ଫାଶୀ- ଆସାମୀର ଚୋରା-ଚିଠି




   -ଗୋଟାଏ ବାଜିଲା। ଶେଷ ମଟରଗାଡ଼ିଗୁଡ଼ିକ ଫେରି ଯାଉଛି। ପଥ ଜନଶୂନ୍ୟ ବେତାର ତାର ଶେଷ ବିଶ୍ବସ୍ତ ଶ୍ରୋତାମାନଙ୍କ ନିକଟରୁ ବିଦାୟ ନେଉଛି।

    -କେନ୍ଦ୍ରୀୟ ସମିତିର ଆଉ କିଏ ସଭ୍ୟ? ତମର ବେତାରବର୍ତ୍ତୀ ଯନ୍ତ୍ର ଗୁଡ଼ାକ କେଉଁଠି? ତମ ଛାପାଖାନା କେଉଁଠି? କଥା କୁହ! କଥା କୁହ! କଥା କୁହ!

     ଏବେ ମୁଁ ପାହାର ଗୁଡ଼ିକ ଗଣିପାରୁଛି। ମୁଁ ଓଠ କାମୁଡ଼ୁଛି-ଓଠରେ ଖାଲି ଯାହା ଯନ୍ତ୍ରଣା ବୋଧ କରୁଛି।

    -ତା ଯୋତା ଖୋଲି ନିଅ।

    -ସତ,ମୋର ପାଦ ଦିଟାକୁ ବର୍ତ୍ତମାନ ସୁଦ୍ଧା ଛେଚି ଛେଚି ଅବଶ କରାହୋଇନି। ମୁଁ ଅନୁଭବ କରୁଛି…ପାଞ୍ଚ,ଛଅ,ସାତ…ପାହାରଗୁଡ଼ାକ ପ୍ରତିଥର ଯେପରି ଯାଇ ମଗଜରେ ଢ଼ୁକି ଯାଉଛି। ଘଣ୍ଟାରେ ବାଜିଚି ଦୁଇ। ପ୍ରେଗ୍‌ ନିଦ୍ରାମଗ୍ନ। କେଉଁଠି ହୁଏତ ଶିଶୁଟିଏ କାନ୍ଦି ଉଠୁଥିବ, କାହିଁ ପୁରୁଷ ତାର ସ୍ତ୍ରୀର ନିତମ୍ବର ମୃଦୁ ଚପେଟାଘାତ କରୁଥିବ।

    -କହ! କହ!

      ରକ୍ତାକ୍ତ ମାଢ଼ି ଗୁଡ଼ାକ ଜିଭରେ ଅନୁଭବ କରୁଛି, ଗଣିବାକୁ ଚେଷ୍ଟା କରୁଛି କେତୁଟା ଦାନ୍ତ ଉପୁଡ଼ି ଯାଇଚି। ଠିକ୍‌ ଗଣିପାରୁନାହିଁ। ବାର, ପନ୍ଦର, ସତର? ନା, ମୋର ‘ଶୁଣାଣି’ କାର୍ଯ୍ୟରେ ନିଯୁକ୍ତ ଅଫିସରମାନଙ୍କ ସଂଖ୍ୟା ତ ସେତିକି। ତାଙ୍କ ଭିତରୁ କେତେକ ବେଶ୍‌ କ୍ଳାନ୍ତ ହୋଇପଡ଼ିଲେଣି, ଦେଖାଯାଉଛି। କିନ୍ତୁ ତେବେ ବି ମୃତ୍ୟୁ ଆସୁନାହିଁ। ୩ଟା ସମୟ। ସହର ତଳିରୁ ଫର୍‌ଚା ହୋଇଆସୁଛି। ବଗିଚାବାଲାମାନେ ଟ୍ରକ୍‌ ବଜାରକୁ ଚଳେଇ ନେଉଛନ୍ତି, ରାସ୍ତା ଝାଡୁଦାରମାନେ ତାଙ୍କ କାମକୁ ବାହାରିଗଲେଣି। ହୁଏତ ଆଉ ଗୋଟିଏ ସକାଳ ଯାଏ ବଞ୍ଚିବି!

