୪୦୦ ନମ୍ବର
ପୁନର୍ଜନ୍ମ ଏକ ବିଶେଷ ଘଟଣା-ଅସାଧାରଣ ଓ ବର୍ଣ୍ଣନାତୀତ। ଗାଢ଼ ନିଦ୍ରାର ଉପଭୋଗ ପରେ କମନୀୟ ଦିନରେ ପୃଥିବୀ ମନୋରମ ଦିଶେ। ପୂନର୍ଜନ୍ମର ଦିନ ଅନ୍ୟ ଦିନମାନଙ୍କ ତୁଳନାରେ ସୁନ୍ଦର, ସତେ ଯେପରି ତୁମେ ଅଦ୍ଭୁତପୂର୍ବ ସୁନିଦ୍ରା ଉପଭୋଗ କରିଚ। ତୁମେ ମନେକରୁଥିଲ ଜୀବନର ରଙ୍ଗମଞ୍ଚ ତୁମର ସୁପରିଚିତ କିନ୍ତୁ ପୁନର୍ଜନ୍ମ ଆସି ସମସ୍ତ ପ୍ରତିଫଳନ ଯନ୍ତ୍ର ଖୋଲିଦେଲା, ସ୍ବଚ୍ଛ କାଚ ମଧ୍ୟରେ ଆଲୋକ ପ୍ରତିଫଳିତ ହୋଇ ହଠାତ୍ ସମସ୍ତ ମଞ୍ଚ ତୁମ ସମ୍ମୁଖରେ ଉଦ୍ଭାସିତ ହୋଇଉଠିଲା। ତୁମେ ମନେ କରୁଥିଲ ଜୀବନକୁ ତୁମେ ସ୍ପଷ୍ଟ ଦେଖି ପାରିଛ। ବିଚକ୍ଷଣତାରେ ,କିନ୍ତୁ ପୂନର୍ଜନ୍ମ ତୁମ ସମ୍ମୁଖରେ ଧରିଲା ଏକାବେଳକେ ଦୂରବୀକ୍ଷଣ ଆଉ ଅଣୁବୀକ୍ଷଣ ଯନ୍ତ୍ର। ଏ ଘଟଣା ବସନ୍ତ ସମାଗମ ଭଳି। ବସନ୍ତ ଯେପରି ଚିରପରିଚିତ ପରିବେଷ୍ଟନୀ ମଧ୍ୟରେ ଅପ୍ରତ୍ୟାଶିତ କୁହୁକର ସନ୍ଧାନ ପାଏ, ସେହିପରି।
ଏଠି ମଧ୍ୟ ତୁମର ସେହି ଉପଲବ୍ଧି ଆସେ, ଅବଶ୍ୟ ତାହା କ୍ଷଣକ ନିମିତ୍ତ। ପ୍ୟାନ୍କ୍ରାଟସ୍ର ଗାରଦ ପରି ତୁମର ପରିବେଷ୍ଟନୀ ସମୃଦ୍ଧ ଓ ଚିତ୍ତାକର୍ଷକ ହେଲେ ବି, ତା ଆସେ।
ଅବଶେଷରେ ଦିନେ ସେମାନେ ଆମକୁ ନେଇ ଯାଆନ୍ତି ବାହାରର ଆଲୋକକୁ। ସେମାନେ ତୁମକୁ ଶୁଣାଣି ପାଇଁ ନେଇଯାଆନ୍ତି କିନ୍ତୁ ଷ୍ଟ୍ରେଚର ନଥାଏ। ତମକୁ ଅସମ୍ଭବ ବୋଧ ହୋଇପାରେ, କିନ୍ତୁ ସେଇଠି ପହଞ୍ଚିବା ସମ୍ଭବ। ବାରଣ୍ଡା ରେଲିଂ ଘେରା, ସିଡ଼ିରେ ରେଲିଂ ଗୁରୁଣ୍ଡିଲା ପରି ଯାଉଚ,ଚାଲି କରି ନୁହେଁ। ତଳେ କୟଦୀ ସାଥୀମାନେ ତୁମକୁ ହାତରେ ଧରି ଜେଲର୍ ବସ୍ ନିକଟକୁ ନେଇ ଯାଆନ୍ତି। ତୁମେ ଦଶ ବାରଜଣ ବସିଛ ସେଠି ଏକ ଅନ୍ଧକାରମୟ ଗାରଦରେ। ଗାରଦଟା ସହଜରେ ଏଠୁ ସେଠିକି ସ୍ଥାନାନ୍ତାରିତ କରାଯାଇପାରେ। ଅଚିହ୍ନା ଲୋକମାନେ ତୁମ ଆଡ଼କୁ ଚାହିଁ ମୁରୁକେଇ ହସୁଛନ୍ତି ଏବଂ ତୁମେ ସେହିପରି ହସ ଦ୍ବାରା ତାହାର ଉତ୍ତର ଦେଉଛ। ତୁମ କାନରେ କିଏ ଜଣେ ଫୁସ୍ ଫୁସ୍ କରି କଣ କହିଲା, ତୁମେ ଜାଣିନାହଁ ଲୋକଟା କିଏ। କାହାର ଜଣଙ୍କର ହାତ ମୁଠେଇ ଧରିଲ କିନ୍ତୁ କାହାର ହାତ ଜାଣି ନାହଁ। ବସ୍ ହଠାତ୍ ମୋଡ଼ ବୁଲି ପେଟ୍ଚେକ୍ ବିଲ୍ଡିଂର ପ୍ରାଙ୍ଗଣରେ ପହଞ୍ଚିଛି। ତୁମର ନୂଆ ସାଥୀମାନେ ତୁମକୁ ତଳକୁ ଓହ୍ଲେଇ ନେଲେ। ଗୋଟା,ବଡ଼ ଘର ଭିତରେ ତୁମେ ସମସ୍ତେ ଆସି ପହଞ୍ଚିଲ। କାନ୍ଥଗୁଡ଼ାକରେ କିଛି ବି ସାଜସଜା ନାହିଁ। ପାଞ୍ଚଧାଡ଼ି ବେଞ୍ଚ ପଡ଼ିଛି ବେଞ୍ଚ ଉପରେ ଉପରେ ବସିଛନ୍ତି କେତୋଟି ମୂର୍ତ୍ତି ସିଧାସଳଖ। ହାତ ଦୁଇଟା ଆଣ୍ଠୁ ଉପରେ ସତେ ଯେପରି ଜଡ଼ିତ। ଫାଙ୍କ କାନ୍ଥକୁ ଚାହିଁ ରହିଛନ୍ତି ଅପଲକ ନେତ୍ରରେ ସ୍ଥାଣୁ ଭଳି-ଏଇଟା ହେଉଛି ତୁମ ନୂତନ ଜୀବନର ଏକ କ୍ଷୁଦ୍ର ଅଂଶ, ଯାହାକୁ ସେମାନେ ସିନେମା ବୋଲି କହନ୍ତି। ଏହାର ପର୍ଦ୍ଦା ଉପରେ ତୁମେ ତୁମର ଜୀବନକୁ ଶତ ଶତ ବାର ପର୍ଯ୍ୟାଲୋଚନା କରିବ।
ମଇ ମାସର ବିରତି, ୧୯୪୩
ଆଜି ୧୯୪୩ ସାଲର ମଇମାସ ପହିଲା। ଟିକିଏ ବିରାମ ମିଳିଛି ଲେଖିବାର ସୁଯୋଗ ମିଳିଛି। କି ସୌଭାଗ୍ୟ-ପୁଣି କ୍ଷଣକ ଲାଗି କମ୍ୟୁନିଷ୍ଟ ସମ୍ପାଦକ ମୁଁ। ମେ ପ୍ୟାରେଡ଼୍ ବିଷୟରେ ଲେଖୁଛି। ଲେଖୁଛି ନୂତନ ପୃଥିବୀର ସାମରିକ ଶକ୍ତି ବିଷୟରେ।
ଫର ଫର ପତାକା କଥା ଶୁଣିବାକୁ ଆଶା କରିନାହିଁ, ସେଇ ରକମର କି ବି ନୁହେଁ। କୌଣସି ଉତ୍ତେଜନମୟ ଘଟଣା ଯାହା ଶୁଣିବାକୁ ଲୋକଙ୍କୁ ଏତେ ଭଲ ଲାଗେ, ସେ କଥା ବି କହିପାରିବି ନାହିଁ। ତାଠାରୁ ସରଳ ଆଜିର ବ୍ୟାପାର। ଆଉ ଆଉ ବର୍ଷମାନଙ୍କରେ ମଇ ପହିଲାରେ ପ୍ରେଗର ପ୍ରତି ପଥରେ ଯେଉଁ ହଜାର ହଜାର ଶୋଭାଯାତ୍ରା ଭରପୁର ହୋଇଯାଆନ୍ତି, ଏଠି ସେ ବିସ୍ଫୋରକ ତରଙ୍ଗ ନାହିଁ। ମସ୍କୋର ରେଡ଼ ସ୍କୋୟାରରେ ଦେଖିଛ ଲକ୍ଷ ଲକ୍ଷ ଲୋକଙ୍କର ଅପୂର୍ବ ଜନସମୁଦ୍ର, ତା ଏଠି ନାହିଁ। ଏଠି ଲକ୍ଷ ତ ଦୂରର କଥା, ଶହେ ବି ହେବେ ନାହିଁ। କେବଳ ମାତ୍ର କେତେଜଣ ସାଥୀ। ତେବେ ବି ମନେହୁଏ ଏହାର ମୂଲ୍ୟ କମ୍ ନୁହେଁ। ଏଥିରେ ପରିଦୃଷ୍ଟ ହୁଏ ଏକ ନୂତନ ଶକ୍ତି। ଏମାନେ ଭୀଷଣ ଅଗ୍ନି ପରୀକ୍ଷାରେ ପାଉଁଶ ହୋଇଯାଇନାହାନ୍ତି। ବରଂ ଇସ୍ପାତର ଦୃଢ଼ତା ପାଇଛନ୍ତି। ଏ ଯେପରି ଯୁଦ୍ଧ କ୍ଷେତ୍ରରେ ଟ୍ରେଞ୍ଚର ଦୃଶ୍ୟ। ଆମେ ସାମରିକ ଧ୍ବଂସର ପୋଷାକ ପିନ୍ଧି ଛିଡ଼ା ହୋଇଛୁଁ।
ପରୀକ୍ଷା ଚାଲିଛି କ୍ଷୁଦ୍ର ଘଟଣା ନେଇ।ଏପରି ସାମାନ୍ୟ ଯେ ମୋର ସନ୍ଦେହ ହେଉଛି ଯେଉଁମାନେ ଗୋଟାଏ ସୁର। ଆଜି ଏଇ ଶବ୍ଦ ଅଧିକ ସ୍ପଷ୍ଟ ଉତ୍ସବର ଉନ୍ମାଦନା ଭରା, କାନ୍ଥ ଗୁଡ଼ାକ ଯେପରି ଚଢ଼ା ଗଳାରେ କଥା କହୁଛନ୍ତି।
ଆମର ପାଖ ଗାରଦରୁ ମଧ୍ୟ ଆସୁଛି ପ୍ରଭାତୀ ସମ୍ଭାଷଣ ଅଙ୍ଗୁଳିର ଠକ୍ ଠକ୍ ଶବ୍ଦରେ ବିଥୋବେନର ଗୋଟାଏ ସୁର। ।
ଆମର ସବୁଠାରୁ ଭଲ ପୋଷାକ ପିନ୍ଧିଛୁଁ। ସବୁ ଗାରଦରେ ଏକା ବ୍ୟାପାର।
ପ୍ରାତଃଭୋଜନ ବେଶ ଜାକଜମକରେ ଶେଷ ହୋଇଛି। ୱାର୍ଡରମାନେ ଗାରଦରେ ଉନ୍ମୁକ୍ତ ଦରଜା ସାମନାରେ କଳା କଫି,ରୁଚି ଆଉ ପାଣି ଧରି ଚାଲିଛନ୍ତି। କମରେଡ଼ ସ୍କୋରେପୋ ଦୁଇଟା ଜାଗରେ ତିନିଟା ରୁଟି ଦେଇଗଲା,ତାର ମଇ ଦିନର ଉପହାର ସେ। ହୁସିଆର ଆତ୍ମାର ଉପହାର, ନିଜର ଅନୁଭୂତି ପ୍ରକାଶର ଏଇ ସତଳପଥ ସେ ଖୋଜି ବାହାର କରିଛି। ରୁଟିକୁ ଧରିବାକୁ ଗଲାବେଳେ ରୁଟିତଳେ ଆମ ଆଙ୍ଗୁଳିକୁ ଆଙ୍ଗୁଳି ବାଜିଲା, ଅଳ୍ପ ହେଉ ମୃଦୁସ୍ପର୍ଶ ଲାଗିଲା। କଥା କହିବାର ସାହାସ ନାହିଁ-ଏପରି କି ଅକ୍ଷର ଅଭିବ୍ୟକ୍ତି ମଧ୍ୟରେ ପହରା। କିନ୍ତୁ ମୂକ ବ୍ୟକ୍ତି ମଧ୍ୟ ଆଙ୍ଗୁଳି ସାହାଯ୍ୟରେ ସ୍ପଷ୍ଟ କଥା କହିପାରେ।
