ଫାଶୀ- ଆସାମୀର ଚୋରା-ଚିଠି




କିନ୍ତୁ ପ୍ରତ୍ୟେକ ଆଘାତ ପରେ ବୁଝାପଡ଼ୁଥିଲା ପାର୍ଟି କେତେ ଆବିନଶ୍ୟ ,କୌଣସି କର୍ମୀର ସ୍ଥାନ ଯେତେ ଅପୂରଣୀୟ ହେଲେ ମଧ୍ୟ, ଜଣେ କର୍ମୀ ଆସି ପହଞ୍ଚୁଥିଲେ। ନୂତନ ବର୍ଷର ଆରମ୍ଭରେ ଆମେ ପୁଣି ଏକ ଶକ୍ତିଶାଳୀ ସଂଘ ଗଢ଼ିନେଲୁଁ। ୧୯୪୧ ସାଲର ଫେବୃୟାରୀ ମାସରେ ତାହା ଯେପରି ବିସ୍ତୃତ ଥିଲା ସେପରି ନ  ହେଲେ ମଧ୍ୟ ଶେଷ ଲଢ଼େଇର ଆହ୍ବାନରେ ବିପକ୍ଷତା କରିବାକୁ ବଳ ତାର ଥିଲା ପୂର୍ଣ୍ଣମାତ୍ରାରେ। ଆମେ ସମସ୍ତେ ଏହି କାମରେ ବ୍ୟାପୃତ ଥିଲୁଁ, କିନ୍ତୁ ରେଭେନ୍ସା ଜିକାର ବେଶି ବାହାଦୂରୀ।

  ଆଉ ପ୍ରକାଶନ କାର୍ଯ୍ୟର ନିଦର୍ଶନ ମିଳିବ କେତେ କଠୋର ଉପର ଚାଳିଘରେ, କାହିଁ ବା ଭୂଇଁତଳେ ଚୋରା କୋଠରୀରେ, କମ୍‌ରେଡମାନଙ୍କର ଲୁଚା ଫାଇଲମାନଙ୍କରେ । ଏଠି ସେ ସବୁ କଥା କହିବା ନିଷ୍ପ୍ରାୟୋଜନ।

  ଆମ ଖବରକାଗଜଗୁଡ଼ିକ କାଟତି ବହୁତ ହେଉଥିଲା। କେବଳ ପାର୍ଟିର ସଭ୍ୟ ନୁହନ୍ତି, ସାରାଦେଶରେ ଅନେକ ପଢ଼ୁଥିଲେ ସେ କାଗଜ। ସେଗୁଡ଼ିକ ଛାପା ହୋଇ ବା ମାଇମିଓଗ୍ରାଫ ହୋଇ ଅନେକଗୁଡ଼ିଏ ‘ଟେକ୍‌ନିକାଲ କେନ୍ଦ୍ର’ ରୁ ବହୁ ସଂଖ୍ୟାରେ ବାହାରୁଥିଲା। ଏହି କେନ୍ଦ୍ରଗୁଡ଼ିକର ବିଷୟ ଗୁପ୍ତ ଥିଲା ଏବଂ ସେଗୁଡ଼ିକ ପରସ୍ପରଠାରୁ ସଂପୂର୍ଣ୍ଣରୂପେ ଅସଂପୃକ୍ତ ଥିଲେ। କୌଣସି ପ୍ରକାଶ କେନ୍ଦ୍ର ଜାଣୁନଥିଲା କିଏ ସବୁ ଅନ୍ୟ କେନ୍ଦ୍ରରେ କାମ କରୁଛନ୍ତି ବା କେଉଁଠି ସେମାନେ କାମ କରୁଛନ୍ତି । କେଉଁଠାରୁ ଉପଦେଶ ବା ଲେଖାମାନ ଆସୁଛି ତା କେହି ଜାଣୁନଥିଲେ। ସେମାନେ ସମସ୍ତେ କାମ ଚଳେଇଥିଲେ କ୍ଷିପ୍ର ବେଗରେ। ମନୁଷ୍ୟ ହାତରେ ଯେତେଦୂର କରାଯାଇପାରେ, ଯୁଦ୍ଧ  ପରିସ୍ଥିତି ହେତୁରୁ ଯେତେ ଶୀଘ୍ର କରିବା ଦରକାର ପଡ଼ୁଥିଲା ତେତେ ଜଲଦି। ଉଦାହରଣସ୍ବରୂପ-୧୯୪୨ ସାଲର ଫେବୃୟାରୀ ୨୩ ତାରିଖରେ ସୈନ୍ୟବାହିନୀକୁ କମ୍‌ରେଡ଼୍‌ ଷ୍ଟାଲିନଙ୍କର ସାଧାରଣ ଆଦେଶପତ୍ର ଆମେ ୨୩ ତାରିଖ ସନ୍ଧ୍ୟାସୁଦ୍ଧା ଛାପି ପାଠକମାନଙ୍କ ହାତରେ ଦେବାକୁ ସମର୍ଥ ହୋଇଥିଲୁଁ। ମୁଦ୍ରାକରମାନେ ଚମତ୍କାର କାମ କରୁଥିଲେ, ଆଉ ସେହିପରି କାମ କରୁଥିଲେ ଫୁଡ୍‌ ଲୋରେନ୍‌ସ ଶଖାର ଡାକ୍ତରମାନେ। ଏହି ଶାଖାକୁ ବି ଖଣ୍ଡେ କାଗଜ ସେମାନେ ବାହାର କରୁଥିଲେ। ତାର ନାମ ‘ହିଟଲର ବିରୁଦ୍ଧରେ ଦୁନିଆ’। ଅନ୍ୟ କେହି ଯେପରି ବିପଦଗ୍ରସ୍ତ ନହୁଅନ୍ତି ସେଥିପାଇଁ ଅନ୍ୟ କାଗଜଗୁଡ଼ିକର ଲେଖା ମୁଁ ନିଜେ ତିଆରି କରୁଥିଲି।  ମୁଁ ଯଦି ଖତମ ହୁଏ ତେବେ ମୋ ବଦଳରେ ଯେ କାମ କରିବ ସେ ଅନେକ ଆଗରୁ ତାଲିମ୍‌ ହୋଇ ତିଆରି ଥାଏ।ମୁଁ ଗିରଫ ହେବା ପରେ ସେ ନିଜ କାର୍ଯ୍ୟରେ ଭାର ଗ୍ରହଣ କରିଛି ଏବଂ ବର୍ତ୍ତମାନ ବି କାମ ଚଳେଇଛି।