    ସେମାନେ ମୋ ସ୍ତ୍ରୀକୁ ଧରି ପହଞ୍ଚିଲେ।

    -ତୁମେ ଚିହ୍ନ ୟାଙ୍କୁ ?

      ସେ ଯେପରି ଦେଖିପାରିବ ସେଥିପାଇଁ ମୋର ମୁହଁ କଡ଼େ କଡ଼େ ଜମି ଥିବା ରକ୍ତକୁ ମୁଁ ଢ଼ୋକି ଦେଲି।…କିନ୍ତୁ ଏ ଖାଲି ନିର୍ବୋଧତା,କାରଣ ମୋ ମୁହଁର କୋଉଠୁ ଯେ ରକ୍ତ ବାହାରୁନାହିଁ ଏମିତି ସ୍ଥାନ ନାହିଁ, ଆଙ୍ଗୁଠି ଅଗରୁ ରକ୍ତ ଛୁଟିଛି।

    -ୟାଙ୍କୁ ଚିହ୍ନ?

     -ନା, ଚିହ୍ନେ ନାଇଁ।

      ସେ ଏତକ କହିଛି ମନର ଆତଙ୍କ ପ୍ରକାଶ ନକରି, ପଲକରେ ବି ନୁହେଁ। ଖାଣ୍ଟି ସୁନା। ସେ ରକ୍ଷା କରିଛି ଆମର ପ୍ରତିଶ୍ରୁତି। ମୋତେ କଦାପି ଚିହ୍ନିବ ନାହିଁ। ହୁଏତ ଏଇକ୍ଷଣି ଆଉ ସେ ପ୍ରତିଶ୍ରୁତି ରକ୍ଷା କରିବାର ଅର୍ଥ ନାହିଁ। କିଏ ଏମାନଙ୍କୁ ମୋର ନାମ କହିଲା?

   ସେମାନେ ତାକୁ ନେଇ ଗଲେ। ମୁଁ ତାକୁ ଜଣାଇଲି ବିଦାୟ ସମ୍ଭାଷଣ, ଆଖିରେ ଯେତେଦୂର ପାରେ ଉତ୍‌ଫୁଲତା ଫୁଟାଇ, ହୁଏତ ସେ ଦୃଷ୍ଟିରେ ପ୍ରସନ୍ନତା ନଥିଲା। ମୁଁ ଜାଣେନା।

    ୪ଟା ବାଜିଲା। ସିନ୍ଦୁରା ଫାଟୁଚି, ନା ନାହିଁ? ମୁଦା ଝରକା ଗୁଡ଼ାକ ସେ ପ୍ରଶ୍ନର ଜବାବ ନ ଦିଅନ୍ତି। ମୃତ୍ୟୁ ଆସିବାକୁ ଡେରି କରୁଛି। ମୁଁ କଣ ଆଗେଇ ଯିବି ତା ସାଙ୍ଗରେ ସାକ୍ଷାତ କରିବାକୁ? କିଭଳି ବା?

   ପଛଆଡ଼େ କାହା ଉପରେ ଯାଇ ବାଡ଼େଇ ହୋଇଗଲି, ଚଟାଣରେ ପଡ଼ିଗଲି। ସେମାନେ ମୋତେ ଗୋଇଠା ମାରୁଛନ୍ତି। ବୁଟ୍‌ ପିନ୍ଧି ମତେ ଚକଟି ଦେଇ ଯାଉଛନ୍ତି। ତାହେଲେ ଏଥର ଚଞ୍ଚଳ ମୃତ୍ୟୁ ଆସିଯିବ। ସଇତାନ ଅଫିସରଟା ମୋର ଦାଢ଼ି ଧରି ଟେକିଦେଲା  ଆଉ ମୁଠାଏ ଉପୁଡ଼ା ଦାଢ଼ି ଦେଖାଇଲା। ମୁହଁରେ ତାର ସଇତାନି ହସ। ବାସ୍ତବିକ ହସର କଥା। ଆଉ ତ ମୋତେ ଯନ୍ତ୍ରଣା ବୋଧ ହେଉନି।