ଆମ ଝରକାର ନିମ୍ନଦେଶରେ ନାରୀ କୟଦୀମାନେ ଛୁଟିଛନ୍ତି। ତାଙ୍କର ବ୍ୟାୟାମ କରିବାକୁ।ମୁଁ ଟେବୁଲ ଉପରକୁ ଚଢ଼ି ରେଲିଂ ଭିତରେ ଦେଖୁଛି। ସମ୍ଭବତଃ ସେମାନେ ଉପରକୁ ଚାହିଁବେ। ହଁ ଚାହିଁଲେ। ମୋତେ ଦେଖି ମୁଷ୍ଟିବଦ୍ଧ ହାତ ଉଠାଇ ଜଣାଇଲେ ଅଭିବାଦନ। ପୁଣି ମଧ୍ୟ। ପ୍ରାଙ୍ଗଣଟା ଯେପରି ସଜୀବ ହୋଇଉଠିଛି-ଅନ୍ୟ ଦିନ ତୁଳନାରେ ସତ ଆନନ୍ଦମୟ। ପହରାବାଲା ଦେଖିପାରୁନାହିଁ-ହୁଏତ ଦେଖିବାକୁ ଇଚ୍ଛା କରୁନାହିଁ। ମଇ ଦିବସ ପ୍ୟାରେଡ଼୍ର ଏ ମଧ୍ୟ ଅଙ୍ଗବିଶେଷ।
ଏଥର ଆସିଲା ଆମର ପାଳି। ବ୍ୟାୟାମ ସମୟରେ ମୋତେ ନେତୃତ୍ବ ନେବାକୁ ହେବ। ସାଥିଗଣ, ଆଜି ମଇ ପହିଲା। ଆଜି ନୂଆ କିଛି ଆରମ୍ଭ କରାଯାଉ-ରକ୍ଷୀମାନେ ଦେଖନ୍ତୁ ବା ନ ଦେଖନ୍ତୁ ଖାତିର କରନାହିଁ। ପ୍ରଥମ କସରତ ହାତୁଡ଼ି ପିଟିବା ଖେଳ-ଏକ ଦୁଇ,ଏକ ଦୁଇ। ଦ୍ବିତୀୟ ଶସ୍ୟକଟା କସରତ। ହାତୁଡ଼ି ଆଉ ଦା-ଏଥର ଲୋକେ ବୁଝିପାରିଛନ୍ତି। ଧାଡ଼ିର ସମସ୍ତଙ୍କ ମୁହଁରେ ହସ,କସରତର ପ୍ରତି ଅଙ୍ଗ ସଞ୍ଚାଳନରେ ଉଦ୍ଦୀପନା। ଏଇ ଆମର ମଇ ପହିଲାର ଉତ୍ସବ। ଏଇ ମୂକ ଅଭିନୟ ଆମର ମଇ ପହିଲାର ଶପଥ। ଆମେ ଅଟଳ ରହିବୁ, ଆମେ ମରଣ ଅଭିମୁଖେ ଯାତ୍ରା ହେଲେ ମଧ୍ୟ।
ପୁଣି ଗାରଦକୁ ଫେରିଲୁଁ। ୯ଟା ବେଳ। କ୍ରେମଲିନ୍ର ଘଡ଼ିଘରେ ଏଇକ୍ଷଣି ଦଶଟା। ରେଡ଼ ସ୍କୋୟାରର ପ୍ୟାରେଡ଼୍ ଆରମ୍ଭ ହୋଇଯାଇଛି। ଚାଲିଆସ ବାବା, ସେମାନେ ଆନ୍ତର୍ଜାତିକ ସଙ୍ଗୀତ ଗାଉଛନ୍ତି। ପୃଥିବୀର ଚାରିଆଡ଼େ ଆନ୍ତର୍ଜାତିକ ସଙ୍ଗୀତର ଧ୍ବନୀ, ଆମର ଗାରଦରେ ସେ ସୁର ବାଜି ଉଠୁ। ଆମେ ଗାଉଛୁ, ଗୋଟାକ ପଛକୁ ଆଉ ଗୋଟାଏ ଛୁଟିଛି ବିପ୍ଳବୀ ସଙ୍ଗୀତ । ନିଃସଙ୍ଗ ରହିବାକୁ ଚାହୁଁନା-ବା ଆମେ ନିଃସଙ୍ଗ ରହିନାହୁଁ। ଯେଉଁମାନେ ପୃଥିବୀରେ ବିପ୍ଳବର ସଙ୍ଗୀତ ମୁକ୍ତ କଣ୍ଠରେ ଗାଇପାରନ୍ତି ଆମେ ତ ସେହିମାନଙ୍କ ଦଳର। ସେମାନେ ତ ଲଢ଼େଇ କରୁଛନ୍ତି, ଠିକ୍ ଆମରି ଭଳି…
* * * *