“ପ୍ରାଥମିକ ଚିକିତ୍ସକ”
ଡେଙ୍ଗା , ମୋଟା ଏସ୍ ଏସ୍ର ମହଜୁଦ ବାହିନୀ ଲୋକ। କିପରି ପତଳା। ତାର ନାମ ରିଉସ, ରାଇନ ନଦୀକୂଳସ୍ଥ କୋଲନ୍ରେ ଗୋଟିଏ ସ୍କୁଲରେ ଦରୱାନା ଥିଲା ସେ । ଅନ୍ୟାନ୍ୟ ଜମାନ ସ୍କୁଲର ଦରୱାନଙ୍କ ପରି ପ୍ରାଥମିକ ଚିକିତ୍ସା ଲାଗି ଶିକ୍ଷା ପାଇଥିଲା। ତେଣୁ ଅନେକ ସମୟରେ ବନ୍ଦୀଶାଳାର ଡାକ୍ତରକାମ ମଧ୍ୟ ଚଳାଉଥିଲା। ତା ସାଙ୍ଗରେ ଏଠି ମୋର ପ୍ରଥମ ପରିଚୟ। ସେ ମୋତେ ଗାରଦକୁ ଟାଣି ନେଇଥିଲା। ଖଟିଆରେ ଶୁଆଇଦେଲା। ଘା’ର ଚିକିତ୍ସା କଲା, ଆଉ କ୍ଷତ ସ୍ଥାନରେ ସେକ ଦେଇଥିଲା। ହୁଏତ ମୋର ଜୀବନ ଏହାର ସାହାଯ୍ୟରେ ବଂଚିଥିଲା। ଡାକ୍ତର ସାହାଯ୍ୟ କଣ ପ୍ରକାଶ କରୁଥିଲା? ତାର ମାନବିକତା ନା, ତାର ପ୍ରାଥମିକ ଚିକିତ୍ସା ଶିକ୍ଷା? ଜାଣେନାହିଁ। କିନ୍ତୁ ଯେତେବେଳେ ସେ ବନ୍ଦୀ ଇହୁଦୀମାନଙ୍କର ଦାନ୍ତ ଭୂଷି ମାରି ଭାଙ୍ଗିପକାଏ, କିମ୍ବା ଲୁଣ ବା ବାଲି ଚାମୁଚ ଚାମୁଚ ଆଣି ଗଦା କରିଦିଏ(ସେମାନଙ୍କର ସବୁପ୍ରକାର ରୋଗ ଲାଗି ତାହାହିଁ ମହୌଷଧି) ସେତେବେଳେ ତାର ଅର୍ଥ ବୁଝିବାକୁ ଡେରି ହୁଏନାହିଁ। ତା ନାଜୀବାଦର ଅଭିବ୍ୟକ୍ତି ଛଡ଼ା ଆଉ କିଛି ନୁହେଁ।
‘ସ୍ମାର୍ଟି’
ବାଜୁରା, ଦୟାଳୁ, ଫେବିୟାନ ନୀତି। ଜେସ୍କା ବୁଦେଜୋଭିଜ ମଦ କାରଖାନାରେ ସେ ମଟର ଚାଳକ ଥିଲା। ଯେତେବେଳେ ଆମର ଖୋରାକ ଘେନି ଗାରଦକୁ ଆସେ ମୁହଁରେ ତାର ହସ ଫୁଟିଉଠେ। କେବେ ଆମର ଅନିଷ୍ଟ କରିନାହିଁ। ତୁମେ କଦାପି ବିଶ୍ବାସ କରିବ ନାହିଁ ଯେ ଏଇ ଲୋକଟି ଗାରଦ ବାହାର ଛିଡ଼ା ହୋଇ ଆମର କଥା ଶୁଣିବା ପାଇଁ ଘଣ୍ଟା ଘଣ୍ଟା କାଳ କାନ ପାରିଥାଏ। ସାମାନ୍ୟ ଗୋଟାଏ କିଛି ଶୁଣିଲେ ଛୁଟିଯାଏ ଉପରବାଲାମାନଙ୍କୁ ଖବର ଦେବାକୁ।
“କୋକଲାର”
