ଫାଶୀ- ଆସାମୀର ଚୋରା-ଚିଠି




ଜୀବନକୁ ମୁଁ ଭଲ ପାଇଥିଲି, ତାହାର ସନ୍ଧାନରେ ମୁଁ ଅବତ୍ତୀର୍ଣ୍ଣ ହେଲି ସଂଗ୍ରାମ ଭୂମିରେ। ହେ ଜନଗଣ, ତୁମ୍ଭମାନଙ୍କୁ ଭଲ ପାଇଥିଲି, ଓ ତୁମ୍ଭେମାନେ ପ୍ରତିଦାନରେ ଯେତେବେଳେ ମୋତେ ଭଲ ପାଇଛ, ମୋ ପ୍ରାଣରେ ତାହା ଆନନ୍ଦ ଦେଇଛି। ଯେତେବେଳେ ତୁମେ ମୋତେ ଭୁଲ୍‌ ବୁଝିଛ, ମୋତେ କଷ୍ଟ ଲାଗିଛି। ଯେବେ କାହାରି କ୍ଷତି କରିଥାଏଁ ମୋତେ କ୍ଷମାକର; ଯଦି କାହାକୁ ଆନନ୍ଦ ପ୍ରଦାନ କରିଥାଏ,ଭୁଲିଯାଅ। ମୋ ନାମ  ସଙ୍ଗରେ ଯେପରି ବିଷର୍ଣ୍ଣତା ଜଡ଼ିତ ନ ରହେ। ତୁମ୍ଭମାନଙ୍କ ନିକଟରେ ଏହି ମୋର ଶେଷ ଅନୁରୋଧ। ବାପା, ମା, ଭଉଣୀ,ଗୁସ୍ତା ମୋର, ଆଉ କମ୍ରେଡ଼ଗଣ-ଏବଂ ଯେଉଁମାନଙ୍କୁ ମୁଁ ଭଲପାଏ ସମସ୍ତଙ୍କ ପାଖରେ ମୋର ଏହି ଅନୁରୋଧ।ଯଦି ମନେ କରୁଥାଅ ଚକ୍ଷୁର ଅଶ୍ରୁଦ୍ବାରା ବିଷାଦର ମ୍ଳାନ ରେଣୁ ଧୋଇଦେଇ ପାରିବ, ତେବେ କ୍ଷଣକ ଲାଗି କାନ୍ଦିପାର କିନ୍ତୁ ଅନୁଶୋଚନା କରନାହିଁ। ମୁଁ ଆନନ୍ଦ ପାଇଁ ବଞ୍ଚିଥିଲି; ଆଜି ଜୀବନ ଦେଇଛି ସେହି ଆନନ୍ଦ ଲାଗି। ମୋର କବର ଉପରେ ବିଷାଦର ମୂର୍ତ୍ତି ସ୍ଥାପନା କଲେ ମୋ ପ୍ରତି ଅବିଚାର କରିବ ସିନା!

   ମଇ ପହିଲା! ଏହି ପାହାନ୍ତିଆ ବେଳାରେ ଆମେ ସହରିତଳି ଅଞ୍ଚଳରେ ଜାଗି ଉଠୁ ଆଉ ଆମର ପତାକା ସଜାଡ଼ୁଁ। ଏତିକିବେଳକୁ ମସ୍କୋର ରାଜପଥରେ ପ୍ରଥମ ବାହିନୀଟି ମଇଦିବସ ପରେଡ଼୍‌ ପାଇଁ ତାଙ୍କ ଜାଗାରେ ଆସି ଛିଡ଼ା ହେଉଥିଲେ । ଆଜି ଠିକ୍‌ ଏଇ ମୁହୂର୍ତ୍ତରେ ଲକ୍ଷ ଲକ୍ଷ ମନୁଷ୍ୟ ସ୍ବାଧୀନତା ପାଇଁ ଲଢ଼ୁଛନ୍ତି ଶେଷ ସଂଗ୍ରାମ, ହଜାର ହଜାର ବ୍ୟକ୍ତି ଜୀବନଦାନ କରୁଛନ୍ତି ସେ ସଂଘର୍ଷରେ । ମୁଁ ତାଙ୍କ ଭିତରୁ ଜଣେ। ସେମାନଙ୍କ ସାଙ୍ଗରେ ଜଣେ ହୋଇପାରିବାରେ ଆନନ୍ଦ ଅଛି, ଶେଷ ସଂଗ୍ରାମର ଜଣେ ସୈନିକ।

