‘କୋଲିନ୍’
ସାମରିକ ଆଇନ ଜାରି ହୋଇଥିବା ବେଳର ଏକ ସନ୍ଧ୍ୟାର କଥା। ଏସ୍.ଏସ୍. ପୋଷାକ ପରିହିତ ଜଗୁଆଳିଟି ମୋତେ ଗାରଦ ଭିତରେ ପୁରେଇ ଦେଇ ମୋ ପକେଟ୍କୁ ଉପର ଠାଉରିଆ ଭାବରେ ତଲାସ କରିଗଲା।
‘ତୁମର ହାଲଚାଲ କଣ କୁହତ?’ ସେ ମୋତେ ଚୁପ୍ଚାପ୍ କରି ପଚାରିଲା।
“ମୁଁ କହିପାରିବି ନାହିଁ।ତେବେ ଏଇ ଖବର ପାଇଛି ଯେ ସେମାନେ କାଲି ଗୁଳି କରି ମାରିବେ।”
‘ଏଥିରେ ତ୍ରସ୍ତ ହୋଇଗଲ, ନା?’
‘ନା ତାହାରି ତ ପ୍ରତୀକ୍ଷା।’
ମୁହୂର୍ତ୍ତକ ନିମିତ୍ତ ଯନ୍ତ୍ରଚାଳିତବତ୍ ସେ ମୋ କୋଟ ପକେଟ ଭିତରେ ହାତ ବୁଲାଇନେଲା।
‘ହୁଏତ ସେମାନେ ତାହାହିଁ କରିବେ। କାଲି ନୁହଁ ବୋଧହୁଏ , ପରେ ହୁଏତ ହେବ, ଏକବାରେ ନ ହୋଇପାରେ ବି । କିନ୍ତୁ ସମୟ ଯାହା ହୋଇଛି… ପ୍ରସ୍ତୁତ ହୋଇ ରହିବା ଭଲ…।’
ତା ପରେ ସେ ନୀରବ ହୋଇଗଲା।
‘ଯଦି ସେମାନେ ମାରିଦିଅନ୍ତି, କାହାରି ପାଖକୁ ଖବର ଦେବାକୁ ଚାହଁ କି? ବା…କିଛି ଲେଖିବାକୁ ଚାହଁ କି ? ବର୍ତ୍ତମାନ ଛାପା ହେବନାହିଁ, ତା ତ ଜାଣିପାରୁଛି, ତେବେ ଭବିଷ୍ୟତ ପାଇଁ। କିପରି ଏଠିକି ଆସିଲ, କେହି ତୁମ ପ୍ରତି ବିଶ୍ବାସଘାତକତା କଲା, କିଏ କିପରି ବ୍ୟବହାର କରିଛି। ଏଇସବୁ କଥା, ତାହାହେଲେ ଏତେ ଦିନ ଯାହା ଜାଣିଲ ତାହା ତୁମ ସାଙ୍ଗରେ ନଷ୍ଟ ହୋଇ ଯିବନାହିଁ।’
ଲେଖିବାକୁ ଚାହେଁ କି ନାହିଁ?ଆଉ ସେ କଥା ପଚାରିବାକୁ ଅଛି? ତାହା ତ ମୋର ଏକାନ୍ତ ଉପାୟ।
ଏକ ନିମିଷ ମଧ୍ୟରେ ସେ ନେଇ ଆସିଲା କାଗଜ ଆଉ ପେନ୍ସିଲ୍। ମୁଁ ସେଗୁଡ଼ାକ ଏପରି ଲୁଚେଇ ରଖିଲି ଯେ ହଜାର ତଲାସ କଲେ ବି ତାର ପତ୍ତା ମିଳିବ ନାହିଁ।
