ସେଇଟା
ଦିନେ ସକାଳେ ଆମେ ପ୍ୟାନକ୍ରାଟସ୍ର କୟେଦୀଖାନାର ସଦର ବାରନ୍ଦାରେ ଅପେକ୍ଷା କରିଛୁ, ଜଗୁଆଳଦଳ ଆମକୁ ପେଟ୍ଚେକ୍ ବିଲଡିଂକୁ ନେଇଯିବେ-ଏଇ ପ୍ରତୀକ୍ଷାରେ । ଏହିପରି ରୋଜ ଆମକୁ ଆସି ଛିଡ଼ା ହେବାକୁ ପଡ଼େ। ଆମର କପାଳ କାନ୍ଥ ସାଙ୍ଗରେ ଲାଗିଥାଏ,କାରଣ ପଛପଟେ କଣ ହେଉଛି କେହି ଯେପରି ଦେଖିନପାରନ୍ତି। ସେ ଦିନ ସକାଳ ଗୋଟାଏ ଅଚିହ୍ନା ସ୍ବର କାନରେ ବାଜିଲା।
-ମୁଁ କିଛି ଦେଖିବାକୁ ଚାହେଁନା, କିଛି ଶୁଣିବାକୁ ବି ଚାହେଁନା। ମୋତେ ତୁମେମାନେ ଚିହ୍ନ ନାହିଁ,କିନ୍ତୁ ଶୀଘ୍ର ଚିହ୍ନିଯିବ ଯେ।
ମୁଁ ହସିଲି , ଏଠି ଏଇ ଡ୍ରିଲ୍ ସମୟରେସେଇ ‘ଗୁଡ୍ ସୋଲଜାର ସିଓୟେଇକେ’ର ବୋକା ବିଚାରା ଲେଫ୍ଟ୍ନାଣ୍ଟ ଡୁବ୍ର ଉକ୍ତିକୁ ଉଦ୍ଧାର କରିବା- ଖୁବ୍ ଖାପ ଖାଇଯାଇଛି। କିନ୍ତୁ ବିର୍ତ୍ତମାନ ପର୍ଯ୍ୟନ୍ତ କାହାରି ବଡ଼ ପାଟି କରି ଥଟ୍ଟା କରିବାର ସାହସ ତ ହୋଇନାହିଁ। ମୋ ପାଖ ସଙ୍ଗୀଟି ଅଭିଜ୍ଞ, ସେ ମୋତେ ଠେଲି ହସିବାକୁ ବାରଣ କଲା। ମୁଁ ହୁଏତ ଭୁଲ୍ କରିଛି। ଥଟ୍ଟା ହିସାବରେ କଥାଟା କୁହାଯାଇନାହିଁ। ନା, ଥଟ୍ଟା ନୁହେଁ।
ଆମ ପଛରୁ ଯାହାର ସ୍ବର ଶୁଣିବାକୁ ପାଇଲି ସେ ଏସ୍.ଏସ୍. ର ପୋଷାକ ପିନ୍ଧା ଏକ କ୍ଷୁଦ୍ରଜୀବ। ସିଓୟେଇକେ ସମ୍ବନ୍ଧରେ ତାର କୌଣସି ଜ୍ଞାନ ନାହିଁ।ଲେଫଟ୍ନାଣ୍ଟ ଡୁବ୍ପରି କଥା କହୁଛି, କାରଣ ତାହାରି ମସ୍ତିଷ୍କ ସହିତ ଏହାର ବି ସାମଞ୍ଜସ୍ୟ ରହିଛି। ଏହାର ନାମ ଉଇଥାନ, ବହୁତ ଦିନ ଉର୍ଦ୍ଧ୍ବତନ ସର୍ଜେଣ୍ଟ ହିସାବରେ ଚେକୋସ୍ଲୋଭାକ୍ ସେନାବାହିନୀରେ କାମ କରିଛି., ସେତେବେଳେ ତାର ନାମ ଥିଲା ଭିଟାନ୍ । ସେ ଠିକ୍ କହିଥିଲା, ତାକୁ ଭଲ କରି ଚିହ୍ନିଲୁଁ,ସେଥିପାଇଁ ତାରନାମର ଉଲ୍ଲେଖ ଅନ୍ୟ କାହିଁରେ କେବେହେଲେ ହୁଏନାହିଁ- ହୁଏ କେବଳ ଉତ୍ତମପୁରୁଷ ଏକ ବଚନରେ ସେଇଟା।