ତି, ଦେଖତ!”
ପୁଣି ଦୂରକୁ, କାହିଁ କେତେ ଦୂରରୁ ଭାସି ଆସିଲା ସେଇ ଶାନ୍ତ ସଂଯତ କଣ୍ଠସ୍ବର, ପିଠିରେ ହାତ ବୁଲାଇଲା ଭଳି ଦୟାର୍ଦ୍ଦ।
“ଭୋର ପର୍ଯ୍ୟନ୍ତ ସେ ଠାକିପାରିବ ନାହିଁ।”
ଆଉ ପାଞ୍ଚ ମିନିଟ୍ ପରେ ବାଜିବ ଦଶଟା। ସୁନ୍ଦର, ଉଷ୍ଣ ବାସନ୍ତି ସନ୍ଧ୍ୟା, ଅପ୍ରେଲ୍ ୨୫,୧୯୪୨।