 ଯେତେ ସରଳ ସହଜ ଉପାୟ ସମ୍ଭବ ତା ଆମେ ଗ୍ରହଣ କଲୁଁ। ଗୋଟିଏ ଗୋଟିଏ କାମ କରିବାକୁ ଯେତେଦୂର ସମ୍ଭବ କମ୍‌ ଲୋକ ନିଯୁକ୍ତ କରାଗଲେ। ସମ୍ବାଦ ପଠାଇବାର ଜଟିଳ ଅବସ୍ଥା ଆମେ ସ୍ଥଗିତ ରଖିଲୁଁ। ବାର୍ତ୍ତା ପଠାଇବାର ବ୍ୟବସ୍ଥାହିଁ ୧୯୪୧ ଫେବୃୟାରୀରେ ଆମର କେନ୍ଦ୍ରୀୟ ପରିଷଦରୁ ବଞ୍ଚାଇ ପାରିନଥିଲା। ଏ ବ୍ୟବସ୍ଥା ଅବଲମ୍ବନ କରି କମିଟି ଫେବୃୟାରୀ ମାସରେ ବର୍ତ୍ତି  ଯାଇପାରିଲା ନାହିଁ, ଏ ବ୍ୟବସ୍ଥା ବରଂ ବିଶ୍ବାସଘାତକତାର ଭୟହିଁ ବଢ଼ାଇଥିଲା । ଏଥିରେ କିନ୍ତୁ ବ୍ୟକ୍ତିଗତ ଭାବରେ ଆମ ପ୍ରତ୍ୟେକଙ୍କ ଉପରେ ବିପଦ ଆଶଙ୍କା, କିନ୍ତୁ ଗୋପନ ଆନ୍ଦୋଳନର ଯନ୍ତ୍ରଟି ହେଲା ଅଧିକ ନିରାପଦ। ଭବିଷ୍ୟତରେ କୌଣସି ଆଘାତ ପାର୍ଟିକୁ ଆଉ ପଙ୍ଗୁ କରିପାରିବ ନାହିଁ, ଫେବୃୟାରୀର ଘଟଣା ଆଉ ଘଟିବ ନାହିଁ।

