ସ୍ମେତୋନଝ
ଦେହ ପୁରୁଣା ଜୀର୍ଣ୍ଣ ଜାହାଜଭଳି। ମୁହଁରେ ହର୍ଷ-ବିଷାଦ କିଛି ଫୁଟେ ନାହିଁ, ଚକ୍ଷୁରେ କେବେ ଭାବର ଛାୟାପାତ ହୁଏନାହିଁ। ସେଇ ହେଉଛି ସ୍ମେତୋନଝ-ଦେଖିଲା ମନେହୁଏ ସତେ ଯେପରି ନାଜୀ- ଝଟିକା-ବାହିନୀର ସୈନିକର ଗ୍ରସ୍ ଯେଉଁ ବ୍ୟଙ୍ଗଚିତ୍ର ଆଙ୍କିଥିଲେ, ତାହା ସଜୀବ ରୂପ ଘେନିଛି। ସେ ପୂର୍ବ ପ୍ରୁଶିୟାରେ ଲିଥୁୟାନିୟା ସୀମାନ୍ତର ଅଧିବାସୀ। ଗାଈ ଦୁହିଁବା ଥିଲା ତାର କାମ କିନ୍ତୁ ଅତି ଆଶ୍ଚର୍ଯ୍ୟ କଥା ଯେ ଗୃହପାଳିତ ଶାନ୍ତଶିଷ୍ଟ ଜୀବର କୌଣସି ଗୁଣ ତା ଉପରେ ଛାପର ପକାଇପାରିନାହିଁ। ସେ ଜର୍ମାନ୍ ଜାତିର ଗୁଣାବଳୀର ପ୍ରତୀକ ବୋଲି ଉପରତାଲାର ଧାରଣା। କଠୋର, ସେ ଖୁବ୍ କମ୍ କଥା କହେ, ଲାଞ୍ଚ ନିଏ ନାହିଁ।ବାରଣ୍ଡାରେ ଗଲାବେଳେ ହେପାଜତକାରୀଙ୍କ ଠାରୁ ଅତିରିକ୍ତ ଖାଦ୍ୟ ପଦାର୍ଥ ଯେ ଅଳ୍ପ କେତେଜଣ କେବେ ହେଲେ ଦାବି କରନ୍ତି ନାହିଁ ସ୍ମେତୋନଝ ତା ମଧ୍ୟରୁ ଜଣେ କିନ୍ତୁ…।
ଜଣେ ଜର୍ମାନ ବୈଜ୍ଞାନିକ(ବର୍ତ୍ତମାନ ତାଙ୍କ ନାମ ମନେ ପଡ଼ୁନାହିଁ) କେଉଁ ଜୀବଦ୍ବାରା କେତୋଟି ‘ଶବ୍ଦ’ଗଠିତ ହୋଇପାରେ, ତହିଁରୁ ସେହି ସେହି ଜୀବଙ୍କର ବୁଦ୍ଧିଶକ୍ତିର ନିର୍ଣ୍ଣୟ କରିଥିଲେ। ସେଥିରୁ ସେ ସିଦ୍ଧାନ୍ତରେ ଆସି ପହଞ୍ଚିଲେ ଯେ ଗୃହପାଳିତ ବିରାଡ଼ି ବୁଦ୍ଧିରେ ସବୁଠୁଁ ନ୍ୟୁନ। କାହିଁକି ନା ୧୨୮ ଟିରୁ ଅଧିକ ଶବ୍ଦ ଗଠନ କରବାକୁ ସେ ଅକ୍ଷମ। ହାୟ, ସ୍ମେତୋନଝର ତୁଳନାରେ ବିରାଡ଼ି କ ପ୍ରତିଭାଶାଳୀ ନୁହେଁ ଭଲା, କାରଣ ସାରା ପ୍ୟାନକ୍ରାଟସ୍ର କେହି କେବେ ହେଲେ ତା ମୁହଁରୁ ଚାରୋଟି ପଦରୁ ବେଶି ଶୁଣିବାକୁ ପାଇନାହିଁ।
‘ହେଇ, ହୁସିଆର ରହିଥା !’
