ଫାଶୀ- ଆସାମୀର ଚୋରା-ଚିଠି




ଆମ ନିଜ କଥା

୧୯୪୩ ସାଲର ଫେବୃୟାରୀ ୧୧ ତାରିଖ। ସେମାନେ ଯଦି ସେଦିନ ସକାଳ ଜଳଖିଆ କଳାରେ ପାଚନ (କେଉଁଥିରୁ ତିଆରି ମୁଁ ଜାଣେନାହିଁ) ବଦଳରେ କୋକୋ ଆଣି ହାଜର କରିଥାନ୍ତେ ଆମେ ବୋଧହୁଏ ସେ ଆଶ୍ଚର୍ଯ୍ୟ ଘଟଣା ଲକ୍ଷ୍ୟ କରି ନଥାଆନ୍ତୁ। କାରଣ ସେ ଦିନ ସକାଳେ ଆଉ ଗୋଟାଏ ଆଶ୍ଚର୍ଯ୍ୟଜନକ ବ୍ୟାପାର ଘଟିଗଲା- ଗୋଟାଏ ଚେକ୍‌ ପୁଲିସର ପୋଷାକ ଆମ ଗାରଦ ନିକଟରେ ଘୂରି ବୁଲିଲା।

  ତାହା ଖାଲି ଘୂରି ବୁଲିଲା। ଆମେ କେବଳ ଦେଖୁଁ କଳା ପାଇଜାମା ଆଉ ଉଚ୍ଚାବୁଟ। ଘନ ନୀଳ ଅସ୍ତିନ, ଆଉ ଗୋଟାଏ ହାତ ତାଲା ପର୍ଯ୍ର୍ୟନ୍ତ ଉଠିଲା, ଗାରଦର ଦରଗା ଖୋଲିଲା, ପୁଣି ବନ୍ଦ କରିଦେଲା, କୁଆଡ଼େ ଉଭେଇଗଲା। ଏତେ ଚଞ୍ଚଳ ଘଟିଗଲା ଏ ବ୍ୟାପାରଟା ଯେ ପନ୍ଦର ମିନିଟ୍‌ ପରେ ଏ ଘଟଣା ବିଲ୍‌କୁଲ୍‌ ଦେଖିନାହୁଁ ବୋଲି ଆମେ ବିଶ୍ବାସ କରିବାକୁ ପ୍ରସ୍ତୁତ।

 ପ୍ୟାନକ୍ରାଟସ୍‌ ଚେକ୍‌ ପୁଲିସ। ଏଇ ଗୋଟିଏ ଘଟଣାରୁ ବି ସୁଦୂର ପ୍ରସାରିତ ସିଦ୍ଧାନ୍ତମାନ କଳ୍ପନା କରାଯାଇପାରେ ।

 ଦୁଇଘଣ୍ଟାକାଳ ସେହି କଳ୍ପନା କରୁଥିର୍ଲୁ ବସି। ପୁଣି ଖୋଲିଗଲା ଗାରଦରେ ଦରଜା। ଗୋଟିଏ ଚେକ୍‌ ପୁଲିସର ଟୋପି ଭିତରକୁ ଅନାଉଥିଲା; ଆମକୁ ଅବାକ୍‌ ହେବାର ଦେଖି ମୁରୁକିହସା ଦେଲା, ତା ଓଠରୁ ବାହାରିଲା,

              “ଫୁରୁସତ୍‌ ବଖତ।”

 ନା, ଏହା ଭୁଲ୍‌ ହୋଇନପାରେ। ନୀଳଧୂସର ଏସ୍‌.ଏସ୍‌. ଜଗୁଆଳଙ୍କ ପୋଷାକ ଭିତରେ ଆଜି ବାରଣ୍ଡାରେ ଦେଖାଦେଇଛି ଅନେକଗୁଡ଼ିଏ ଘନକୃଷ୍ଣ ଆକୃତି-ଚେକ୍‌ ପୁଲିସ କର୍ମଚାରୀ –ଆମ ଚକ୍ଷୁକୁ ଉଜ୍ଜ୍ବଳ ଦିଶୁଛି ସେଗୁଡ଼ିକ।

