ଫାଶୀ- ଆସାମୀର ଚୋରା-ଚିଠି




ତୃତୀୟ ଚେକ୍‌ ପୋଲିସଟି ବାରଣ୍ଡାରେ କେବଳ ବୁଲେ, ମୁହଁରେ ଭୂକୁଟି, କଥା କହେନାହିଁ, କିଛି ଦେଖେ ବି ନାହିଁ। ତା ସାଙ୍ଗରେ ପରିଚୟ କରିବାକୁ ଆମେ ଉଦଗ୍ରୀବ; କିନ୍ତୁ ତାର ସେଆଡ଼କୁ ଭ୍ରୂକ୍ଷେପ ନାହିଁ।

  ‘ତାକୁ ଯେତେବେଳେ ନେଲେ ବୋଧହୁଏ ଲୋକ ବେଶି ପାଉନଥିଲେ ସେମାନେ’ ଏକ ସପ୍ତାହ ତାକୁ ଲକ୍ଷ୍ୟ କଲ। ପରେ ‘ବାପା’ମନ୍ତବ୍ୟ କଲେ, ‘ତାଙ୍କ ଭିତରେ ସବୁଠାରୁ ଅପଦାର୍ଥ ଏଇଟା।’

 ‘ତା ସବୁଠାରୁ ଚତୁର ହୋଇପାରେ’- ତର୍କ ଖାତିରରେ କହି ପକାଇଲି।ସାମାନ୍ୟ ବ୍ୟାପାର ନେଇ ଏହିପରି ବିରୋଧ କରିବା ଗାରଦ ଜୀବନକୁ ଟିକିଏ ସରସ କରିଦିଏ।

   ଦୁଇ ସପ୍ତାହ ପରେ ଦିନେ ମନେହେଲା, ଏଇ ଗୁମ୍‌ମରା ଲୋକଟି ଯେପରି ଆଖିଠାର ମାରିବା ଥରେ। ଏହା ତାର କର୍ତ୍ତବ୍ୟ କାର୍ଯ୍ୟର ସାମାନ୍ୟ ବାହାରେ।ମୁଁ ମଧ୍ୟ ସେହିପରି ସଙ୍କେତ ଦ୍ବାରା ଉତ୍ତର ଦେଲି। ଜେଲଖାନାରେ ତାର ହଜାର ଅର୍ଥ ହୋଇପାରେ ।କିନ୍ତୁ କିଛି ତ ହେଲାନାହିଁ। ହୁଏତ ଭୁଲ୍‌ ବୁଝିଲି।

 ମାସକ ପରେ ତାକୁ ପରିଷ୍କାର ବାଟକୁ ଆସିଲା। ଆସିଲା ହଠାତ୍‌ ଅବିକଳ ସିମିତି ପ୍ରଜାପତି କୋଷାରୁ ବାହାରେ । ମୁଦା କୋଷାଟି ଫାଟିଗଲା। ତହିଁରୁ ବାହାରି ଆସିଲା ଏକ ଜୀବନ୍ତ ଜୀବ। ପ୍ରଜାପତି ନୁହେଁ ମନୁଷ୍ୟ।

ଏଇ କେତେଗୁଡ଼ିଏ ଚରିତ୍ର-ଚିତ୍ର ପଢ଼ି ‘ବାପା ’ ଦିନେ କହିଲେ, ‘ତୁମେ ସ୍ମୃତି ସ୍ମମ୍ଭଗୁଡ଼ିଏ ଗଢ଼ିଯାଉଛ।’