ସତକଥା, ଆମ ମଗଜର ବୁଦ୍ଧି ତାର ଗୋଟାଏ ଉପଯୁକ୍ତ ଡାକନାମ ବାହାର କରିପାରିଲା ନାହିଁ। କିପରି ବା ପାରିବୁ? ସେ ଥଲା ନିର୍ବୋଦ୍ଧତା , ନୀଚ୍ଚତା, ଅହଙ୍କାର ଆଉ ଖାଣ୍ଟି ମନ୍ଦ, ଏସବୁର ଏକ ଅପୂର୍ବ ସମାହାର। ପ୍ୟାନ୍କ୍ରାଟସ୍ ରାଜ୍ୟର ଏକ ସ୍ତମ୍ଭବିଶେଷ।
ଶୁଅରର ଆଣ୍ଠୁଯାଏ ବି ହେବନାହିଁ- ଏହିସବୁ କ୍ଷୁଦ୍ର ଅହଙ୍କାରୀ ଓ ଅଭିଳାଷୀ ଜୀବଙ୍କ ପ୍ରତି ଆମେ ଏହି ଭାଷା ବ୍ୟବହାର କରିଥାଉଁ, ତାଙ୍କର ଦୁର୍ବଳତାରେ ଆଘାତ କରିବା ଲାଗି। ମନ ଯେତେ ନୀଚ୍ଚ ହେଲେ ନିଜର ଅନୁଚ୍ଚ ଅବୟବ ଲାଗି ମନୁଷ୍ୟ ଦୁଃଖ ବୋଧ କରେ। ଉଇଖାନକୁ ସେଇ ଦୁଃଖ ଅତିମାତ୍ରାରେ ଘାରୁଥିଲା ଆଉ ସେଥିପାଇଁ ଯେଉଁମାନେ ଦେହ ବା ମନରେ ତାଠାରୁ ବଡ଼ ସେମାନଙ୍କ ଉପରେ ସେ ନେଇଛି ପ୍ରତିଶୋଧ-ତା ହାତରୁ କେହି ନିସ୍ତାର ପାଇନାହାନ୍ତି।
ଘୁଷି ମାରି ନୁହେଁ। ସେ ସାହସଟିକକ ତାହାର ନାହିଁ। ଆମ ଉପରେ ଗୁଇନ୍ଦାଗିରି କରି, ଆମର ନିନ୍ଦା ଗାଇ। ଉଇଥାନର ଖୁଞ୍ଚାଣିଆ କଥା ଯୋଗୁଁ କେତେ ବନ୍ଦୀ ସେଥିପାଇଁ ତାଙ୍କର ପ୍ରାଣ ହରାଇଲେ ବି । କାରଣ ଯେତେବେଳେ ପ୍ୟାନ୍କ୍ରାଟସ୍ ଛାଡ଼ି ତୁମେ ବନ୍ଦୀ ଶିବିରକୁ ଯିବ ସେତେବେଳେ ତୁମ କାର୍ଡ଼ ଉପରେ କି ମନ୍ତବ୍ୟ ଲେଖାଅଛି, - ତାରି ଉପରେ ନିର୍ଭର କରେ ପ୍ୟାନ୍କ୍ରାଟସ୍ରୁ ତୁମେ କେବେହେଲେ ବାହାରି ପାରିବ କି ନାହିଁ।
ସେ ଯେତେବେଳେ ବାରଣ୍ଡାରେ ଗର୍ବିତ ପଦକ୍ଷେପ କରି ଏକା ଏକା ଚାଲିଆସୁଥାଏ ନିଜର ମହିମାରେ ଆତ୍ମହରା ହୋଇ, ସେତେବେଳେ ତାକୁ ଦେଖିଲେ ନ ହସି ରହିପାରିବ ନାହିଁ। କେହି ଦର୍ଶକ ନାହାନ୍ତି, ତେବେ ବି ଦର୍ପଚାଲି ବଦଳେ ନାହିଁ ତାର। କାହାରି ସାଙ୍ଗରେ ଦେଖାହେଲେ ତାର ଦର୍କାର ପଡ଼େ ଉଚ୍ଚା ଜାଗା, ଚଢ଼ିଯିବ। ଆମ ଭିତରୁ କାହାରିକୁ ଜେରା କରିବା ସମୟରେ ସେ ଚୌକିର ହା