ସ୍ଥାନ କାଳ ପାତ୍ର ବୁଝି ସେ କାମ କରି ଜାଣେ। ପ୍ରତିଦିନ, ପ୍ରତି ଘଣ୍ଟାରେ ନୂତନ ପରିସ୍ଥିତି ସୃଷ୍ଟି ହେଉଛି, ତା ପାଇଁ ନୂତନ କର୍ମପଦ୍ଧତି ଆବଶ୍ୟକ। ସେ ଖୁବ୍ ଚଞ୍ଚଳ କର୍ମପଦ୍ଧତି ଆବିଷ୍କାର କରିପାରେ, ଏକ ମୁହୂର୍ତ୍ତର ଭଗ୍ନାଂଶ ସମୟ ଯେବେ ଥାଏ ବି। ସେ ସମୟ ମଧ୍ୟରେ ଗାରଦ ଦୁଆର ହାତ ମାରିଦେଇ ହେବ ତ , ଜଳାବାଟେ(ଯତ୍ନସହକାରେ ପ୍ରସ୍ତୁତ) ଶୁଣିନେଲା ଖବରଟା, ତାପରେ ବାରଣ୍ଡାର ଆଉ ଏକ ପ୍ରାନ୍ତରେ ଗୋଟାଏ ଗାରଦରେ ସ୍ପଷ୍ଟ କଥାରେ ଠିକ୍ ଠିକ୍ ସେଇ ଖବର ଦେଇଆସିଲା। ରକ୍ଷୀ ତଳମହଲାରୁ ଓହ୍ଲାଇଗଲା, ବଦଳି ଉପରକୁ ପାହାଚରେ ଉଠିଆସୁଚି ଏହାରି ମଧ୍ୟରେ କାମଟା ଶେଷ କରିଦେବାକୁ ହେବ। ଭାରି ହୁସିଆର ସେ, ଉପସ୍ଥିତବୁଦ୍ଧି ବି ତାର ଖୁବ୍।ଜେଲଖାନାରୁ ଶତ ଶତ ଗୁପ୍ତ ଖବର ତାର ହାତ ଦେଇ ଯାଇଛି, କିନ୍ତୁ ଗୋଟାଏ ଧରାପଡ଼ିନାହିଁ, କି କାହାର ସନ୍ଦେହ ହୋଇନାହିଁ।
କିଏ ବିପଦରେ ପଡ଼ିଲା, ବାହାରର ପରିସ୍ଥିତି କଥା କହି କାହାକୁ ଉତ୍ସାହ ଦେବାକୁ ପଡ଼ିବ ତା ସେ ଜାଣିପାରେ- ଏହା ଯେପରି ତାର ସହଜାତ ପ୍ରବୃତ୍ତି। ତାର ବାତ୍ସଲ୍ୟପୂର୍ଣ୍ଣ ଚକ୍ଷୁରେ ବିଶେଷ ଦୃଷ୍ଟି ଫୁଟାଇ କାହାକୁ ଉତ୍ସାହିତ କରିବାକୁ ହେବ, କାହାକୁ ହତାଶା ବିରୁଦ୍ଧରେ ଲଢ଼ିବାକୁ ସାହସ ଯୋଗାଇବାକୁ ହେବ-ତା ସେ ଜାଣେ।ପରବର୍ତ୍ତୀ ଅନଶନ କାଳରେ ସମ୍ଭାଳିଯିବାକୁ କିଏ ଅଧିକା ଏକଟୁକୁରା ରୁଟି ବା ଏକ ହତା ଝୋଳ ଖାଇ ବଳ ବଢ଼ାଇବାକୁ ଚାହେଁ- ତାହାର ଅଜଣା ନାହିଁ। ନିଜର ଅଭିଜ୍ଞତା ଆଉ ଅନୁଭୂତି ହିଁ ତାକୁ ଏସବୁ ଶିଖାଇଛି- ତେଣୁ କେଉଁଠି କଣ ଦରକାର ତାକୁ କହିଦେବାକୁ ପଡ଼େନାହିଁ।
ଏହି ଆମର ‘ବାବା’ସ୍କୋରେପା। ସାହାସୀ, ଶକ୍ତିମାନ,ନିର୍ଭୀକ ସୈନିକ।ପ୍ରକୃତ ମନୁଷ୍ୟ ଜାଣେ।
ଯେଉଁମାନେ ଦିନେ ମୋର ଏହି ଲେଖା ପଢ଼ିବେ, ମୋର ଅନୁରୋଧ ସେମାନେ ଯେପରି ତାହାକୁ କେବଳ ଜଣେ ମନୁଷ୍ୟ ବୋଲି ବିବେଚନା ନ କରନ୍ତି, ସେ ତତ୍ବାବଧାରକମାନଙ୍କ ମଧ୍ୟରେ ଖାଣ୍ଟି ଲୋକ। ଅତ୍ୟାଚାରୀ ଶାସକ ଯେଉଁ କାର୍ଯ୍ୟ ତାଙ୍କଠାରୁ ପାଇବାକୁ ଦାବି କରିଥିଲା ସେ ସେହି କାର୍ଯ୍ୟକୁ ଅତ୍ୟାଚାରିତର ସେବାରେ ନିଯୁକ୍ତ୍ କରିଛି। ଏଠାରେ ଜଣେ ‘ବାବା’, ଏଠି ଗୋଟିଏ ସ୍କୋରେପା