  କିନ୍ତୁ ମରଣରେ ତ ଆନନ୍ଦ ନାହିଁ। ମୋର ଶ୍ବାସରୁଦ୍ଧ ହୋଇଆସୁଛି। ନିଶ୍ବାସ ମାରିପାରୁନାହିଁ। ମୋ ତଣ୍ଟିର ଘଡ଼ଘଡ଼ ଶବ୍ଦ ମୁଁ ଶୁଣିପାରୁଛି। ମୋର ସାଥୀ କୟେଦ୍‌ଙ୍କୁ ଉଠେଇ ଦେବିକି? କାଳେ ଟିକିଏ ପାଣି ପିଇଲେ…କିନ୍ତୁ ସୁରେଇରୁ ତ ସବୁ ପାଣି ସରିଛି। ମୋଠାରୁ ମୋଟେ ଛ ପାହୁଣ୍ଡ ଦୂରରେ ଗାରଦର କଣକୁ ସେ ପାଇଖାନାରେ ଢେର ପାଣି ଅଛି । ସେ ପାଣି ପାଖକୁ ଯିବାକୁ ମୋର ଶକ୍ତି ହେବ ତ?

   ପେଟେଇ ପେଟେଇ ଗଲି, ନିଶବ୍ଦରେ ସତେ ଯେପରି କାହାରିକୁ ଜାଗ୍ରତ  ନ କରିବା ଉପରେ ହିଁ ନିର୍ଭର କରୁଛି ମୃତ୍ୟୁର ସମସ୍ତ ଗୌରବ। ଶେଷରେ ଯାଇ ପହଞ୍ଚିଲି ସେଠି। ତାଙ୍କ ଭଳି ପାଇଖାନାର ସେ ପାଣି ପିଇଗଲି।

   କେତେବେଳେ ଏଥିରେ ଗଲା ଜାଣିନାହିଁ, ପେଟେଇ ପେଟେଇ  ଫେରିଯିବାକୁ କେତେବା ସମୟ ଲାଗିଲା ଜାଣେ ନାହିଁ। ପୁଣି ଚେତା ହଜିଯାଇଛି। ହାତରେ ନାଡ଼ି ଦେଖିବାକୁ ଖୋଜିଲି କିନ୍ତୁ କିଛି ପାଇଲି ନାହିଁ।ମୋର ହୃତ୍‌ପିଣ୍ଡ ଯେପରି ମୋର ତଣ୍ଟି ପାଖକୁ ଚାଲି ଆସିଲା , ତାପରେ ହଠାତ୍‌ ତଳକୁ ଖସିପଡ଼ିଲା। ସାଙ୍ଗେ ସାଙ୍ଗେ ମୁଁ ମଧ୍ୟ ଅବଶ ହୋଇପଡ଼ିଲି;କେତେବେଳେ ପଡ଼ି ରହିଲି କିଏ ଜାଣେ । ମଝିରେ ଶୁଣିଥିଲି କାରେକ୍‌ର କଣ୍ଠ।

  “ବାପା, ବାପା, ଶୁଣୁଛଟି? ବିଚାରାର ଅଣଚାଶ ବୋହିଲାଣି।”ସକାଳେ ଡାକ୍ତର ଆସିଲେ। କିନ୍ତୁ ଏସବୁ ଜାଣିଲି ବହୁତ ପରେ । ସେ ଆସିଲେ ,ପରୀକ୍ଷା କଲେ ଆଉ ମୁଣ୍ଡ ହଲେଇଲେ । ତାପରେ ହାସପାତାଳକୁ ଫେରିଗଲେ, ପୂର୍ବଦିନ ସନ୍ଧ୍ୟାରେ ମୋ ନାମରେ ଯେଉଁ ମଲା ରିପୋର୍ଟ ସେ ପୂରଣ କରିଥିଲେ ତାକୁ  ଚିରି ପକେଇଲେ ବିଶେଷଜ୍ଞଙ୍କ ଭଳି ନିଶ୍ଚିତ କଣ୍ଠରେ ସେ କହିଲେ।

   “ଘୋଡ଼ାର ତାକଦ୍‌ ତାର।”




+ -

© Jataayu Charitable Trust
Site designed,developed & maintained by Tekons