ସାମରିକ ଆଇନ ୧୯୪୨ ମସିହା
ମଇ ୨୭ ତାରିଖ, ୧୯୪୩ ମସିହା
ଠିକ୍ ବର୍ଷକ ଆଗର କଥା। ସେଦିନ ଆଉ ଥରେ ଉତ୍ପୀଡ଼ନ ପରେ ସେମାନେ ମୋତେ ସିନେମା ଗୃହକୁ ନେଇ ଆସିଲେ। ଏଇ ଆମର ନିତିଦିନିଆ ଧରାବନ୍ଧା କାର୍ଯ୍ୟକ୍ରମ, ୪୦୦ନମ୍ବରରୁ ତଳ ମହଲାକୁ ନେଇଯାଆନ୍ତି ଖୁଆଇବାକୁ, ପ୍ୟାନ୍କ୍ରାଟସ୍ରୁ ଏଇ ଖାଇବା ଜିନିଷ ଆସେ-ତା ପରେ ପୁଣି ନେଇଯାଆନ୍ତି ପାଞ୍ଚମହଲାକୁ। କିନ୍ତୁ ସେଦିନ ଦିପହରର ବ୍ୟତିକ୍ରମ ଘଟିଲା। ଦିପହର ପରେ ଆଉ ଫେରେଇ ନେଇଗଲେ ନାହିଁ।
ବସିବ, ଖାଇବ।ବେଞ୍ଚଗୁଡ଼ିକରେ କୟଦୀ ଭରା। ଚାମୁଚ ଧରି ବ୍ୟସ୍ତ ସେମାନେ, ଖାଇବା ଜିନିଷ ଚୋବାଉଛନ୍ତି। ଏହା ତ ମଣିଷର ଚାଲିଚଳନ ପରି ଲାଗୁଛି ଅନେକଟା। କାଲି ଆମେ ସମସ୍ତେ ମରିବା ପରେ ଯେବେ ହଠାତ୍ କଙ୍କାଳସାର ହୋଇ ପୁଣି ଦେଖାଦେଉ, ମାଟିହାଣ୍ଡିରେ ଚାମୁଚର ଏଇ ମଧୁର ଝଙ୍କାର ହାଡ଼ର ଠକ୍ଠାକ୍ ଶବ୍ଦରେ ପରିଣତ ହେବ ଦାନ୍ତପାଟି ଖଟ୍ ଖଟ୍ ଶବ୍ଦ କରିବ। ଆଜି ସ କଥା କେହି ଭାବୁନାହାନ୍ତି, ଏପରି କିସ ସନ୍ଦେହର ଛାୟାମଧ୍ୟ ନାହିଁ। କିଏ ଆଉ ସପ୍ତାହେ, କିଏବା ମାସେ କିଏବା ଆଉ ବର୍ଷେ ବଞ୍ଚିବ, ତେବେ ବି ଆମେ ସମସ୍ତେ ଶରୀରଟାକୁ ପୁଷ୍ଟ କରିବାରେ ଲାଗିଛୁଁ।
ଆଜି ପାଗଟା ଭଲ- ନିର୍ଦ୍ବନ୍ଦରେ ବୋଧହୁଏ ସେ କଥା କୁହାଯାଇପାରେ । ତାପରେ ହଠାତ୍ ଏ କଅଣ ହେଲା? କିପରି ଗୋଟାଏ ଅଦ୍ଭୁତ ପବନ ବହିଗଲା ପରି। ସବୁ ଶାନ୍ତି କିନ୍ତୁ ସେ ଶାନ୍ତି ଅସହ୍ୟ। କେବଳ ରକ୍ଷୀମାନଙ୍କର ମୁଖମଣ୍ଡଳ ଦେଖି ବୁଝାପଡ଼ୁଛି କିଛି ଗୋଟାଏ ବ୍ୟାପାର ଘଟିଛି। ଏଇ ଯେ, ସେମାନେ ଆମକୁ ବାହାରକୁ ଡାକିଆଣି ଧାଡ଼ିବାନ୍ଧି ଠିଆ କରେଇଦେଲେ, ତାପରେ ପ୍ୟାନ୍କ୍ରାଟସ୍କୁ ନେଇଗଲେ। ଦିପହର ବେଳେ ପ୍ୟନ୍କ୍ରାଟସ୍କୁ ଫେରିବା ଆଗେ ତ ସେପରି କେବେ ଘଟି ନଥିଲା । ବିନା ଉତ୍ପୀଡ଼ନରେ ଓଳିଟିଏ କଟିଗଲା ! କଥା କଣ ଜାଣିବାକୁ ଆମେ ଅସ୍ଥିର ହୋଇପଡ଼ିଛୁଁ, ଉତ୍ତର କିଛି ଖୋଜି ପାଇନାହୁଁ। ଆଜି ଯେ ଓଳିକ ପାଇଁ ନିଷ୍କୃତ୍ତି ମିଳିଲା ଏ ଭଗବାନଙ୍କର ଦାନ ପରି ବୋଧ ହେଉଛି । କିନ୍ତୁ ତା ତ ନୁହେଁ।
ବାରନ୍ଦାରେ ଦେଖାହେଲା ଜେନେରାଲ ଏଲିୟାସଙ୍କ ସହିତ। (ଆଗେ ପ୍ରୋଟେକ୍ଟରେଟ୍ ସରକାରର ପ୍ରଧାନମନ୍ତ୍ରୀ ଥିଲେ, ପରେ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ) ତାଙ୍କର ଚକ୍ଷୁ ଓ ମୁଖରେ ଉତ୍ତେଜନା, ରକ୍ଷୀଦଳର ବେଷ୍ଟନୀ ଭେଦ କରି ସେ ମୋତେ ଦେଖିନେଲେ, ନିକଟରେ ଆସିଲେ, ଚୁପ୍ ଚାପ୍ କରି କହିଲେ- ସାମାଜିକ ଆଇନ ଜାରୀ ହୋଇଯାଇଛି।
ମୋର ନିର୍ବାକ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ ସୁଯୋଗ ମିଳିଳା ନାହିଁ। ବନ୍ଦୀମାନେ ବିଶିଷ୍ଟ ସମ୍ବାଦ ଜାଣିବାର କେତେ ସମୟ ପାଆନ୍ତି। ଏକ ମୁହୂର୍ତ୍ତର ଭଗ୍ନାଂଶରୁ ତ ବେଶୀ ନୁହେଁ।
ପ୍ୟାନ୍କ୍ରାଟସ୍ର ରକ୍ଷୀମାନେ ଅମକ ପେଟ୍ଚେକ୍ରୁ ସହଳ ଫେରିଆସିବାର ଦେଖି ତାଜୁବ୍ ହୋଇଗଲେ। ଯେଉଁ ରକ୍ଷୀଟି ମତେ ଗାରଦକୁ ନେଇଆସିଲା ସେ ତ ଅଭୟ ଦେଇ କଣ ଘଟିଛି ମୋଠାରୁ ଶୁଣିବାକୁ ଚାହିଁଲା। ସେ ଲୋକଟି କିଏ ମୋତେ ଜଣାନାହିଁ। କିନ୍ତୁ ସେ ଖାଲି ମୁଣ୍ଡଟି ଟିକିଏ ହଲାଇଲା। ସେ ସାମରିକ ଆଇନ ସମ୍ବନ୍ଧରେ କିଛି ଜାଣି ନଥିଲା- ଅଥବା ମୋର ପ୍ରଶ୍ନ ସେ ଶୁଣି ପାରିଲାନାହିଁ। ହୁଏତ ହୋଇପାରେ- ଏଇ ଭାବରେ ମନର ଉଦ୍ବେଗ ଶାନ୍ତ କରିବାକୁ ପଡ଼ିଲା।
ସେଦିନ ସନ୍ଧ୍ୟାରେ ସେ ପୁଣି ଆସି ମୋ ଗାରଦ ଭିତରକୁ ଚାହିଁଲା।