ସପ୍ତାହରେ ଦୁଇ ତିନିଥର ତାକୁ କାମରୁ ଛୁଟି ମିଳେ।ଏ ଅବସରରେ ପ୍ରତିଥର ସେ ନିଜ ଉପରେ ଅତ୍ୟାଚାର କଲେ କିନ୍ତୁ ହାୟ, ଏ ସାମାନ୍ୟ ଘଟଣା ପ୍ରତିଥର ବିଗାଡ଼ି ଦେଇବସେ। ମୁଁ ଦେଖିଛି, ଗୋଟାଏ ବୋଲି ଝରକା ଖୋଲି ନାହିଁ ବୋଲି ଥରେ ଜେଲଖାନାର ସୁପରିଟେଣ୍ଡଟ୍ ତାକୁ ଗାଳି ଦେଉଥିଲେ। ଛୋଟ ଗୋଡ଼ ଦୁଇଟା ଉପରେ ନେଦାଏ ମାଂସ ତାହା ଥରେ ଆଗକୁ ଥରେ ପଛକୁ ହଲିବାକୁ ଲାଗିଲା, ତାର ଗୁଡ୍ବକ ମୁଣ୍ଡଟା ଆହୁରି ଟିକିଏ ସାମନାକୁ ଓହଳି ପଡ଼ିଲା, ମୁହଁର ଦୁଇକୋର ତଳକୁ ଖସିଆସିଛି…ଯେ ହୁକୁମ ତାର କାନ ଏବେ ଶୁଣିଛି, ତାହା ବାରମ୍ବାର ଉଚ୍ଚାରଣ କରିବାରେ ଳାଗିପଡ଼ିଛି ସେ…। ତାପରେ ଭୁଣ୍ଡା ସାଇରନ୍ ପରି ହଠାତ୍ ଚିତ୍କାର କରି ଉଠିଲା… ବାରଣ୍ଡାର ଏମୁଣ୍ଡ ସେମୁଣ୍ଡ ତ୍ରସ୍ତ। କି ବ୍ୟାପାର ଘଟିଛି ଖୁବ୍ କମ୍ ଲୋକେ ବୁଝିପାରିଲେ। ଝରକାଗୁଡ଼ିକ ସେହିଭଳି ବନ୍ଦ। ଯେଉଁ ଦୁଇଜଣ ବନ୍ଦୀ ତା ନିକଟରେ ଛିଡ଼ା ହୋଇଥିଲେ। ସେମାନଙ୍କର ନାକରୁ ରକ୍ତ ଝରିପଡ଼ିବାକୁ ଲାଗିଲା। ଏଇ ହେଉଛି ତାର ସମସ୍ୟାର ସମାଧାନ।
ଏ ପ୍ରକାର ରୀତି ତାର। ଯାହାକୁ ଦେଖୁଥିଲା ତାକୁ ମାରୁଥିଲା, ଏପରିକି ବେଳେ ବେଳେ ଜୀବନରେ ମାରିଦେଇଥିଲା। ସେହି ଗୋଟିଏ କଥା ସେ ବୁଝିଥିଲା। ଆଉ କିଛି ନୁହେଁ । ଦିନେ ଗୋଟାଏ ଗାରଦରେ ପଶିଲା, ସେଠି ଥିବା ବନ୍ଦୀଙ୍କ ଭିତରୁ ଜଣଙ୍କୁ ବାଡ଼େଇଲା।ବନ୍ଦୀଟି ବେମାରିଆ, ବେହୋସ୍ ହୋଇ ତଳେ ପଡ଼ିଗଲା। ତହୁଁ ସ୍ମେତୋନଝ ଅନ୍ୟ ସବୁ ବନ୍ଦୀଙ୍କୁ ହୁକୁମ ଦେଲା ସେ ବନ୍ଦୀର ଗୋଡ଼ ହାତ ଛାଟିବା ସହିତ ତାଳ ରଖି ତାକୁ ଉଠବସ୍ କରାଇବାକୁ। କିଛି ସମୟ ପରେ ବନ୍ଦୀର ବଳ ଖସିଗଲା ଓ ସେ ନିସ୍ତେଜ ହୋଇଯିବା ସହିତ ତାର ଗୋଡ଼ ଛାଟିବା ମଧ୍ୟ ବନ୍ଦ ହୋଇଗଲା। ଏଥର ସ୍ମେତୋନଝ ଅଣ୍ଟାରେ ହାତ ଦେଇ ସଇତାନର ହସ ହସିବାକୁ ଲାଗିଲା। ଏପରି ଗୋଟାଏ ଜଟିଳ ବ୍ୟାପାର ସମାଧାନ କରିପାରିଛି ବୋଲି ତାର ଆନନ୍ଦ ।