 ଏଣୁ ମୁଁ ଗିରଫ ହେବା ପରେ ମଧ୍ୟ କେନ୍ଦ୍ରୀୟ ପରିଷଦ କାମ ଚଳାଇ ନେଲା ଯଥାରୀତି। ମୋ ଜାଗାରେ ଅନ୍ୟ ଜଣେ କାମ କଲା ମୋର ବଦଳିଆ ହୋଇ ଅଥଚ ମୋର ଘନିଷ୍ଠ ସହଯୋଗୀମାନେ ମଧ୍ୟ କାମରେ କିଛି ଅଭାବ ଲକ୍ଷ୍ୟ କରିପାରିଲେ ନାହିଁ।

  ୧୯୪୨ ସାଲ ମଇମାସ ୨୭ରେ ହୋନତ୍‌ସା ଜିକା ଗିରଫ ହେଲା। ତା ମଧ୍ୟ ବିଲକୁଲ ଆକସ୍ମିକ ଭାବେ। ହେତ୍ରିଖର ହତ୍ୟାର ପରବର୍ତ୍ତୀ ରୀତିରେ ସେ ଘଟଣା । ସମଗ୍ର ପ୍ରେଗ୍‌ ଉପରେ ଶତ୍ରୁ ତାର ସମସ୍ତ ଶକ୍ତି ଖଟେଇ ଚଢ଼ାଉ ଚଳେଇଛି। ସେମାନେ ଷ୍ଟ୍ରେଶୋଭିସର  ଘରେ ପଶିଲେ। ସେଠାରେ ଜିକା ରହିଥିଲା ଆତ୍ମଗୋପନ କରି, ତାର କାଗଜପତ୍ର ସବୁ ଠିକ୍‌ଠାକ୍‌ ଥିଲା, ମିଛ ନାଁରେ ସେ ସବୁ। ସେ ଚୁପ୍‌ ଚାପ୍‌ ରହିଥିଲେ ସେମାନେ ତାକୁ ଜାଣିପାରିନଥାଆନ୍ତେ। ଯେଉଁ ସଦାଶୟ ପରିବାରର ଆଶ୍ରୟରେ ସେ ଥିଲା ସେମାନଙ୍କୁ ବିପନ୍ନ କରିବା ତାର ଇଚ୍ଛା ହେଲାନାହିଁ। ତେଣୁ ସେ ତିନି  ମହଲାର ଗୋଟିଏ ଝରକାର ତଳକୁ ଡେଇଁପଡ଼ି ପଳାଇବାର ଚେଷ୍ଟା କଲା, ପଡ଼ିଗଲା, ସାଂଘାତିକ ଆଘାତ ଲାଗିଲା ମେରୁଦଣ୍ଡ ଉପରେ । ଗୋଟାଏ ଜେଲ୍‌ ହାସପାତାଳକୁ ସେ ନିଆହେଲା, କାହାକୁ ସେମାନେ ଧରିଛନ୍ତି ତା ବି ସେମାନଙ୍କର ଧାରଣା ନଥିଲା। ଅଠରଦିନ ଧରି ଖୋଜଖବର ନେଇ ଆଉ ଗଦା ଗଦା ଫଟୋ  ମିଳେଇ ଦେଖିବା ପରେ ସେମାନେ ପ୍ରମାଣ କଲେ ସେ କିଏ। ତାପରେ ମୁମୂର୍ଷୁ  ଅବସ୍ଥାରେ ତାକୁ ନେଇଗଲେ ପେଟ୍‌ଚେକ୍‌ ବିଲଡିଂକୁ…ଉତ୍ପୀଡ଼ନ ପାଇଁ। ସେଠାର ତା ସହିତ ମୋର ଶେଷଥର ପାଇଁ ସାକ୍ଷାତ। ସେମାନେ ମୋତେ ତା ସାଙ୍ଗରେ ଦେଖା କରାଇବାକୁ ନେଇଗଲେ।ଦୁହେଁ କର ମର୍ଦ୍ଦନ କଲୁ। ସ ମୁହଁରେ ତାର ପ୍ରଶାନ୍ତ ସଦୟ ହାସ୍ୟ ଫୁଟାଇ କହଲା,  ଜୁଲୋ ‘ନିଜ କଥା ନେଇ ସାବଧାନ ହୁଅ। ’