ସେ ମଧ୍ୟ ବୁଦେଜୋଭିକ ମଦ କାରଖାନାରୁ ଆସିଛି। ସେଠି ଶ୍ରମିକ ଥିଲା। ସୁବେତେନ ଅଞ୍ଚଳରୁ ଏହିପରି ଅନେକ ଜର୍ମାନ୍ ଶ୍ରମିକ ଆସି ଏଠି ଜୁଟିଛନ୍ତି। ମାର୍କସ ଏକଦା ଲେଖିଥିଲେ-‘ବ୍ୟକ୍ତି ହିସାବରେ ଶ୍ରମିକର କାର୍ଯ୍ୟ ବା ଚିନ୍ତାଧାରା ବିଶେଷ କରି ନୁହେଁ। ଶ୍ରେଣୀ ହିସାବରେ ଶ୍ରମିକମାନଙ୍କୁ ଯେଉଁ ଐତିହାସିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ ତାରି ଉପରେ ସେମାନଙ୍କର ବିଶିଷ୍ଟତା ନିର୍ଭର କରେ।’
ଯେଉଁମାନଙ୍କୁ ଏଠି ଆମେ ଦେଖିଛୁଁ। ସେମାନେ ଯେମାନଙ୍କର ଶ୍ରେଣୀର କର୍ତ୍ତବ୍ୟର କଥା କିଛି ଜାଣନ୍ତି ନାହିଁ। ନିଜର ଶ୍ରେଣୀଠାରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି ଆଉ ନିଜର ଶ୍ରେଣୀ ବିରୋଧୀ କାର୍ଯ୍ୟ କରୁଛନ୍ତି। ଆଦର୍ଶ ଦିଗରୁ ସେମାନେ ଶୂନ୍ୟରେ ଝୁଲୁଛନ୍ତି-ଶେଷରେ ହୁଏତ ସତକୁସତ ସେମାନଙ୍କର ଦେହ ବି ଝୁଲିବ।
ସୁବିଧାରେ ଜୀବିକାର୍ଜନ କରିବା ମୋହରେ ସେ ନାଜୀ ଦଳରେ ମିଶିଥିଲା। କିନ୍ତୁ ସେ ଯାହା କଳ୍ପନା କରିଥିଲା ତାଠାରୁ ଏ ଜୀବନ ଜଟିଳ। ସେହିଦିନଠୁ ତାର ହସ ଉଭେଇ ଯାଇଛି। ସେ ନାଜୀମାନଙ୍କର ବିଜୟ ହେବ ବୋଲି ବାଜି ମାରିଛି କିନ୍ତୁ ବର୍ତ୍ତମାନ ତ ମନେହୁଏ ତାର ବାଜି ହାର ଦମ୍ଭ ହଜିଯାଇଛି। ରାତିରେ ଯେତେବେଳେ ସେ ଶବ୍ଦହୀନ ଚଟି ପିନ୍ଧି ବାରନ୍ଦାରେ ବୁଲୁଥାଏ , ତାର ବିଭୀଷିକାମୟ ବିଚାର ଛାପ ରହିଯାଏ ତାର ଅଜାଣତରେ ବତୀଖୁଣ୍ଟରେ ଧୂଳି ଉପରେ।
‘ସବୁ ଗନ୍ଧିଆ। ’ ବେଶ୍ କବିତ୍ବ ଫୁଟାଇ ସେ ଗୋଟାଏ ବତୀଖୁଣ୍ଟରେ ଦେଖିଛି। ଆତ୍ମହତ୍ୟା କରରିବାକୁ ଭାବୁଥିଲା ସେ ।
ଦିନବେଳା କୟେଦୀ ଓ ଜଗୁଆଳମାନଙ୍କ ଉପରେ ଡଗଡଗ ହୋହୋ ବଡ଼ପାଟି କରି ସମସ୍ତଙ୍କୁ ଘଉଡ଼ାଏ, କେବଳ ତାରର ମନର ଦମ୍ଭକୁ ବଜାଇ ରଖିବା ଲାଗି।
ରୋଲସାର