‘ତୁମେ ଠିକ୍ କହୁଥିଲ । ହେଡ଼୍ରିଶକୁ ହତ୍ୟା କରିବକୁ ଚେଷ୍ଟା ହୋଇଥିଲା। ସେ ସାଘାଂତିକ ଆଘାତପ୍ରାପ୍ତ ହୋଇଛି। ପ୍ରେଗ୍ରେ ସାମରିକ ଆଇନ କରି ଜାରି ହୋଇଯାଇଛି। ’
ପରଦିନ ସେମାନେ ବାରନ୍ଦାରେ ପୁଣି ଆମକୁ ଧାଡ଼ିକରି ଠିଆ କରେଇଦେଲେ , ପୁଣି ଉତ୍ପୀଡ଼ନକୁ ନେବେ ଆମକୁ।ଆମ ଦଳରେ କମ୍ରେଡ଼ ଭିକ୍ଟର ସିନେକ୍ ଅଛନ୍ତି। ପାର୍ଟିର କେନ୍ଦ୍ରୀୟ ପରିଷଦର ଶେଷ ଜୀବିତ ସଦସ୍ୟ । ୧୯୪୧ ମସିହା ଫେବୃୟାରୀ ମାସରେ ସେ ଗିରଫ ହୋଇଥିଲେ। ଏସ୍, ଏସ୍, ପୋଷାକପିନ୍ଧା ଗୋଟାଏ ଡେଙ୍ଗା ରୋଗା-ପ୍ରହରୀ ତାଙ୍କ ଆଖି ଆଗରେ ଖଣ୍ଡେ ଧଳାକାଗଜ ହଲାଇବାକୁ ଲାଗିଲା। କାଗଜ ଦେହରେ ବଡ଼ ବଡ଼ ଅକ୍ଷରରେ ଛାପା ‘ମୁକ୍ତିର ହୁକୁମନାମା’
ତାର ମୁହଁରେ ହସ; ବର୍ବର ହସ।
‘ଦେଖୁଛୁଟି ୟେ ଇହୁଦୀ! ବଞ୍ଚିରୁହ! ତୋ ମୁକ୍ତିର ହୁକୁମନାମା କିମିତିକା…’ ତାପରେ ସେ ନିଜର ଆଙ୍ଗୁଠିକି ବେକ ଚାରିପାଖରେ ବୁଲାଇ ଆଣି ଜଣାଇଦେଲା ଯେ ଭିକ୍ଟରର ମୁଣ୍ଡଟା ଏଇପରି ଉଡ଼ିଯିବ। ୧୯୪୧ ମସିହାରେ ସାମରିକ ଆଇନର ପ୍ରଥମ ଶହୀଦ୍ ଅଟୋ ସାଇନେକ୍ । ୧୯୪୨ ମସିହାରେ ସାମରିକ ଆଇନର ପ୍ରଥମ ବଳି ହେଲା ତାର ଭାଇ ଭିକ୍ଟର। ସେମାନେ ତାକୁ ମାଉଥାଉସେନ୍କୁ ନେଇଗଲେ ‘ଉଡ଼େଇ ଦେବାକୁ,’ଏଇଟା ବିଶୁଦ୍ଧ ପରିଭାଷା।
ପ୍ରତ୍ୟେକ ପ୍ୟନ୍କ୍ରାଟସ୍ରୁ ପେଟଚେକ୍ ବିଲ୍ଡିଂକୁ ଯିବା ଆଉ ଫେରି ଆସିବା ଆରମ୍ଭ ହେଲା ହଜାର ହଜାର ବନ୍ଦୀଙ୍କର । ନିତ୍ୟ ନୈମିତ୍ତିକ ବ୍ୟାପାର। ବାସ୍ ଭିତରେ ଏସ୍.