କିନ୍ତୁ ଅନେକ ଦିନ ଧରି ସେ କାଗଜ ମୁଁ ଛୁଇଁ ନାହିଁ।
ସତ ବୋଲି ବିଶ୍ବାସ କରୁନଥାଏ-ଅତି ଭକ୍ତି ଚୋରର ଲକ୍ଷଣ। ଏଇ ଅନ୍ଧକାର ପୁରୀରେ ଏ କି ଅବାକ୍ କାଣ୍ଡ ଘଟିଗଲା ଗିରଫ ହେବାର ଅଳ୍ପ କେତେଟା ସପ୍ତାହ ପରେ କେବଳ ଚିତ୍କାର ଆଉ ମାରଧର କରିବା ଯେଉଁ ସବୁ ଜାନୁଆରଙ୍କ ଏକମାତ୍ର କାର୍ଯ୍ୟ ତାଙ୍କରି ଗହଳିରେ ତାଙ୍କରି ପୋଷାକ ପିନ୍ଧି ଜଣେ ମଣିଷର ସନ୍ଧାନ ପାଇବ ବୋଲି ମୂଁ କେବେ କଳ୍ପନା କରିନଥିଲି – ମଣିଷର ସନ୍ଧାନ। ସନ୍ଧାନ ଜଣେ ବନ୍ଧୁର, ଯେ ସାହାଯ୍ୟ କରିବାକୁ ହାତ ବଢ଼େଇ ଦେଲା। ଯେଉଁମାନେ ଏହି ସମସ୍ତ ପାରର ହୋଇ କ୍ଷଣକ ପାଇଁ ବଞ୍ଚି ରହିବେ, କ୍ଷଣକ ପାଇଁ ହେଉନା କାହିଁକି, ସେମାନଙ୍କ କଥା କହିବାର ପଥ ସୁଗମ କରିଦେଲା; ଯେଉଁମାନେ ବଞ୍ଚିବେ ନାହିଁ ସେମାନଙ୍କ ସାଙ୍ଗରେ ମଧ୍ୟ କଥା କହିବାର ସୁବିଧା ପାଇଲି। ଆଉ ଏ ସନ୍ଧାନ ଏପରି ଏକ ମୁହୂର୍ତ୍ତରେ ଯେତେବେଳେ ସେମାନେ ବଧ୍ୟଭୂମିରେ ଶିକାରମାନଙ୍କର ନାମ ଡାକୁଛନ୍ତି-ଚିତ୍କାର କରି , ଚାରିଆଡ଼େ ଯେତେବେଳେ ରକ୍ତଲୋଲୁପ ଜାନୁଆରରେ ପୂର୍ଣ୍ଣହୋଇ ଉଠିଛି, ଯେତେବେଳେ ଭୟ କଣ୍ଠର ସ୍ବର ମଧ୍ୟ ରୋଧ କରିଦେଇଛି , ଇଚ୍ଛାକଲେ ବି ଯେତେବେଳେ ଚିତ୍କାର କରିବାର ଉପାୟ ନାହିଁ। ଏହି ସମୟରେ ଏହି ବନ୍ଧୁ ଭାଗ୍ୟ… ଏ ତ ବିଶ୍ବାସ କରି ହେଉନାହିଁ। ଯଦି ଏହା ସତ୍ୟ ନ ହୁଏ, ଅନ୍ତତଃ ସତର୍କ କରିଦେଲା ତ! କିନ୍ତୁ ମୋର ଏହି ଅବସ୍ଥାରେ ବନ୍ଧୁ ଭଳି ଯେ ହାତ ବଢ଼େଇ ଦେଲା ଆପଣା ଛାଏଁ ସାହାଯ୍ୟ କରିବାକୁ, ତାର ମନର ଜୋର କେତେ!ତାର ସାହସ କେତେ!