   ହଁ, ମୁଁ ସ୍ତମ୍ଭ ଗଢ଼ିବାକୁ ଚାହେଁ। ଯେଉଁମାନେ ସଚ୍ଚା ଭାବରେ ସାହାସ ସହକାରେ ଏଠାରେ ଆଉ ବାହାରେ ଲଢ଼ାଇ କରି ଯାଉଅଛନ୍ତି, ଯେଉଁମାନେ ପ୍ରାଣ ଦେଉଛନ୍ତି, ସେହି ସାଥୀମାନଙ୍କର ସ୍ମୃତି ମୁଁ ଜୀବନ୍ତ ରଖିବାକୁ ଚାହେଁ। ଆଉ ଯେଉଁମାନେ ଅତିଶୟ ବିପଜ୍ଜନକ ପରିସ୍ଥିତି ମଧ୍ୟରେ ଆମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଚାହେଁ ମୁଁ  ଜୀବନ୍ତ ରଖିବାକୁ। ସେମାନଙ୍କର ସାହସ ଓ ସତ୍ୟନିଷ୍ଠା ତ କୌଣସି ଅଂଶରେ ନ୍ୟୂନ ନୁହେଁ।  ପ୍ୟାନ୍‌କ୍ରାଟସ୍‌ର ପ୍ରେତାୟିତ ବାରଣ୍ଡାରେ କୋଲିନସ୍କି ଆଉ ଏଇ ଚେକ୍‌ ପୁଲିସଟି ଭଳି ବ୍ୟକ୍ତିଙ୍କୁ  ମୁଁ ନେଇ ଆସିବାକୁ ଚାହେଁ ଜୀବନର ଆଲୋକକୁ। ସେମାନଙ୍କ ମହିମା ନିମିତ୍ତ ନୁହେଁ, ସେମାନେ ହେବେ ଅନ୍ୟମାନଙ୍କ ନିକଟରେ ଦୃଷ୍ଟାନ୍ତ ସ୍ବରୂପ। ମନୁଷ୍ୟର କର୍ତ୍ତବ୍ୟ ତ ଏହି ଯୁଦ୍ଧରେ ଶେଷ ହୋଇଯିବ  ନାହିଁ, ଲୋକମାନଙ୍କ ଅନ୍ତରାଳରେ ଯେତେଦିନ ପର୍ଯ୍ୟନ୍ତ ମାନବିକତା ପ୍ରକାଶ ନ ପାଇଛନ୍ତି ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ହେବାପାଇଁ ବୀରତ୍ବର ପ୍ରୟୋଜନ।

  ପୋଲିସ,ଜାରୋସ୍କାଭ ହୋରାର କାହାଣୀ ଅତି ଛୋଟ। କିନ୍ତୁ ଏହାରି ଭିତରେ ପରିପୂର୍ଣ୍ଣ ମନୁଷ୍ୟର ଜୀବନ ଗାଥା ଦେଖିବାକୁ ମିଳିବ।

   ର୍ୟାଡ୍‌ନିକୋ ଦେଶର ଗୋଟିଏ କୋଣରେ ବହୁଦୂର, ଚମତ୍କାର ଅଞ୍ଚଳ କିନ୍ତୁ ଜନବିରଳ,ଦରିଦ୍ର ଅଞ୍ଚଳ ସେ । ତାର ବାପ କାଚ ଜିନିଷ ତିଆରି କରୁଥିଲା। ଦୁଃଖ କଷ୍ଟରେ ଜୀବନ କାଟୁଥିଲେ। ଯେତେବେଳେ କାମ ଥାଏ ସେତେବେଳେ ହାଡ଼ଭଙ୍ଗା ଖଟଣି ପଡ଼େ; ଆଉ ଯେତେବେଳେ ଦେଶର ବେକାର ସଂଖ୍ୟା ବଢ଼ିଯାଏ ସେତେବେଳେ ତାଡ଼ନା ଦାରିଦ୍ର୍ୟ। ଏ ଦୁଇ ଅବସ୍ଥାରୁ ଯେ କୌଣସିଟି ମନୁଷ୍ୟକୁ ତଳେ କଚାଡ଼ିଦିଏ, ନୋହିଲେ ତାର ମସ୍ତକ ଉନ୍ନତ କରିଦିଏ ନୂତନ ପୃଥିବୀର ସ୍ବପ୍ନ ଦେଖେ ସେ । ନୂତନ ପୃଥିବୀରେ ବିଶ୍ବାସ କରି,ତାହାରି ପାଇଁ ଲଢ଼ାଇ କରି ତାର ବାପା ହେଲେ କମ୍ୟୁନିଷ୍ଟ।