   ମାତ୍ର ଏକ ଗୋଟିଏ ପଦ କଥା ସେମାନେ ତାଠାରୁ ଶୁଣିଲେ। ଆଉ କୌଣସି କଥା ସେ ସେମାନଙ୍କୁ କହିନାହିଁ। ମୁହଁ ଉପରେ ଗୋଟା କେତେ ମାଡ଼ ବସିବାରୁ ସେ ଅଚେତ ହୋଇପଡ଼ିଲା, ଘଣ୍ଟା ଦୁଇ ମଧ୍ୟରେ ମୃତ୍ୟୁ ଘଟିଲା ତାର।

 ମଇ ୨୯ ତାରିଖ ଭିତରେ ତାର ଗିରଫର ଖବର ମୁଁ ଜାଣିପାରିଥିଲି। ଆମର ଗୁପ୍ତଚରମାନେ ବେଶ୍‌ କାମ କରୁଥିଲେ। ଆମର ପରବର୍ତ୍ତୀ କର୍ତ୍ତବ୍ୟ ସେମାନଙ୍କ ମାରଫତରେ ସାବ୍ୟସ୍ତ ହେଲା, ପରେ ହୋନେତ୍‌ସା ଚାର୍ନି ତାହା ଅନୁମୋଦନ କଲା। ପାର୍ଟିପାଇଁ ସେଇ ହେଉଛି ଆମର ଏକାଠି ବସି ଶେଷ କର୍ତ୍ତବ୍ୟ ନିର୍ଦ୍ଧାରଣ ।

  ୧୯୪୨ ସାଲରେ ଗ୍ରୀଷ୍ମକାଳରେ ହୋନେତ୍‌ସା ଚାର୍ନି ଗିରଫ ହେଲା। ଏଥର କିନ୍ତୁ ଦୈବାତ୍‌ ନୁହେଁ। ତା ସାଙ୍ଗରେ ଜ୍ୟାନ୍‌ ପୋକୋର୍ନିର ପ୍ରତ୍ୟକ୍ଷ  ଯୋଗାଯୋଗ ଥିଲା, ସ୍ପଷ୍ଟଭାବେ ତାହାରି ଶୃଙ୍ଖଳାଭଙ୍ଗ ହେତୁରୁହିଁ ସେ ଧରାପଡ଼ିଲା। ଦଳର ଦାୟିତ୍ବ ଜ୍ଞାନ ସମ୍ପନ୍ନ କର୍ମଚାରୀ ଭଳି ସେ କାର୍ଯ୍ୟ କରିନଥିଲା। କେତେକ ଘଣ୍ଟା ଉତ୍ପୀଡ଼ନ ପରେ କଠୋର ଉତ୍ପୀଡ଼ନ,କିନ୍ତୁ ତାହା ବ୍ୟତୀତ ସେଆଉ କଣ ବ ଆଶା କରିଥିଲା-ତାପରେ ସେ ଡରିଗଲା,ଚାର୍ନି ସାଙ୍ଗରେ ଯେଉଁ ଘରେ ତାର ଦେଖା ହୋଇଥିଲା ତାର ଠିକଣା ସେ ବତେଇଦେଲା। ସେଠାରୁ ସେମାନେ ହାନେତ୍‌ସାର ଟେରପାଇଲେ; ଗେଷ୍ଟାପୋମାନେ ତାକୁ କେତେଦିନ ପରେ ଧଇଲେ।

 ତାକୁ ଏଠି ଆଣିବା ସଙ୍ଗେ ସଙ୍ଗେ ତାକୁ ତିହ୍ନଟ କରିବାକୁ ସେମାନେ ମୋତେ ଘୋଷାରିଲେ ।

“ତାକୁ ଚିହ୍ନ?”

“ନା, ଚିହ୍ନେ ନାହିଁ।”

  ସେ ବି ମୋତେ ଚିହ୍ନ ବୋଲି ସ୍ବୀକାର କଲାନାହିଁ। ଆଉ ଯେତେ ଯାହା ପଚାରିଲେ କାହାର ଉତ୍ତର ଦେବାକୁ ସେ ନାରାଜ। ଉତ୍ପୀଡ଼ନର ଦାଉ ତାକୁ ସମ୍ଭାଳିବାକୁ ପଡ଼ିନାହିଁ। ତାହାର ପୁରାତନ କ୍ଷତ ଘା ତାକୁ ରକ୍ଷା କଲା।ଶୀଘ୍ର ସ ଅଚେତ ହୋଇଗଲା। ଆଉ ଥରେ ଛେଚାଛେଚି କରିବାକୁ ତାକୁ ନେବା ଆଗରୁ ଆମେ ସାବଧାନତା ପୂର୍ବକ ତାକୁ ପରିସ୍ଥିତି ସମ୍ବନ୍ଧରେ ଖବର ହେଲୁଁ, ସେ ବି ତଦନୁଯାୟୀ ଚଳିଲା।