ଦେଖୁଛ କିନ୍ତୁ ଆହୁରି ଅନେକ ମଣିଷ ବି ଅଛନ୍ତି- ସେମାନେ କାମ କରି ଯାଉଛନ୍ତି, ଆଉ ସ୍କୋରେପାଠାରୁ ତାଙ୍କ କାମ ତ କମ୍ ନୁହେଁ। ସେ ସମସ୍ତଙ୍କର ଛବି ମୁଁ ଆଙ୍କିବାକୁ ଇଚ୍ଛା କରିଥିଲି-ଅନ୍ତତଃ ପ୍ୟାନ୍କ୍ରାଟସ୍ କୟେଦୀଖାନା ଆଉ ପେଟ୍ଚେକ୍ ତଳେ ବିଲଡିଂରେ ଯେଉଁମାନେ ଅଛନ୍ତି ସେହିମାନଙ୍କ ବିଷୟ କିନ୍ତୁ ଆଉ ମାତ୍ର କେତୋଟି ଘଣ୍ଟା ଅଛି-‘ଯେ ଗୀତି ଥରିଲା ନିମିଷକ, ରହିଗଲା ଚୀରତରେ ’ ସେ ଗୀତି ଲାଗି ଆଉ ବେଳ ନାହିଁ।
ଆଉ କେତେଟା ନାମ ଉଲ୍ଲେଖ ମାତ୍ର କରିବା ଲାଗି ସମୟ ଅଛି; ବହୁଳ ଉଦାହରଣ ମଧ୍ୟରୁ କେତୋଟି ମାତ୍ର-ଯେଉଁମାନଙ୍କର ନାମ ସ୍ମରଣୀୟ ହେବା ନିତାନ୍ତ ଉଚିତ୍।
‘ରେନେକ୍’ଜୋସେଫ ଟେରିଙ୍ଗଲ;ଶକ୍ତି, ଅଗ୍ନିଗର୍ଭ, ଜୀବନକୁ ଆହୁତି ଦେବାକୁ ପ୍ରସ୍ତୁତ- ପେଟଚେକ୍ ବିଲଡିଂର ଇତିହାସ ଆଉ ଆମର ସେଠିକାର ସଂଗ୍ରାମ ସହିତ ତାର ସ୍ମୃତି ଜଡ଼ିତ। ଆଉ ଅଭିନ୍ମ ସହୃଦୟ ସାଥୀ ବାରଡ଼ିଭୁ ମଧ୍ୟ ତାହାରି ପରି ଜଣେ।
ଡକ୍ଟର ମାଇଲୋସ ନେତ୍ଭେଡ; ସୁନ୍ଦର ଓ ଉଦାରଚେତା ଯୁବକ-ଆମ କୟେଦୀ କମରେଡମାନଙ୍କୁ ଦିନ ପରେ ଦିନ ସାହାଯ୍ୟ କରିବା ହେତୁରୁ ଓସ୍ଓଇସିମଠାରେ ତାକୁ ପ୍ରାଣ ଦେବାକୁ ପଡ଼ିଲା।
ଆର୍ନଷ୍ଟ ଲୋରେନ୍ସ; ତାର ସାଥୀମାନଙ୍କ ପ୍ରତି ବିଶ୍ବାସଘାତକତା କରିବ ନାହିଁ ବୋଲି ମନା କରିବାକୁ ତାର ସ୍ତ୍ରୀ ଫାଶୀ ପାଇଲା। ବର୍ଷକ ପରେ ତାର ବନ୍ଧୁମାନଙ୍କୁ,୪୦୦ ନମ୍ବରର ହେପାଜତକାରୀମାନଙ୍କୁ ଓ ସେଠିକାର ସମସ୍ତ ସଂଘ ସଂଗଠନକୁ ବଞ୍ଚେଇବାକୁ ଯାଇ ସେ ପ୍ରାଣ ଦେଲା।
ଭାସେକ ରେଜକୁ। ତାର ଅଦ୍ଭୁତ ରସିକତାବୋଧ-କେବେ ତା ଲୋପ ପାଇବାର ନୁହେଁ।
ଆନି ନିକୋଭା-ବେଶୀ କଥା କହେନାହିଁ, ଅଦ୍ୟନ୍ତ ବିଶ୍ବସ୍ତ-ସାମରିକ ଆଇନର ପ୍ରବର୍ତ୍ତନ ବେଳେ ତାର ପ୍ରାଣଦଣ୍ଡ ହେଲା।
ସିପ୍ରଙ୍ଗାର,ସେହି ସୁଚତୁର, ସଦା ହାସ୍ୟମୟ ‘ଗ୍ରନ୍ଥାଗାର ରକ୍ଷକ’, ଆବଶ୍ୟକୀୟ କାର୍ଯ୍ୟ କରିବା ଲାଗି ସେସବୁ ସମୟରେ ନୂତନ ନୂତନ ଉପାୟ ଉଦ୍ଭାବନ କରୁଥିଲା। ବିଲେକ, ସୁକୁମାର ତରୁଣ।
ଏ ଖାଲି କେତେଗୁଡ଼ିଏ ଉଦାହରଣ, ନମୁନା ମାତ୍ର। ବ୍ୟକ୍ତିତ୍ବ ଏହିମାନଙ୍କର ଥିଲା, ଛୋଟ ବଡ଼ ଯାହାହେଉ ପଛେ-ଏମାନେ ଜୀବନ୍ତ ଚରିତ୍ର, କେବଳ କେତେଗୁଡ଼ିଏ ଲୋକ ନୁହନ୍ତି।