ଫାଶୀ- ଆସାମୀର ଚୋରା-ଚିଠି




ଫ୍ଲିଙ୍କ୍‌

 

ଅତି ସାଧାରଣ ଚରିତ୍ର ବି ନୁହେଁ, ପୁଣି ପୂର୍ଣ୍ଣବିକଶିତ ଚରିତ୍ର ମଧ୍ୟରେ ଗଣା ନୁହେଁ। ଦୁଇଟାର ମଝିଆମଝି କୁହାଯାଇପାରେ। ବ୍ୟକ୍ତିତ୍ବର ବିକାଶ ଲାଗି ଯେ ସ୍ପଷ୍ଟ ଉପଲବ୍ଧି ଆବଶ୍ୟକ ତାର ତାହା ନାହିଁ।

 ଏପରି ଦୁଇଜଣ ଏଠି ଅଛନ୍ତି। ସରଳ ଲୋକ,, ସବୁ ବୁଝି ପାରନ୍ତି  କିନ୍ତୁ ତଦନୁରୂପ କାମ କରିବାକୁ ଶକ୍ତି ନାହିଁ। ସେମାନେ ଯେ ଏହି ଭୟଙ୍କର ଅବସ୍ଥାରେ ଆସି ପଡ଼ିଛନ୍ତି ପ୍ରଥମେ ସେହି ଭୟରେ ଅସ୍ଥିର ହୋଇପଡ଼ିଥିଲେ। ତାପରେ ସେମାନଙ୍କ ମଧ୍ୟରେ ଆସିଛି ମୁକ୍ତିର ବାସନା। ସେମାନେ ଲୋଡ଼ନ୍ତି କେହି  ତାଙ୍କୁ ମନର ଦମ୍ଭ ଦେବ, କାରଣ ସେମାନେ ଆତୁନିର୍ଭରଶୀଳ ନୁହନ୍ତି। ଏ ଆଶ୍ରା ସେମାନେ ଲୋଡ଼ନ୍ତି, ଉପଲବ୍ଧି ହେତୁରୁ ନୁହେଁ ବରଂ ତା ତାଙ୍କର ପ୍ରକୃତି। ତୁମକୁ ସେମାନେ ସାହାଯ୍ୟ କରନ୍ତି, ତାର ଏକମାତ୍ର କାରଣ ତୁମଠାରୁ ସେମାନେ ସାହାଯ୍ୟ ପାଇବେ ଏଇ ଆଶାରେ । ସେମାନଙ୍କୁ ସାହାଯ୍ୟ କରିବା ଉଚିତ ବର୍ତ୍ତମାନ ଓ ଭବିଷ୍ୟତରେ !

 ପ୍ୟାନ୍‌କ୍ରାଟସ୍‌ରେ ଯେତେ ଜର୍ମାନ ଅଫିସର ସେମାନଙ୍କ ମଧ୍ୟରୁ କେବଳ ଏଇ ଦୁଇଜର ହିଁ ଏକ ସମୟରେ ଯୁଦ୍ଧଭୂଇଁରେ ଥିଲେ।

 ହାନାଓୟାର ଏକ ଦରଜି; ଯ୍ନୋଜ୍‌ମୋର ଅଞ୍ଚଳରୁ ପହିଲି ପହିଲି ବେଳେ ତୁଷାରାହତ ହୋଇ ସେ ଫେରିଆସିଛି, ତୁଷାରାହତ ହେବା ଲାଗି ସେ ନିଜେ ହିଁ ଯୋଗାଡ଼ କରିଥିଲା‘ଯୁଦ୍ଧ ଆମଭଳି ଲୋକମାନଙ୍କୁ ପୋଷାଏ ନାହିଁ।’  ସେ ସିଡିୟାଇକ୍‌ ଭଙ୍ଗୀରେ ଦାର୍ଶନିକ ଭଳି କହେ।  ‘ଯୂଦ୍ଧର କିଛି ହେଲେ ମୋତେ ଭଲ ଲାଗେନାହିଁ।’