 ଅମ ପକ୍ଷରେ ଏହାର ଅର୍ଥ କଅଣ? ସେମାନେ କିପରି ଲୋକ ହେବେ? ସେମାନେ ଯେଉଁ ପ୍ରକାରର ଲୋକ ହୁଅନ୍ତୁ ପଛକେ, ସେମାନେ ଯେ ଏଠି ଆସି ହାଜର ହୋଇଛନ୍ତି, ସେଥିରୁ ସ୍ପଷ୍ଟଭାବରେ ପ୍ରକାଶ ପାଉଛି ଅନେକକଥା। ଯେଉଁ ଶାସନ ବ୍ୟବସ୍ଥା ତାର ସବୁଠାରୁ ଅଧିକ ସ୍ପଷ୍ଟ ଉପକରଣରେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ , ଯେଉଁ ଜାତିକୁ ସେମାନେ ଉତ୍ପୀଡ଼ନ କରିବାକୁ ଚାହାନ୍ତି, ସେହି ଜାତିର ଲୋକ ଆଣି ଭର୍ତ୍ତି କଲେଣି, ସେ ଶାସନ ବ୍ୟବସ୍ଥାର ମୃତ୍ୟୁ କେତେ ଆସନ୍ନ? ପୁଲିସ ବିଭାଗକୁ ଦୁର୍ବଳ କରି ସାମାନ୍ୟ କେତେଜଣ ସେଥିରୁ ସୈନ୍ୟ ସଂଗ୍ରହ କରିବାକୁ ଯେବେ ସେମାନେ ଚାହାନ୍ତି ତେବେ ଯୁଦ୍ଧ ଭୂଇଁରେ ସେମାନଙ୍କର ଲୋକଶକ୍ତିର କି ଅଭାବ ନପଡ଼ିଛି  ଭଲା। ଏହିପରି ଭାବରେ ଶାସନ ବ୍ୟବସ୍ଥା କେତେଦିନ ଧରି ଚାଲିବ ବୋଲି ଅନୁମାନ କରାଯାଇପାରେ?

  ଅବଶ୍ୟ ସେମାନେ ଏଠିକି ପଠାଇବେ ବଛାବଛା ଏଭଳି ଲୋକ ଯେଉଁମାନେ ଜର୍ମାନ ଜଗୁଆଳମାନଙ୍କଠାରୁ ଆହୁରି କଦର୍ଯ୍ୟ ହୋଇପାରନ୍ତି,ଜର୍ମାନ ଜଗୁଆଳମାନଙ୍କର ଆଉ ସେ ସତର୍କତା ନାହିଁ,ସେମାନେ ବିଜୟ ବିଷୟରେ ସନ୍ଦିହାନ। କିନ୍ତୁ ଏସ୍‌.ଏସ୍‌. ରକ୍ଷୀଙ୍କ ବଦଳରେ ଚେକ୍‌ ପୁଲିସ ରଖାଗଲା-ଏହି ଘଟଣାହିଁ ଦୃଢ଼ ଭାବେ ପ୍ରମାଣ କରି ଦେଉଛି ଯେ ପତନ ଆସନ୍ନ।

  ଆମର ଯୁକ୍ତି ଏହି ଧାରା ଅନୁସରଣ କଲା।

 ପ୍ରଥମେ ଆମେ ତାଙ୍କ ସଂଖ୍ୟା ଯେତେ କଳ୍ପନା କରିଥିଲୁଁ ତାଠାରୁ ସେମାନେ ଢ଼େର ବେଶୀ। ଶାସନ ଯନ୍ତ୍ରର ଉପାୟାନ୍ରର କିଛି ନଥିଲା। ଶାସନ ବ୍ୟବସ୍ଥା ରକ୍ଷା କରିବାକୁ ଯେତେ ଯାହା କରିବା ଦରକାର,ସେଥିଲାଗି ଯଥେଷ୍ଟ ଆଉ ନାହାନ୍ତି।

 ଫେବୃୟାରୀ ୧୧ ରେ ଆମେ ପ୍ୟାନ୍‌କ୍ରାଟସ୍‌ରେ ପ୍ରଥମେ ଦେଖିଲୁଁ ଚେକ୍‌ ପୋଷାକ।

 ତା ପରଦିନଠାରୁ ସେମାନଙ୍କ ଭିତରେ ଯେଉଁ ମଣିଷଟିମାନ ଥିଲେ ତାଙ୍କ ସହିତ ଚିହ୍ନା ପରିଚୟ ହେବାରେ ଲାଗିଲୁଁ। ଜଣେ ହୁଏତ ଆସିବ, ଏରୁଣ୍ଡି ବନ୍ଧରେ ଅସ୍ବସ୍ତିକାର ଭାବରେ ପାଦ ଘଷୁଁ ଘଷୁଁ ଗାରଦ ଭିତରକୁ ଚାହିଁବ। ତାପରେ ତା ମନରେ ହଠାତ୍‌ ସାହସ ଖେଳିଯିବ ଠିକ୍‌ ଯେପରି ଛୋଟ ଛେଳିଛୁଆ ବିରକ୍ତି ହୋଇ ହଠାତ୍‌ ଫୁର୍ତ୍ତିରେ ଚାରିଟଙ୍କାରେ କୁଦାଏ ମାରେ। ଆଉ ସେହିପରି ଆମ ଚାହାଣୀରେ ଫୁଟି ଉଠୁଥିବା ପ୍ରଶ୍ନର ଜବାବ ଦିଏ,

‘ଆଚ୍ଛା, ବାବୁମାନେ, କିମିତି ଅଛନ୍ତି?’