ଖାଣ୍ଟି ଆଦିମ ମନୁଷ୍ୟ, ସେହିପରି ବର୍ବର। ଉପରବାଲା ଯାହା କିଛି ଶିଖାଇବାକୁ ଚାହିଁଛନ୍ତି ତା ମଧ୍ୟରୁ ଗୋଟିଏ ଜିନିଷ ହିଁ ତାର ମନେଅଛି-ପ୍ରହାର ଦ୍ବାରା ଅଧିକାଂଶ ସମସ୍ୟାର ସମାଧାନ ହୁଏ। ଏ ହେଉଛି ସେହି ଶିକ୍ଷା।
ଶେଷରେ ଦେଖିଛି ଏଇ ପ୍ରକୃତିର ଜୀବ ମଧ୍ୟ ହତୋତ୍ସାହ ହୋଇପଡ଼ିବ। ମାସେ ଖଣ୍ଡେ ଆଗେ ଦିନେ ସେ ଆଉ ‘କେ-’ଜେଲଖାନା ଅଫିସରେ ବସିଥିଲେ। ‘କେ-’ ତାକୁ ବର୍ତ୍ତମାନ ପରିସ୍ଥିତି ସମ୍ବନ୍ଧରେ ବୁଝାଉଥିଲା-ବହୁତ ବେଳ ଯାଏଁ ସେ ବୁଝାଇଲା, ବିରକ୍ତ ହୋଇଗଲେ, କୌଣସି ରକମ ସ୍ମେତୋନଝ ବୁଝେନାହିଁ। ଅବଶେଷରେ ସେ ଯେପରି ଟିକିଏ ଟିକିଏ ବୁଝି ପାରିଲା। ଏଥର ସେ ଛିଡ଼ା ହୋଇ ଅଫିସ ଘରର କବାଟ ଖୋଲି ସନ୍ତର୍ପଣରେ ଚାହିଁଲା ବାରଣ୍ଡା ଆଡ଼କୁ। ଚାହିଁନେଲା। ଅର୍ଦ୍ଧରାତ୍ରୀର ନିସ୍ତବ୍ଧ ନିଦ୍ରାଚ୍ଛନ୍ନ ଜେଲଖାନା। କବାଟ ବନ୍ଦ କରି ଚାବି ଦେଲା,ତାପରେ ଯେପରି ଚୌକିରେ ଢଳିପଡ଼ିଲା ଉତ୍ସାହଶୂନ୍ୟ ହୋଇ।
-ତାହେଲେ ତୁମ ଭାବୁଚ…?
ତାର ଥୋଡ଼ି ତା ହାତ ଉପରେ ଢିରା ଦିଆ ହୋଇଛି। ଗୋଟାଏ ଦୁର୍ବିସହ ବୋଝ ଯେପରି ମାଡ଼ି ବସିଛି ତାର ବିରାଟ ଶରୀରର ଅନ୍ତମୂଳରେ ଥିବା କ୍ଷୁଦ୍ର ଆତ୍ମା ଉପରେ । ବହୁ ସମୟ ସେ ବସି ରହିଲା, ତାପରେ ମୁଣ୍ଡ ଟେକି କହିଲା । ସ୍ବରରେ ତାର ହତାଶା;
ଠିକ୍ କହିଛ। ଆମେ ଜାଣିପାରିବା ନାହିଁ।
ଗତମାସର ପ୍ୟାନ୍କ୍ରାଟସ୍ ଜେଲ୍ଖାନାରେ ତାର ରଣୋତ୍ମତ୍ତ ଚିତ୍କାର ଆଉ ଶୁଣାଯାଇ ନାହିଁ, ନୂତନ ବନ୍ଦୀମାନେ ତାର ଘୁଷିମାଡ଼ର ଆସ୍ବାଦ ପାଇନାହାନ୍ତି।