  ହୋଫର ବାଟା କାରଖାନାର ଗୋଟିଏ  ମୋଚି, ବେଶ୍‌ ପ୍ରଫୁଲ୍ଲ ଫ୍ରାନ୍‌ସ୍‌ ଅଭିଯାନରେ ସେ ଥିଲା । ସେତେବେଳେ ଯଦିଓ ତାର ପଦୋନ୍ନତିର ପ୍ରତିଶ୍ରୁତି ପାଇଥିଲା। ରୋଜ ଯେଉଁସବୁ ଜଟିଳ ଅବସ୍ଥାରେ ସେ ଜଡ଼ିତ ହେଉଥିଲା, ତାକୁ ସେ ‘ଯା, ମ’ କହି ହାତ ହଲେଇ ହେଉଥିଲା; ଜଟିଳ ଅବସ୍ଥା ବହୁତ ଘଟିଛି ବି ତା ଭାଗ୍ୟରେ।

  ଏହି ଦୁହିଁଙ୍କର ହୃଦୟର ଭାବ ଥିଲା ଏକାଭଳି, ଅଦୃଷ୍ଟ ବି ଏକାଭଳି। କିନ୍ତୁ ହୋଫର ଅଧିକ ନିର୍ଭୀକ, ନିଜର ମନୋଭାବ ପ୍ରକାଶ କରିବାକୁ ଅଧିକ ସମର୍ଥ। ହାନୀଓୟାର ଠାରୁ ତାର ବ୍ୟକ୍ତିତ୍ବ ଅଧିକ ପରିସ୍ଫୁଟ। ପ୍ରାୟ ସବୁ ଗାରଦରେ ତାଙ୍କୁ ପ୍ଲିଙ୍କ୍‌ ବୋଲି ଡାକନ୍ତି।

  ତାର ଯେଉଁଦିନ ପହରା ଥାଏ,ସେଦିନ ଗାରଦ ଗୁଡ଼ିକ ଶାନ୍ତ।ତୁମର ଯାହା ଖୁସି କର। ସେ ତୁମ ଆଡ଼କୁ ଚାର୍ହି ଚିତ୍କାର କରି ଉଠିବ କିନ୍ତୁ ଆଖି ମାରି ଜଣେଇଦେବ ଯେ ତୁମ ଲାଗି ତାର ଏ ଚିତ୍କାର ନୁହେଁ। ତଳମହଲାର ଇନ୍ସପେକ୍ଟର ଅଛି, ତାକୁ ସେ ଜଣେଇ ଦେଉଛି-କର୍ତ୍ତବ୍ୟ ପରିପାଳନରେ ସେ କେଡ଼େ କଡ଼ା। କଡ଼ା ହେବାର ସବୁ ଚେଷ୍ଟା ତାର ବୃଥା ହୁଏ। କଡ଼ା ହେବାକୁ ଚାହିଁଲେ ବି ଏବେ ଆଉ କାହାରି ମନରେ ସେ ଧାରଣା ଆଣିପାରୁନାହିଁ।ପ୍ରତି ସପ୍ତାହରେ ସେ ଶାସ୍ତି ପାଏ।

 ‘ଯା, ମ’। ସେ ହାତ ହଲେଇ ଦିଏ ଓ ନିଜ କାମରେ ଚାଲିଯାଏ। ତାକୁ ଜଗୁଆଳ ବୋଲି କୁହାଯିବ ନାହିଁ , ଓ ନିଜ କାମରେ ଚାଲିଯାଏ। ତାକୁ ଜଗୁଆଳ ପୂର୍ବଭଳି ମୋଚିର ଚପଳ ଶିକ୍ଷାନବୀଶ ରହିଛି। ଗାରଦ ପିଲାମାନଙ୍କ ସାଙ୍ଗରେ ତାକୁ ତୁମେ ଖେଳିବାକୁ ଦେଖିବ। କାନ୍ଥକୁ ପେନି ଫୋପାଡ଼ି ଖେଳୁଥିବ ବେଶ୍‌ ଫୂର୍ତ୍ତିରେ, ଅନେକ ସମୟରେ ଖେଳରେ ନିମଗ୍ନ ହୋଇଯାଏବି। ପର ମୁହୂର୍ତ୍ତରେ, ଗାରଦ ତଲାସ ହେବା ଲାଗି ବନ୍ଦୀମାନଙ୍କୁ ବାରଣ୍ଡାରେ ଆଣି ଛିଡ଼ା କରିବ। ଯଦି ତଲାସ ବେଶୀ ବେଳଯାଏଁ ଚାଲେ, ଆଉତୁମେ କୌତୂହଳୀ ହୋଇଉଠ; ଦେଖିବ ସେ ଗାରଦ ଭିତରେ ଗୋଟାଏ ଟେବୁଲ୍‌ ପାଖରେ ମୁଣ୍ଡକୁ ଦୁଇହାତ ଉପରେ ରଖି ବସିଛି, ସେଇଠି ଶୋଇ ପଡ଼ିଲାଣି। ବେଶ୍‌ ଶାନ୍ତି ଆଉ ଆରାମରେ ଶୋଇପଡ଼ିଛି । ଉପରବାଲା କର୍ମଚାରୀମାନଙ୍କର ନଜରରୁ ଏହି ସ୍ଥାନଟା ନିରାପଦ, କାରଣ ବାରଣ୍ଡାରେ ବନ୍ଦୀମାନେ  ନଜର ରଖିଛନ୍ତି। ବିପଦ  ଆସିଲେ ସାବଧାନ କରିଦେବେ। ପହରା ବେଳେ ତାର ଶୋଇବା ଦରକାର ପଡ଼େ କାରଣ ଯେଉଁ ବାଳିକାଟିକୁ ପୃଥିବୀରେ ସବୁଠାରୁ ସେ ଭଲପାଏ ସେ ତାର ରାତିର ବିଶ୍ରାମରେ ବ୍ୟାଘାତ ହୁଏ।