 ଆମେ ହସିକରି ଉତ୍ତର ଦେଉଁ, ସେ ବି ହସେ। ହାତରେ ହଠାତ୍‌ କହିଯାଏ, “ଆମ ଉପରେ  ରାଗ କରନାହିଁ। ସତ କହୁଛି, ଆମେ ବାହାର ରାସ୍ତାରେ ଟହଲ ମାରିଚୁଁ ସିନା, ଆପଣମାନଙ୍କୁ ପହରା ଦେବାକୁ କଣ ଆମ ମନ। ଆମେ କରିବାକୁ ବାଧ୍ୟ, ହେଲେ ବୋଧହୁଏ ହୁଏତ ଭବିଷ୍ୟତକୁ ମଙ୍ଗଳ ବି ଫଳିପାରେ ।”

ପ୍ୟାନ୍‌କ୍ରାଟସ୍‌କୁ ସେମାନଙ୍କର ଆସିବା ଦେଖି ଆମେ ତହିଁରୁ କି ଅର୍ଥ କଲୁଁ, ଆଉ ସେମାନଙ୍କ ସମ୍ବନ୍ଧରେ ଆମର ଧାରଣା କଣ ସେ କଥା କହିବାରୁ ତାର ମନ ଆନନ୍ଦ ହୁଏ। ଏହିପରି ଦେଖାହେଲାଠୁଁ ଆମେ ବନ୍ଧୁ ପାଲଟିଗଲୁଁ। ତାର ନାମ ଭାଇଯେକ୍‌, ସରଳପିଲା, ବିଲ୍‌ଟା ତାର ଭଲ। ସେ ପ୍ରଥମଦିନ ଭୋର୍‌ ସମୟରେ ଆମ ଗାରଦର ଦରଜା ପାଖରେ ଘୂରି ବୁଲୁଥାଏ।

ଦ୍ବିତୀୟ ଜଣକଟୁମା। ଖାଣ୍ଟି ପୁରୁଣା ଚେକ୍‌ ପୁଲିସ୍‌ର ନମୁନା ସେ । କର୍କଶ,ହୋ ହୋ କରେ କିନ୍ତୁ ଅନ୍ତରଟା ଭଲ- ସେମାନଙ୍କୁ ଆମେ ରିପବ୍ଲିକ୍‌ କାଳର ଜେଲ୍‌ରେ ‘ପପ’ବୋଲି ଡାକୁଥିଲୁଁ। ତା ଚାକିରୀରେ ସେ ଅସାଧାରଣ କିଛି ଦେଖିନାହିଁ। ବରଂ ଏଠି ତାକୁ ବେଶ୍‌ ଆରେଇଛି, ଶୃଙ୍ଖଳା ରଖୁଛି ବା ଭାଙ୍ଗୁଛି ତାର ଖିଆଲ ଅନୁସାରେ ମାମୁଲି ରୁକ୍ଷ ପରିହାସ କରି। ସେ ଗାରଦ ଭିତରକୁ ରୁଟି ବଢ଼େଇଦେବ, କେବେ ବି ସାଗାରେଟ୍‌, ଗପ କରି ସମୟ କଟେଇବେ-ଯାହାପାରେ ତା ସାଙ୍ଗରେ ଓ ଯେ କୌଣସି ବିଷୟରେ, ତେବେ ରାଜନୈତିକ ପରିସ୍ଥିତି ବିଷୟରେ ନୁହେଁ। ଏସବୁ ବେଶ୍‌ ସହଜ ଭାବରେ କରେ। ପହରା ଦେବା ସମ୍ବନ୍ଧରେ ଏହାହିଁ ତାର ଧାରଣା- ଏ କଥା ଲୁଚେଇବାକୁ ସେ ଚେଷ୍ଟା କରେନାହିଁ। ଏଥିନିମିତ୍ତ ପ୍ରଥମଥର ଗାଳି ଖାଇବା ପରେ ଟିକିଏ ସାବଧାନ ହୋଇଛି କିନ୍ତୁ ବଦଳି ନାହିଁ। ବର୍ତ୍ତମାନ ସେ ସେହି ‘ପପ ’ପୁରୁଣା କାଳିଆ ପୁଲିସ। ତୁମେ ତାକୁ ବଡ଼ କାମ କିଛି ଲାଗି ଭରସି କହିପାରିବ ନାହିଁ, ତେବେ ତା ପହରାବେଳେ ତୁମେ ସହଜରେ ନିଃଶ୍ବାସ ମାରିପାରିବ। 




+ -

© Jataayu Charitable Trust
Site designed,developed & maintained by Tekons