     ପାଞ୍ଚଟା ବାଜିଲା-ଛ-ସାତ –ଦଶ। ଦ୍ବିପ୍ରହର ହେଲା, ଶ୍ରମିକମାନେ ସେମାନଙ୍କର କାରଖାନା ବେଞ୍ଚ ପାଖରେ ବସି କାର୍ଯ୍ୟରତ,ପିଲାଏ ସ୍କୁଲରେ । ଲୋକେ ଦୋକାନରେ ବିକାକିଣା କରୁଛନ୍ତି, ଘରର ସମସ୍ତେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ହୁଏତ ମା ଏଇ ମୁହୂର୍ତ୍ତରେ ମୋରି କଥା ଭାବୁଛନ୍ତି। ସମ୍ଭବତଃ ମୋର ସଙ୍ଗୀମାନେ ମୋ ଗିରଫ ହେବା କଥା ଜାଣି ଗଲେଣି ଓ ନିଜେ ଯେପରି ଧରା ନ ପଡ଼ନ୍ତି ସେଥିପାଇଁ ସତର୍କ ହୋଇଗଲେଣି…ଯଦି ସବୁ କହିଦିଏ ତେବେ କଣ ହେବ? ନା ନା ମୁଁ କେବେ କହିବି ନାହିଁ ମୋ ଉପରେ ଆସ୍ତା ରଖିପାର ସଚ୍ଚାକଥା। ଯାହା ହେଉ, ଅନ୍ତିମ ସମୟ ଆଉ ବେଶି ଦୂରରେ ନୁହେଁ। ଏସବୁ ଦୁଃସ୍ବପ୍ନ, ଏକ ଭୟଙ୍କର ବିହ୍ବଳ ଦୁଃସ୍ବପ୍ନ। ପାହାର ଗୋଡ଼ଠୁ ମୁଣ୍ଡଯାଏ, ତାପରେ ହୋସ୍‌ ଫେରାଇ ଆଣିବାକୁ ପାଣି ଢ଼ାଳି ଦିଅନ୍ତି। ତାପରେ ଆହୁରି ମାଡ଼ ଓ ଚିତ୍କାର। “କହ!କହ!କହ!” ତେବେ ବି ମୁଁ ମରୁନାହିଁ। ମା, ବାବା!ସହ୍ୟ କରିବାର ଏତେ ଶକ୍ତି କାହିଁକି ଦେଇଥିଲ ମୋ ଠି?

    ଅପରାହ୍ନ। ୫ଟା ସମୟ। ଏତେବେଳକୁ ସେମାନେ ସମସ୍ତେ କ୍ଳାନ୍ତ ହୋଇପଡ଼ିଗଲେଣି। ତାଙ୍କ ପାହାର ଗୁଡ଼ାକରେ ପୂର୍ବ ପ୍ରଚଣ୍ଡତା ନାହିଁ,   ନାହିଁ ପୂର୍ବ ପ୍ରଚଣ୍ଡତା ନାହିଁ,କ୍ଷିପ୍ରତା ନାହିଁ, ଆସୁଛି ଦୀର୍ଘ ବ୍ୟବଧାନରେ ଅବସନ୍ନ ଭଳି। ହଠାତ୍‌ ଦୂରରୁ ,କାହିଁ କେତେ ଦୂରରୁ ଏକ ଧୀର ଶାନ୍ତ ସ୍ବର ଭାସି ଆସିଲା, ପିଠି ଥାପୁଡ଼େଇବା ପରି ଦୟାମିଶ୍ରିତ।




+ -

© Jataayu Charitable Trust
Site designed,developed & maintained by Tekons