ପ୍ରାୟ ମାସେ ବିତିଗଲା। ସାମରିକ ଆଇନ ରଦ୍ଦ କରାହୋଇଛି। ଚିତ୍କାର ବନ୍ଦ ହୋଇଯାଇଛି,ନିଷ୍ଠୁରତମ ମୁହୂର୍ତ୍ତ ଗୁଡ଼ିକ ବର୍ତ୍ତମାନ କେବଳ ସ୍ମୃତିରେ ପରିଣତ ହୋଇଛି। ସନ୍ଧ୍ୟାରେ ପୁଣି ନିର୍ଯ୍ୟାତନା ସହ୍ୟ କରି ପାରିଆସିଲି। ସେହି ଜଗୁଆଳିଟି ଗାରଦରେ ପୂରେଇ ଦେଇଯିବାକୁ ସାଙ୍ଗରେ ଅଛି।
‘ଯାହା ହେଉ ସୁଧୁରି ଯାଇଛ। ସବୁ ଠିକ୍ ଅଛି। ନା? ’ ଦେଖିଲି, ସେ ମୋ ପ୍ରତି ଶ୍ରଦ୍ଧାଶୀଳ।
ତାର କହିବାର ଉଦ୍ଦେଶ୍ୟ ବୁଝିପାରିଲି। ସେ ପ୍ରଶ୍ନ ମୋର ପ୍ରାଣକୁ ଗଭୀରଭାବେ ସ୍ପର୍ଶ କଲା। ଆଉ ଯାହା ଯେତେ ସେ କିଛି ନୁହେଁ।ତାର ବିଶ୍ବସ୍ତତା ବିଷୟରେ ତମର ମନରେ ଦୃଢ଼ ଧାରଣା ଅଣିଦେଲା ଯାହାର ନୈତିକ ଦାବି ଅଛି ସେହି ତ ଏହି ପ୍ରଶ୍ନ ପଚାରିପାରେ। ସେହି ମୁହୂର୍ତ୍ତଠାରୁ ମୁଁ ତାକୁ ବିଶ୍ବାସ କଲି । ସେ ଆମ ଦଳର ଜଣେ।
ପ୍ରଥମେ ଦେଖିଲେ, ଅଦ୍ଭୁତ ଲୋକଟିଏ ପରି ସେ ଜଣାଯାଉଥିଲା। ଏକାକୀ ବାରଣ୍ଡାରେ ବୁଲୁଥାଏ-ଶାନ୍ତ ,କାହାରି ସଙ୍ଗରେ କଥାଭାଷା ନାହିଁ, ହୁସିଆର ଓ ଅନ୍ୟର ଗତିବିଧି ଲକ୍ଷ୍ୟ କରେ। ସେ କେବେ ଚିତ୍କାର କରିବାର ଶୁଣାଯାଇନାହିଁ। କାହାରିକୁ ମାରିବାର ଦେଖାଯାଇନାହିଁ।
‘ସ୍ମିତୋନଝ ଯେତେବେଳେ ଏଇଆଡ଼କୁ ଚାହିଁବ ମୋତେ ଗୋଟାଏ ମାରିବଟି’-ମୋର ଅ୍ରନ୍ୟାନ୍ୟ ଗାରଦର ପଡ଼ୋଶୀମାନେ ତାର ନିଜର ଭଲ ନିମିତ୍ତ ଅଧିକ ଟିକିଏ କର୍ମତତ୍ପର ହେବାକୁ ତାକୁ କହୁଥିଲେ।
‘ନା, ତା ଦରକାର ନାହିଁ’- ସେ ମୁଣ୍ଡ ହଲେଇ କହୁଥିଲା।
ତାକୁ ଚେକ୍ ଭାଷା ଛଡ଼ା ଅନ୍ୟ ଭାଷାରେ କଥା କହିବାର ଶୁଣିବ ନାହିଁ। ତାର ଚାଲି ଚଳଣ-ଭାବଭଙ୍ଗୀ ଦେଖି ମନେ ହେଉଥିଲା, ସେ ଆଉ ସମସ୍ତଙ୍କଠାରୁ ସ୍ବତନ୍ତ୍ର; କିନ୍ତୁ କାହିଁକି ସ୍ବତନ୍ତ୍ର ବୁଝିବା କଠିନ। ସେମାନେ ବି ସେ କଥା ଅନୁଭବ କରନ୍ତି, କିନ୍ତୁ କାରଣଟା ଯେ କଣ ତାହା ସ୍ଥିର କରିପାରିନାହାନ୍ତି।
ଯେଉଁଠି ତାକୁ ଲୋଡ଼ା ପଡ଼ିଛି ସେଠି ସେ ଠିକ୍ ଯାଇ ହାଜର। ଯେଉଁଠାରେ ଲୋକେ ଉତ୍ତେଜିତ, ହତବୁଦ୍ଧି ହୋଇପଡ଼ିଛନ୍ତି ସେଠି ସେ ଅବସ୍ଥାକୁ ଶାନ୍ତ କରିଥାଏ। ଯେଉଁଠି ଲୋକେ ନୈରାଶ୍ୟରେ ମୁଣ୍ଡ ନୁଆଁଉଛି ସେଠି ସେ ଆଣିଦିଏ ଉତ୍ସାହ। ଯେତେବେଳେ ଆମର ଯୋଗସୂତ୍ର ଧ୍ବଂସ ହୋଇଯାଏ ଓ ବାହାରେ ବହୁ ଲୋକଙ୍କର ଜୀବନ ବିପନ୍ନ ହୋଇପଡ଼େ ସେ ସେତେବେଳେ ଯେଉଁମାନେ ବିପଦରୁ ରକ୍ଷା କରିପାରିବେ ସେପରି ଲୋକମାନଙ୍କ ସାଙ୍ଗରେ ନୂତନ ଯୋଗାଯୋଗ ଯୋଡ଼ିଦିଏ। ସେ ସବୁ ଜିନିଷ ତନ୍ନ ତନ୍ନ କରି ଦେଖେ ନାହିଁ କିନ୍ତୁ ସୁଚାରୁ ରୂପେ କାମ କରିଯାଏ ଆଉ ବିସ୍ତୃତ ଧରଣର କାମ ।
ଏ କିଛି ନୂଆ କଥା ନୁହେଁ। ଆମେ ଯେତେବେଳେ ନାଜୀ ଧୀନରେ ଚାକିରିରେ ଢ଼ୁକିଲୁ, ଏହିପରି ଭାବରେ କାମ କରିବୁଁ ବୋଲି ମୂଳରୁ କଥା ଥିଲା।
ଯେଉଁ ଚେକ୍ ଜଗୁଆଳିଟି ବିଷୟ କହୁଛି, ତାରନାମ ଆଡ଼ଲଫ କୋଲିନସ୍କି। ମୋରାଭିୟାର ଏକ ପୁରାତନ ଚେକ୍ ବଂଶରୁ ଜାତ। ଜାତିରେ ଜାର୍ମାନ୍ ବୋଲି ଛଳନା କରି ସେ ଚେକ୍ ବନ୍ଦୀମାନଙ୍କୁ ପହରା ଦେବା କାମ ପାଇଛି। ପ୍ରଥମେ ହ୍ରାଦେକ୍ କ୍ରାଲୋଭ୍ରେ କାମ କରୁଥିଲା। ବର୍ତ୍ତମାନ ଆସିଛି ପ୍ୟାନକ୍ରାଟସ୍କୁ।ଯେଉଁମାନ ତାକୁ ଜାଣିଥିଲେ , ସେମାନେ ତା ବିଷୟରେ କଦର୍ଯ୍ୟ ଧାରଣାର କରିଥିବେ ନିଶ୍ଚୟ। ଚାରିବର୍ଷ ପରେ ଜେଲ୍ରେ ଜର୍ମାନ ସୁପରିନ୍ଟେଣ୍ଡେଣ୍ଟ୍ ଦିନେ ତା ମୁହଁ ଉପରେ ପୁଣି ଘୁଷି ଉଠେଇ ଧମକେଇଲେ;
“ତୋର ଚେକ୍ତ୍ବ ନିକାଲି ଦେବି।”
ଚାଲଟା ଲାଗି ବେଳ ଗଡ଼ିଗଲାଣି ଆସି। ଆଉ ବି ସୁପରିନ୍ଟେଣ୍ଡେଟ୍ରେ ଧାରଣା ଠିକ୍ ନୁହେଁ। କୋଲିନ୍ସ୍କିର କେବଳ ଚେକ୍ତ୍ବ ଦୂର କଲେ ତ ଚଳିବା ନାହିଁ, ତାର ମନୁଷ୍ୟତ୍ବକୁ ବଳି ଦେବାକୁ ପଡ଼ିବ। ଆମ ଆଗରେ ଉଜ୍ଜ୍ବଳ ଦୃଷ୍ଟାନ୍ତ –ଜାଣ ଲୋକ ସମ୍ପୂର୍ଣ୍ଣ ସଚେତନ ଭାବରେ, ସ୍ବେଚ୍ଛାରେ ଶତ୍ରୁଙ୍କ ଦଳରେ ମିଶିଛି- ସେଠି ତାହାର ବ୍ୟୁହ ମଧ୍ୟରେ ତାଙ୍କ ସାଙ୍ଗରେ ଲଢ଼େଇ କରିବ ବୋଲି ଶତ୍ରୁ ବିରୋଧରେ ଲଢ଼ିବାରେ ସହାଯ୍ୟ କରିବାକୁ। ପ୍ରତି ମୁହୂର୍ତ୍ତରେ ବିପଦର ସମ୍ଭାବନା ତାକୁ ଶକ୍ତିମାନ କରି ଗଢ଼ିଛି ତାର ଉଦ୍ଦେଶ୍ୟ ସାଧନାରେ।