 ନାଜୀବାଦ ବିଜୟୀ ହେବ ନା ପରାଜିତ ହେବ? ଦା, ମ! ତୁମେ କଣ ଭାବିଛ, ଏହିପରି ସର୍କସ୍‌ ସଦାଦିନେ ଚାଲିଥିବ।

 ସେ ନିଜକୁ ଏମାନଙ୍କ ଭିତରୁ ଜଣେ ବୋଲି ବିବେଚନା ନାହିଁ। ସେଥିପାଇଁ ହିଁ ତାକୁ ଆମେ ଭଲପାଉଁ। ଆଉ ବି, ସେ ସେମାନଙ୍କ ଦଳରେ ମିଶିବାକୁ ରାଜି ନୁହେଁ। ସେ ସେମାନଙ୍କ ଦଳର ନୁହେଁ। ଖଣ୍ଡେ ଗୋପନ ଚିଟାଉ ଯଦି ଅନ୍ୟ ବିଭାଗର କାହାରି ନିକଟକୁ ପଠାଇବାକୁ ଇଚ୍ଛା କର; ଫ୍ଲିଙ୍କ୍‌ ସେ ଖବର ନେଇଯିବ। ଯଦି ବହୁତ ଲୋକର ଜୀବନ ରକ୍ଷା ଦରକାର ହୁଏ,ପ୍ଲିଙ୍କ୍‌ ତୁମକୁ ତା ଗାରଦକୁ ନେଇଯିବ ଓ ବାହାରେ ଜଗିରହିବ-ପୁଲିସକୁ ଆଢ଼ୁଆଳ କରି ଦେବାର ତାରିଫ୍‌ ତାର ଅଛି ଏଥିଲାଗି ବଜାରି ପିଲାଙ୍କଭଳି ତାର ମନରେ ଗର୍ବ। ସତର୍କ ହେବାକୁ ତାକୁ ମଝିରେ ମଝିରେ କହିବାକୁ ପଡ଼େ, ତା ସାଙ୍ଗରେ ଯୁକ୍ତିତର୍କ କରିବାକୁ ପଡ଼େ ବିପଦର କେନ୍ଦ୍ରସ୍ଥଳରେ ଆଉ ମଧ୍ୟ ସେ ବିପଦଟା ବେଶୀ ଅନୁଭବ କରିପାରେନାହିଁ। ସେ ଯେଉଁ ଉପକାର କରୁଛି ତାହା ଯେ କି ମୂଲ୍ୟବାନ ସେ ବିଷୟରେ ସେ ଆଦୌ ସଚେତନ ନୁହେଁ । ସେ ଯେତିକି ପାରିବ ସେତିକି କରି ଆଶ୍ବସ୍ତି ବୋଧ କରେ; କିନ୍ତୁ ଏଥିରେ ତାର ଶକ୍ତିର ବିକାଶ ବାଧାପ୍ରାପ୍ତ ହେଉଛି।

  ବର୍ତ୍ତମାନ ତାର ବ୍ୟକ୍ତିତ୍ବ ପରିସ୍ଫୁଟ ହୋଇନାହିଁ  କିନ୍ତୁ ତାହା ବିକାଶ ପଥରେ।




+ -

© Jataayu Charitable Trust
Site designed,developed & maintained by Tekons