ଫାଶୀ- ଆସାମୀର ଚୋରା-ଚିଠି




ଭୂମିକା

 

    ଆଗକାର ପେଟ୍‌ଚେକ୍‌ ବ୍ୟାଙ୍କ ପ୍ରାସାଦର ଗୋଟାଏ କୋଠରୀରେ ‘ଆଟେନ୍‌ସନ୍‌’ ଭଙ୍ଗୀରେ ବସି ଶରୀରକୁ ଏକବାରେ ସଳଖ କରି ଆଣ୍ଠୁ ଦୁଇଟାକୁ ଦୁଇ ହାତରେ ଚିପି ଧରି ସାମନାରେ ହଳଦିଆ ଧରି ଆସୁଥିବା କାନ୍ଥଟା ଆଡ଼କୁ ଚାହିଁ ବସି ରହିବା-ଆଉ ଯାହା ହେଉ ପଛେ-ଭାବରାଜ୍ୟରେ ବିଚରଣ କରିବାର ଉପଯୁକ୍ତ ଅବସ୍ଥା ନୁହେଁ। କିନ୍ତୁ ମନକୁ ଏପରି ‘ଆଟେନ୍‌ସନ୍‌’ ଭଙ୍ଗୀରେ ବସାଇ ରୋକିବ ସାଧ୍ୟ ଅଛି କା’ର?

   ପେଟ୍‌ଚେକ୍‌ ପ୍ରାସାଦର ଏହି ହଲ୍‌ଟାର ନାମ ‘ସିନେମା’ ବୋଲି କିଏ କେବେ ଦେଇଥିଲା କେଜାଣି। ଜର୍ମାନୀଏ ଏହାକୁ ‘ଘରୋଇବନ୍ଦୀଶାଳା’ ବୋଲି କହୁଥିଲେ କିନ୍ତୁ ସିନେମା ନାମକରଣଟା ପ୍ରତିଭାର ପରିଚାୟକ। ପ୍ରଶସ୍ତ ହଲ୍‌ରେ ଛ ଧାଡ଼ି ବେଞ୍ଚ।ଯେଉଁମାନଙ୍କୁ ତଦନ୍ତ ପାଇଁ ଅଣାଯାଇଛି ସେମାନେ ତାରି ଉପରେ ବସିଛନ୍ତି, ନିଶ୍ଚଳ ଭାବରେ ସେମାନଙ୍କ ଆଖି ସାମ୍ନା ଫାଙ୍କା କାନ୍ଥଟା ଯେପରିକି ପର୍ଦ୍ଦାଟି। ଶୁଣାଣି ନିର୍ଯ୍ୟାତନା ଆଉ ମୃତ୍ୟୁର ପ୍ରତୀକ୍ଷାରେ ଏଠି ବସି ବସି ସେମାନେ ପର୍ଦ୍ଦା ଉପରେ ନିରୀକ୍ଷଣ କରୁଛନ୍ତି ଦୃଶ୍ୟ ପରେ ଦୃଶ୍ୟ- ଏତେ ଦୃଶ୍ୟ କୌଣସି ଚଳଚିତ୍ରରେ ବୋଧହୁଏ ଉଠାହୋଇ ନାହିଁ,ଜଣଙ୍କର ସମଗ୍ର ଜୀବନର ଚିତ୍ର, ଅଥବା କ୍ଷୁଦ୍ର ମୁହୂର୍ତ୍ତର ଛବି…ମା,ସ୍ତ୍ରୀ,ସନ୍ତାନ, ଚୂର୍ଣ୍ଣୀଭୂତ ଗୃହ, ଧ୍ବସ୍ତ ଜୀବନ, ଜୀବନର ସାହାସୀ ସଙ୍ଗୀର ଛବି ଅଥବା ବିଶ୍ବାସଘାତକତାର  ଛବି। ଯାହାକୁ ମୁଁ ସେହି ନାଜୀ ବିରୋଧୀ ଇସ୍ତାହାର ଦେଇଥିଲି ସେହି ଲୋକଟିର ଛବି; ଯେଉଁ ରକ୍ତ ପୁଣି ବୋହି ଆସିଥିଲା, ଯେଉଁ ହାତ ଚିରବିଶ୍ବସ୍ତତାରେ ମୋ ହାତକୁ ଦୃଢ଼ ମୁଷ୍ଟିରେ ଚାପି ଧରିଲା- ତାହାର ଛବି।ଭୟବିହ୍ବଳତା ବା ଦୃଢ଼ ସଂକଳ୍ପ , ଘୃଣା ବା ପ୍ରେମ , ଭୟ ଆଉ ଆଶାରେ ପୂର୍ଣ୍ଣସମୃଦ୍ଧ ଛବି। ଜୀବନ ଆଡ଼କୁ ପଛ କରି ଆମେ ବସି ରହିଥାଉଁ। ପ୍ରତିଦିନ ଆମେ ପ୍ରତ୍ୟେକ ଆପଣାର ଆଖି ସାମ୍ନାରେ ମରିଯାଉଥିଲୁଁ। କିନ୍ତୁ ସମସ୍ତଙ୍କର ପୁନର୍ଜନ୍ମ ତ ହେଲାନାହିଁ।

     ଜୀବନର ଚଳଚ୍ଚିତ୍ର ଏହିପରି କେତେ ଶତଥର ଦେଖିଛି- ସହସ୍ର ସହସ୍ର ଘଟଣା ସମ୍ବଳିତ।ଏଥର ଲେଖିବାକୁ ବସିବି, ଶେଷ ହେବା ଆଗରୁ ଯଦି ଆତତାୟୀର ଫାଶୀ ମୋର ଶ୍ବାସରୁଦ୍ଧ କରିଦିଏ ତେବେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଲେଖିବେ ‘ଏହାର ମଧୁର ପରିସମାପ୍ତି।’




+ -

© Jataayu Charitable Trust
Site designed,developed & maintained by Tekons