  କାରବାର ଯେତେବେଳେ କିଶୋର ବୟସ। ସେ ମଧ୍ୟ ମେ ଦିବସ ପ୍ୟାରେଡ଼ରେ ସାଇକେଲ ବାହିନୀରେ ଯୋଗଦେଲା। ଲାଲଫିତା ବନ୍ଧାଥାଏ ତାର ସାଇକେଲ ଚକାରେ। ତାର ସେହିଫିତା ସେଇଠି ରହିଗଲା ନାହିଁ କିନ୍ତୁ ତାର ପ୍ରଥମ ଚାକିରି ସ୍କୋଡାର କାରଖାନାର ଲୋନ ବିଭାଗରେ କାମ କରିବାକୁ ଯେତେବେଳେ ଗଲା, ସାଙ୍ଗରେ ନେଇଗଲା ଫିତାକୁ।

 ଦେଶରେ ଗୁରୁତର ବେକାର ସମସ୍ୟା ଦେଖାଦେଲା, ତାପରେ ସୈନ୍ୟ ବିଭାଗରେ ଚାକିରି, ତାପରେ ପୁଲିସ ବିଭାଗରେ ମୁକରିର ହେବାଲାଗି ଆଶା ମିଳିଲା। ଏହି ସମୟତକ ତା ଅନ୍ତରର ଲାଲଫିତାଟି କଣ କରୁଥିଲା, ହୁଏତ ତା ବିଷୟ ଏକରକମ ଭୁଲିଯାଇଥିଲା ସେ-କିନ୍ତୁ ହଜେଇ ଦେଇ ନଥିଲା। ଦିନେ ସେମାନେ ତାକୁ ପ୍ୟାନ୍‌କ୍ରାଟସ୍‌ରେ କାମ କରିବାକୁ ପଠେଇଲେ। କୋଲିନସ୍କି ଭଳି ପୂର୍ବରୁ ସ୍ଥିରୀକୃତ ଉଦ୍ଦେଶ୍ୟ ଘେନି ସେ ସ୍ବେଚ୍ଛାରେ ଆସିନାହିଁ। କିନ୍ତୁ ଗାରଦ ଭିତରକୁ ପ୍ରଥମଥର ଅନେକ ଦେଇ ଉଦ୍ଦେଶ୍ୟ ବିଷୟରେ ସେ ସଚେତନ ହୋଇଗଲା। ଫିତାଟି ଫିଟିଗଲା।

 ପ୍ରଥମେ ତାକୁ କର୍ମକ୍ଷେତ୍ର ପରିଦର୍ଶନ କରି ଦେଖିବକୁ ପଡ଼ିଲା ଓ ନିଜର ଶକ୍ତିକୁ ବି ମାପିବାକୁ ପଡ଼ିଲା। ଗଭୀର ଚିନ୍ତାରେ ତାର ମୁହଁରେ ଆକୁଞ୍ଚନ ଦେଖାଦେଲା, କେଉଁଠାରେ କାମ ଆରମ୍ଭ କରିବାକୁ ହେବ, କିପରି ଭାବରେ ।ସେ ପେଶାଦାର ରାଜନୀତିଜ୍ଞ ନୁହେଁ ସରଳ ସାଧାରଣ ଲୋକର ପୁଅ।କିନ୍ତୁ ତାର ବାପର ଅଭିଜ୍ଞତାର ସେ ଉତ୍ତରାଧିକାରୀ।ତାର ଚରିତ୍ର ଦୃଢ଼, ତେଣୁ  ସେ ସିଦ୍ଧାନ୍ତରେ ପହଞ୍ଚିଲା। ଯେତେବେଳେ ସେ ସ୍ଥିର କଲା କଣ କରିବ ବୋଲି, ଆକୁଞ୍ଚିତ କୋଷମଧ୍ୟରୁ  ବାହାରି ଆସିଲା ମନୁଷ୍ୟଟିଏ।