  ତା ଠାରୁ ସେମାନେ କୌଣସି କଥା ବାହାର କରିପାରିଲେ ନାହିଁ। ବହୁଦିନ ତାକୁ ଜେଲରେ ରଖିଲେ ସେମାନେ ପ୍ରମାଣ ଖୋଜୁଥାନ୍ତି  ଯୋଉଥିରେ ସେ ତୁଣ୍ଡ ଖୋଲିବାକୁ ବାଧ୍ୟ ହେବ। କିନ୍ତୁ ହୋନେଡ୍‌ସା ଚାର୍ନିକୁ ସେମାନେ ନୁଆଇଁ ପାରିଲେ ନାହିଁ।

ବନ୍ଦୀ ଜୀବନ ତାକୁ ବଦଳାଇପାରିଲାନାହିଁ। ସବୁବେଳେ ସେ ସାହସୀ, ଆମୋଦପ୍ରିୟ ଓ ପ୍ରସନ୍ନ ରହିଲା। ସବୁ ସମୟରେ ସେ ଅପରକୁ ଭବିଷ୍ୟତର ନିର୍ଦ୍ଦେଶ ଦେଉଥିଲା, ଅଥଚ ନିଜର ଭବିଷ୍ୟତ ମୃତ୍ୟୁର ନିଦ୍ଦିଁଷ୍ଟ ପଥରେ ସିଧା ଚାଲିଛି।

 ହଠାତ୍‌ ସେମାନେ ଏପ୍ରେଲ ଶେଷରେ ପ୍ୟାନ୍‌କ୍ରାଟସ୍‌ରୁ ତାକୁ ନେଇଗଲେ, କୁଆଡ଼େ ନେଇଗଲେ ମୁଁ ଜାଣେନାହିଁ। ଏଠାରୁ ଲୋକ ଏପରି ହଠାତ୍‌ ଅନ୍ତର୍ହିତ ହେବା ସର୍ବଦା ଶୁଭସୂଚକ ବୋଲି ବୁଝାଯାଏ। ମୋର ଭୁଲ୍‌ ହୋଇପାରେ, କିନ୍ତୁ ହୋନେଡ୍‌ସା ଚାର୍ନିକୁ ଆଉ ଦେଖିବି ବୋଲି ମୋର ଆଶା ନାହିଁ।

ଆମେ ସବୁବେଳେ ମରିବାର ଦିନ ଜାଣୁଥିଲୁଁ। ଆମେ ଜାଣିଥିଲୁ ଗେଷ୍ଟାପୋଙ୍କ ହାତରେ ପଢ଼ିବା ଅର୍ଥ ଜୀବନର ପୂର୍ଣ୍ଣଚ୍ଛେଦ। ତେଣୁ ଧରାପଡ଼ିବା ପରେ ମଧ୍ୟ ଆମ ନିଜ ସମ୍ପର୍କରେ ଏବଂ ଅନ୍ୟମାନଙ୍କ ସମ୍ପର୍କରେ ଯଥାବିହିତ କାର୍ଯ୍ୟ କରିଯାଉଥିଲୁଁ।

ମୋର ନିଜର ଜୀବନ ନାଟିକାର  ଉପସଂହାର ହେଲା ଆସି । ମୁଁ ଲେଖିପାରିବି ନାହିଁ, କାରଣ ତାହା ଯେ କଣ ହେବ ମୋତେ ଏବେ ବି ଜଣାନାହିଁ। ଏ ଆଉ ନାଟକ ନୁହେଁ। ଏହାହିଁ ଜୀବନ।

 ଶେଷ ଅଙ୍କର ଯବନିକା ଉଠିଛି।

 ବନ୍ଧୁଗଣ, ତୁମ୍ଭମାନଙ୍କୁ  ମୁଁ ଭଲ ପାଉଥିଲି। ହୋସିଆର ।

୧୯୪୩ ଜୁନ୍‌ ୯

-ଜୁଲିୟାସ ଫୁଚିକ




+ -

© Jataayu Charitable Trust
Site designed,developed & maintained by Tekons