ଏସ୍. ରକ୍ଷୀମାନେ ହେଡ଼୍ରିଶଙ୍କ ‘ମୃତ୍ୟୁର ପ୍ରତିଶୋଧ’ ନେବାକୁ ଲାଗିଲେ। ଅଧମାଇଲିଏ ନ ଯାଉଣୁ ପିସ୍ତଲ କୁନ୍ଦାରେ ବହୁ ବନ୍ଦୀଙ୍କର ମୁହଁ ଓ ପାଟିରୁ ରକ୍ତ ବୋହିପଡ଼େ। ଯେଉଁମାନେ ମୋର ସହଯାତ୍ରୀ ହେଉଥିଲେ ସେମାନଙ୍କୁ ଅବଶ୍ୟ ବେଶୀ ଉତ୍ପୀଡ଼ନ ସହିବାକୁ ପଡ଼ୁନଥିଲା। କାରଣ ମୋ ଦାଢ଼ି ଉପର ସେମାନଙ୍କର ନଜର ପଡ଼ୁଥିଲା ବେଶୀ, ନାନା ରକମ ଅବାଚନିକ୍ ପରିହାସରେ ବସ୍ତୁ ଥିଲା ମୋର ଦାଢ଼ି, ତେଣୁ ମୋର ସହଯାତ୍ରୀମାନଙ୍କୁ ପିଟିବାର ଅବସର ନ ଥିଲା। ଗାଡ଼ି ଯେତେବେଳେ ଧକଲଚକଲ ହୋଇଯାଏ ରକ୍ଷୀମାନେ ମୋର ଦାଢ଼ି ଧରି ଝୁଲିପଡ଼ନ୍ତି ସତେ ଯେପରି ସେଇଟା ବସ୍ର ଫିତା। ଏଇଟା ଥିଲା ସେମାନଙ୍କର ଅବସର ବିନୋଦନର ପ୍ରିୟ ଖେଳ। ମୋର ଉତ୍ପୀଡ଼ନର ଏ ଥିଲା ଏକ ଆୟୋଜନ। ରାଜନୈତିକ ପରିସ୍ଥିତି ବଦଳିବା ସଙ୍ଗେ ସଙ୍ଗେ ଉତ୍ପୀଡ଼ନର ପଦ୍ଧତି ମଧ୍ୟ ବଦଳି ଯାଉଥିଲା, କିନ୍ତୁ ଶେଷ ହେଉଥିଲା ସେଇ ଏକା ଧରଣର।
‘କାଲି ଯଦି ତୁମର ସୁବୁଦ୍ଧି ଫେରି ନଆସେ , ତୁମକୁ ଗୁଳି କରି ମରାଯିବ।’
କିନ୍ତୁ ଏଥିରେ ତ ଆଉ ଭୟ କରିବାର କିଛି ନାହିଁ। ପ୍ରତି ସନ୍ଧ୍ୟାରେ ତୁମେ ଶୁଣିପାରିବ ସେମାନେ ବାରନ୍ଦାରେ ଛିଡ଼ା ହୋଇ ଡାକିଯାଉଛନ୍ତି କେତେ ନାଁ ପଚାଶ,ଶହେ କି ଦୁଇଶହ ଲୋକଙ୍କର ହାତଗୋଡ଼ ଏକ ମୁହୂର୍ତ୍ତରେ ବନ୍ଧା ହୋଇଯିବ, ତାପରେ ତାଙ୍କୁ ଗାଡ଼ିରେ ନେଇଯିବେ କଂଶେଇଖାନାର ଜନ୍ତୁଙ୍କ ଭଳି ହତ୍ୟା କରିବାକୁ, ନେଇଯିବେ କୋବିଲିସିକୁ। ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଣ? ପ୍ରଥମତଃ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ। ତାଙ୍କର ଗିରଫ ପରେ ପ୍ରଧାନ ପ୍ରଧାନ ବ୍ୟାପାର ସାଙ୍ଗରେ ସେମାନଙ୍କର ଯୋଗାଯୋଗ ଆବିଷ୍କାର କରାହୋଇନାହିଁ, ତଦନ୍ତ କରିବାର ଆଉ କୌଣସି ପ୍ରୟୋଜନ ନାହିଁ। ତେଣୁ ସେମାନଙ୍କୁ ହତ୍ୟା କରାଯାଇପାରେ। ଜଣେ କମ୍ରେଡ଼୍ ନଅଜଣ ଲୋକଙ୍କ ପାଖରେ ଗୋଟାଏ ବିଦ୍ରୁପାତ୍ମକ କବିତା ପଢ଼ି ଶୁଣାଉଥିଲା, ତାରି ଫଳରେ ଦୁଇମାସ ଆଗରୁ ସମସ୍ତଙ୍କୁ ଗ୍ରେପ୍ତାର କରାହୋଇଥିଲା। ବର୍ତ୍ତମାନ ସେମାନେ ମୃତ୍ୟୁ ଗାରଦରେ ଅପେକ୍ଷା କରୁଛନ୍ତି ପରୱାନା ଆସିଲେ ହେଲା। ଗୋପନ ଇସ୍ତାହାର ବାଣ୍ଟିବା ସନ୍ଦେହରେ ଜଣେ ସ୍ତ୍ରୀ ଲୋକଙ୍କୁ ଦୁଇମାସ ଆଗରୁ ଗ୍ରେପ୍ତାର କରାହୋଇଥିଲା। ସେ ତାର ଅପରାଧ ସ୍ବୀକାର କରିନାହିଁ, ସେମାନେ ମଧ୍ୟ କୌଣସି ପ୍ରମାଣ ପାଇନାହାନ୍ତି। ତେବେ ବି ସେମାନେ ତାର ଭାଇ ଭଉଣୀମାନଙ୍କୁ, ଭାଉଜମାନଙ୍କୁ ସଢ଼ୁମାନଙ୍କୁ କୟଦୀ କରିଛନ୍ତି, ସେମାନଙ୍କୁ ହତ୍ୟା ମଧ୍ୟ କରିବେ- ସନ୍ଦେହଭାଜନ ପରିବାର ଗୋଟାକୁ ଗୋଟା ଏହିପରି ସେମାନେ ନିର୍ମୂଳ କରିଦିଅନ୍ତି। ସାମରିକ ଆଇନର ଏହି ନୀତି। ଭୁଲକ୍ରମେ ଦିନେ ପୋଷ୍ଟଅଫିସର ଜଣେ ପିଅନକୁ ଗିରଫ କରି ଅଣାହୋଇଥଲା, ସେ ବର୍ତ୍ତମାନ ବାରନ୍ଦାରେ ମୁକ୍ତିର ହୁକୁମ ପାଇଁ ଅପେକ୍ଷା କରୁଥିଲା।ତାର ନାମ ଡକାହେଲା। ତାକୁ ନେଇ ମୃତ୍ୟୁଦଣ୍ଡ ଉଦିଷ୍ଟ ବ୍ୟକ୍ତିମାନେ ଧାଡ଼ିରେ ଛିଡ଼ା କରେଇ ଦିଆଗଲା। ତାପରେ ଗାଡ଼ିରେ ଚଢ଼େଇ ଦେଇ ନେଇଗଲେ। ଗୁଳି କରି ହତ୍ୟା ମଧ୍ୟ କଲେ ତାକୁ । ପରଦିନ ଜଣାପଡ଼ିଲା ଯେ ଭୁଲ୍ ହୋଇଯାଇଛି, ସେଇ ନାମବିଶିଷ୍ଟ ଆଉ ଜଣକୁ ଗୁଲି କରି ମାରିବାର କଥା ଥିଲା। ତାକୁ ମଧ୍ୟ ଗୁଳି କରାହେଲା, ବେଶ୍ ସବୁ ଠିକ୍। ବିଚାର କରି ଲୋକଟି ସେଇ କି ନୁହେଁ ଆଗେ ସ୍ଥିର କରି ପରେ ଗୁଳି କରିବାକୁ ସମୟ ଅଛି କାହାର? ଆଉ ସେ ବିଚାରର ଆବଶ୍ୟକତା ବା କଣ-ସମଗ୍ର ଜାତିଟାକୁ ହତ୍ୟା କରିବା ଓ ସେମାନଙ୍କର ସଂକଳ୍ପ।