ଫାଶୀ- ଆସାମୀର ଚୋରା-ଚିଠି




ଜେଲ୍‌ ଡାକ୍ତର

ପୁଲିସ-ମାଷ୍ଟର ଓୟେସନା-ପ୍ୟାନ୍‌କ୍ରାଟସ୍‌ର ମଞ୍ଚରେ ଏକ ଅଦ୍ଭୁତ ଜୀବ। ଅନେକ ସମୟରେ ତୁମର ମନେହେବ, ଆସ୍ଥାନରେ ଏଠି ସେ ଆସି ପଡ଼ିଯାଇଛି, କିନ୍ତୁ ତାକୁ ଛାଡ଼ି ପ୍ୟାନ୍‌କ୍ରାଟସ୍‌ର କଳ୍ପନା କରିବ ସମ୍ଭବପର ନୁହେଁ। ସେ ହାସପାତାଳରେ ନାହିଁ ତ ତାକୁ ଦେଖିବ ପ୍ୟାନକ୍ରାଟସ୍‌ ଜେଲର ବାରଣ୍ଡାରେ , ଧୀରେ ଧୀରେ ଚାଲିଛି ଛୋଟ ଛୋଟ ପାହୁଲ ପକେଇ ଟହଲି ଟହଲି; ଆଉ ମନକୁ ମନ କଣ କହୁଛି, ସବୁ ସମୟରେ ଚାରିପାଖରେ ସବୁ ଜିନିଷ ଉପରେ ରହିଛି ତାର ନଜର, ସବୁବେଳେ ନଜର। ସେ ଯେପରି ଜଣେ ବିଦେଶୀ, ଘୂରି ଘୂରି ଆସି ଏଠି ପହଞ୍ଚିଛି, ଯେତେଟା ପାରେ ତଥ୍ୟ ଯୋଗାଡ଼ କରି ନେଇଯିବ। କିନ୍ତୁ ପାରାଭଳି ନିଃଶବ୍ଦରେ ଆଖି ପିଛୁଳାକେ ତାଲା ଦେହରେ ଚାବି ଲଗେଇ ଯେକୌଣସି ଗାରଦ ଖୋଲିପାରେ ସେ। ଶୁଖିଲା ରସିକତାରେ ସେ ପଟୁ,ତେଣୁ ଅନେକ ସମୟରେ ଏପରି କଥା କହେ, ଯାହାର ଗୁଢ଼ାର୍ଥ ଅଛି। ଅଥଚ ତୁମେ ତାକୁ ଅକଡିଆରେ ପକାଇ ପାରିଲା ଭଳି କିଛି ପ୍ରକାଶ ପାଉନାହିଁ। ଅନ୍ୟ ଲୋକଙ୍କଠାରୁ ଯେକୌଣସି କାମ କରାଇ ନେଇପାରେ ,କିନ୍ତୁ ତା ଦେଇ କେହି କିଛି କରାଇପାରିବ ନାହିଁ ।ସେ ବହୁତ କଥା ଦେଖେ; କିନ୍ତୁ ଖୁଞ୍ଚାଣିଆ ନୁହେଁ; କାହା ନାଁରେ ଅଭିଯୋଗ ଆଣେନାହିଁ। କୌଣସି ଗାରଦରେ ପଶିଲା ବେଳେ ଯେବେ ଧୂଆଁ ଦେଖେ , ସେ ଗନ୍ଧ ଶୁଘିଂ କହେ;

 ‘ହୁଁ’। ଓଠ କାମୁଡ଼ି କହେ ‘ଏଠି ଧୂମ୍ରପାନ ହେଉଛି ବୋଧହୁଏ’। ପୁଣି ଓଠ କାମୁଡ଼ି କହେ ‘ଏକବାରେ  ନିଷିଦ୍ଧ’।