  ଅନ୍ତର ତାର ଅତି ଚମତ୍କାର , ଅତ୍ୟନ୍ତ ନିର୍ମଳ, ଅନୁଭୂତିଶୀଳ ,ଆଗଭର ନୁହେଁ, ହେଲେ ପୁରୁଷତ୍ବ ଅଛି। ଯାହା କରିବା ଦରକାର ସେଥିଲାଗି ସେ ହେମତ୍‌ କରିଛି । ଛୋଟବଡ଼ ସବୁ କାମ ଆବଶ୍ୟକ, ତେଣୁ ସେ କି ଛୋଟ କି ବଡ଼ ସବୁ କାମ କରିପାରେ।ନୀରବରେ ସ କାମ କରିଯାଏ, ଏପରିକି ଭାବଭଙ୍ଗୀରେ କିଛି ପ୍ରକାଶ କରେ ନାହିଁ କିନ୍ତୁ ସେ ଜାଣେ କଣ କଣ କରୁଛି, ଅଥଚ ନିର୍ଭୟରେ। ଏ ସମସ୍ତ ତା ନିକଟରେ ଅତି ସ୍ବାଭାବିକ ଯେପରି , ଏ ଯେପରି ତାର ମନର ଆଦେଶ; ଏହି କାମତ କରିବାକୁ ପଡ଼ିବ, ସେ ନେଇ ତୁଣ୍ଡରେ କହିବା କି ଆବଶ୍ୟକ?

 ଏହାହିଁ ତାର ପୂର୍ଣ୍ଣ ଇତିବୃତ୍ତି। ଏ ଗୋଟିଏ ଚରିତ୍ରର ସମ୍ପୂର୍ଣ୍ଣ କାହାଣୀ, ଅନେକଗୁଡ଼ିଏ ଜୀବନ ବଞ୍ଚାଇବାର କୃତିତ୍ବ ଦାବି କରିପାରେ। ସେମାନେ ବର୍ତ୍ତମାନ ବଞ୍ଚି ରହିଛନ୍ତି ଆଉ ବାହାରେ କାମ କରୁଛନ୍ତି, ଏକମାତ୍ର କାରଣ ପ୍ୟାନ୍‌କ୍ରାଟସ୍‌ରେ ଜଣେ ଲୋକ ତାହାର ମନୁଷ୍ୟୋଚିତ କର୍ତ୍ତବ୍ୟ କରିଛି। ସେମାନଙ୍କ ସାଙ୍ଗରେ ତାହାର ବ୍ୟକ୍ତିଗତ ପରିଚୟ ନାହିଁ, ସେମାନେ ବି ତାହାକୁ ଚିହ୍ନନ୍ତି ନାହିଁ। ସେମାନେ କୋଲିନସ୍କିକୁ ବି ଚିହ୍ନନ୍ତି ନାହିଁ, କିନ୍ତୁ ମୁଁ ଆଶା କରେ ପରେ ସେମାନଙ୍କର ପରସ୍ପର ସହିତ ପରସ୍ପରର ପରିଚୟ ନିଶ୍ଚୟ ଘଟିବ। ଏହି ଦୁଇ ଜଣ କର୍ମୀ ପରସ୍ପରକୁ ଶୀଘ୍ର ଚିହ୍ନିଗଲେ ଏବଂ ଅନ୍ୟର ଉପକାର ନିମିତ୍ତ  ସେମାନଙ୍କର ସୁଯୋଗର ସଦ୍‌ବ୍ୟବହାର କଲେ।

  ସେମାନଙ୍କର ଦୃଷ୍ଟାନ୍ତ ମନେରଖିବ। ଏହି ଆଦର୍ଶରେ ଦୁଇ ଜଣ ବ୍ୟକ୍ତି ଆପଣାର ମୁଣ୍ଡଟା ଠିକ୍‌ ରଖି ହୃଦୟକୁ ଲଗାଇଥିଲେ ତାର ଯଥାଯୋଗ୍ୟ ସ୍ଥାନରେ। ଉଭୟରେ ସଦ୍‌ବ୍ୟବହାର କରିଛନ୍ତି।




+ -

© Jataayu Charitable Trust
Site designed,developed & maintained by Tekons