ଉପରେ ବସିପଡ଼େ ; ଘଣ୍ଟାଏ ଖଣ୍ଡେ ସେଠି ବସିବା ଅସ୍ବସ୍ତିକର ହେଲେ ମଧ୍ୟ ସ ବସିବ କାରଣ ସେଠି ବସିଲେ ତୁମଠାରୁ ସେ ମୁଣ୍ଡେ ଉଚ୍ଚ ଡେଙ୍ଗା ହେଖାଯିବ। ଆମ ଦାଢ଼ି ଖିଅର ହେବା ସମୟରେ ତାର ଯେବେ ପହରା ପଡ଼ିଥାଏ ସେ ସିଡ଼ି ଉପରେ ଛିଡ଼ା ହୋଇ ରହେ। ନୋଇଲେ ଗୋଟାଏ ବେଞ୍ଚ ଉପରେ ଏପାଖ ସେପାଖ ଚାଲେ। ମୁହଁରେ ତାର ସେଇ ପ୍ରିୟ ଉକ୍ତି-ମୁଁ କିଛି ଦେଖିବାକୁ ଚାହେଁନା, କିଛି ଶୁଣିବାକୁ ଚାହେଁନା, ମୋତେ ତୁମ ଚିହ୍ନ ନାହିଁ…।
ସକାଳେବେଳା ବ୍ୟାୟାମ ସମୟରେ ସେ ଅଗଣାର ଘାସପୂର୍ଣ୍ଣ ଉଚ୍ଚା ଜାଗାଟିରେ ଯାଇ ଛିଡ଼ା ହୁଏ। ସେଠି ଛିଡ଼ାହେଲେ ଅଗଣାରେ ଯେଉଁମାନେ ଥାନ୍ତି ତାଙ୍କଠାରୁ ସେ ଚାରି ଇଞ୍ଚ ଡେଙ୍ଗା ଦେଖାଯାଏ। ଗାରଦ ଭିତରକୁ ତାର ପ୍ରବେଶ ମହାମହିମ ମହାରାଜା ବିଜେ ହେବା ଠାଣିରେ। ଆସିବା ମାତ୍ରେ ଚୌକି ଉପରେ ଛିଡ଼ା ହୋଇଯାଏ, ଉଚ୍ଚାଜାଗାରୁ ଆମକୁ ଦେଖିବା ଲାଗି।
ଏକବାରେ ଭାଣ୍ଡ ଯାହାକୁ କହନ୍ତି ସେଇଆ; କିନ୍ତୁ ସରକାରୀ କର୍ମକ୍ଷେତ୍ରରେ ବିଶେଷତଃ ମନୁଷ୍ୟ ଜୀବନ ନେଇ କାରବାର ଯେଉଁଠି-ସେଭଳି କ୍ଷେତ୍ରରେ ମୂର୍ଖ ଥିଲେ ଯେପରି ମହାବିପଦ, ଏ ସେହିଭଳି ଅତି ମାରାତ୍ମକ ।ତାର ମୂର୍ଖତାର ଅନ୍ତରାଳରେ ଗୋଟାଏ ଗୁଣ ଲୁଚିରହିଛି- ସେ ତିଳକୁ ତାଳ କରିଦେଇପାରେ ।ପହରାବାଲା କୁତା ହେବା ଛଡ଼ା ଆଉ ତାକୁ କିଛି ଜଣାନାର୍ହି। ସେଥିପାଇଁ ନିୟମକୁ ଏତେ ଟିକିଏ ତ୍ରୁଟିବିଚ୍ୟୁତି ତା ପାଖରେ ବଡ଼ ହୋଇ ଦେଖାଦିଏ, ନିଜର ଅହମିକାରେ ବାଧା ପଡ଼ିଯାଏ। କୟେଦୀଖାନାର ନିୟମ ବା ଶୃଙ୍ଖଳାର ପ୍ରତି ବ୍ୟତିକ୍ରମକୁ ସେ ଏପରି ଅର୍ଥ କରେ ଯହିଁରୁ ମନେହୁଏ ଯେ ଏହି ଚେତନାର ପରିତୃପ୍ତି ଚାହେଁ ସେ।
ଆଉ ,ତାର ଅଭିଯୋଗ ଗୁଡ଼ିକରେ ସତ୍ୟର ମାତ୍ରା କେତେ ସେ କଥା ତନଖିକରି ବୁଝିବାକୁ କିଏ ବା ଅଛି?