 କିନ୍ତୁ ସେ କଥା କହା ଆଗରେ ସେ ପ୍ରକାଶ କରିବ ନାହିଁ। ତାମୁହଁରେ ସଦାବେଳେ ଦୁଃଖର ରେଖା, ଉଦ୍‌ବେଗର ଚିହ୍ନ, କୌଣସି ମହାଯନ୍ତ୍ରଣାରେ ସେ ଯେପରି ଘାରି ହେଉଛି। ତା ମୁହଁରୁ ଏକଥା ସ୍ପଷ୍ଟ ହୋଇଯାଏ ଯେ, ଶାସନତନ୍ତ୍ରର ସେ ନୌକର; ଆଉ ଯାହାର ଶିକାରମାନଙ୍କର ତତ୍ତ୍ବ ସେ  ସାରାଦିନ ନେଉଛି  ସେହି ଶାସନ ସହିତ କୌଣସି ସମ୍ପର୍କ ରଖିବାକୁ ସେ ଚାହେଁନାହିଁ। ଏ ଶାସନତନ୍ତ୍ରରେ ତାର ଆସ୍ଥାନାହିଁ, ଏହାର ସ୍ଥାୟିତ୍ବରେ ତାର ବିଶ୍ବାସ ନାହିଁ ବା କେବେ ହେଲେ ସେପରି ବିଶ୍ବାସ ତାର ମନରେ ସ୍ଥାନ ପାଇନାହିଁ। ସେଇଥିପାଇଁ ତ ତାର ପରିବାର ସେ ବ୍ରେସଲାଉରୁ ପ୍ରାହାକୁ ଆଣିନାହିଁ; ରାଇଖର ଖୁବ୍‌ କମ୍‌ ଅଫିସର ଅଧିକୃତ ଦେଶରେ ଏପରି ବିଳାସିତାର ସୁଯୋଗ ଛାଡ଼ିଥାନ୍ତି। କିନ୍ତୁ ଯେଉଁମାନେ ଏଇ ଶାସନ ବ୍ୟବସ୍ଥାର ବିରୁଦ୍ଧରେ ସଂଗ୍ରାମ କରିଛନ୍ତି ସେମାନଙ୍କ ସାଙ୍ଗରେ କୌଣସି ପ୍ରକାର ସମ୍ପର୍କ ସ୍ଥାପନ କରିବାକୁ  ସେ ଏକାଭଳି ଅକ୍ଷମ ବି। ସେ କୌଣସି ପଟକୁ ଆଉଜେ ନାହିଁ।

  ମୋର ଚିକିତ୍ସା ସେ କରିଛି କର୍ତ୍ତବ୍ୟପରାୟଣତାରେ, ନିଷ୍ଠା ସହକାରେ। ଅଧିକାଂଶ ରୋଗୀଙ୍କର ଚିକିତ୍ସା ସେ ସେହିଭଳି କରିଛି ବି। ଯେଉଁ ବନ୍ଦୀମାନଙ୍କ ପ୍ରତି ଅତ୍ୟାଧିକ ଅତ୍ୟାଚାର କରାଯାଇଛି  ଆହୁରି ନିର୍ଯ୍ୟାତନା ଲାଗି ତାଙ୍କୁ ପୁନର୍ବାର ପଠାଇବାକୁ ସେ ବାରଣ କରେ ଦୃଢ଼ ଭାବରେ। ତାର ବିବେକର ଦଂଶନ ବୋଧହୁଲ ଏହାହଁ ଦ୍ବାରା ଶାନ୍ତ ହୁଏ। କେବେ କେବେ କିନ୍ତୁ ସାହାଯ୍ୟରେ ଖୁବ୍‌ ଦରକାର ଥିଲେ ବି ସେ ସାହାଯ୍ୟ କରେନାହିଁ। ବୋଧହୁଏ ସେତେବେଳେ ଯେ ଭୟାର୍ତ୍ତ ହୋଇପଡ଼ିଛି। କ୍ଷୁଦ୍ରବୁଦ୍ଧି ନାଗରିକର ସେ ପ୍ରତୀକ। ଏକ ଦିଗରେ ବର୍ତ୍ତମାନର ଶାସକଗୋଷ୍ଠୀର ଭୟ, ଅ୍ରନ୍ୟ ଦିଗରେ ଅତଃପର ଅବସ୍ଥାର ଭୟ, ଏ ଦୁଇଟା ମଝିରେ ସେ ଦଣ୍ଡାୟମାନ। ସମସ୍ୟାର ସମାଧାନ ପାଇଁ ସେ ସବୁଆଡ଼େ ଆଖି ପକାଉଛି,କାହିଁ ପାଉନାହିଁ। ତୁଟିଆ ନୁହେଁ, ଛୋଟିଆ ନିରୀହ ମୂଷାଟିଏ ଫାନ୍ଦରେ ପଡ଼ିଯାଇଛି।

  ଆଉ ଉପାୟ ନାହିଁ ତାର। 




+ -

© Jataayu Charitable Trust
Site designed,developed & maintained by Tekons