ରୋଲସାର ଡେଙ୍ଗା, ପତଳା, ସ୍ବର ଘାଉଡ଼ା , କର୍କଶ। ଜେଲଖାନାର ଯେ ଅଳ୍ପ କେତେଜଣ ଆନ୍ତରିକଭାବ ହସିପାରନ୍ତି, ସେ ସେମାନଙ୍କ ମଧ୍ୟରୁ ଜଣେ। ଜୀବଲୋନେତ୍ସର ଲୁଗାକଳ ଶ୍ରମିକ ଥିଲା ସେ। ଗାରଦକୁ ଆସେ ଓ ଘଣ୍ଟା ଘଣ୍ଟା ଧରି ଆଳାପ ଆଲୋଚନା କରେ।
-କିପରି ଏଠିକି ଆସିଲି?ଦଶବର୍ଷକାଳ କୌଣସି ମୁଜରୀର କାମନଥିଲା , ତୁମେ ତ ଜାଣ ସପ୍ତାହକୁ କୋଡ଼ିଏ କ୍ରାଉନରେ ଗୋଟାଏ ପରିବାରର କି ପ୍ରକାର ଚଳେ, କିଭଳି ଜୀବନ ନିର୍ବାହ ହୁଏ ସେଥିରେ। ତାପରେ ଏମାନେ ଆସି କହିଲେ , ତୁମକୁ ଆମେ କାମ ଦେବୁଁ- ଆମ ସାଙ୍ଗରେ ଆସ।ଗଲି ତାଙ୍କ ସାଙ୍ଗରେ କାମ ମୋତେ ମିଳିଲା, ଆମ ସମସ୍ତଙ୍କୁ ମିଳିଲା। କିଛି ନ ହେଲେ ପେଟକୁ ମୁଠାଏ ଖାଇବାକୁ ପାଉଛୁଁ, ମୁଣ୍ଡ ଗୁଞ୍ଜିବାର ଜାଗା ମିଳିଛି। ପୁଣି ବଂଚି ଉଠିଛି। ସାମ୍ୟବାଦ? ଖୁବ୍ ସୁବିଧା କଥା ନୁହେଁ। ମୋର ଧାରଣା ଥିଲା ଅନ୍ୟ ରକମର, କିନ୍ତୁ ଏଥିପୂର୍ବ ଅବସ୍ଥାଠାରୁ ତା ଭଲ।
-କଣ ସେଇଆ ନୁହେଁ? ଯୁଦ୍ଧ କଥା କହୁଛ? ଯୁଦ୍ଧ ମୁଁ ତ ଚାହିଁ ନଥିଲି, ଅନ୍ୟମାନେ ମରନ୍ତୁ ମଁ ତା ଚାହେଁ ନାହିଁ-ଖାଲି ନିଜେ ବଂଚି ରହିବାକୁ ଚାହିଁଛି।
-କଣ ? ଇଚ୍ଛା କରି ହେଉ ବା ଅନିଚ୍ଛାରେ ହେଉ ମୁଁ ଯୁଦ୍ଧକୁ ସାହାଯ୍ୟ କରୁଛି? କଣ କରିବି କୁହ? ଆଚ୍ଛା ଏହି କାହାକୁ କେବେ ଆଘାତ କରିଛି? ମୁଁ ଯଦି ଛାଡ଼ି ଚାଲିଯାଏଁ, କଣ ବା ହେବ? ମୋ ଜାଗାରେ ଆସି ଅନ୍ୟ ଲୋକ ହାଜର ହେବ, ହୁଏତ ମୋଠାରୁ ଖରାପ ଲୋକ ଆସିପାରନ୍ତି। ଆଉ ଯୁଦ୍ଧ ପରେ ତ ମୁଁ କାରଖାନାର କାମକୁ ଫେରିଯାଉଛି।
-କେଉଁ ପକ୍ଷ ଯୁଦ୍ଧରେ ଜିଣିବ କହିଲ ଭଲା? ଆମେ ନୋହୁଁ ? ତାହେଲେ ଆମର କଅଣ ହେବ?
-ଆମେ ନିକାଶ ହୋଇଯିବୁଁ ? ସେ ବଡ଼ ଖରାପ କଥା। ମୁଁ ଯେ ଓଲଟା ଭାବୁଥିଲି । ତାପରେ ସେ ଗାରଦକୁ ଲମ୍ବାଲମ୍ବା ପାଦ ପକାଇ ଚାଲିଯାଏ। ଅଧଘଣ୍ଟା ପରେ ପୁଣି ଫେରିଆସେ, ସୋଭିଏତ୍ ଇଉନିଅନ୍ଟା ବାସ୍ତବିକ କି ପ୍ରକାରର ସେଇ ପ୍ରଶ୍ନହିଁ କରେ।