ଫାଶୀ- ଆସାମୀର ଚୋରା-ଚିଠି




ବାବା ସ୍କୋରେପା

ଯଦି ସେ ତିନିଜଣଙ୍କୁ କେବେ ଆକସ୍ମିକ କ୍ରମେ ଏକସାଙ୍ଗରେ ଦେଖିବାକୁ ପାଅ, ତେବେ ଭ୍ରାତୃତ୍ବର ଜୀବନ୍ତ ଛବି ତୁମେ ଦେଖିବ-ଧୂସର ସବୁଜ ଏସ୍‌.ଏସ୍‌. ପୋଷାକ ପିନ୍ଧା ଜଗୁଆଳି କୋଲିନସ୍କି, ଚେକ୍‌ ପୁଲିସର ଘନନୀଳ ପୋଷାକ ପିନ୍ଧା ହୋରା ଆଉ ହାଲୁକା ରଙ୍ଗର ବାଜେ ପୋଷାକ ପିନ୍ଧା ଜେଲ୍‌ଖାନାର ହେପାଜତକାରୀ ବାବା ସ୍କୋରେପା । ସେ ତିନିଜଣଙ୍କୁ ଏକାସାଙ୍ଗରେ କ୍ବଚିତ ଦେଖିବାକୁ ପାଇବ- ଖୁବ୍‌ ବିରଳ ଭାବରେ।ତାର କାରଣ, ସେମାନେ ଏକ ଗୋଷ୍ଠୀର ।

ଜେଲଖାନାରେ ଆଇନ-କାନୁନ୍‌ ଅନୁସାରେ ‘ବିଶେଷ ଭାବରେ ବିଶ୍ବସ୍ତ ସୁଶୃଙ୍ଖଳ ଓ ଅନ୍ୟମାନଙ୍କ ସହିତ ବିଲ୍‌କୁଲ୍‌ ଅସଂପୃକ୍ତ’ –କେବଳ ଏହିପରି କୟେଦୀମାନଙ୍କ ଦ୍ବାରା ବାରଣ୍ଡା ଖରକିବା ବା ଖାଦ୍ୟ-ପରିବେଷଣ କାର୍ଯ୍ୟ କରାଯିବା କଥା। ଏହି ହେଉଛି ଆଇନର ଆକ୍ଷରିକ ଭାଷା, ଏହା କିନ୍ତୁ ଅଚଳ ଭାଷା-ଏକବାରେ ଅଚଳ। ଏ ମୁତାବକ ହେପାଜତକାରୀ ନାହାନ୍ତି, କେବେ ବି ନଥିଲେ-ଗେଷ୍ଟାପୋ ଜେଲଖାନାରେ କୌଣସିଠାରେ ନାହାନ୍ତି ଏ କଥା ନିଶ୍ଚିତ। ଏଠି ଯେ  ହେପାଜତକାରୀମାନେ ଅଛନ୍ତି, ସେମାନେ ପ୍ରାଣୀମାନଙ୍କର ସ୍ପର୍ଶେନ୍ଦ୍ରିୟ ଭଳି, ଜେଲଖାନା ଗାରଦଗୁଡ଼ିକର ସଂଘ ସଂଗଠନ ସେମାନଙ୍କୁ ବ୍ୟବହାର କରେ, ବାହାର ଜଗତ ସଙ୍ଗେ ଗାରଦର ଯୋଗାଯୋଗ ସ୍ଥାପନ କରି ବଞ୍ଚିରହିବାକୁ , ଅନ୍ୟମାନଙ୍କ ସହିତ ଖବର ଆଦାନପ୍ରଦାନ ଲାଗି। ସମ୍ବାଦ ଧରା ପଡ଼ିବାରୁ  କେବେ ହେପାଜତକାରୀଙ୍କୁ ପ୍ରମାଣ ଦେବାକୁ ନ ପଡ଼ିଛି। ସେମାନେ ଗୁପ୍ତଲିପି  ନେଇଯାଉଥିଲା ବେଳେ ଧରାପଡ଼ିଛନ୍ତି। କିନ୍ତୁ ଜେଲ୍‌ଖାନାର ସଂଘ  ସଂଗଠନ ତେବେ ବି ସେମାନଙ୍କର ଉତ୍ତରାଧିକାରୀମାନଙ୍କ ପାଖରେ ନିଷ୍ଠୁର ଭାବେ ଦାବି କରିଛି ଯେ ସେମାନେ ବିପଦପୂର୍ଣ୍ଣ କାମ କରନ୍ତୁ। ନିର୍ଭୀକ ଭାବରେ ହେଉ ବା ଭୟାଳୁ ପରି ହେଉ, ସେମାନଙ୍କୁ ସଂଘର କାର୍ଯ୍ୟ କରିବାକୁ ପଡ଼ିବ। କରିଲେ ବିପଦ ଅଧିକ, ସହଳେ ହେଉ ବା ବିଳମ୍ବରେ ହେଉ, ଧରାପଡ଼େ।ପ୍ରତ୍ୟେକ ଗୋପନ ଆନ୍ଦୋଳନରେ ଏହା ଘଟେ।

  ବିରୋଧ ଶକ୍ତିକୁ ଲୋପ କରିଦେବାକୁ ଯେଉଁମାନଙ୍କୁ ନିଯୁକ୍ତ କରାଯାଇଛି ସେହିମାନଙ୍କ ଆଖି ଆଗରେ କାମ କରିବା-ଗୋପନ ଆନ୍ଦୋଳନର ଚରମ ସ୍ତର ଏ । ଜଗୁଆଳମାନଙ୍କର ଆଖି ସାମନାରେ, ସେମାନେ ତୁମକୁ ଯେଉଁ କାମରେ ନିଯୁକ୍ତ କରିଛନ୍ତି, ସେହି କାମ କରୁ କରୁ ଶତ୍ରୁର କଠୋର କାର୍ଯ୍ୟକ୍ରମ ମଧ୍ୟରେ ସଂଗିନ୍‌ ଅବସ୍ଥାରେ କାମ କରିଯିବାକୁ ପଡ଼ିବ। ବେଆଇନ କାର୍ଯ୍ୟ ବିଷୟରେ ବାହାରେ ଯାହାସବୁ ଶିକ୍ଷା ପାଇଥିବ ଏଠି ସେତିକିରେ ଚଳିବ ନାହିଁ ଅଥଚ ଏଠି କାମ କରିବାକୁ ପଡ଼ିବ  ଆମ ସଙ୍ଗେ ସମାନ,ହୁଏତ ଅଧିକ। ବେଆଇନ କାର୍ଯ୍ୟରେ ବାହାରେ ଯେପରି କୁଶଳୀକର୍ମୀ ଅଛନ୍ତି ଏଠି ବି ସେହିପରି ଅଛନ୍ତି, ହେପାଜତ୍‌କାରୀମାନଙ୍କ ମଧ୍ୟରେ ।ବାବା ସ୍କୋରେପା ସେ ଦିଗରେ ଓସ୍ତାଦ-ଦେଖିବାକୁ ଧୀରସ୍ଥିର,ମୁହଁରୁ କିଛି ବୁଝାପଡ଼ିବ ନାହିଁ କିନ୍ତୁ ଚରକି ପରି କର୍ମତତ୍ପର। ଜଗୁଆଳମାନେ ତାଙ୍କର ପ୍ରଶଂସା କରନ୍ତି-ଦେଖ କିମିତି ଖଟେ ଲୋକଟା, ତା ଉପରେ ବିଶ୍ବାସ କରିହେବ,  ନିଜ କାମଟି ଛଡ଼ା ଆଉ କୋଉଥିରେ ନଥାଏ; ଆଇନକାନୁନ୍‌ର ବାହାରେ ଏକସୂତା ବି ଯିବ ନାହିଁ। ଅନ୍ୟାନ୍ୟ ହେପାଜତକାରୀମାନଙ୍କୁ ଡାକି ତାର ଆଦର୍ଶ ଅନୁସରଣ କରିବାକୁ କହନ୍ତି।

ହଁ ଆମେ ବି କହୁଁ , ହେ ହେପାଜତକାରୀମାନେ, ତାର ଦୃଷ୍ଟାନ୍ତ ଅନୁସରଣ କର। କୟେଦୀମାନଙ୍କର ମନମାଫିଖ ଜଣେ, ଆମ ସଂଘ ସଂଘଠନର ସ୍ପର୍ଶେନ୍ଦ୍ରିୟ ଗୁଡ଼ିକ ଭିତରେ ସବୁଠାରୁ ମଜବୁତ ଅଥଚ ସବୁଠୁ ସମଜଦାର ବେଶି। ତାକୁ ମାଲୁମ କେଉଁ ଗାରଦରେ କିଏ ଅଛି, ନୂଆ ଯେ ଆସିଲା ଆସିବା ମାତ୍ରେ ତାକୁ ଜଣା-ଏଠିକି ଆସିଲା କାହିଁକି;କାହା କାହା ସାଙ୍ଗରେ ତାର ଯୋଗାଯୋଗ ଅଛି, ବାହାରେ ସେ କଣ କରିଛି,ତାର ସଙ୍ଗୀମାନେ କଣ କରିଛନ୍ତି-ସବୁ ଖବର ତାକୁ ଜଣା।  ସେ ପ୍ରତ୍ୟେକ ‘ମାମଲା’ବିଷୟ ତନ୍ନ ତନ୍ନ କରି ବୁଝେ ଏବଂ ତା ଭିତରର ତଥ୍ୟ ଜାଣିବାକୁ ଚେଷ୍ଟା କରେ। ବାହାର ସାଙ୍ଗରେ ଯୋଗାଯୋଗ ରଖିବାକୁ ହେଲେ ବା ସାମୟିକ ସଠିକ୍‌ ପରାମର୍ଶ ଦେବାକୁ ହେଲେ ଏ ସବୁ ବିଶେଷ ଦରକାର।

  ଶତ୍ରୁକୁ ବି ସେ ଚିହ୍ନେ । ପ୍ରତି ଜଗୁଆଳ ସମ୍ବନ୍ଧରେ ସେ ଭଲ କରି ବୁଝେ-ତାର ଅଭ୍ୟାସ, ବଳ ବା ଦୁର୍ବଳତା କୋଉଠି, ତା ପାଖରୁ କେତେ ପ୍ରତ୍ୟାଶା କରାଯାଏ, ତାକୁ କି କାମରେ ଲଗେଇହେବ, କି କୌଶଳରେ ତାକୁ ଠକେଇ ଦେଇହେବ ବା ତାକୁ ଆଢ଼ୁଆଳ କରିଦେଇ କାମ କରିହେବ। ଜଗୁଆଳମାନଙ୍କର ଚରିତ୍ରର ବିଶେଷତ୍ବ ଯାହାସବୁ ମୁଁ ଲେଖିଛି, ତହିଁରୁ ଅଧିକାଂଶ କଥା ବାବା ସ୍କୋରେପା ମୋତେ କହିଛି। ସେ ସମସ୍ତଙ୍କୁ ଚିହ୍ନେ, କିଏ କଣ ତା ଠିକ୍‌ କହିଦେଇପାରେ, ସେମାନଙ୍କର ନିଖୁଣ ପରିଚୟ । ବାରଣ୍ଡାରେ ସ୍ବେଚ୍ଛାମତେ ଚଳବିଚଳ  କରି କାମଟି ହାସଲ କରିନେବାକୁ ହେଲେ ଏସବୁ ଜାଣିବା ନିହାତି ଦରକାର। କିନ୍ତୁ ସବୁଠୁ ବଡ଼କଥା, ସ୍କୋରେପା ତାର କର୍ତ୍ତବ୍ୟ ସମ୍ବନ୍ଧରେ ସଜାଗ। ସେ କମ୍ୟୁନିଷ୍ଟ ପ୍ରତି ମୁହୂର୍ତ୍ତରେ ତାକୁ କମ୍ୟୁନିଷ୍ଟ ହିସାବରେ କାର୍ଯ୍ୟ କରିବାକୁ ହେବ, ଏକଥା ସେ ଜାଣେ।ହାତ ବାନ୍ଧି ଚୁପ୍‌ କରି ବସିରହିବ, କାମ ନ ହେଲେ ନ ହେଉ, ଏଭଳି ସମୟ ବା ସ୍ଥଳ ଏ ନୁହେଁ। ମୋ ମତରେ ଏହି ତାର ଉପଯୁକ୍ତ ଜାଗା, ସେ ବାଛିନେଇଛି ସବୁଠାରୁ ବିପଦ ମଧ୍ୟରେ , ଅଧିକ କାର୍ଯ୍ୟର ଚାପ ଯେଉଁଠି। ଏଠିକି ଆସି ତାର ମାନସିକ ବିକାଶ ମଧ୍ୟ ହୋଇଛି।




+ -

© Jataayu Charitable Trust
Site designed,developed & maintained by Tekons